Ticker

4/recent/ticker-posts

ଗାନ୍ଧୀ ପରିବାରର ସୁରକ୍ଷା ହଟିନି, ପରିବର୍ତ୍ତନ ହୋଇଛି

‘ଗାନ୍ଧୀ ପରିବାରର ସୁରକ୍ଷା ହଟିନି, ପରିବର୍ତ୍ତନ ହୋଇଛି’


ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯାଇ ଆସୁଥିବା ସୁରକ୍ଷା ବ୍ୟବସ୍ଥାକୁ ସରକାର ହଟାଇ ନାହାନ୍ତି; ବରଂ ଗାନ୍ଧୀ ପରିବାର ସଦସ୍ୟଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର କହିଛନ୍ତି। ଏସପିଜି ସଂଶୋଧନ ବିଧେୟକର ଆଲୋଚନାରେ ଭାଗ ନେଇ ଶାହା କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବରୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଉଥିଲା। ଏହି ଏସପିଜି ସୁରକ୍ଷାକୁ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ଜେଡ-ପ୍ଲସ ସୁରକ୍ଷା କରାଯାଇଛି। 
ଗାନ୍ଧୀ ପରିବାରର ଏସପିଜି ସୁରକ୍ଷା ହଟାଇବା ଲାଗି ଏସପିଜି ଆଇନରେ ସଂଶୋଧନ ଅଣାଯାଉଥିବା ଯେଉଁ ଅଭିଯୋଗ ହେଉଛି ତାକୁ ଶାହା ଖଣ୍ଡନ କରିଛନ୍ତି। ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର, ଆଇକେ ଗୁଜରାଲ ଓ ମନମୋହନ ସିଂହଙ୍କ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଗଲା ସେତେବେଳେ କେହି ମୁହଁ ଖୋଲିଲେ ନାହିଁ। ମାତ୍ର ଗାନ୍ଧୀ ପରିବାର ସଦସ୍ୟଙ୍କ ଏସପିଜି ସୁରକ୍ଷା ହଟାଯିବାରୁ କଂଗ୍ରେସ ମୁହଁ ଖୋଲୁଛି। ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଗାନ୍ଧୀ ପରିବାରର ସଦସ୍ୟଙ୍କ ଏସପିଜି ସୁରକ୍ଷା ହଟାଇଥିବା ନେଇ ହୋଇଥିବା ଅଭିଯୋଗକୁ ମଧ୍ୟ ଶାହା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିଜେପି ନେତୃତ୍ବ ଏନଡିଏ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି କୌଣସି ପଦକ୍ଷେପ ନେଇ ନଥାଏ; ବରଂ କଂଗ୍ରେସ ନେତୃତ୍ବ ସରକାର ଅତୀତରେ ଏପରି ଅନେକ ପଦକ୍ଷେପ ନେଇଛି।

ଶାହା କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୫ ଠାରୁ ଏସପିଜି ନିୟମକୁ ୧୮୯୨ଥର ଉଲ୍ଲଙ୍ଘନ କରିଛନ୍ତି। ଗତ ୫ବର୍ଷ ମଧ୍ୟରେ ରାହୁଲ ଏସପିଜକୁ ନ ଜଣାଇ ୨୪୭ଥର ଦିଲ୍ଲୀ ବାହାରକୁ ଯାଇଛନ୍ତି। ସେହିପରି ପ୍ରିୟଙ୍କା ଗାନ୍ଧୀ ୨୦୧୫ ଠାରୁ ୩୪୯ଥର ଏସପିଜି ନିୟମ ଉଲ୍ଲଙ୍ଘନ କରିଛନ୍ତି। ୧୯୯୧ ଠାରୁ ସେ ୯୯ଥର ବିଦେଶ ଗସ୍ତରେ ଯାଇଥିଲେ। ଏହା ମଧ୍ୟରେ ୭୮ଥର ସେ ଏସପିଜିକୁ ନ ଜଣାଇ ବିଦେଶ ଗସ୍ତ କରିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୬୦୦ଥର ଏସପିଜି ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏସପିଜି ଅଧିକାରୀଙ୍କୁ ନ ଜଣାଇ ସେ ବିଭିନ୍ନ ସମୟରେ ଦିଲ୍ଲୀ ବାହାରକୁ ଗସ୍ତ କରିଥିଲେ। କଂଗ୍ରେସ ପରିବାର ସଦସ୍ୟଙ୍କ ଏସପିଜି ନିୟମ ଉଲ୍ଲଙ୍ଘନ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ସରକାର ଉଦ୍ଦେଶ୍ୟମୂଳକ ଭାବେ ଗାନ୍ଧୀ ପରିବାରକୁ ନିଶାଣ କରୁଛନ୍ତି। କଂଗ୍ରେସର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ଲାଗି ସରକାର ଗାନ୍ଧୀ ପରିବାରକୁ ଏପରି ନିଶାଣ କରୁଛନ୍ତି। 
୧୯୮୮ ଏସପିଜି ଆଇନ ଅନୁଯାୟୀ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ସ୍ବତନ୍ତ୍ର ଦଳ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଯୋଗାଇ ଦେବେ। ବର୍ତ୍ତମାନର ଏସପିଜି ଆଇନ ଅନୁଯାୟୀ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ୧୦ବର୍ଷ ପାଇଁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଉଛି। ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି କୌଣସି ବିପଦ ରହିଥାଏ ତେବେ ଏହି ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇପାରିବ।

Post a Comment

0 Comments