ଏଣିକି ଗାଁରେ ମଧ୍ୟ ମନଇଚ୍ଛା ଉଚ୍ଚ କୋଠା କରାଯାଇ ପାରିବନି। ଦୁଇ ମହଲା ଉଚ୍ଚତାରୁ ଅଧିକ ଉଚ୍ଚର କୋଠା ନିର୍ମାଣ ପାଇଁ ବିଧିବଦ୍ଧ ଭାବେ ଅନୁମତି ନେବାକୁ ପଡିବ। ଦୁଇ ମହଲାରୁ ଅଧିକ ଉଚ୍ଚର କୋଠା ତିଆରି କଲେ ପଞ୍ଚାୟତ ସମିତିଠାରୁ ଆଣିବାକୁ ହେବ ବିଧିବଦ୍ଧ ଅନୁମତି। ବିନା ଅନୁମତିରେ ଉଚ୍ଚ କୋଠା ନିର୍ମାଣକୁ ବେଆଇନ କୁହାଯିବ। ବିନା ପ୍ଲାନ ଅନୁମୋଦନରେ ଘର ତିଆରି କଲେ ଜୋରିମାନା ଦେବାକୁ ପଡିବ। ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହି ନିୟମକୁ ଉଲ୍ଲଂଘନ କରି ଦୁଇ ମହଲା ଉପରକୁ କୋଠା ନିର୍ମାଣ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଗେଜଟେ୍ରେ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନୂତନ ନିୟମକୁ ତ୍ୱରିତ ଲାଗୁ ମଧ୍ୟ କରାଯାଇଛି।
ଆଇନରେ ଆସିବ କେଉଁ ଘର
ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଗେଜଟେ୍ରେ ଜାରି ବିଜ୍ଞପ୍ତି ଅନୁସାରେ ଗ୍ରାମାଞ୍ଚଳରେ ନିର୍ମିତ ଘର ପାଇଁ ମୁଖ୍ୟତଃ ତିନୋଟି ସର୍ତ୍ତାବଳି ରଖାଯାଇଛି। ଯଦି ଗ୍ରାମାଞ୍ଚଳରେ କୌଣସି ଆବାସିକ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ ପ୍ରକଳ୍ପ ୫୦୦ ବର୍ଗମିଟରୁ ଊର୍ଦ୍ଧ୍ବ ହୋଇଥିବ ତେବେ ଅନୁମତି ଲୋଡ଼ା। ସେହିପରି ଗ୍ରାଉଣ୍ଡ ପ୍ଲୋରକୁ ମିଶାଇ ଆଉ ଦୁଇ ମହଲା କୋଠା ତିଆରି କଲେ ଏଥିପାଇଁ ସରକାରୀ ଅନୁମତି ଲୋଡ଼ା। ଏହାସହ ଲେଆଉଟ ଏରିଆ ୧ଏକରରୁ ଅଧିକ ହେଲେ ମଧ୍ୟ ଘର ନିର୍ମାଣ ପୂର୍ବରୁ ପ୍ଲାନ ଅନୁମୋଦନକୁ ବାଧ୍ୟତାମୂଳକ କରାଯାଇଛି। ଏହି ପରି ଭାବେ ଗ୍ରାମାଞ୍ଚଳରେ ମଧ୍ୟ ଓଡ଼ିଶା ସ୍ୱତନ୍ତ୍ର କୋଠା ନିର୍ମାଣ ନିୟମ ଲାଗୁ କରାଯାଇଛି।
କ’ଣ ରହିଛି ପ୍ରକ୍ରିୟା:
ଗ୍ରାମାଞ୍ଚଳରେ କୌଣସି ଆବାସିକ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ ପ୍ରକଳ୍ପ ୫୦୦ ବର୍ଗମିଟରୁ ଊର୍ଦ୍ଧ, ତିନି ମହଲା (ଗ୍ରାଉଣ୍ଡ+୨) କିମ୍ବା ଲେଆଉଟ୍ ଏରିଆ ୧ଏକରରୁ ଊର୍ଦ୍ଧ୍ବ ହେଉଥିଲେ ଗୃହ ନିର୍ମାଣ ପୂର୍ବରୁ ପ୍ରଥମେ ସଂପୃକ୍ତ ପଞ୍ଚାୟତ ସମିତିକୁ ପ୍ଲାନ ଅନୁମୋଦନ ପାଇଁ ପଠାଇବାକୁ ହେବ। ପଞ୍ଚାୟତ ସମିତି ଏହାକୁ ଜିଲା ଟାଉନ ପ୍ଲାନିଂ ୟୁନିଟ୍କୁ ପଠାଇବ। ଟାଉନ ପ୍ଲାନିଂ ନିର୍ଦ୍ଦେଶକଙ୍କଠାରୁ ଅନୁମତି ନେଇ ଟାଉନ ପ୍ଲାନିଂ ୟୁନିଟ୍ ବିଭିନ୍ନ ବୈଷୟିକ ଦିଗକୁ ଅନୁଧ୍ୟାନ ପରେ ପ୍ଲାନ ଅନୁମୋଦନ କରିବ। ପୁନଶ୍ଚ ସମାନ ପ୍ରକ୍ରିୟା ଦେଇ ଗୃହକର୍ତ୍ତା ଅନୁମୋଦନ ପତ୍ରକୁ ସଂଗ୍ରହ କରି ପାରିବେ।
ବିରୋଧ ହେଉଛି କାହିଁକି?
ତେବେ ସବୁଠାରୁ ବଡ଼ କଥା ହେଲା ଏହି ପ୍ରକ୍ରିୟା ମଧ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟର ନିଜସ୍ୱ କୌଣସି ଭିତ୍ତିଭୂମି ରହିବ ନାହିଁ। ଯଦିଓ ଜଣେ ପଞ୍ଚାୟତ ସମିତିଙ୍କଠାରେ ଆବେଦନ କରିବେ କିନ୍ତୁ ଏହାକୁ ଅନୁମୋଦନ କରିବ ଜିଲ୍ଲା ପ୍ଲାନିଂ ୟୁନିଟ। ଫଳରେ ଘରର ପ୍ଲାନିଂ ପାଇବା ପାଇଁ ସହରରେ ଲୋକେ ଦୌଡି ଦୌଡି ହଇରାଣ ହୋଇଯାଉଥିବାବେଳେ ଗ୍ରାମାଞ୍ଚଳର ଆବେଦନଗୁଡିକର ସ୍ଥିତି କଣ ହେବ ସହଜରେ ବୁଝି ହେଉଛି। ପୁଣି ସହରରେ ଅନୁମତି ପାଇଁ ସିଧାସଳଖ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଯୋଗାଯୋଗ ରହୁଥିବାବେଳେ ଗ୍ରାମାଞ୍ଚଳର ଘର ପାଇଁ ରହିଥିବା ପର୍ଯ୍ୟାୟ ଯୋଗୁଁ ବାରଭାଇ ଆଖଡା ହୋଇଯିବ। ପୁଣି ବହୁ ପର୍ଯ୍ୟାୟ ଦେଇ ଫାଇଲ ଯାଉଥିବାରୁ ଏହା ସମୟ ସାପେକ୍ଷ ହେବ। ଦୁର୍ନୀତି ପାଇଁ ମଧ୍ୟ ବାଟ ଫିଟିବ ବୋଲି କୁହାଯାଉଛି। କେତେକ ସରକାରୀ ବାବୁ ହିଁ ଦୁର୍ନତି କରିବା ପାଇଁ ଏଥିରେ ସୁଯୋଗ ପାଇବେ କୁହାଯାଉଛି।
ପୁରୁଣା ବହୁତଳ କୋଠା ଥିଲେ କଣ କରିବାକୁ ହେବ?
ଯଦି କୌଣସି କୋଠାବାଡ଼ି ବିନା ପ୍ଲାନ ଅନୁମୋଦନରେ ନିର୍ମାଣ କରାଯାଇଛି ସେଗୁଡିକ ପ୍ଲାନିଂ ଏଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ ନିୟମ ଅନୁଯାୟୀ ଜୋରିମାନା ଦେଇ ଗୃହକୁ ନିୟମିତ କରାଯାଇ ପାରିବ। ନିର୍ମାଣାଧୀନ କୋଠା ପାଇଁ ମଧ୍ୟ ଏହି ନୂଆ ନିୟମ ଲାଗୁ ହେବ। ଏଥିପାଇଁ କମ୍ପାଉଣ୍ଡିଂ ଫି’ ଦେବାକୁ ହେବ। ଏହି କମ୍ପାଉଣ୍ଡିଂ ଫି’ର ୫୦% ଅର୍ଥ ପଞ୍ଚାୟତରେ ଦାଖଲ କରାଯିବ। ଏହି ଅର୍ଥ ଦାଖଲ କରାଯିବା ପରେ ଯାଇ ସଂପୃକ୍ତ କୋଠାର ନିର୍ମାଣକୁ ବୈଧ ଦର୍ଶାଯିବ।
କ’ଣ ଚାହୁଛି ନଗର ଉନ୍ନୟନ ବିଭାଗ:
ଓଡ଼ିଶା ସ୍ପେଶାଲ ପ୍ଲାନିଂ ଅଥରିଟିଜ ଆଣ୍ଡ ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟସ୍ କମନ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲସ୍-୨୦୧୭ ପୂର୍ବରୁ କେବଳ ସହରାଞ୍ଚଳ ପାଇଁ ଲାଗୁଥିବାବେଳେ ଏହା ଏବେ ଗ୍ରାମାଞ୍ଚଳ ପାଇଁ ମଧ୍ୟ ଲାଗୁ ହୋଇଛି। ସହରତଳି ଅଞ୍ଚଳ ମଧ୍ୟ ଏହି ନିୟମରୁ ବାଦ୍ ପଡିବେ ନାହିଁ। ରାଜ୍ୟର ବଡ଼ ବଡ଼ ସହରର ତଳି ଅଞ୍ଚଳରେ ବହୁ ଅଟ୍ଟାଳିକା ବିନା ଅନୁମୋଦନରେ ଗଢ଼ି ଉଠୁଛି। ମାତ୍ର ଏଗୁଡିକ ଅବ୍ୟବସ୍ଥିତ ଢ଼ଙ୍ଗରେ ଗଢ଼ି ଉଠୁଥିବାରୁ ଏଠାରେ ରାସ୍ତା, ସ୍ୱେରେଜ, ଡ୍ରେନଜ୍ ଆଦିର ବ୍ୟବସ୍ଥା ହେଉନାହିଁ। ତେଣୁ ବର୍ଷା ଦିନରେ ସେଗୁଡିକ ଜଳମଗ୍ନ ରହୁଛି। ଗ୍ରାମାଞ୍ଚଳରେ ଗଢ଼ି ଉଠୁଥିବା ଆପାର୍ଟମେଣ୍ଟ, ବାସଗୃହ ପ୍ରକଳ୍ପ, ବ୍ୟବସାୟିକ ଗୃହ ନିର୍ମାଣକୁ ବ୍ୟବସ୍ଥିତ କରିବା ପାଇଁ ଏହି ନୂତନ ରୁଲ୍ କାର୍ଯ୍ୟକାରୀ କରାଯାଇଛି ବୋଲି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଗ୍ରାମାଞ୍ଚଳରେ ପ୍ଲାନ ଅନୁମୋଦନ ବାଧ୍ୟତାମୂଳକ କରାଯିବା ଦ୍ୱାରା ସ୍ୱେରେଜ, ଡ୍ରେନଜ ବ୍ୟବସ୍ଥାକୁ ବ୍ୟବସ୍ଥିତ ଢ଼ଙ୍ଗରେ କରାଯାଇ ପାରିବ ବୋଲି ଶ୍ରୀ ଜେନା କହିଛନ୍ତି। ଏହି ପ୍ଲାନ ଅନୁମୋଦନ ଦ୍ୱାରା ସରକାରଙ୍କ ପାଖରେ ଆଗକୁ କେତେ କୋଠା ନିର୍ମାଣ ହେବ ଏବଂ ଆନୁଷଙ୍ଗିକ ଭାବେ କେତେ ପାନୀୟ ଦଳ ସହ ବିଜଳିର ଚାହିଦା ରହିବ ତାର ସୂଚନା ରହିବ। ଏହା ଦ୍ୱାରା ସରକାରଙ୍କୁ ଯୋଜନା ପ୍ରସ୍ତୁତ କରିବା ଅପେକ୍ଷାକୃତ ସହଜ ହେବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଦର୍ଶାଯାଇଛି।
0 Comments