Ticker

4/recent/ticker-posts

ଅବସରର ୧୩ ବର୍ଷ ପରେ ପଦୋନ୍ନତି // Senior Clark promoted after 13 years of retirement

ସାଧାରଣତଃ ଚାକିରି କାଳ ମଧ୍ୟରେ କର୍ମଚାରୀଙ୍କୁ ପଦୋନ୍ନତି ମିଳିଥାଏ। ତେବେ ଅବସର ପରେ, ତାହା ମଧ୍ୟ ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୧୩ ବର୍ଷ ପରେ ଜଣେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିଥିବା ଏବଂ ସେହି ଅନୁସାରେ ତାଙ୍କର ଭତ୍ତାକୁ ସଂଶୋଧନ କରାଯାଇଥିବା ଜଣାପଡିଛି। ଘଟଣାଟି ଘଟିଛି ସମ୍ବଲପୁର ଶିକ୍ଷା ମଣ୍ଡଳ ଅଧୀନରେ କାର୍ଯ୍ୟରତ ଜନୈକ ବରିଷ୍ଠ କିରାଣୀଙ୍କ କ୍ଷେତ୍ରରେ।

ଯୋଗ୍ୟତା ଥାଇ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ଶିକ୍ଷା ବିଭାଗର ଜନୈକ ବରିଷ୍ଠ କିରାଣିଙ୍କୁ ଏଭଳି ଭାବେ ନ୍ୟାୟ ମିଳିିଛି। ସମ୍ପୃକ୍ତ ବରିଷ୍ଠ କିରାଣି ନ୍ୟାୟ ପାଇଁ ଓଡ଼ିଶା ପ୍ରଶାସନିକ ପ୍ରାଧିକରଣ (ଓଡ଼ିଶା ଆଡ୍‍ମିନିଷ୍ଟ୍ରେଟିଭ୍‍ ଟ୍ରାଇବ୍ୟୁନାଲ)ର ଦ୍ୱାରସ୍ଥ ହୋଇଥିଲେ। ଟ୍ରାଇବ୍ୟୁନାଲର ନିର୍ଦ୍ଦେଶ ପରେ ତାଙ୍କ ଅବସର ଗ୍ରହଣର ଦୀର୍ଘ ୧୩ ବର୍ଷ ପରେ ତାଙ୍କୁ ବରିଷ୍ଠ କିରାଣି ପଦବୀକୁ ପଦୋନ୍ନତି ମିଳିବାସହ ବରିଷ୍ଠ କିରାଣିଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ସମେତ ସମସ୍ତ ସୁବିଧା ସୁଯୋଗ ପ୍ରାପ୍ତ ହୋଇଛି। 
୨୦୦୫ ମସିହା ଏପ୍ରିଲ ୪ ତାରିଖରେ ଶିକ୍ଷା ବିଭାଗର ମୁଖ୍ୟ କିରାଣି ପଦବୀକୁ ପଦୋନ୍ନତି ପ୍ରଦାନ ସମୟରେ ମୁଖ୍ୟ କିରାଣି ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଥିବା ସମ୍ବଲପୁର ଶିକ୍ଷା ମଣ୍ଡଳ ଅଧୀନରେ କାର୍ଯ୍ୟରତ ବରିଷ୍ଠ କିରାଣି ରମାକାନ୍ତ ଗୁରୁଙ୍କୁ ପଦୋନ୍ନତି ପ୍ରଦାନ କରା କରାଯାଇ ନ ଥିଲା। ସେତେବେଳେ ସଂରକ୍ଷିତ ବର୍ଗର ଅଧିକ ପ୍ରାର୍ଥୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିବାରୁ ଶ୍ରୀ ଗୁରୁ ମୁଖ୍ୟ କିରାଣି ପଦବୀରୁ ବଞ୍ଚିତ ରହିଥିଲେ। ଶ୍ରୀ ଗୁରୁ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଆପତ୍ତି କରି ନିଷ୍ପତ୍ତିର ପୁନର୍ବିଚାର ପାଇଁ ନିବେଦନ କରିଥିଲେ ମଧ୍ୟ ତାଙ୍କୁ ପଦୋନ୍ନତି ଦେବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ପୁନଶ୍ଚ ୨୦୦୬ ମସିହାରେ ମୁଖ୍ୟ କିରାଣି ପଦବୀ ଖୋଲା ହୋଇଥିଲେ ମଧ୍ୟ ଶ୍ରୀ ଗୁରୁଙ୍କୁ ଆକ୍ରୋଶ ମୂଳକ ଭାବେ ପଦୋନ୍ନତି ପ୍ରଦାନ କରାଯାଇ ନ ଥିଲା। ୨୦୦୬ ମସିହା ଅଗଷ୍ଟ ୩୧ ତାରିଖରେ ଶ୍ରୀ ଗୁରୁ ଚାକିରିରୁ ଅବସର ଗ୍ରହଣ କରିବା ପରେ ୨୦୦୭ ମସିହାରେ ଅନ୍ୟ କେତେଜଣଙ୍କୁ ମୁଖ୍ୟ କିରାଣି ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ଫଳରେ ଶ୍ରୀ ଗୁରୁ ନ୍ୟାୟ ନିମନ୍ତେ ଓଡ଼ିଶା ପ୍ରଶାସନିକ ପ୍ରାଧିକରଣଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ପ୍ରଶାସନିକ ପ୍ରାଧିକରଣ ଏହି ମାମଲାର ବିଚାର କରିବା ସହ ଗତ ଏପ୍ରିଲ ୨୨ ତାରିଖରେ ରାୟ ପ୍ରକାଶ କରିଥିଲେ। ରାୟରେ ୨୦୦୬ ମସିହାରୁ ବରିଷ୍ଠ କିରାଣି ଶ୍ରୀ ଗୁରୁଙ୍କୁ ମୁଖ୍ୟ କିରାଣି ପଦବୀକୁ ପଦୋନ୍ନତି ପ୍ରଦାନ ପାଇଁ ସମ୍ବଲପୁର ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। 

ଫଳରେ ସମ୍ବଲପୁର ଜିଲା ଶିକ୍ଷା ଅଧିକାରୀ ଇତି ମଧ୍ୟରେ ଗତ ସେପ୍ଟେମ୍ବର ୧୩ ତାରିଖରେ ଦେବଗଡ଼ ଜିଲା ଶିକ୍ଷା ଅଧିକାରୀଙ୍କୁ ପତ୍ର (ସଂଖା-ଡିଇଓ.-ଏସ୍‍ବିପି.-ଏ୧-୮୦୯୯) ଲେଖି ଆବେଦନକାରୀ ରମାକାନ୍ତ ଗୁରୁଙ୍କୁ ମୁଖ୍ୟ କିରାଣି ପଦବୀକୁ ପଦୋନ୍ନତି ଦେଇ ତାଙ୍କର ସମସ୍ତ ଅବସର ଭତ୍ତା ବୃଦ୍ଧି କରିବାକୁ ଜଣାଇଥିବା ସୂଚନା ମିଳିଛି। ତେବେ ଅବସର ଗ୍ରହଣର ଦୀର୍ଘ ୧୩ ବର୍ଷପରେ ଜଣେ ବରିଷ୍ଠ କିରାଣିଙ୍କୁ ମୁଖ୍ୟ କିରାଣୀ ପଦବୀକୁ ପଦୋନ୍ନତି ମିଳିବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ପଦୋନ୍ନତି ପାଇଥିବା ଶ୍ରୀ ଗୁରୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ପ୍ରକାଶ କରିଛନ୍ତି।

Post a Comment

0 Comments