ଅବସର ଦିନ ମିଳିବ ଚୂଡ଼ାନ୍ତ ପେନ୍ସନ
ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପରଠାରୁ ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୂଡ଼ାନ୍ତ ଅବା ଧାର୍ଯ୍ୟ ପେନସେନ୍ ପ୍ରଦାନ କରିବେ। ପେନସନ୍ ପାଇଁ ଆବେଦନ ମଧ୍ୟ ଅନ୍ଲାଇନ୍ରେ ବାଧ୍ୟତାମୂଳକ କରାଯିବ। ତେଣୁ ଆସନ୍ତା ଫେବୃଆରୀ ୨୮ ତାରିଖ ସୁଦ୍ଧା ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀଙ୍କର ଇ-ସର୍ଭିସ୍ ବୁକ୍ ଏଚ୍ଆରଏମ୍ଏସ୍’ରେ ଅପଡେଟ୍ କରିବା ପାଇଁ କୁହାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବଙ୍କୁ ପତ୍ର ଲେଖି ଅବଗତ କରାଯାଇଛି।
ସୂଚନା ଅନୁସାରେ ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଅନେକ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ବିବରଣୀ ବିଭାଗ ନିକଟରେ ରହୁନାହିଁ। ଫଳରେ ସେମାନେ ଅବସର ନେବା ସମୟରେ ଧାର୍ଯ୍ୟ ପେନସନ୍ ପ୍ରଦାନ କରିବା ବଦଳରେ ପ୍ରୋଭିଜିନାଲ ପେନସନ୍ ପ୍ରଦାନ କରାଯାଉଛି। ତେବେ ଅନ୍ଲାଇନ୍ ବ୍ୟବସ୍ଥା ଜରିଆରେ ଏହି ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ୟ ରହିଛି। କର୍ମଚାରୀଙ୍କ ଇ-ସର୍ଭିସ୍ ବୁକ୍ ଏଚ୍ଆରଏମ୍ଏସ୍ ଡାଟାବେସ୍ରେ ସଂଲଗ୍ନ ହେଲେ ତାଙ୍କ ଚାକିରିକାଳର ସମ୍ପୂର୍ଣ୍ଣ ବିବରଣୀ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଯଦ୍ଦ୍ବାରା ସେ ଅବସର ନେବା ପୂର୍ବରୁ ତାଙ୍କର ସବୁ ତଥ୍ୟକୁ ବିଭାଗ ଅନୁଶୀଳନ କରିପାରିବ। ଫଳରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବସର ଦିନ ହିଁ ଧାର୍ଯ୍ୟ ପେନସନ୍ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇ ପାରିବ।
ତେବେ ବର୍ତ୍ତମାନ ସୁଦ୍ଧା ଅନେକ କର୍ମଚାରୀଙ୍କ ସର୍ଭିସ୍ ବୁକ୍ ଅପଡେଟ୍ ହୋଇନାହିଁ। ତେଣୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ମାନୁଆଲ ସର୍ଭିସ୍ ବୁକ୍ ତଥା ଇ-ସର୍ଭିସ୍ ବୁକ୍ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଅପେଡଟ୍ କରିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଛି। ଆସନ୍ତା ବର୍ଷ ଫେବୃଆରୀ ମାସରେ ଅବସର ନେଉଥିବା କର୍ମଚାରୀଙ୍କୁ ଏହି ନୂଆ ବ୍ୟବସ୍ଥାରେ ପ୍ରାଥମିକତା ଦିଆଯିବ। ଅପଡେଟ୍ ହେବା ପରେ ସମ୍ପୃକ୍ତ ବିଭାଗର ପେନସନ୍ ଅଧିକାରୀ ଇ-ସର୍ଭିସ ବୁକ୍ରେ ଡିଜିଟାଲ ହସ୍ତଖତ କରି ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟକୁ ପଠାଇବେ। ଫଳରେ ଚୂଡ଼ାନ୍ତ ପେନସନ୍ ଦେବାରେ ସମସ୍ୟା ରହିବ ନାହିଁ।
0 Comments