Ticker

4/recent/ticker-posts

ଶେଷ ହେଲା ଜାମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା, ପଟେଲଙ୍କ ଜୟନ୍ତୀରୁ ନୂତନ ଶାସନ ବ୍ୟବସ୍ଥା ପଛରେ କ’ଣ ରହିଛି କାରଣ?

ଶେଷ ହେଲା ଜାମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା, କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ନୂତନ ଅଧ୍ୟାୟ ଆରମ୍ଭ

 ପଟେଲଙ୍କ ଜୟନ୍ତୀରୁ ନୂତନ ଶାସନ ବ୍ୟବସ୍ଥା ପଛରେ କ’ଣ ରହିଛି କାରଣ?



ନୂତନ ନିୟମ ଲାଗୁ ହେବା ସହ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ୩୧ ଅକ୍ଟୋବରଠାରୁ ପୂର୍ବର ଜାମ୍ମୁ-କାଶ୍ମୀର ରାଜ୍ୟ ଦୁଇ ସ୍ବତନ୍ତ୍ର କେନ୍ଦ୍ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖ ଭାବେ ନାମିତ ହୋଇଛି। ଏହା ସହ ଏହି ତାରିଖ ଇତିହାସରେ ଲିପିବଦ୍ଧ ହୋଇଯାଇଛି। କାରଣ ୩୧ ଅକ୍ଟୋବରଠାରୁ ଉଭୟ ଭୂଖଣ୍ଡରେ ଲାଗୁ ହୋଇଛି ନୂଆ ଶାସନ ବ୍ୟବସ୍ଥା। ନୂଆ ବ୍ୟବସ୍ଥାରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇ ଭାଗ କରାଯାଇ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାବେ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଜାମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ରୂପେ ଜଣେ ବରିଷ୍ଠ ଓଡ଼ିଆ ପ୍ରଶାସନିକ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶାସନ ଭାର ମିଳିଛି। ସେହିପରି ରାଧାକୃଷ୍ଣ ମାଥୁର ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ଶାସନ ଡୋରି ନିଜ ହାତକୁ ନେବେ। ଅକ୍ଟୋବର ୩୧ ହେଉଛି ଦେଶର ପ୍ରଥମ ଗୃହମନ୍ତ୍ରୀ ଲୌହପୁରୁଷ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଜୟନ୍ତୀ। ଭାରତକୁ ଏକତାର ସୂତ୍ରରେ ବାନ୍ଧିଥିବା ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରୁ ଜାମ୍ମୁ-କାଶ୍ମୀର ଓ ଲଦାଖରେ ନୂଆ ଶାସନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ର ସରକାର ସଂସଦରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରିବା ସହ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌କୁ ମଧ୍ୟ ୩ ମାସ ତଳୁ ଗୃହୀତ କରାଇସାରିଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏହି ବିଧେୟକ ଓ ସଂକଳ୍ପ ପ୍ରସ୍ତାବକୁ ପ୍ରଥମେ ରାଜ୍ୟସଭା ଓ ପରଦିନ ଲୋକସଭାରେ ଗୃହୀତ କରାଇଥିଲେ। ତେବେ ଏନେଇ ୯୦ ଦିନ ଭିତରେ ପ୍ରଶାସନିକ ପ୍ରକ୍ରିୟା ଶେଷକରି ଏହାକୁ ଅକ୍ଟୋବର ୩୧ରୁ ଲାଗୁ କରିବାକୁ ନିଷ୍ପତ୍ତି କରାଯାଇଥିଲା। ଏହା ଦ୍ବାରା ଦୀର୍ଘବର୍ଷଧରି ଆତଙ୍କବାଦ ଓ ଚରମ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ଜାମ୍ମୁ-କାଶ୍ମୀରରେ ଶାସନ ବ୍ୟବସ୍ଥାରେ ନୂତନ ସମ୍ଭାବନା ନେଇ କେନ୍ଦ୍ର ସରକାର ବେଶ୍‌ ଆଶାବାଦୀ ରହିଛନ୍ତି। କେନ୍ଦ୍ରରେ ଦ୍ବିତୀୟବାର ନରେନ୍ଦ୍ର ମୋଦୀଙ୍କ ପୂର୍ଣ୍ଣବହୁମତ ସରକାର କ୍ଷମତାକୁ ଆସିବାର ୬୦ ଦିନ ଭିତରେ ଜାମ୍ମୁ-କାଶ୍ମୀରରୁ ଧାରା-୩୭୦ ଓ ୩୫(କ)କୁ ଉଚ୍ଛେଦ କରିଛନ୍ତି।

ଜାମ୍ମୁ-କାଶ୍ମୀରକୁ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜାମ୍ମୁ-କାଶ୍ମୀରୁ ଲଦାଖକୁ ଅଲଗା କରି ତାହାକୁ ଅନ୍ୟ ଏକ କେନ୍ଦ୍ରଶାସିତ ଅଞ୍ଚଳ ରୂପେ ଗଠନ କରିବା ନେଇ ତିନିମାସ ତଳୁ ଚାଲିଥିବା ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗୁରୁବାରଠାରୁ କାର୍ୟ୍ୟକାରୀ କରାଯାଉଥିବାରୁ ଏହା ପୂର୍ବରୁ ଏଠାରେ ଶାସନମୁଖ୍ୟ ଉପରାଜ୍ୟପାଳ ଭାବେ ଯଥାକ୍ରମେ ବରିଷ୍ଠ ଓଡ଼ିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ଓ ଆର.କେ ମାଥୁରଙ୍କୁ ନିଯୁକ୍ତି ଦିଆଯାଇସାରିଛି। ସେ ଖୁବ୍‌ଶୀଘ୍ର ପଦ ଓ ଗୋପନୀୟତାର ଶପଥପାଠ କରି କାର୍ୟ୍ୟରେ ଯୋଗଦେବେ। ଏଥିପାଇଁ ଶ୍ରୀନଗର ଏବଂ ଲେହରେ ପୃଥକ ପୃଥକ ଭାବେ ଶପଥ ଗ୍ରହଣ ସମାରୋହ ଆୟୋଜନ ହେଉଛି। ଜାମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଉଭୟଙ୍କୁ ଶପଥପାଠ କରାଇବେ। ଏବେ ଜାମ୍ମୁ-କାଶ୍ମୀର ଲାଗି ଶ୍ରୀନଗର ଏବଂ ଲଦାଖ ପାଇଁ ଲେହ ରାଜଧାନୀ ଭାବେ କାର୍ୟ୍ୟ କରିବ। ଏବେ ଜାମ୍ମୁ-କାଶ୍ମୀର ଓ ଲଦାଖ ସିଧାସଳଖ କେନ୍ଦ୍ର ସରକାରଙ୍କ ଶାସନ ନିୟନ୍ତ୍ରଣରେ ରହିବ। ଜାମ୍ମୁ-କାଶ୍ମୀରରେ ଦିଲ୍ଲୀ ଭଳି ବିଧାନସଭା ରହିବ। ସୂଚନାଯୋଗ୍ୟ, ଆତଙ୍କବାଦ ଦମନ ଓ ଜାମ୍ମୁ-କାଶ୍ମୀରକୁ ଅଧିକ ବିକଶିତ କରିବା ସହ ଗୋଟିଏ ଦେଶ ଗୋଟିଏ ପତାକା ଓ ସମ୍ବିଧାନକୁ କାର୍ୟ୍ୟକାରୀ କରିବା ଲାଗି ଏଭଳି କଠୋର ତଥା ଦୃଢ ନିଷ୍ପତ୍ତି ସରକାର ନେଇଥିବା କୁହାଯାଇଛି। 


ପଟେଲଙ୍କ ଜୟନ୍ତୀରୁ ନୂତନ ନିୟମ ଲାଗୁ କରାଯିବାରା ପ୍ରକୃତ କାରଣ

ଅନ୍ୟପକ୍ଷରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରୁ ନିଷ୍ପତ୍ତି କାର୍ୟ୍ୟକାରୀ କରିବା ପଛରେ ଆଉ ଏକ ଉଦ୍ଦେଶ୍ୟ ରହିଛି। ସ୍ବାଧୀନତା ପରେ ନିଜାମ ହାଇଦରାବାଦ ଓ ରାଜସ୍ଥାନର ଜୁନାଗଡ଼ ସମେତ ଦେଶରେ ୫୦୦ରୁ ଅଧିକ ରାଜୱାଡା ଶାସନ ଓ ଅଞ୍ଚଳକୁ ଭାରତର ଲୌହପୁରୁଷ ତଥା ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲବଭାଇ ପ​‌େ​‌ଟଲ ବିନାସର୍ତ୍ତରେ ଭାରତରେ ମିଶ୍ରଣ କରାଇଥିଲେ। ତେବେ ଜାମ୍ମୁ-କାଶ୍ମୀର କ୍ଷେତ୍ରରେ ନେହେରୁଙ୍କ ନିଷ୍ପତ୍ତି ଓ ପରବର୍ତ୍ତୀ ସମୟରେ ଧାରା ୩୭୦ ଅସ୍ଥାୟୀ ବ୍ୟବସ୍ଥା ଲାଗୁ ଏହି ରାଜ୍ୟକୁ ଅନ୍ୟ ପ୍ରଦେଶଙ୍କଠାରୁ ଭିନ୍ନ କରି ରଖିଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ନୀତି ଓ ଯୋଜନା ଏଠାରେ କାର୍ୟ୍ୟକାରୀ କରାଯାଉନଥିଲା। ଭାରତର କୌଣସି ବ୍ୟକ୍ତି ଦେଶର ଯେ କୌଣସି ପ୍ରଦେଶରେ ଜମି କିଣାବିକା କରିପାରୁଥିବାବେଳେ ଜାମ୍ମୁ-କାଶ୍ମୀରରେ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା ୩୫(କ)। ତେଣୁ ଉଭୟ ଅସ୍ଥାୟୀ ଅନୁଚ୍ଛେଦକୁ ଉଚ୍ଛେଦ କରାଯିବା ନେଇ ଦେଶବ୍ୟାପୀ ହେଉଥିବା ଦାବି ଶେଷରେ କେନ୍ଦ୍ର ସରକାର ଗ୍ରହଣ କରି କାର୍ୟ୍ୟକାରୀ କରାଇଛନ୍ତି। ଏଥିସହ ବିଜେପି ତା’ର ବହୁଦିନର ଇସ୍ତାହାର ମଧ୍ୟ ପୂରଣ କରିଛି।

ଏବେ ୨୮ରାଜ୍ୟ ଓ ୯ କେନ୍ଦ୍ରଶାସିତ ଅଞ୍ଚଳ

ଜାମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଏକ ଐତିହାସିକ ପଦକ୍ଷେପ। କାରଣ କୌଣସି ମଧ୍ୟ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାର ଏହା ହେଉଛି ପ୍ରଥମ ଉଦାହରଣ। ଜାମ୍ମୁ-କାଶ୍ମୀର ପାଇଁ ନୂତନ ନିୟମ ଲାଗୁ ହେବା ସହ ଦେଶରେ ରାଜ୍ୟ ସଂଖ୍ୟ ୨୮ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି। 

Post a Comment

0 Comments