ଷ୍ଟେଟବ୍ୟାଙ୍କ ଦେଲା ସୁବିଧା
୩ ମାସ ପର୍ୟ୍ୟନ୍ତ କଟିବନି ଇଏମଆଇ
ଆପଣ ଯଦି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକ ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆସନ୍ତା ୩ ମାସ ପର୍ୟ୍ୟନ୍ତ ଗ୍ରାହକଙ୍କଠାରୁ ଇଏମଆଇ ନ ନେବାକୁ ନିଷ୍ପତ୍ତି ନେଇଛି।ମୁଖ୍ୟାଂଶ:
- କରୋନା ସଂକଟରେ ରିଜର୍ଭ ବ୍ୟାଙ୍କର ସହାୟତା ଘୋଷଣା
- ରେପୋ ରେଟ୍ ୫.୧୫%ରୁ ୪.୪୫%କୁ ହ୍ରାସ
- ରେପୋରେଟ୍ରେ ଏଯାବତ୍ ସବୁଠାରୁ ବଡ଼ ହ୍ରାସ
- ଜିଡିପି ଓ ମହଙ୍ଗା ହାର ବାବଦରେ ତଥ୍ୟ ଦେଲାନି ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ:
(ନ୍ୟୁଜ୍ ଷ୍ଟପେଜ ସର୍ଭିସ)
ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟରେ ୦.୭୫% ହ୍ରାସ କରିବାର ସମ୍ପୂର୍ଣ୍ଣ ଲାଭ ଗ୍ରାହକମାନଙ୍କୁ ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଛି। ତେବେ ଏହି ନିଷ୍ପତ୍ତି ଦ୍ବାରା ବ୍ୟାଙ୍କ ୬୦,୦୦୦ କୋଟି ଟଙ୍କା ଆଦାୟ ପାଇଁ ବକେୟା ରହିଯିବ ବୋଲି ପ୍ରକାଶ କରାଯାଇଛି।
ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଶର ଋଣଗ୍ରହୀତାଙ୍କୁ ଆଶ୍ୱସ୍ତ କରିବା ନିମନ୍ତେ ମଧ୍ୟ ବଡଧରଣର ଘୋଷଣା କରିଛନ୍ତି। ସାମ୍ପ୍ରତିକ ଆର୍ଥିକ ଦୁଃସ୍ଥିତିରେ ଋଣ ବାବଦ କିସ୍ତି ସେମାନଙ୍କ ପାଇଁ ଯେଭଳି ବୋଝ ନହେବ ତାହାକୁ ଦୃଷ୍ଟିରେ ରଖି ଋଣ ବାବଦ ମାସିକ କିସ୍ତି (ଇଏମଆଇ) ପୈଠ ଉପରେ ତିନିମାସ ପାଇଁ ପ୍ରତିବନ୍ଧକ ଲଗାଇବାକୁ ବ୍ୟାଙ୍କଗୁଡିକୁ ଅନୁମତି ଦିଆଯାଇଛି। ଗୃହ ଋଣ, ଗାଡି ଋଣ, ଶିକ୍ଷା ଋଣ, କର୍ପୋରେଟ ଋଣ, ବ୍ୟକ୍ତିଗତ ଋଣ ଆଦି ସମସ୍ତ ଋଣ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ହେବ। ତେବେ କ୍ରେଡିଟ କାର୍ଡରେ ଅର୍ଥ ପରିଶୋଧକୁ ଏହି ସୁବିଧାରୁ ବାଦ୍ ଦିଆଯାଇଛି। ସମସ୍ତ ବାଣିଜ୍ୟିକ, ଆଞ୍ଚଳିକ ଓ ଗ୍ରାମ୍ୟବ୍ୟାଙ୍କ ତଥା ଏନବିଏଫସି (ଅଣ ବ୍ୟାଙ୍କିଙ୍ଗ ଅର୍ଥଲଗାଣକାରୀ କମ୍ପାନୀ), କ୍ଷୁଦ୍ର ଅର୍ଥଲଗାଣକାରୀ ବ୍ୟାଙ୍କ ଋଣ ପରିଶୋଧ ବାବଦରେ ଇଏମଆଇ ତିନିମାସ ପାଇଁ ଆଦାୟ ନକରିବାକୁ ଶ୍ରୀ ଦାସ କହିଛନ୍ତି। ସେ କହିଛନ୍ତି ଯେ କୌଣସିି ଋଣଗ୍ରହୀତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତିନିମାସ ପାଇଁ ଇଏମ୍ଆଇ କଟାଯିବ ନାହିଁ।
ରିଜର୍ଭ ବ୍ୟାଙ୍କ ବୈଠକରେ କ’ଣ ନିଆଗଲା ନିଷ୍ପତ୍ତି:
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଦେଶର ଅର୍ଥନୀତିପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରାଯିବା ପରଦିନ ରିଜର୍ଭ ବ୍ୟାଙ୍କ ଦେଶର ଆର୍ଥିକ ବ୍ୟବସ୍ଥାକୁ ୩.୭୪ ଲକ୍ଷ କୋଟି ଟଙ୍କା ଯୋଗାଇବାକୁ ଘୋଷଣା କରିଛି। ତାହାସହିତ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନିକଟରେ ଅଧିକ ନଗଦ ଟଙ୍କା ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହା ରେପୋ ରେଟ୍ ୦.୭୫ % ହ୍ରାସ କରିଛି। ତାହାସହିତ ବ୍ୟାଙ୍କଗୁଡିକ ନିମନ୍ତେ କ୍ୟାସ ରିଜର୍ଭ ରେସିଓ (ସିଆରଆର)ରେ ୧୦୦ % ହ୍ରାସ କରାଯାଇଛି। ଏହା ଚଳିତ ମାସ ୨୮ତାରିଖରୁ ତୁରନ୍ତ କାର୍ୟ୍ୟକାରୀ କରାଯିବ। ଏଭଳି ଦୁର୍ଦ୍ଦିନରେ ଋଣଗ୍ରହୀତାଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ରିଜର୍ଭ ବ୍ୟାଙ୍କ ସମସ୍ତ ଋଣ ନିମନ୍ତେ ଇଏମ୍ଆଇ ପୈଠକୁ ତିନିମାସ ପାଇଁ ସ୍ଥଗିତ ରଖିବାକୁ ବ୍ୟାଙ୍କଗୁଡିକୁ ଅନୁମତି ପ୍ରଦାନ କରିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅର୍ଥନୀତିକୁ ସୁରକ୍ଷିତ ରଖିବା ସକାଶେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହା ନିଜର ମୁଦ୍ରାନୀତିର ସମୀକ୍ଷା କରିବା ସହିତ ସାମ୍ପ୍ରତିକ ପରିସ୍ଥିତିରେ ରେପୋ ରେଟ୍ ୭୫ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାଦ୍ୱାରା ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅଧିକ ଅର୍ଥ ଉପଲବ୍ଧ ହୋଇପାରିବ। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ଦେଶର ଜନସାଧାରଣଙ୍କ ନିକଟରେ ତାହାର ସୁଫଳ ଯଥାଶୀଘ୍ର ପହଞ୍ଚାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛନ୍ତି। ପରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶକରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ରିଜର୍ଭ ବ୍ୟାଙ୍କ ଦେଶର ଆର୍ଥିକ ବ୍ୟବସ୍ଥାକୁ ୩.୭୪ ଲକ୍ଷ କୋଟି ଟଙ୍କା ଯୋଗାଇଦେବାକୁ ପଦକ୍ଷେପ ନେଉଛି। ସେ କହିଥିଲେ ତିନିବର୍ଷ ଅବଧିର ଦୀର୍ଘସୂତ୍ରୀ ରେପୋ ଅପରେସନ୍ସ ନିଲାମରୁ ପରିବର୍ତ୍ତନଶୀଳ ସୁଧହାରରେ ୧ଲକ୍ଷ କୋଟି ଟଙ୍କା ମିଳିପାରିବ। ତାହାସହିତ ସମସ୍ତ ବ୍ୟାଙ୍କ ପାଇଁ କ୍ୟାସ ରିଜର୍ଭ ରେସିଓ (ସିଆରଆର)ରେ ୧୦୦ ବେସିସ ପଏଣ୍ଟ ହ୍ରାସ କରାଯିବା ଦ୍ୱାରା ସେଥିରୁ ୧ଲକ୍ଷ ୩୭ହଜାର କୋଟି ଟଙ୍କା ସଂଗୃହୀତ ହେବ। ଆରବିଆଇର ନିଷ୍ପତ୍ତି ପରେ ସିଆରଆର ପୂର୍ବରୁ ୪% ଥିବାବେଳେ ଏବେ ୩%କୁ ହ୍ରାସପାଇବ। ଏଥିସହିତ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ଅଧୀନରେ ଏସଏଲଆରକୁ ୨%ରୁ ୩%କୁ ବୃଦ୍ଧି କରାଯାଇଛି। ଏହା ଜୁନ ୩୦ ପର୍ୟ୍ୟନ୍ତ ବଳବତ୍ତର ରହିବ। ଏଥିରୁ ଅର୍ଥ ବ୍ୟବସ୍ଥାକୁ ୧ଲକ୍ଷ ୩୭ହଜାର କୋଟି ଟଙ୍କା ଆସିପାରିବ। ଏହିଭଳି ମୋଟ ୩ଲକ୍ଷ ୭୪ହଜାର କୋଟି ଟଙ୍କା ଦେଶର ଅର୍ଥ ବ୍ୟବସ୍ଥାରେ ଉପଲବ୍ଧ ହେବ ବୋଲି ଶକ୍ତିକାନ୍ତ କହିଥିଲେ।
0 Comments