Ticker

4/recent/ticker-posts

ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା: ୨୦ରେ ଫାଶୀ, ପହଞ୍ଚିଲେ ପବନ ଜହ୍ଲାଦ

ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା

୨୦ରେ ଫାଶୀ, ପହଞ୍ଚିଲେ ପବନ ଜହ୍ଲାଦ

ନୂଆଦିଲ୍ଲୀ,
ସ୍ବତନ୍ତ୍ର ପ୍ରତିନିଧି ଜିତେନ୍ଦ୍ର ପ୍ରସାଦଙ୍କ ରିପୋର୍ଟ

ଫାଶୀ ଦଣ୍ଡ ଏଡ଼ାଇବାକୁ ନିର୍ଭୟା ବଳାତ୍କାର ଓ ହତ୍ୟା ଅପରାଧୀ ଆନ୍ତର୍ଜାତିକ ନ୍ୟାୟାଳୟ (ଆଇସିଜେ)ର ଆଶ୍ରୟ ନେଇଛନ୍ତି। ୪ ଅପରାଧୀଙ୍କ ପକ୍ଷରୁ ତିନି ଜଣ ଫାଶୀ ଦଣ୍ଡ ଉପରେ ରହିତାଦେଶ ପାଇଁ ଆଇସିଜେରେ ଆବେଦନ କରିଛନ୍ତି।

ସଂକ୍ଷେପରେ:

  • ମୁକୁଳିବାକୁ ସବୁ ଆଇନଗତ ବାଟ ବନ୍ଦ
  • ଆଇସିଜେର ଦ୍ବାରସ୍ଥ ୩ ଦୋଷୀ
  • ମୁକେଶକୁ ଶେଷ ସାକ୍ଷାତ କରିବେ ପରିବାର
  • ଫାଶୀକୁ ୩ ଦିନ ବାକି: ଏବେ ମୃତ୍ୟୁ ଭୟ, ହେଉନି ନିଦ


‘ନିର୍ଭୟା ଦୋଷୀ ମୁକେଶ ଓ ଅନ୍ୟ ଦୋଷୀମାନେ ଇଂରାଜୀ ଜାଣନ୍ତି ନାହିଁ। ଏହି ୪ ଦୋଷୀଙ୍କ ମଧ୍ୟରୁ ମୁକେଶର ପକ୍ଷ ରଖି ତାଙ୍କ ପାଇଁ ନିଯୁକ୍ତ ଅମିକସ୍‌ କ୍ୟୁରୀ ରାଜକ୍ଷମା ଓ କ୍ୟୁରେଟିଭ୍ ପିଟିସନ୍‌ ଦାଖଲ ବେଳେ ଉପଯୁକ୍ତ ପରାମର୍ଶ ନଦେଇ ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ ଦଲିଲ ପ୍ରସ୍ତୁତ କରି ଦସ୍ତଖତ କରାଇ ନେଇଥିଲେ। ଫାଶୀ ଦଣ୍ଡକୁ ଶୀଘ୍ର କାର୍ୟ୍ୟକାରୀ କରାଇବା ତାଙ୍କର ଲକ୍ଷ୍ୟ ଥିଲା’ ବୋଲି ମୁକେଶ ପକ୍ଷରୁ ପୂର୍ବ ଓକିଲ ସୁପ୍ରିମ୍‌ କୋର୍ଟରେ ଦର୍ଶାଇ ପୁନଃ କ୍ୟୁରେଟିଭ୍ ଓ ରାଜକ୍ଷମା ଆବେଦନ କରିବାର ସୁଯୋଗ ଦେବାକୁ ନିବେଦନ କରିଥିଲେ। ମାତ୍ର ଏଭଳି ନିବେଦନକୁ ସୁପ୍ରିମ୍‌କୋର୍ଟ ବିଚାରଯୋଗ୍ୟ ନୁହେଁ ବୋଲି ଦର୍ଶାଇ ଖାରଜ କରିଛନ୍ତି। ଏଥିସହ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କର ଫାଶୀରୁ ମୁକ୍ତି ଆଶା ମଉଳି ଯାଇଛି। ଏପରିକି ଏହାପରେ ୩ ଅପରାଧୀ ଅକ୍ଷୟ, ପବନ ଓ ବିନୟ ଆର୍ନ୍ତଜାତିକ ନ୍ୟାୟ ଅଦାଲତ (ଆଇସିଜେ) ବିଚାରପତିମାନଙ୍କୁ ଚିଠି ଲେଖି ଫାଶୀ ଦଣ୍ଡ ରୋକିବାକୁ ନିବେଦନ କରିଛନ୍ତି। 



ବଳାତ୍କାରୀଙ୍କ ସାହସ ଗଲା କୁଆଡେ?

ଏହା ଏକ ଗଣତନ୍ତ୍ର ରାଷ୍ଟ୍ରରେ ନାଗରିକଙ୍କ ବ୍ୟକ୍ତିଗତ ମାମଲା ହୋଇଥିବା ବେଳେ ଆଇସିଜେର ବିଚାର ପରିସରଭୁକ୍ତ ନୁହେଁ ବୋଲି ଆଇନ ବିଶେଷଜ୍ଞମାନେ ଅନୁଶୀଳନ କରୁଥିଲେ ମଧ୍ୟ ନିର୍ଭୟା ଗଣବଳାତ୍କାର ଓ ହତ୍ୟାକାଣ୍ଡର ଦୋଷୀମାନେ ଏଭଳି ​‌େ​‌ଫାରମ୍‌କୁ ଯିବାର ସାହସ କରିଛନ୍ତି। ଅର୍ଥାତ୍‌ ନିର୍ଭୟା ଦୋଷୀମାନେ ୨୦୧୨ ଡିସେମ୍ବରର ହାଡ଼ଭଙ୍ଗା ଶୀତ ରାତିରେ ଜଣେ ଯୁବତୀଙ୍କ ସହ ବର୍ବରତା ଆଚରଣ କରିବା, ଗଣବଳାତ୍କାର କରିବା ଏବଂ ଯନ୍ତ୍ରଣାଦାୟକ ମୃତ୍ୟୁ ପାଇଁ ରାସ୍ତା କଡ଼ରେ ଫିଙ୍ଗିବା ବେଳେ ଖୁବ୍‌ ରୁକ୍ଷ ଓ ବର୍ବର ଥିଲେ। ମାତ୍ର ଏହି ଲୋମଟାଙ୍କୁରା, ବର୍ବର ଅପରାଧ ଘଟାଇ ଧରାପଡ଼ିବା ପରେ ଭୋଗିବାକୁ ଥିବା ଦଣ୍ଡକୁ ବରଦାସ୍ତ କଲା ​‌େ​ବଳେ ଏବେ ବାଚାଳ। ଜୀବନ ନେବା ବେଳେ, ଜଣେ ନିରୀହା ଯୁବତୀର ଜୀବନକୁ ଯନ୍ତ୍ରଣାମୟ ଓ ଦୁର୍ବିସହ କରି ମରିବା ପାଇଁ ଛାଡ଼ିଦେବା ବେଳେ ଟିକେ ବି ଶଙ୍କା ନଥିଲା, ଏବେ ବି ଅନୁଶୋଚନା ନାହିଁ। କିନ୍ତୁ ଭୋଗିବାକୁ ଥିବା ଦଣ୍ଡ ବେଳେ ଏବେ ଖୋଜୁଛନ୍ତି ଚମତ୍କାରିତା - ଯାହା ଆଦୌ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇ ସାରିଲାଣି। ଜଣେ ଯୁବତୀ (ନିର୍ଭୟା)କୁ ଗଣବଳାତ୍କାର କରି ଯନ୍ତ୍ରଣାଜର୍ଜରିତ ମୃତ୍ୟୁ ପାଇଁ ଛାଡ଼ିଦେବା ବେଳେ ଏହି ୪ ଦୋଷୀ ଯେତେ ବଳବାନ ଥିଲେ, ଜେଲ୍‌ର ୪ କାନ୍ଥରେ ଫାଶୀ ପାଇଁ ଅପେକ୍ଷା କରିବା ବେଳେ ସେହି ବଳ ଓ ସାହସ କୁଆଡ଼େ ଗଲା?

କାହିଁକି ହେଲେ ଆନ୍ତର୍ଜାତିକ ନ୍ୟାୟାଳୟର ଦ୍ବାରସ୍ଥ

ଫାଶୀ ଦଣ୍ଡ ଏଡ଼ାଇବାକୁ ନିର୍ଭୟା ବଳାତ୍କାର ଓ ହତ୍ୟା ଅପରାଧୀମାନଙ୍କ ସମସ୍ତ ଆଇନଗତ ସୁଯୋଗ ଦେଶରେ ଶେଷ ହେବା ପରେ ସେମାନେ ଆନ୍ତର୍ଜାତିକ ନ୍ୟାୟାଳୟ (ଆଇସିଜେ)ର ଆଶ୍ରୟ ନେଇଛନ୍ତି। ଚଳିତ ମାସ ୨୦ତାରିଖ ଭୋର୍‌ ୫ଟା ୩୦ରେ ଫାଶୀ ପାଇବାକୁୁ ଥିବା ୪ ଅପରାଧୀଙ୍କ ପକ୍ଷରୁ ତିନି ଜଣ ଫାଶୀ ଦଣ୍ଡ ଉପରେ ରହିତାଦେଶ ପାଇଁ ଆଇସିଜେରେ ଆବେଦନ କରିଛନ୍ତି। ଏହି ତିନି ଜଣ ହେଉଛନ୍ତି ମୁକେଶ ସିଂହ, ପବନ ଗୁପ୍ତା ଓ ବିନୟ ଶର୍ମା। ଆଇନଜୀବୀ ଏ.ପି ସିଂହଙ୍କ ଦ୍ବାରା ଏହି ଆବେଦନ କରାଯାଇଛି।

ଅପରପକ୍ଷରେ ସୋମବାର ସକାଳେ ସୁପ୍ରିମକୋର୍ଟ ସାନି କ୍ୟୁରେଟିଭ୍‌ ଆବେଦନ ଓ ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନ ଖାରଜ ନିର୍ଦେଶକୁ ବାତିଲ କରାଯିବା ସହ ପୁନଃ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ପାଇଁ ମୁକେଶ ସିଂହ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଆମିକସ୍‌ କ୍ୟୁରୀ ବୃନ୍ଦା ଗ୍ରୋଭର ତାଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ନ ଥିବା ଦର୍ଶାଇ ମୁକେଶ ସୁପ୍ରିମକୋର୍ଟରେ ଏହି ଆବେଦନ କରିଥିଲା ଏବଂ ଏହା ଉପରେ ଶୁଣାଣି ପାଇଁ ଗତ ଶନିବାର କୋର୍ଟ ସୋମବାରକୁ ଧାର୍ୟ୍ୟ କରିଥିଲେ। ପୂର୍ବରୁ ରାୟର ସମୀକ୍ଷା ଆବେଦନ ସହ କ୍ୟୁରେଟିଭ୍‌ ଆବେଦନ ଖାରଜ ହୋଇସାରିଥିବାରୁ ଏହି ଆବେଦନ ବିଚାରଯୋଗ୍ୟ ନୁହେଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆଇନଜୀବୀ ଏମ୍‌.ଏଲ ଶର୍ମାଙ୍କ ପକ୍ଷରୁ ମାମଲାର ସିବିଆଇ ତଦନ୍ତ ଦାବିରେ ହୋଇଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହିତ ତିନି ଥର ଫାଶୀ ଦଣ୍ଡାଦେଶ ଘୁଞ୍ଚାଯାଇଥିବାବେଳେ ଅପରାଧୀମାନଙ୍କର ସମସ୍ତ ଆଇନଗତ ସୁୁଯୋଗ ଶେଷ ହୋଇଥିବା ସୁପ୍ରିମକୋର୍ଟ କହିଛନ୍ତି ଏବଂ ଫାଶୀ ଦଣ୍ଡ କାର୍ୟ୍ୟକାରିତାକୁ ଆଉ ଅଟକାଇ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅପରାଧୀମାନଙ୍କୁ ଧାର୍ୟ୍ୟ ତାରିଖରେ ଫାଶୀ ଦିଆଯିବା ଏକରକମ ନିଶ୍ଚିତ ​‌େ‌ହାଇଯାଉଛି।
ତିହାର କାରାଗାରରେ ୪ ଅପରାଧୀ ପ୍ରତି ସପ୍ତାହରେ ସେମାନଙ୍କ ଜ୍ଞାତିପରିଜନଙ୍କୁ ଭେଟିବା ଜାରି ରହିଛି। ମୁକେଶକୁ ବାଦ ଦେଲେ ଅନ୍ୟ ତିନି ଜଣଙ୍କର ପରିବାର ସହିତ ସାକ୍ଷାତ ଶେଷ ହୋଇଛି। ମୁକେଶର ପରିବାରକୁ ଶେଷ ସାକ୍ଷାତ ପାଇଁ କାରାଗାର କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଏତଦ୍‌ବ୍ୟତୀତ ମାର୍ଚ୍ଚ ୫ରେ ମୃତ୍ୟୁ ପରୱାନା ଜାରି ହେବା ପରେ ମିରଟରୁ ଆସିଥିବା ଜହ୍ଲାଦ ପବନ ତିହାରରେ ଫାଶୀ ଦେବା ଅଭ୍ୟାସ କରିଛନ୍ତି। ପୁନର୍ବାର ଏହି ଅଭ୍ୟାସ ଅନୁଷ୍ଠିତ ହେବ ବୋଲି କାରାଗାର ସୂତ୍ରରୁ ପ୍ରକାଶ। 

Post a Comment

0 Comments