ଆଖି ବୁଜିଲେ ଅଭିନେତା ଇରଫାନ୍ ଖାନ
ପ୍ରଖ୍ୟାତ ଅଭିନେତା ଇରଫାନ ଖାନଙ୍କର ବୁଧବାର ସକାଳେ ପରଲୋକ ହୋଇଛି। ମୁମ୍ବଇର କୋକିଳାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ୨୦୧୮ ମାର୍ଚ୍ଚରୁ ସେ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର (ବିରଳ କର୍କଟ ରୋଗ)ରେ ପୀଡିତ ଥିଲେ। ମଙ୍ଗଳବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କୋକିଳାବେନ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅପରାହ୍ଣ ୩ଟାରେ ମୁମ୍ବଇର ଅନ୍ଧେରୀସ୍ଥିତ ଭେରସୋଭା କବରସ୍ଥାନରେ ତାଙ୍କୁ କବର ଦିଆଯାଇଛି। କରୋନା ସତର୍କତା ପାଇଁ ମାତ୍ର ୨୦ଜଣ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କର ଅେନ୍ତ୍ୟଷ୍ଟିକ୍ରିୟା କରାଯାଇଥିଲା। ବଲିଉଡ୍ର କୌଣସି କଳାକାରଙ୍କୁ କବରସ୍ଥାନ ନିକଟକୁ ଯିବାକୁ ଦିଆଯାଇ ନଥିଲା।
୫୩ ବର୍ଷୀୟ ଇରଫାନ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଏପରିକି ସେ ଏକବର୍ଷ ଧରି ଲଣ୍ଡନରେ ଚିକିତ୍ସିତ ହୋଇ ୨୦୧୯ ଫେବୃଆରୀରେ ଫେରିଥିଲେ। ୪ ଦିନ ତଳେ ତାଙ୍କ ମା’ ସଇଦା ବେଗମଙ୍କ ମୃତ୍ୟୁ ଘଟିଥିଲା। ଇରଫାନଙ୍କ ନିଖୁଣ ଏବଂ ଚମତ୍କାର ଅଭିନୟ ଦର୍ଶକଙ୍କ ମଧ୍ୟରେ ଉଜ୍ଜୀବିତ ରହିବ। ଇରଫାନ ଶେଷ ଥର ଲାଗି ‘ଇଂରେଜୀ ମିଡିୟମ’ ଚଳଚ୍ଚିତ୍ରରେ ନଜରକୁ ଆସିଥିଲେ। ଗତ ମାର୍ଚ୍ଚ ମାସ ୧୩ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହୋଇଥିଲା। ୧୯୮୮ରେ ‘ସଲାମ ବମ୍ବେ’ ଚଳଚ୍ଚିତ୍ରରେ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ର ସେହିବର୍ଷ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ୨୦୦୩-୦୪ରେ ହାସିଲ ଓ ମାକବୁଲ ତାଙ୍କୁ ବଲିଉଡ ଜଗତରେ ପରିଚୟ ଦେଇଥିଲା। ୨୦୦୫ରେ ‘ରୋଗ୍’ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବଲିଉଡର ପ୍ରାୟ ୫୦ଟି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ସେ କେତେକ ବ୍ରିଟିଶ ଓ ଆମେରିକୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ଏହା ସହିତ େକତେକ ଟିଭି ସିରିଏଲରେ ମଧ୍ୟ ସେ ଅଭିନୟ କରିଥିଲେ। ସେ ଜଣେ ଭଲ କ୍ରିକେଟର ଥିଲେ। ସିକେ ନାଇଡୁ ଟ୍ରଫିର ୨୩ ବର୍ଷରୁ କମ୍ ବୟସ ବର୍ଗରେ ଖେଳିବା ପାଇଁ ସେ ମନୋନୀତ ହୋଇଥିଲେ। ତେବେ ଅର୍ଥ ଅଭାବରୁ ସେ ଏହି ଟ୍ରଫିରେ ଖେଳିପାରି ନଥିଲେ।
ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଏସିଆନ ଫିଲ୍ମ ପୁରସ୍କାର ଓ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ୨୦୧୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୬୭ ଜାନୁଆରୀ ୭ ତାରିଖରେ ସେ ରାଜସ୍ଥାନର ଏକ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ୟାସିନ ଅଲି ଖାଁ ରାଜସ୍ଥାନର ଟୋଙ୍କ ଜିଲାରେ ଏକ ଟାୟାର ବ୍ୟବସାୟ ଚଳାଇଥିଲେ। ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ୧୯୮୪ରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ନାମ ଲେଖାଇଥିଲେ। ୧୯୯୫ରେ ସେ ସୁତପା ସିକ୍ଦାରଙ୍କୁ ବିବାହ କରିଥିଲେ। ତାଙ୍କ ଦୁଇ ପୁଅ ଅଛନ୍ତି।
ଇରଫାନଙ୍କ ପରଲୋକରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ ଲେଖିଛନ୍ତି ଯେ ଇରଫାନଙ୍କ ପରଲୋକ ବିଶ୍ବର ସିନେମା ଓ ଥିଏଟର ଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କର ବହୁବିଧ ପାରଦର୍ଶିତା ପାଇଁ ସେ ବିଭିନ୍ନ ମହଲରେ ସର୍ବଦା ସ୍ମରଣୀୟ ହୋଇ ରହିବେ। ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଶୋକ ବାର୍ତ୍ତାରେ ଲେଖିଛନ୍ତି ଯେ ‘ଜଣେ ବହୁମୁଖୀ ଅଭିନେତା ବିଶ୍ବ ସିନେମା ଜଗତକୁ ଖୁବଶୀଘ୍ର ଛାଡି ଚାଲିଗଲେ।’ କ୍ରକେଟର ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବଲିଉଡ ଓ ରାଜନୈତିକ ମହଲର ବିିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।
Irfan ମୃତ୍ୟୁର ଖବର ପ୍ରଥମେ ଫିଲ୍ମ ମେକର୍ ସୁଜିତ୍ ସରକାର ତାଙ୍କର twitter account ମାଧ୍ୟମରେ ଦେଇଥିଲେ।
0 Comments