Ticker

4/recent/ticker-posts

ରେଢ଼ାଖୋଲ ବନଖଣ୍ଡରେ ମରୁଛନ୍ତି ହାତୀ // ୧୦ ଦିନରେ ମଲେଣି ୩ ହାତୀ

ରୋଗ ନୁହେଁ ଖାଦ୍ୟାଭାବରୁ ହାତୀ ମଡ଼କ

ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡରେ ଯେଭଳି ହାତୀ ମଡକ ପଡିଛି। ମାତ୍ର ଦଶଦିନ ମଧ୍ୟରେ ଗୋଟିଏ ଛୁଆ ସମେତ ୩ ହାତୀର ମୃତ୍ୟୁ ଘଟିଲାଣି। ଆନ୍ଥ୍ରାକ୍ସ ଏବଂ ପାକସ୍ଥଳିଜନିତ ସମସ୍ୟା ସଂପର୍କରେ ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଉଥିଲେ ସୁଦ୍ଧା ପ୍ରକୃତରେ ଖାଦ୍ୟାଭାବ ଯୋଗୁଁ ଗୋଟିଏ ପରେ ଗୋଟିଏ ହାତୀ ଟଳି ପଡୁଥିବା କୁହାଯାଉଛି। ତେବେ ମୁଖ୍ୟ ପ୍ରସଙ୍ଗକୁ ନ ଯାଇ ବନ ବିଭାଗ କେବଳ ଉପରେ ଭାସି ନିଜକୁ ବଞ୍ଚାଇ ଚାଲିଥିବା ଜଣାପଡିଛି। 
ରେଢ଼ାଖୋଲ ବନଖଣ୍ଡ ସଂରକ୍ଷିତ ଜଙ୍ଗଲରେ ବହୁ ବେଆଇନ ବସତି ଗଢ଼ି ଉଠିଥିଲେ ସୁଦ୍ଧା ସେମାନଙ୍କୁ ଉଚ୍ଛେଦ ନେଇ ବିଶେଷ ଧ୍ୟାନ ଦିଆଯାଉ ନାହିଁ। ଅପରପକ୍ଷରେ ବହୁ ବସତିଙ୍କୁ ଭୋଟର ପରିଚୟପତ୍ର, ବିଦ୍ୟୁତ, ପାନୀୟ ଜଳ ପାଇଁ ନଳକୂପ ଆଦିର ବ୍ୟବସ୍ଥା କରାଯାଉଥିବା ପରିତାପର ବିଷୟ।
elephants died in odisha
elephants died in odisha due to food scarcity

ଖବର ମୁଖ୍ୟାଂଶ:

  • ୧୦ ଦିନରେ ମଲେଣି ୩ ହାତୀ
  • ଖାଦ୍ୟାଭାବ ମୁଖ୍ୟ ସମସ୍ୟା
  • ଗାଁରୁ ତଡୁଛନ୍ତି ଲୋକେ
  • ସଂରକ୍ଷିତ ଜଙ୍ଗଲ ଭିତରେ ବସତି
  • ବସତି ପାଇଁ କଟା ଚାଲିଛି ରତାଖଣ୍ଡି ଜଙ୍ଗଲ

ଗତ ଦଶଦିନ ମଧ୍ୟରେ ଦୁଇଟି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ବେଳେ ବୁଧବାର ୩୧ତାରିଖ ଦିନ ପୁଣି ଏକ ହାତୀ ଶାବକର ମୃତ ଦେହ ଉଦ୍ଧାର କରାଯାଇଛି। ଗତ ୨୦ ତାରିଖ ନାକଟୀଦେଉଳ ବନାଞ୍ଚଳ ଅନ୍ତର୍ଗତ ରାଇଲ ଗ୍ରାମ ନିକଟସ୍ଥ ପଣସକାନୀ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଏହି ହାତୀଟି ୧୫ ଦିନ ପୂର୍ବରୁ ରୋଗାକ୍ରାନ୍ତ ଥିବାର ଖବର ବନବିଭାଗ ପାଖରେ ଥାଇ ମଧ୍ୟ ହାତୀକୁ ବଞ୍ଚାଇ ପାରି ନ ଥିଲେ। ଠିକ ତାର ୩ ଦିନ ପରେ ୨୩ ତାରିଖ ବଡ଼ମାଳ ରେଞ୍ଜ ବଡ଼ପାଟି ଗାଁ ନିକଟରୁ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିଲା। ପୁଣି ସାତଦିନ ପରେ ଚାରମାଳ ରେଞ୍ଜ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୁଣି ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ବିଗତ ଦୁଇଟି ଦନ୍ତା ହାତୀ ଶବ ବ୍ୟବଚ୍ଛେଦ ପରେ ବନବିଭାଗ ଆନ୍ଥ୍ରାକ୍ସ ରୋଗରେ ମୃତ୍ୟୁ ହୋଇଥିବା କହି ନିଜକୁ ଘଣ୍ଟ ଘୋଡ଼ାଇ ଦେଇଛି। ବୁଧବାର ହାତୀ ଶାବକ ମୃତ୍ୟୁ ଘଟଣାରେ ମଧ୍ୟ ବିଭାଗ ଏଭଳି କିଛି ଉତ୍ତର ରଖିବ ବୋଲି ଆଶା କରାଯାଉଛି। ତେବେ ଖାଦ୍ୟାଭାବ ଏବଂ ପରବର୍ତ୍ତୀ ସମୟରେ ରୋଗାକ୍ରାନ୍ତ ହୋଇ ପଡୁଥିବା ହାତୀଙ୍କ ଚିକିତ୍ସା ଅଭାବରୁ ସେମାନଙ୍କ ମୃତ୍ୟୁ ହେଉଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରୁଛନ୍ତି।

ଅସୁସ୍ଥ ହାତୀ ଶାବକ ବାବଦରେ ଠିକ୍‍ ଭାବେ ଜାଣିଥିଲା ବନ ବିଭାଗ:

ଗୁରୁବାର ମୃତ୍ୟୁ ହୋଇଥିବା ହାତୀ ଶାବକଟି ଗତ କିଛିଦିନ ତଳୁ ଅସୁସ୍ଥ ଅବସ୍ଥାରେ ହାତୀପଲ ସହ ବୁଲୁଥିବାର ଗ୍ରାମବାସୀ ବନବିଭାଗକୁ ଜଣାଇଥିଲେ। ଅସୁସ୍ଥ ହାତୀ ଶାବକଟି ବିଶେଷ ଭାବେ ବୁଲାବୁଲି କରି ନପାରୁଥିବାରୁ ହାତୀପଲ ମଧ୍ୟ ଗ୍ରାମ ନିକଟସ୍ଥ ଜଙ୍ଗଲ ଛାଡ଼ି କୁଆଡେ ଯାଉନଥିଲେ। ଏହି ପଲରେ ୪ଟି ହାତୀ ଥିଲେ। ତେବେ ଆଜି ହାତୀ ଶାବକଟିର ମୃତ୍ୟୁ ହେବା ପରେ ମାଁ ହାତୀ ସହ ହାତୀପଲ ଛାଡ଼ି ପଳାଇଥିଲେ। ଏହି ହାତୀପଲକୁ ଚାରମାଳ ରେଞ୍ଜ ଅନ୍ତର୍ଗତ ବରହମପୁରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବୁଲୁଥିବା ନେଇ ବନବିଭାଗ ପାଖରେ ସୂଚନା ଥିବା ସହିତ ହାତୀ ଶାବକଟି ଅସୁସ୍ଥ ଥିବା ଜାଣିଥିଲେ ମଧ୍ୟ ବନବିଭାଗ ଚିକିତ୍ସା ପାଇଁ ଗୁରୁତ୍ୱ ଦେଇନଥିଲା। ଫଳରେ ହାତୀ ଶାବକର ମୃତ୍ୟୁ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଶାବକଟିର ଆନୁମାନିକ ବୟସ ୧ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି। ହାତୀ ଶାବକର ମୃତ୍ୟୁ ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ଚାରମାଳ ରେଞ୍ଜର ହରେଶ କିସାନ, ଫରେଷ୍ଟର ପ୍ରବୀଣ କୁମାର ସାହୁ, ଅନିଲ କିସାନଙ୍କ ସମେତ ବନ କର୍ମଚାରୀ ପହଞ୍ଚି ମୃତ ହାତୀଶାବକକୁ ଉଦ୍ଧାର କରିବା ସହ ପ୍ରାଣୀଧନ ଚିକିତ୍ସକ ଡା. ପ୍ରଦୀପ କୁମାର ସାହୁ ଓ ଡା. ଦେବାଶିଷ ପଣ୍ଡା ଶବବ୍ୟବଚ୍ଛେଦ କରାଇ ପୋତିଦେଇଥିବା ପ୍ରକାଶ କରିଛନ୍ତି।
elephants died in odisha

କ’ଣ କହୁଛି ବନବିଭାଗ: 

ପାକସ୍ଥଳୀଜନିତ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲେ ସୁଦ୍ଧା ଏହାର ଅଧିକ ତଥ୍ୟ ପାଇଁ ନମୁନା ସଂଗ୍ରହ କରି ଭୁବନେଶ୍ୱର ପରୀକ୍ଷା ପାଇଁ ପଠାଯିବ ବୋଲି ଡା. ପ୍ରଦୀପ କୁମାର ସାହୁ ପ୍ରକାଶ କରିଛନ୍ତି। ଏନେଇ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ହାତୀ ଶାବକଟି ପାକସ୍ଥଳୀ ସଂକ୍ରମଣରେ ମୃତ୍ୟୁ ହୋଇଛି କହିଥିଲେ। ଏହା ସତ୍ତ୍ବେ ଅନେକ ପ୍ରଶ୍ନ ଏବେ ମଧ୍ୟ ରହିଯାଉଛି। ହାତୀଗୁଡିକ ହଠାତ୍‍ ଭାବେ କାହିଁକି ଅସୁସ୍ଥ ହୋଇ ପଡୁଛନ୍ତି।

ହାତୀ ମୃତ୍ୟୁର କାରଣ:

ରେଢ଼ାଖୋଲ ବନଖଣ୍ଡ ଏକଦା ଅଗମ୍ୟ ଅରଣ୍ୟ ଥିଲ। ଏହି ଅଞ୍ଚଳରେ ହାତୀ ସହ ଅନ୍ୟ ବନ୍ୟ ପଶୁପକ୍ଷୀ ନିର୍ଭୟରେ ବିଚରଣ କରୁଥିଲେ। ମାତ୍ର ଗତ ପ୍ରାୟ ୨୦ ବର୍ଷ ଝାରଖଣ୍ଡ ଅଞ୍ଚଳର ବହୁ ଲୋକ ଆସି ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ଘର କରି ରହିଲେ। ପ୍ରଥମ ପର୍ଯ୍ୟାୟରେ ଆସିଥିବା ବହୁ ଲୋକ ଝାରଖଣ୍ଡ ଅଞ୍ଚଳରୁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହେବା ପରେ ଏହି ଅଞ୍ଚଳକୁ ଖସି ଆସିଥିବା ମଧ୍ୟ କୁହାଯାଉଛି। ପରବର୍ତ୍ତି ସମୟରେ ସେମାନେ ଏହି ଅଞ୍ଚଳକୁ ତାଙ୍କର ଜ୍ଞାତିକୁଟୁମ୍ବଙ୍କୁ ଡାକି ଆଣିଥିଲେ। ଫଳରେ ସଂରକ୍ଷିତ ଜଙ୍ଗଲ ଭିତରେ ଗୋଟିଏ ଗୋଟିଏ ଗାଁ ଗଢ଼ି ଉଠିଲାଣି। କିସିଣ୍ଡା ଅଞ୍ଚଳକୁ ଲାଗି ରହିଥିବା ରତାଖଣ୍ଡି ଜଙ୍ଗଲ ଦେଖିଲେ କେହି ମଧ୍ୟ ମୁଣ୍ଡରେ ହାତ ଦେଇ ବସିବ। ଏକଦା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଏହି ଜଙ୍ଗଲ ଏବେ ପଦା ହୋଇଗଲାଣି। ରାଜନୈତିକ ଅଭିସନ୍ଧି ରଖି ଏଠାକାର ଅଧିବାସୀଙ୍କୁ ଏବେ ଭୋଟ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇ ସାରିଲାଣି। ଏମାନଙ୍କ ଆଗମନ ସମୟରେ ଜଙ୍ଗଲ କାଟିବାକୁ ବିରୋଧ କରିଥିବାବେଳେ ତତ୍‍କାଳୀନ ଜିଲାପାଳ ଏଠାକାର ଅଧିବାସୀଙ୍କୁ କୁଆଡ଼େ ରହିବା ପାଇଁ ଅନୁମତିପତ୍ର ଦେଇଥିବା କୁହାଯାଉଛି। ତେବେ ପରବର୍ତ୍ତି ସମୟରେ ବସତି ବଢ଼ି ଚାଲିଥିବାବେଳେ ଏକର ଏକର ଜଙ୍ଗଲ ପଦା କରି ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ବିରୋଧ କରି ମଧ୍ୟ ବିଫଳ ହୋଇଥିଲା। ଏହା ପଛରେ ଏକ ପ୍ରମୁଖ କାରଣ ହେଲା ଜଙ୍ଗଲ ବିଭାଗ। ବିଭିନ୍ନ ସମୟରେ ଏହି ଅଞ୍ଚଳରେ ଅବସ୍ଥାପିତ ଜଙ୍ଗଲ ବିଭାଗ ଅଧିକାରୀ ଦେଶୀ କୁକୁଡ଼ା ଏବଂ ହାତଗୁଞ୍ଜା ନେଇ ଏହି ପ୍ରମୁଖ ସମସ୍ୟାକୁ ଆଖି ବୁଜି ଦେଇଥିଲେ।

୨୦୦୩ ମସିହାରୁ ୨୦୦୯ ମସିହା ମଧ୍ୟରେ ଏହି ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ମାଓବାଦୀ ସମସ୍ୟା ପଛରେ ଏହି ଅସାମାଜିକଙ୍କ ହାତ ରହିଥିବା କୁହାଯାଉଛି। ଅଧିକାରୀମାନେ ଜାଣି ନ ଜାଣିବାର ଅଭିନୟ କରି ଚାଲିଛନ୍ତି। ପରୋକ୍ଷରେ ରାଜନୈତିକ ଚାପ ରହୁଥିବାବେଳେ ଆଦିବାସୀ କାର୍ଡ ଆଳରେ ଅଧିକାରୀମାନେ ମଧ୍ୟ ଚୁପ୍‍ ରହୁଥିଲେ। ଏବେ ଜଙ୍ଗଲ କେବଳ ରାସ୍ତା କଡ଼ରେ ସୀମିତ ରହି ଯାଇଥିବାବେଳେ ଭିତରେ ଫାଙ୍କା ହୋଇ ସାରିଲାଣି। ତେଣୁ ହାତୀ ପଲ ଗାଁ ମୁହାଁ ହୋଇ କ୍ଷେତ ଓ ଫସଲ ଉଜାଡୁଥିବାବେଳେ ଲୋକେ ସେମାନଙ୍କ ଘଉଡାଉଛନ୍ତି। ଜଙ୍ଗଲ ଉଜୁଡି ଯିବା ପରେ ବାସସ୍ଥାନ ହରାଇଥିବା ଏହି ହାତୀଙ୍କୁ ଏବେ ଖାଦ୍ୟାଭାବ ଦେଖାଦେଇଛି। ତେବେ ସରକାର ଏ ଦିଗରେ କ’ଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏହି ବେଆଇନ ବସତିଗୁଡିକୁ ଯଦି ଉଚ୍ଛେଦ କରା ନ ଯାଏ ଭବିଷ୍ୟତରେ ସମସ୍ୟା ଆହୁରି ଜଟିଳ ହେବ ଏଥିରେ କୌଣସି ସନ୍ଦେହ ନାହିଁ।

Post a Comment

0 Comments