Ticker

4/recent/ticker-posts

ପୁରୀଠାରେ ରହିଛି ଏମିତି ପ୍ରାଚୀର ଯାହାକୁ ଭେଦ କରିପାରେ ନାହିଁ ସମୁଦ୍ରର ଗର୍ଜନ.....

ମେଘନାଦ ପାଚେରୀର ପୌରାଣିକ ଗାଥା
ଜଗତର ବଡ଼ ଠାକୁର ଜଗନ୍ନାଥ  । ତାଙ୍କ ରହସ୍ୟକୁ ଏଯାବତ କେହିବି ଭେଦ କରିପାରିନାହାନ୍ତି  । ଅନେକ ରହସ୍ୟ, ଅନେକ କିମ୍ବଦନ୍ତୀ ଓ ଅଲୌକିକ ଘଟଣାବଳୀର ସେ ହେଉଛନ୍ତି ଭଣ୍ଡାର  । ସେଇଥିପାଇଁ ତ ତାଙ୍କର ଦାଣ୍ଡ ବଡ଼ଦାଣ୍ଡ  । ତାଙ୍କର ଦେଉଳ ବଡ଼ ଦେଉଳ  । ବଡ଼ ଦେଉଳର ପାଚେରୀ ବି ବହୁତ ବଡ଼  । ଯାହାର ନାମ ହେଉଛି ମେଘନାଦ ପାଚେରୀ  । ଯେଉଁ ପାଚେରୀ ଡେଇଁ ସମୁଦ୍ର ଗର୍ଜନ ବି ଶୁଣାଯାଏନି ବୋଲି କୁହାଯାଏ  । ଏହା ପଛରେ ପୌରାଣିକ ଆଖ୍ୟାନ ମଧ୍ୟ ରହିଛି  । ଏବେ ସିନା ଶ୍ରୀମନ୍ଦିର ଠାରୁ ସମୁଦ୍ର ବହୁ ଦୂରରେ ରହିଛି  । କିନ୍ତୁ ପୂର୍ବରୁ ମନ୍ଦିର ନିକଟରେ ସମୁଦ୍ର ରହିଥିଲା  । ସମୁଦ୍ରର ଶବ୍ଦ ଯୋଗୁଁ ଶ୍ରୀମନ୍ଦିରର ପରିବେଶ ଅଶାନ୍ତ ହୋଇପଡୁଥିଲା  । ତେଣୁ ମେଘନାଦ ପାଚେରୀ ନିର୍ମାଣ କରାଯାଇଥିବା କୁହାଯାଏ  । ସେହିପରି ସମୁଦ୍ର ଦେବତା ବରୁଣ ମହାପ୍ରଭୁ ଜଗନ୍ନାଥଙ୍କର ଶ୍ୱଶୁର ହୋଇଥିବାବେଳେ ଏହି ସମୁଦ୍ର ଶବ୍ଦ ପାଇଁ ଲକ୍ଷ୍ମୀ ମା’ଙ୍କ ସହ ପ୍ରଭୂଙ୍କର କଳି ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣନା ରହିଛି  ।  .
‘ମେଘନାଦ’ ପାଚେରୀକୁ ବେଢ଼ା ପାଚେରୀ ବୋଲି ମଧ୍ୟ କୁହାଯାଇଥାଏ  ।ଏହି ପାଚେରୀର ଉଚ୍ଚତା ସବୁ ସ୍ଥାନରେ ସମାନ ନୁହେଁ  । ରାସ୍ତା ଠାରୁ ଭିନ୍ନିଭନ୍ନ ସ୍ଥାନରେ ପାଚେରୀର ଉଚ୍ଚତା ୨୦ରୁ ୨୪ ଫୁଟ ପର୍ଯ୍ୟନ୍ତ ହୋଇଥାଏ  । ଶ୍ରୀମନ୍ଦିରକୁ ଘେରି ରହିଥିବା ଆୟତକାର ପାଚେରୀର ପଥରଗୁଡ଼ିକ ତୀର ଭଳି ସଜାଇ ହୋଇଥିବା ଦେଖିବାକୁ ମିଳିଥାଏ  । 
ଶ୍ରୀମନ୍ଦିର ବାହାରବେଢ଼ା ଦକ୍ଷିଣ ପାଶ୍ୱର୍ ମେଘନାଦ ପାଚେରୀର ଲମ୍ବ ୬୬୫ ଫୁଟ ହୋଇଥିବାବେଳେ ପୂର୍ବପଟର ଲମ୍ବ ୬୪୪ ଫୁଟ  । ବାହାରବେଢ଼ାର ସମୁଦାୟ ପରିସୀମା ଚାଳିଶ ଲକ୍ଷ ଅଠେଇଶି ହଜାର ଦୁଇ ଶହ ଷାଠିଏ ବର୍ଗ ଫୁଟ ରହିଛି  । 
ଏହି ପାଚେରୀରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଚାରୋଟି ଦ୍ୱାର ରହିଛି  । ଯାହାର ନାମ ହେଉଛି ସିଂହଦ୍ୱାର, ବାଘଦ୍ୱାର, ହାତୀଦ୍ୱାର ଓ ଘୋଡ଼ାଦ୍ୱାର  । ଐତିହାସିକଙ୍କ ମତରେ ପ୍ରଥମେ ଭିତରବେଢ଼ା ବା କୁର୍ମବେଢ଼ା ନିର୍ମାଣ ହୋଇଥିଲା  । କିନ୍ତୁ ଶ୍ରୀମନ୍ଦିରକୁ ଶତ୍ରୁମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ମେଘନାଦ ପାଚେରୀ ନିର୍ମାଣ କରାଯାଇଥିଲା  । ଦୁର୍ଗମାନଙ୍କର ପ୍ରାଚୀର ଭଳି ମେଘନାଦ ପ୍ରାଚୀରର ଉପରି ଭାଗରେ ବି ଗାଙ୍ଗଲା ରହିଛି  । 
୧୪୪୮ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଏହି ପାଚେରୀ ନିର୍ମାଣ ହୋଇଥିଲା ବୋଲି ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି  । ସେବାୟତ ଓ ସାଧାରଣ ଜନତା ଅତୀତରେ ମେଘନାଦ ପାଚେରୀ ଭିତରେ ରହି ଆତ୍ମରକ୍ଷା କରିଥିବାର ବି ନଜିର ରହିଛି  । ତେଣୁ କେହିକେହି ମେଘନାଦ ପାଚେରୀକୁ ଏକ ଦୁର୍ଗ ବୋଲି ମଧ୍ୟ ଅଭିହିତ କରିଥା’ନ୍ତି  । ମେଘନାଦ ପାଚେରୀ ଯେଉଁଠାରୁ ଆରମ୍ଭ ହୋଇଛି ସେହି ପତନରୁ ପ୍ରାୟ ୨୦ ଫୁଟ ଉଚ୍ଚରେ କୁର୍ମ ପାଚେରୀ ନିର୍ମାଣ କରାଯାଇଛି  । ଦୁଇ ପାଚେରୀ ମଝିରେ ଧାଡ଼ି ଧାଡ଼ି ପାହାଚ ରହିଛି  । ମେଘନାଦ ପାଚେରୀ ଠାରୁ କୁର୍ମ ପାଚେରୀ ପର୍ଯ୍ୟନ୍ତ କ୍ଷେତ୍ରକୁ ବାହାରବେଢ଼ା ଓ କୁର୍ମ ପାଚେରୀ ଠାରୁ ଶ୍ରୀମନ୍ଦିରର ପ୍ରଶସ୍ତ କ୍ଷେତ୍ରକୁ ଭିତରବେଢ଼ା ବୋଲି କୁହାଯାଏ  । ମେଘନାଦ ପାଚେରୀରେ ମନ୍ଦିର ପ୍ରବେଶ ପାଇଁ ଚାରୋଟି ଦ୍ୱାର ଥିବାବେଳେ କୁର୍ମ ପାଚେରୀରେ ଛଅଟି ଦ୍ୱାର ରହିଛି  । ଏହି ଦଶଦ୍ୱାରକୁ ସାଧୁସନ୍ଥମାନେ ଶରୀର ତତ୍ତ୍ୱ ଭାବେ ବର୍ଣ୍ଣନା କରିଥା’ନ୍ତି  । ମେଘନାଦ ପାଚେରୀ ଦେହରେ ଏତେ ବିଶେଷ ମନ୍ଦିର ଘର ନିର୍ମାଣ ଦେଖିବାକୁ ମିଳୁନଥିବାବେଳେ ଭିତରବେଢ଼ାରେ ଅନେକ ଛୋଟବଡ଼ ମନ୍ଦିର, ଚନ୍ଦନଘର, ବେଢ଼ାକାଳୀ, ସୂର୍ଯ୍ୟମନ୍ଦିର ଭଳି ବୈଦିକ ଅନୁଷ୍ଠାନମାନ ରହିଛି  ।
ଶ୍ରୀମନ୍ଦିରର ପାଚେରୀ ଚାରିପାଖରେ ପ୍ରଶସ୍ତରାସ୍ତା ରହିଛି  । ଯେଉଁଠୁ ଲକ୍ଷ ଲକ୍ଷ ଯାତ୍ରୀ ଶ୍ରୀମନ୍ଦିରର ନେତ ଦର୍ଶନ କରିପାରନ୍ତି  । ପୂର୍ବଦ୍ୱାର ସିଂହଦ୍ୱାର ସମ୍ମୁଖରେ ରହିଛି ବଡ଼ଦାଣ୍ଡ  । ସେହିପରି ପଶ୍ଚିମ ଦ୍ୱାର ବା ବାଘଦ୍ୱାର ସମ୍ମୁଖରେ ପବିତ୍ର ମଠ ଓ ବ୍ୟବସାୟିକ କ୍ଷେତ୍ର ରହିଛି  । ଦକ୍ଷିଣ ଦ୍ୱାରକୁ ଘୋଡ଼ା ଦ୍ୱାର କୁହାଯାଉଥିବାବେଳେ ସେଠାରେ ମଠ ମନ୍ଦିର ରହିଛି  । ଏହାକୁ କାଞ୍ôଚ ବିଜୟ ଦ୍ୱାର ମଧ୍ୟ କୁହାଯାଇଥାଏ  । ଉତ୍ତର ଦ୍ୱାରକୁ ହାତୀ ଦ୍ୱାର କୁହାଯାଏ  । ଏହି ଦ୍ୱାରରେ ବର୍ଷ ବର୍ଷ ଧରି ହଜାର ହଜାର ଚେମେରୀ ଗୁମୁଟ ସାରା ଝୁଲି ରହିଥା’ନ୍ତି  । ଫଳରେ ସେହି ଦ୍ୱାରରୁ ଅତ୍ୟନ୍ତ କଟୁ ଗନ୍ଧ ଆସିଥାଏ  । ସେଥିପାଇଁ ଏହାକୁ ଚେମେରୀ ଦ୍ୱାର କୁହାଯାଉଥିବାବେଳେ ପ୍ରତିଦିନ ସଂଧ୍ୟା ପୂର୍ବରୁ ଏହି ଦ୍ୱାରକୁ ବନ୍ଦ କରିଦିଆଯାଇଥାଏ  ।

ଆଲେଖ୍ୟ: ରାମଚଣ୍ଡୀ ପ୍ରସାଦ ରଣସିଂହ, ଗଡ଼ମାଣତୀର, ଖୋର୍ଦ୍ଧା

Post a Comment

0 Comments