ଭାରତକୁ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିବା ୧୨୦୦କୋଟି ଟଙ୍କାର ‘ଏୟାର ଇଣ୍ଡିଆ ୱାନ୍’ ବିମାନ
-ଭାରତକୁ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିବା ୧୨୦୦କୋଟି ଟଙ୍କାର ‘ଏୟାର ଇଣ୍ଡିଆ ୱାନ୍’ ବିମାନ। ଏହି ବିମାନରେ ରହିଛି ଆମେରିକାର ରାଷ୍ଟ୍ରପତିଙ୍କ ପରି ଉନ୍ନତ ପ୍ରତିରକ୍ଷା ବ୍ୟବସ୍ଥା ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭିଭିଆଇପି ବିମାନ ‘ଏୟାର ଇଣ୍ଡିଆ ୱାନ୍’ ବୋଇଙ୍ଗ ୭୭୭-୩୦୦ଇଆର ଆଜି ଭାରତରେ ପହଞ୍ଚିବ। ବିମାନଟି ଅଗଷ୍ଟ ୨୫ରେ ଭାରତରେ ପହଞ୍ଚିବାକୁ ଥିବା ବେଳେ କିଛି ବୈଷୟିକ ତ୍ରୁଟି କାରଣରୁ ସେହି ସମୟରେ ବିମାନ ଭାରତକୁ ଆସି ପାରିନଥିଲା। ଏହି ବିମାନରେ ଏଭଳି ପ୍ରତିରକ୍ଷା ଉପକରଣକୁ ଖଞ୍ଜା ଯାଇଛି, ଯାହାଦ୍ୱାରା ବିମାନଟି ଯେ କୌଣସି କ୍ଷେପଣାସ୍ତ୍ରର ଆକ୍ରମଣକୁ ପ୍ରତିହତ କରିପାରିବ। ବର୍ତ୍ତମାନ ଭାରତରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ବିଦେଶ ଯାତ୍ରା ପାଇଁ ବୋଇଙ୍ଗ ୭୪୭ ବିମାନ ବ୍ୟବହାର କରୁଥିବା ବେଳେ ଏବେ ସେହି ବିମାନ ସ୍ଥାନରେ ବୋଇଙ୍ଗ ୭୭୭-୩୦୦ଇଆରକୁ ବ୍ୟବହାର କରାଯିବ। ସୂଚନା ମୁତାବକ, ବୋଇଙ୍ଗ ୭୭୭-୩୦୦ଇଆର ଉନ୍ନତ ପ୍ରତିରକ୍ଷା ବ୍ୟବସ୍ଥା ଲଗାଯାଇଛି। ପୂର୍ବରୁ ବୋଇଙ୍ଗ ୭୪୭ ବିମାନକୁ ଏୟାର ଇଣ୍ଡିଆର ଅଧିକାଂଶ ବରିଷ୍ଠ ପାଇଲଟ୍ ଉଡାଉଥିବା ବେଳେ ଏବେ ବୋଇଙ୍ଗ ୭୭୭-୩୦୦ଇଆରକୁ ବାୟୁସେନାର ପାଇଲଟମାନେ ଉଡ଼ାଇବେ। ଆମେରିକୀୟ କମ୍ପାନୀ ବୋଇଙ୍ଗ ଦ୍ୱାରା ଏୟାର ଇଣ୍ଡିଆ ୱାନ ପ୍ରସ୍ତୁତ ହୋଇଥିବା ବେଳେ ଏହାର ମୂଲ୍ୟ ୧୨୦୦ କୋଟି ରହିଛି। କୁହାଯାଉଛି ଯେ, ଏହି ବିମାନଟି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଏୟାରଫୋର୍ସ ୱାନ୍’ ଭଳି ଢ଼ାଞ୍ଚାରେ ନିର୍ମିତ, ଯାହା ବିଶ୍ୱର ସବୁଠାରୁ ସୁରକ୍ଷିତ ବିମାନ ଭାବରେ ଜଣାଯାଏ। ଯୁକ୍ତରାଷ୍ଟ୍ରରେ ‘ଏୟାରଫୋର୍ସ ୱାନ୍’ ଭାବରେ ଦୁଇଟି ବିମାନ ରହିଛି, ଯାହାକୁ ଆମେରିକାର ରାଷ୍ଟ୍ରପତି ବ୍ୟବହାର କରିଥାନ୍ତି |
-ଉତ୍ତରପ୍ରଦେଶର ରାଜପଥରେ ପୁଲିସ କାର୍ ଅଟକାଇବାରୁ ହାଥ୍ରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଚାଲି ଚାଲି ଗଲେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ୧୪୪ ଧାରା ଜାରି ହୋଇଥିବା ଦର୍ଶାଇ ଯମୁନା ଏକ୍ସପ୍ରେସ୍ୱେରେ ଉତ୍ତରପ୍ରଦେଶ ପୁଲିସ ଗାଡ଼ି ଅଟକାଇ ଦେଇଥିଲା। ପରେ ଚାଲି ଚାଲି ଯାଉଥିବାବେଳେ ରାହୁଲ ଓ ପ୍ରିୟଙ୍କାକୁ ଅଟକାଇବାରୁ ପୁଲିସ ସହ ମୁହଁାମୁହିଁ ସ୍ଥିତି ଉତ୍ପନ୍ନ ହୋଇଥିଲା। ରାହୁଲ ଗାନ୍ଧି ପଡିଯାଇଥିଲେ। ପୁଲିସ ତାଙ୍କୁ ଧକ୍କା ଦେବା ସହ ଲାଠି ମାଡି କରିଥିବା ରାହୁଲ କହିଛନ୍ତି।
-ଜନତା ଜବାବ ମାଗିଛନ୍ତି। ରାସ୍ତା କାମ କରିନଥିବାରୁ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସରପଞ୍ଚ। ଲୋକ ସରପଞ୍ଚଙ୍କୁ ଜୋତା ଖୋଲି କାଦୁଅରେ ଚଲାଇଛନ୍ତି। ଏଭଳି ଏକ ଘଟଣା ଘଟି ଯାଇଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତରେ। ସଂଗ୍ରାମପୁରରୁ ଭାଟପଦର ଗାଁକୁ ଯାଇଥିବା ରାସ୍ତାର ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ସରପଞ୍ଚ ରାଜକିଶୋର ନାଏକ ଏଭଳି ଭାବେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। କ୍ଷୁବ୍ଧ ଲୋକମାନେ ସରପଞ୍ଚଙ୍କୁ ରାସ୍ତା ସାରା ପାଦରେ ଚଲାଇ ଚଲାଇ ରାସ୍ତା ଦେଖାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି।
-ବିଜୁଳି ବିଲ ବୃଦ୍ଧି ନେଇ ଆଜି ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଛି। କରୋନା ପାଇଁ ଲୋକେ ଜୀବିକା ହରାଉଛନ୍ତି, ଏଭଳି ସ୍ଥିତିରେ ବିଜୁଳି ଦର ବୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି।୪ଟି ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀ ଉପରେ ୫୯୬୩ କୋଟି ୨୧ ଲକ୍ଷ ଟଙ୍କା ବାକି ପଡିଛି ।୨୬ଟି ଶିଳ୍ପସଂସ୍ଥାରେ ପ୍ରାୟ ୩ହଜାର କୋଟି ବକେୟା ଗଡୁଛି ।୩୦୩୨ଟି କମ୍ପାନି ଉପରେ ୫୧୫ କୋଟି ଟଙ୍କାର ଜଳକର ବାକି ପଡିଛି। ସେ ସବୁ ସରକାର ଏଯାଏଁ ଆଦାୟ କରିପାରୁନାହାନ୍ତି । ବାହାର ରାଜ୍ୟକୁ ରାଜ୍ୟ ସରକାର ୟୁନିଟ ପିଛା ୩ଟଙ୍କା ୨୧ ପଇସାରେ ବିଦ୍ୟୁତ ବିକ୍ରି କରୁଛନ୍ତି ।କିନ୍ତୁ ଅନ୍ୟ ରାଜ୍ୟରୁ ୟୁନିଟ୍ ପିଛା ୩ଟଙ୍କା ୮୧ ପଇସାରେ କିଣୁଛନ୍ତି । କମ ପଇସାରେ ବିକିବା ଓ ଅଧିକ ପଇସାରେ କିଣିବା ଏହା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠିଛି।
-ବିଜୁଳି ବିଲ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ରିଲାଏନ୍ସ ଓ ଇମ୍ଫା ଭଳି ବଡ଼ ବଡ଼ କମ୍ପାନୀଙ୍କୁ ବିଦ୍ୟୁତ ବକେୟା ଛାଡ଼ କରିବାରେ କି ରହସ୍ୟ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଇମ୍ଫାକୁ ୨୩୦୦ କୋଟି ଟଙ୍କା କାହିଁକି ଛାଡ଼ କରାଯାଇଥିଲା ବୋଲି ଏହି ଅବସରରେ ସେ ପ୍ରଶ୍ନ ଉଠାଇଛନ୍ତି। ବଡ଼ କମ୍ପାନୀଙ୍କୁ କୋଟି କୋଟି ଟଙ୍କା ଛାଡ଼ କରାଯାଉଥିବାବେଳେ ସରକାର ସାଧାରଣ ଲୋକଙ୍କ ଉପରେ ବୋଝ ଲଦିଛନ୍ତି ବୋଲି ଶ୍ରୀ ସାଲୁଜା ଏହି ଅବସରରେ ପ୍ରକାଶ କରିଛନ୍ତି।
-ଆଜି ବିଧାନସଭାରେ ବଲାଙ୍ଗୀରରେ କୋଭିଡ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଉଠାଇ ଉତ୍ତର ଲୋଡିଛନ୍ତି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର । ଗୃହରେ ନରସିଂହ ମିଶ୍ର କହିଛନ୍ତି ଯେ, ଏନେଇ ପୁଲିସ ଡିଜିଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ । ନରସିଂହ ମିଶ୍ରଙ୍କ ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ସେ ଏନସିଆରବି ପକ୍ଷରୁ ପ୍ରଦତ୍ତ ରିପୋର୍ଟ ପ୍ରସଙ୍ଗ ଉଠାଇ ଏହା ଓଡ଼ିଶା ପାଇଁ ଲଜ୍ଜା ବୋଲି କହିଛନ୍ତି।
-ରାଜ୍ୟରେ କରୋନାରେ ପୁଣି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି ସେମାନଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ଜଣେ, ଭୁବନେଶ୍ବରରୁ ୩ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ଜଣେ, ଢେଙ୍କାନାଳରୁ ଜଣେ, କଟକରୁ ୨ ଜଣ, କଳାହାଣ୍ଡିରୁ ଜଣେ, ଜଗତ୍ସିଂହପୁରରୁ ଜଣେ, ଖୋର୍ଦ୍ଧାରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ନୟାଗଡ଼ରୁ ୨ ଜଣ, ରାୟଗଡ଼ରୁ ଜଣେ ଓ ପୁରୀରୁ ଜଣେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ୩୬୧୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି।
ଏବେ ଆଗକରୁ ରହିଛି କେତେକ ସଂକ୍ଷିପ୍ତ ସମାଚାର
-ପ୍ରେମ ବିବାହର କରୁଣ ପରିଣତି: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା(ଖପଡ଼ା) ଗାଁରେ ପ୍ରେମ ବିବାହର ୧୨ ବର୍ଷ ପରେ ସ୍ତ୍ରୀ ପାର୍ବତୀ ତରାଇ(୩୭) ଙ୍କ ମୁଣ୍ଡକୁ କଟୁରି ପଛପଟେ ବାଡ଼େଇ ବାଡ଼େଇ ସ୍ୱାମୀ ମେଘନାଦ ତରାଇ (୪୨) ହତ୍ୟା କରିଛି। ପରିକୀୟା ପ୍ରତିରୁ ଏହି ହତ୍ୟାକାଣ୍ଡ ଘଟିଛି।
-ଭଦ୍ରକ ଶ୍ରମ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି। ଲେବର ଲାଇସେନ୍ସ ନବୀକରଣ ପାଇଁ କନିଷ୍ଠ କିରାଣୀ ସୁଧାକର ବାରିକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରା ପଡିଛନ୍ତି।
-କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ, କୋରାପୁଟ ଟାଉନ ଥାନା ଆଇଆଇସି ପୀତବାସ ଧାରୁଆଙ୍କର ଆଜି ସକାଳେ କରୋନାରେ ମୃତ୍ୟୁ ହୋଇଯାଇଛି । ଗତ ୨୦ ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବା ପରେ କୋରାପୁଟରେ ଚିକିତ୍ସାଧିନ ଥିଲେ ।
-୨ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଆଳି ପଟ୍ଟାମୁଣ୍ଡାଇ ଅଞ୍ଚଳର ରମାକାନ୍ତ ଦାସକୁ ପୋଲିସ ଗିରଫ କରିଛି। ସ୍କୁଟିରେ ପଟ୍ଟାମୁଣ୍ଡାଇରୁ ଆସୁଥିବାବେଳେ ପତ୍ରପୁର ପୋଲ ନିକଟରେ ଯାଞ୍ଚ ବେଳେ ତାଙ୍କ ପାଖରୁ ବ୍ରାଉନସୁଗାର ଜବତ ହୋଇଛି।
-ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୁଟ ହୋଇଛି। ଲୁଟେରା ଜନୈକ ଯୁବତୀଙ୍କ ମୋବାଇଲ ଝାମ୍ପିବା ବେଳେ ସ୍କୁଟିରୁ ଖସି ସଂପୃକ୍ତ ଯୁବତୀ ଗୁରୁତର ଆହତ ହୋଇଛନ୍ତି।
- ତିନି ଜଣଙ୍କ ମଧ୍ୟରେ ୮୦୦ଟଙ୍କାର ଭାଗ ନ ଛିଣ୍ଡିବାରୁ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡିଆନାଳି ଗ୍ରାମରେ ରଇବୁ ମୁଣ୍ଡା ନାମକ ଜଣେ ବୃଦ୍ଧଙ୍କୁ ଅତି ନୃଶଂସ ଭାବରେ ମୁଣ୍ଡକୁ ଛେଚି ଅନ୍ୟ ଦୁଇ ସାଙ୍ଗ ହତ୍ୟା କରିଛନ୍ତି। ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତ ପେଟେରା ମୁଣ୍ଡା ଓ ପୂର୍ଣ୍ଣ ମୁଣ୍ଡାଙ୍କୁ ପୁଲିସ ଗିରଫ କରିଛି।
-୪ ତାରିଖରୁ ଖୋଲିବାକୁ ଥିବା ନନ୍ଦନକାନନ ପାଇଁ ଜାରି ହୋଇଛି ଗାଇଡଲାଇନ୍। ଦୈନିକ ସର୍ବାଧିକ ୨୫୫୦ ପର୍ଯ୍ୟଟକଙ୍କୁ ଟିକଟ ବିକ୍ରି କରାଯିବ । ମୁଖ୍ୟ ଚିଡ଼ିଆଖାନାକୁ ଦୈନିକ ୧୫୦୦ ଲୋକଙ୍କୁ ଛଡ଼ାଯିବ । ବାକି କ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ଓ ହରିଣ ପାର୍କକୁ ଦୈନିକ ୩୦୦ ଲୋକ ପରିଦର୍ଶନ କରିପାରିବେ ।
-ଗୁଗଲ ଏବେ ଫୁଡ୍ ଡେଲିଭରି ଆପ୍ ଜୋମାଟୋ ଓ ସ୍ବିଗି ଉପରେ ପ୍ଲେ-ଷ୍ଟୋର ଗାଇଡଲାଇନ୍ସ ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛି। ଗୁଗଲ ଏହି ଦୁଇ କମ୍ପାନିକୁ ଏ ନେଇ ନୋଟିସ ପଠାଇ ତାର ଗେମିଙ୍ଗ ଫିଚର୍ସ ଉପରେ ଆପତ୍ତି ଉଠାଇଛି। ପୂର୍ବରୁ ଗୁଗଲ ପେଟିଏମକୁ ଏଭଳି କହି ତା ପ୍ଲେ-ଷ୍ଟୋରରୁ ହଟାଇ ଦେଇ ଥିଲା।
-ସାତ ମାସ ପରେ ସୁଟିଂକୁ ଫେରୁଛନ୍ତି କଙ୍ଗନା, ଫିଲ୍ମ ‘ଥଲାଇଭି’ ପାଇଁ ମନାଲି ଯାତ୍ରା କରିଛନ୍ତି। କଙ୍ଗନା ରଣାଓ୍ବତ ଏହି ଫିଲ୍ମରେ ଅଭିନେତ୍ରୀ ତଥା ଲୋକପ୍ରିୟ ରାଜନେତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ।
0 Comments