Ticker

4/recent/ticker-posts

‘ସମାଜ’ର ଶହେ ବର୍ଷ ପୂର୍ତ୍ତି, ଅଭିନନ୍ଦନର ସୁଅ// କ୍ରମାଗତ ଶହେବର୍ଷ ଧରି ଖବର ପ୍ରସାରଣରେ ଏକମାତ୍ର ଓଡ଼ିଆ ଖବରକାଗଜ

ଓଡ଼ିଆ ଜାତିର ଜାଗ୍ରତ ପ୍ରହରୀ ‘ସମାଜ’କୁ ଶହେ ପୂରିଲା:

ଦେବେନ ପଟେଲ,


ଦିନେ କି ଦୁଇ ଦିନ ନୁହେଁ; ବର୍ଷେ କି ଦୁଇ ବର୍ଷ ବି ନୁହେଁ କ୍ରମାଗତ ଭାବେ ଶହେ ବର୍ଷ ଧରି ନିରନ୍ତର ଭାବେ ଖବର ପ୍ରସାରଣ କରି ଆସୁଥିବା, ପ୍ରତି ଓଡ଼ିଆଙ୍କ ଘରେ ଘରେ ପରିଚିତ ‘ସମାଜ’ ଖବରକାଗଜ ଆଜି ତାର ଶତବର୍ଷ ପୂର୍ତ୍ତି ପାଳନ କରୁଛି। 
ଓଡିଆ ଜାତିର ପ୍ରତିଟି ପ୍ରାଣ ସ୍ପନ୍ଦନରେ ରହିଛି ‘ସମାଜ’। ଗତ ଶହେବର୍ଷ ଓଡ଼ିଆ ଜାତିର ଉତ୍‍ଥାନ ପତ୍ତନର ସାକ୍ଷୀ ହୋଇ ରହି ପାରିଛି ‘ସମାଜ’। କେତେ ଝଡ଼ଝଞ୍ଜା ଦେଖିଛି। କିନ୍ତୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଖବରକାଗଜ ପ୍ରାକ୍‍ ସ୍ୱାଧୀନତା କାଳରୁ ଓଡ଼ିଆଙ୍କ ସ୍ୱର ଭାବେ ନିଜକୁ ପ୍ରମାଣିତ କରି ପାରିଛି। ଓଡ଼ିଆଙ୍କ ସ୍ନେହ, ଶ୍ରଦ୍ଧା ପରିପ୍ରେକ୍ଷୀରେ ‘ସମାଜ’ ଆଜି ଶତାୟୁ ହେବା ସହ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧୀରୁ ଏବଂ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧୀ ଯାଏଁ ଜାଗ୍ରତ ପ୍ରହରୀ ହୋଇ ସଦା ଛିଡା ରହିଛି। ଆଗକୁ ଆହୁରି ଅନେକ ବାଟ। ତେବେ ସବୁଠାରୁ ବଡ଼ କଥା ହେଲା ସମୟ ସହ ତାଳ ଦେଇ ଚାଲିଥିବା ‘ସମାଜ’ ତାର ଉତ୍ତୋରଣକୁ ବଜାୟ ରଖି ପାରିଛି। 
ଛାପା ଗଣମାଧ୍ୟମ ତାର ଶହେବର୍ଷ ପୂରଣ କରିବା କିଛି କମ୍‍ ଉପଲବ୍ଧି ନୁହେଁ। ପୁଣି ପ୍ରାକ୍‍ ସ୍ୱାଧୀନତା କାଳରେ ଦେଶ ସ୍ୱାଧୀନତାଠାରୁ ଆରମ୍ଭ କରି ଓଡିଆ ଜାତିର ସ୍ୱାଭିମାନଙ୍କୁ ବଜାୟ ରଖିବାରେ ‘ସମାଜ’ରେ ଯେଉଁଭଳି ଗୁରୁ ଦାୟିତ୍ୱ ନିର୍ବାହ କରି ଆସୁଥିଲା ସ୍ୱାଧୀନତା ପରେ ଓଡ଼ିଆ ଜାତିର ସ୍ୱର ହେବା ସହ ଓଡ଼ିଶାର ସାମଗ୍ରୀକ ବିକାଶରେ ସହଭାଗିତା କରି ଆସିଛି। ଶତବର୍ଷିକୀ ପୂରଣ ସହ ‘ସମାଜ’କୁ ବିଭିନ୍ନ ମହଲରୁ ଆଦର ସହ ଶୁଭେଚ୍ଛାର ସୁଅ ଛୁଟିଛି।
‘ସମାଜ’ କେବଳ ଏକ ଖବରକାଗଜ ହୋଇ ରହିନାହିଁ। ଏହା ଏକ ସାମାଜିକ ଆନ୍ଦୋଳନ ହୋଇ ପାରିଛି। ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣୀତ ‘ସମାଜ’ ତାର ଲାଭାଂଶର ସିଂହଭାଗ ଓଡ଼ିଶାର ଦୁଃଖିଦରିଦ୍ରଙ୍କ ପାଇଁ ଖର୍ଚ୍ଚ କରି ଆସୁଛି। ବନ୍ୟା, ବାତ୍ୟା, ଘରପୋଡି ପରି ଦୈବୀଦୁର୍ବିପାକ ସମୟରେ ଓଡ଼ିଆଙ୍କ ପାଖରେ ଛିଡ଼ା ହୋଇ ପାରିଛି। ଗରିବ, ମେଧାବୀ ପିଲାଙ୍କୁ ଉଚ୍ଚ ଶିକ୍ଷାରେ ସହାୟତା ଦେଇ ଆସୁଛି। ଦୁଃସ୍ଥ, ଗରିବ, ଅସହାୟ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସଦାସର୍ବଦା ସହଯୋଗ ଦେଇ ଆସୁଛି। ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ପରିମ୍ପରାକୁ ରକ୍ଷା କରିବାରେ ନିରନ୍ତର ପ୍ରୟାସ କରି ଚାଲିଛି। 
ସୂଚନାଯୋଗ୍ୟ ଯେ, ଆଜିକୁ ଶହେବର୍ଷ ତଳେ ୧୯୧୯ ଅକ୍ଟୋବର ୪ ଚାରିଖ ପବିତ୍ର ବିଜୟା ଦଶମୀ ତିଥିରେ ‘ସାପ୍ତାହିକ ପତ୍ରିକା’ ଭାବେ ପରିପ୍ରକାଶ କରିଥିବା ‘ସମାଜ’ ତତ୍‍କାଳୀନ ମରୁଡି, ଦୁର୍ଭିକ୍ଷ ଓ ବନ୍ୟାକ୍ଲିଷ୍ଟ ଓଡିଶାବାସୀଙ୍କ ଦୁଃଖଦୁର୍ଦ୍ଦଶା, ଓଡ଼ିଶା ପ୍ରତି ତତ୍‍କାଳନୀ ଇଂରେଜ ସରକାରଙ୍କ ଅବହେଳା ତଥା ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରୁଥିଲା। ଏହି ପତ୍ରିକା ପ୍ରକାଶନ ନିମିତ୍ତ ଗୋପବନ୍ଧୁଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା। ଏପରିକି ତାଙ୍କୁ କାରବରଣ କରିବାକୁ ମଧ୍ୟ ପଡିଥିଲା। ତେବେ ଗୋପବନ୍ଧୁ ଓ ପରେ ତାଙ୍କର ପଟ୍ଟଶିଷ୍ୟ ରାଧାନାଥ ରଥଙ୍କ ନେତୃତ୍ୱରେ ସତ୍ୟନିଷ୍ଟ ତଥା ନିର୍ଭିକ ସାମ୍ବାଦିକତା ‘ସମାଜ’କୁ ଏକ ସମୃଦ୍ଧ ଖବରକାଗଜ ଭାବେ ପ୍ରତିଷ୍ଠିତ କରିପାରିଥିଲା। 
‘ସମାଜ’ ତାର ବିଜୟ ଯାତ୍ରା ଜାରି ରଖିଛି। ପ୍ରତି ଓଡ଼ିଆଙ୍କ ଦୃଦୟକୁ ଛୁଇଁବା ସହ ଜନମାନସର ପତ୍ରିକା ଭାବେ ‘ସମାଜ’ ତାର ଦ୍ୱିତୀୟ ଶତବାର୍ଷିକୀ ପୂରଣ କରୁ ଏତିକି କାମନା।

Post a Comment

2 Comments

  1. Jitendra (Kabibhai)4 October 2019 at 18:10

    The Samaja is only vernacular daily published in odia, which serves this nation for 100 years. It became the spirit of every odia from the very beginning. Thanks Deben Babu for this beautiful article on your blog Deb Stoppage.

    ReplyDelete
  2. Hii Deben Babu... it's very useful.... We are proud of you and SAMAJA.

    ReplyDelete