ମୋବାଇଲ୍ରେ ମାଗଣା କଲ୍(କଥାବାର୍ତ୍ତା) ଶେଷ ହେବାକୁ ଯାଉଛି। ରିଲାଏନ୍ସ ଜିଓ ଅନ୍ୟ ନେଟୱର୍କରେ କଥାବାର୍ତ୍ତା ପାଇଁ ମିନିଟ୍କୁ ୬ ପଇସା ନେବାକୁ ଘୋଷଣା କରିବା ସହ ଏହି ପ୍ରକାର ଆକଳନ ଆରମ୍ଭ ହୋଇଯାଇଛି। ରିଲାଏନ୍ସ ଜିଓ ସହ ଅନ୍ୟ ନେଟ୍ୱର୍କମାନେ ମଧ୍ୟ କଲ୍ଚାର୍ଜ ବୃଦ୍ଧି କରିପାରନ୍ତି ବୋଲି ଏବେଠାରୁ ଆକଳନ ଆରମ୍ଭ ହୋଇଯାଇଛି।
କାହିଁକି ପଡିବ ୧୨ ଟଙ୍କାର ବୋଝ:
ଭଏସ୍ କଲ୍କୁ ଗ୍ରାହକଙ୍କଠାରୁ ମିନିଟ୍କୁ ୬ ପଇସା ନେବାକୁ ଘୋଷଣା କରିବା ସହ ଗ୍ରାହକମାନେ ରିଲାଏନ୍ସ ଜିଓ ଉପରେ କଡା ଟିପ୍ପଣୀ ଦେବାକୁ ଆରମ୍ଭ କରିଥିବାବେଳେ ପ୍ରତିଦ୍ୱନ୍ଦ୍ୱି ମୋବାଇଲ୍ ଅପରେଟରମାନେ ମଧ୍ୟ ଟ୍ୱିଟ୍ ମାଧ୍ୟମରେ ଜିଓର ମଜା ଉଡାଉଥିବା ଦେଖିବାକୁ ମିଳିଛି। ଆଇଡିଆ, ଭୋଡ଼ାଫୋନ, ଏୟାରଟେଲ୍ ଏବଂ ଜିଓ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଏବେ ରିଲାଏନ୍ସ ଜିଓ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ଏହାର ଉତ୍ତର ରଖିଛି। ରିଲାଏନ୍ସ ଜିଓ ଏହାର ଉତ୍ତରରେ ଉଲ୍ଲେଖ କରିଛି ଯେ ଜିଓ ଗ୍ରାହକଙ୍କୁ ମାସିକ ହାରାହାରି ମାତ୍ର ୧୨ ଟଙ୍କାର ଅତିରିକ୍ତ ବୋଝ ପଡିବ। କାରଣ ଟ୍ରାଇ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଜଣେ ଗ୍ରାହକ ସାଧାରଣତଃ ଅନ୍ୟ ନେଟ୍ୱକୁ ମାସିକ ମାତ୍ର ୨୦୦ ମିନିଟ୍ର କଥାବର୍ତ୍ତା କରିଥାଏ। ଏହି ହିସାବରେ ଜିଓ ଗ୍ରାହକଙ୍କୁ ମାତ୍ର ୧୨ ଟଙ୍କାର ଅତିରିକ୍ତ ବୋଝ ପଡିବ।
କାହିଁକି ଲାଭରେ ରହିବ ଜିଓ:
ଜିଓ ନିଜ ଗ୍ରାହକମାନଙ୍କୁ ସ୍ପଷ୍ଟ କରି ଦେଇଛି ଯେ ଜିଓରୁ ଜିଓକୁ କଲ୍ ପାଇଁ କୌଣସି ପ୍ରକାର ଦେୟ ପଡୁ ନଥିବାରୁ ଗ୍ରାହକମାନେ ଏହାର ଲାଭ ଉଠାଇବା ଉଚିତ। ସଂପ୍ରତି ଅନ୍ୟ ନେଟ୍ୱର୍କ ତୁଳନାରେ ସର୍ବାଧିକ ଗ୍ରାହକ ଜିଓ ପାଖରେ ରହିଛନ୍ତି। ତେଣୁ ପରିବାର କିଛି ସଦସ୍ୟଙ୍କ ପାଖରେ ଅନ୍ୟ ନେଟ୍ୱର୍କ ଥିଲେ ତାକୁ ଜିଓକୁ ପୋର୍ଟାବିଲିଟି କରି ଦେବାକୁ ଜିଓ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି। ସଂପ୍ରତି ଜିଓ ପାଖରେ ପ୍ରାୟ ୩୫ କୋଟି ଗ୍ରାହକ ରହିଥିବାବେଳେ ଏୟାରଟେଲ୍ ପାଖରେ ମାତ୍ର ୩୦ କୋଟିର ଗ୍ରାହକ ଅଛନ୍ତି। ଗ୍ରାହକ ସ୍ୱିଚ୍ ଓଭର ପ୍ରସଙ୍ଗ ଆସିଲେ ଅଧିକ ଗ୍ରାହକଥିବା ନେଟୱର୍କ ଅଧିକ ଲାଭରେ ରହିଥାଏ। ତେଣୁ ସଂପ୍ରତି ଜିଓର ୬ ପଇସା ପଦକ୍ଷେପ ଫଳରେ ସେ ହିଁ ବେଶୀ ଲାଭବାନ ହେବ ବୋଲି କୁହାଯାଉଛି।
ମିସଡ କଲ୍ରୁ ହେଉଥିବା କ୍ଷତିର ଭରଣା:
ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଅନ୍ୟ କଂପାନୀର ୨ଜି ସେବା ଏବେ ମଧ୍ୟ ବହୁ ମହଙ୍ଗା ରହିଛି। ତେଣୁ ଏହି ସବୁ ନେଟ୍ୱର୍କର ଗ୍ରାହକମାନେ ସାଧାରଣତଃ ଜିଓ ଗ୍ରାହକଙ୍କୁ ମିସ୍ଡ କଲ୍ ମାରିଥାନ୍ତି। ଯେତେବେଳେ ଜିଓର ଗ୍ରାହକ ସଂପୃକ୍ତ ଅପରପକ୍ଷ ଗ୍ରାହକଙ୍କୁ ଭଏସ୍ କଲ୍ କରିଥାନ୍ତି ଏଥିପାଇଁ ଜିଓକୁ ଇଣ୍ଟରକନେକ୍ଟ ପ୍ରୟୋଗ ଶୁଳ୍କ (ଆଇୟୁସି) ଦେବାକୁ ପଡିଥାଏ। ଜିଓ ନେଟ୍ୱର୍କକୁ ପ୍ରତିଦିନ ଏପରି ପ୍ରାୟ ୩୦କୋଟି ମିସ୍ଡ କଲ୍ ଆସୁଥିବା ଜିଓ ପକ୍ଷରୁ ପ୍ରକାଶ କରାଯାଇଛି। ଜିଓ ଆୟୁସି ବାବଦକୁ ୩ ବର୍ଷରେ ଅନ୍ୟ ନେଟ୍ୱର୍କକୁ ପ୍ରାୟ ୧୩,୫୦୦କୋଟି ଟଙ୍କା ପ୍ରଦାନ କରିଛି। ୨୦୨୦ ସୁଦ୍ଧା ଆଇୟୁସି ଚାର୍ଜକୁ ଉଠାଇ ଦିଆଯିବ ବୋଲି ପୂର୍ବରୁ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଉଥିଲା। ମାତ୍ର ଏୟାରେଟେଲ, ଭୋଡ଼ାଫୋନ, ଆଇଡିଆ ପରି ବିତରକଙ୍କ ତୀବ୍ର ବିରୋଧ ପରିପ୍ରେକ୍ଷୀରେ ଏନେଇ ନିଷ୍ପତ୍ତିରେ ବିଳମ୍ବ ହୋଇ ପାରେ ବୋଲି ଟ୍ରାଇ ପକ୍ଷରୁ ପ୍ରକାଶ କରାଯିବା ପରେ ଜିଓ ପକ୍ଷରୁ ଅନ୍ୟ ନେଟୱର୍କକୁ ୬ପଇସା ନିଆଯିବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ଉପଭୋକ୍ତାଙ୍କୁ ଜିଓ ଭାଉଚର ସହ ଟପ୍ଅପ୍ ପକାଇବାକୁ ପଡିବ। ଏହାର ଟପ୍ଅପ୍ର ପ୍ରାରମ୍ଭିକ ମୂଲ୍ୟ ୧୦ ଟଙ୍କା ରହିଛି। ଏହି ୧୦ଟଙ୍କାର ଟପ୍ ଅପ୍ରେ ଅନ୍ୟ ନେଟ୍ୱର୍କକୁ ୧୨୪ମିନିଟ୍ର ଟକ୍ ଟାଇମ୍ ମିଳିବ। ତେବେ ଗ୍ରାହକଙ୍କ ଏହି କ୍ଷତିକୁ ଭରଣା ପାଇଁ ଜିଓ ପକ୍ଷରୁ ଗ୍ରାହକଙ୍କୁ ଅତିରିକ୍ତ ୧ ଜିବିର ଡାଟା ପ୍ରଦାନ କରାଯିବ। ସେହିପରି ୨୦ଟଙ୍କାରେ ୨୪୯ ମିନିଟ ଏବଂ ଏହାର ପ୍ରତି ବଦଳରେ ୨ଜିବି ଡାଟା, ୫୦ ଟଙ୍କାରେ ୬୫୬ ମିନିଟ୍ ଏବଂ ପ୍ରତିବଦଳରେ ୫ଜିବି ଡ଼ାଟା, ୧୦୦ଟଙ୍କାରେ ୧୩୬୨ ମିନିଟ ଏବଂ ପ୍ରତିବଦଳରେ ୧୦ଜିବି ଡାଟା ମିଳିବ। ସଂପ୍ରତି ଚାଲିଥିବା ଭାଉଚର୍ର ଅବଧି ଶେଷ ହେବା ପରେ ନୂତନ ଦର ହିସାବରେ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡିବ ବୋଲି ଜିଓ ପକ୍ଷରୁ ପ୍ରକାଶ କରାଯାଇଛି।
ଜିଓ ସଂକ୍ରାନ୍ତରେ ସମସ୍ତ ଖବର ଜାଣିବା ପାଇଁ ଚାହୁଁଥିଲେ ଉପରେ ଦିଆଯାଇଥିବା ଫଲୋ ବଟନ୍କୁ କ୍ଲିକ୍ କରନ୍ତୁ ଏବଂ କମେଣ୍ଟ ନିହାତି ଭାବେ ଦିଅନ୍ତୁ।
ଜିଓ ସଂକ୍ରାନ୍ତରେ ସମସ୍ତ ଖବର ଜାଣିବା ପାଇଁ ଚାହୁଁଥିଲେ ଉପରେ ଦିଆଯାଇଥିବା ଫଲୋ ବଟନ୍କୁ କ୍ଲିକ୍ କରନ୍ତୁ ଏବଂ କମେଣ୍ଟ ନିହାତି ଭାବେ ଦିଅନ୍ତୁ।
0 Comments