Dt 12 Feb 2021
•ସୈନ୍ୟ ପ୍ରତ୍ୟାହାର କଲେ ଭାରତ-ଚୀନ
•ସୀମାରୁ ପଛକୁ ହଟିଲା ଟ୍ୟାଙ୍କ
• ଏପ୍ରିଲ ସ୍ଥିତି ଫେରି ପାରିଲାନି
• ଫିଙ୍ଗର ୪ ପର୍ଯ୍ୟନ୍ତ ଚୀନର କବଜା
• ଭାରତୀୟ ସେନା ଦଖଲ ଜାଗାରୁ ଫେରିଲା
ଚୀନ- ଭାରତ ବୁଝାମଣା ପରେ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବା ସହ ମୁତୟନ ହୋଇଥିବା ଯୁଦ୍ଧାସ୍ତ୍ରକୁ ମଧ୍ୟ ହଟାଇଦିଆଯାଇଛି। ଭାରତ ଯୁଦ୍ଧାସ୍ତ୍ରକୁ ନିଓମା ଆଡ଼କୁ ନେଇଆସିଥିବା ବେଳେ ଚୀନ ସିରିଜାପ୍ ଏବଂ ମଲଡୋକୁ ଯୁଦ୍ଧାସ୍ତ୍ର ଫେରାଇ ନେଇଛି। ଭାରତ ଫିଙ୍ଗର ୮ କୁ ପାଟ୍ରୋଲିଂ କରିବାରେ ସକ୍ଷମ ହୋଇଥିବାବେଳେ ଫିଙ୍ଗର ୪ ପର୍ଯ୍ୟନ୍ତ ଚୀନ୍ ନିଜର ପ୍ରାଧାନ୍ୟ ବଜାୟ ରଖିଛି।
ଦୀର୍ଘ ୧୦ମାସ ପରେ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ନେଇ ଏକମତ ହୋଇଛନ୍ତି। ପାଙ୍ଗୋଙ୍ଗ ହ୍ରଦର ଦୁଇଟି କୂଳରୁ ସମ୍ପୂର୍ଣ୍ଣ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର ୭ ଦିନ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ସୂତ୍ରକୁ ପ୍ରକାଶ। ପ୍ରଥମ ପର୍ଯ୍ୟାୟ ପ୍ରତ୍ୟାହାର ସମାପ୍ତ ହେବା ପରେ ଉଭୟ ପକ୍ଷ ପାଟ୍ରୋଲିଂ ପଏଣ୍ଟ -୧୭ ଏବଂ ପାଟ୍ରୋଲିଂ ପଏଣ୍ଟ -୧୫ ଉପରେ ଆଲୋଚନା ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଘୋଷଣା କରିଥିଲେ ଯେ ଚୀନ୍ ସହ ଜାରି ରହିଥିବା ଆମର ଆଲୋଚନା ଯୋଗୁଁ ପାଙ୍ଗୋଙ୍ଗ୍ର ଉତ୍ତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ନିମନ୍ତେ ରାଜିନାମା ସମ୍ଭବ ହୋଇଛି। ଏହା ସହ ଗତକାଲି ଚୀନ ପକ୍ଷରୁ କୁହାଯାଇଥିଲା ଯେ, ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି।
ତେବେ ଭାରତ - ଚୀନ ମଧ୍ୟରେ ଏହି ବୁଝାମଣାକୁ ଭାରତର ନୈତିକ ପରାଜୟ କୁହାଯିବ, ତାର କାରଣ ହେଲା ୧୦ ମାସର ବିବାଦ ସତ୍ତ୍ୱେ ଏପ୍ରିଲ ମାସର ସ୍ଥିତି ଫେରି ନାହିଁ।
ଏହି ନୂତନ ଚୁକ୍ତି ଅନୁସାରେ ଭାରତ ଫିଙ୍ଗର - ୪ ରୁ ଫିଙ୍ଗର୍ - ୩ ପର୍ଯ୍ୟନ୍ତ ଜମିକୁ ଚୀନ କୁ ଛାଡି ଦେଇଛି। ଏପ୍ରିଲ ପୂର୍ବରୁ ଏହି ଜମି ଭାରତ ଅଧୀନରେ ଥିଲା। ସେହିପରି ଡିପସଙ୍ଗ ହେଉଛି ଏକ ରଣନୀତିକ କ୍ଷେତ୍ର | ଚୀନ୍ ଏହାକୁ ନିଜ ଅଧିକାରରେ ରଖିଛି; କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଭାଷଣରେ ଏହା ଉପରେ କିଛି କହିନାହାଁନ୍ତି। ପ୍ରକୃତ କଥା ହେଉଛି ମୋଦୀ ସରକାର ଆମର ପବିତ୍ର ଭୂମି ଚୀନ କୁ ଟେକି ଦେଇଛନ୍ତି ବୋଲି ବିରୋଧୀ ଦଳ ମଧ୍ୟ ସଂସଦରେ ତାଙ୍କ ମତ ପ୍ରକାଶ କରିଛନ୍ତି।
ଭାରତୀୟ ସେନା ନିଜର ବଳିଦାନ ଦେଇ ଯେଉଁ ଜମିକୁ ନିଜ ଦଖଲକୁ ଆଣିଥିଲା ସେଠାରୁ ଏବେ ପଛକୁ ଫେରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
0 Comments