ବାଘ ବୁଲୁଥିବାର ଫଟୋ କ୍ୟାମେରାରେ କଏଦ
୨୦୧୮ରେ ଡେବ୍ରିଗଡ଼କୁ ପଶି ଆସିଥିବା ମହାବଳ ବନ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଶିକାରୀଙ୍କ ହାତରେ ପଡି ପ୍ରାଣ ହରାଇଥିଲା। ଏଥର କିନ୍ତୁ ବେଶ୍ ସଜାଗ ଅଛି ବନବିଭାଗ। ୨ଟି ଟାଇଗର ମନିଟରିଂ ଟିମ, ୧୨ଟ ପେଟ୍ରୋଲିଂ ଟିମ ଓ ଶହେଟି କ୍ୟାମେରା ଯୋଗେ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ଏବେ ଠାବ କରାଯାଇଥିବା ମହାବଳଟି ଏକ ପୁରୁଷ ବାଘ। ଏହା ଡେବ୍ରିଗଡ଼ ଅଭୟାରଣ୍ୟ କିମ୍ବା ନିକଟସ୍ଥ ଅଞ୍ଚଳରେ ରହୁଥିବା ଅନୁମାନ କରାଯାଉଛି ବୋଲି ଜିଲା ବନ୍ୟପ୍ରାଣୀ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।
ସଂକ୍ଷେପରେ:
- ୫ ବର୍ଷ ପରେ ପୁଣି ଦେଖାଦେଲା ମହାବଳ
- ୨୦୧୮ରେ ମହାବଳ ବାଘକୁ ମାରି ଦେଲେ ଶିକାରୀ
- ବେପରୁଆ ବନ ବିଭାଗ ଏଥର ଅଧିକ ସତର୍କ ରହିଛି
- ୨ ଟାଇଗର ମନିଟରିଂ ଟିମ୍, ୧୨ ପାଟୋଲିଂ ଟିମ୍ ନିଯୁକ୍ତ
- ବାଘକୁ ଜଗିଛି ଶହେ ସିସିଟିଭି କ୍ୟାମେରା
ଡେବ୍ରିଗଡ଼ ଜଙ୍ଗଲ ମୁଖ୍ୟରାସ୍ତାରେ ବୁଲୁଥିବା ମହାବଳ |
ସମ୍ବଲପୁର (ନ୍ୟୁଜ୍ ଷ୍ଟପେଜ):
ବ୍ରିଗଡ ଅଭୟାରଣ୍ୟରେ ମହାବଳ ବାଘକୁ ଠାବ କରାଯାଇଛି। ପ୍ରବେଶ ପଥ ଦେଇ ରାସ୍ତାରେ ଅତି ସନ୍ତର୍ପଣରେ ଜଙ୍ଗଲ ଭିତରକୁ ପ୍ରବେଶ କରୁଛି ମହାବଳ । ଅଭୟାରଣ୍ୟର ମୁଖ୍ୟ ଦ୍ୱାରର ପଏଣ୍ଟଜିରୋରୁ ଜଙ୍ଗଲ ଭିତରକୁ ଯାଇଥିବା ରାସ୍ତାରେ କିଛି ବାଟ ବୀରଦର୍ପରେ ଚାଲିବା ପରେ ମହାବଳ ଜଙ୍ଗଲ ଭିତରକୁ ଯାଇଛି ଏହି ଯୁବ ମହାବଳ । ଆଉ ଯେଉଁ ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ବନ କର୍ମଚାରୀ ଓ ସେଠାରେ ଉପସ୍ଥିତ ଥିବା ପର୍ୟ୍ୟଟକ । ଗତ ଗୁରୁବାର ସଂଧ୍ୟା ସମୟରେ ଏଭଳି କିଛି ଦୃଶ୍ୟ ଏବେ ପଶୁପ୍ରେମୀଙ୍କ ପାଇଁ ଆଣିଛି ଖୁସି ଖବର । ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟାରେ ସଫାରୀ ଗାଡିରେ ପର୍ଯ୍ୟଟକମାନେ ମୁଖ୍ୟ ରାସ୍ତାେର ଫେରୁଥିବାବେଳେ ମହାବଳ ବାଘକୁ ପ୍ରାୟ ଶହେ ମିଟର ଦୂରରୁ ଦେଖିଛନ୍ତି। ପାଖରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ମଧ୍ୟ ମହାବଳକୁ ଦେଖିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ପ୍ରଥମଥର ପାଇଁ ପ୍ରାୟ ୫ ବର୍ଷ ତଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଦେଖିବାକୁ ମିଳିଥିଲା। ଗୁରୁବାର ପୁଣି ଥରେ ଏଠାରେ ମହାବଳ ଠାବ କରାଯାଇଛି। ଜଙ୍ଗଲରେ ପ୍ରବେଶ କରିବା ପୂର୍ବରୁ ମହାବଳ ସଫାରୀ ଯାନକୁ ୫ ମିନିଟ ପର୍ଯ୍ୟନ୍ତ ଅନାଇ ରହିଥିବା ଅଭୟାରଣ୍ୟର ପାଟ୍ରୋଲିଂ ୟୁନିଟ ସୂଚନା ଦେଇଛି। ଅପରପକ୍ଷରେ ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଦେଖାଯିବା ପରେ ସୁରକ୍ଷାକୁ ନେଇ ତତ୍ପର ହୋଇଉଠିଛି ବନବିଭାଗ । ୨ଟି ଟାଇଗର ମନିଟରିଂ ଟିମ, ୧୨ଟ ପେଟ୍ରୋଲିଂ ଟିମ ଓ ଶହେଟି କ୍ୟାମେରା ଯୋଗେ ବାଘର ଗତିବିଧି ଉପରେ ନଜର ରଖାଯାଇଛି ।
ଅଭୟାରଣ୍ୟ ଭିତରେ ଦେଖାଦେଇଥିବା କୌଣସି ଅନୁପ୍ରବେଶ ହେଲେ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି। ବରଗଡ଼, ସମ୍ବଲପୁର ଏବଂ ନିକଟବର୍ତ୍ତୀ ଜିଲାର ସମସ୍ତ ଶିକାରୀଙ୍କ ମୋବାଇଲ ଏବଂ ସ୍ଥାନ ଡେବ୍ରିଗଡ଼ ଆଖପାଖ ଗ୍ରାମରେ ଥିବା ଶିକାରୀ, ଗାଈଗୋରୁ ଚରାଇବା ଲୋକ ତଥା ସନ୍ଦିଗ୍ଧ ତାଲିକାରେ ରହିଥିବା ଦୋକାନୀଙ୍କ ଉପରେ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ତଦାରଖ କରାଯାଉଛି।
ଦେବ୍ରିଗଡ଼ ଅଭୟାରଣ୍ୟରେ ୨୦୧୮ରେ ସମାନ ଭାବରେ ଏକ ମହାବଳ ପ୍ରବେଶ କରିଥିଲା । କିନ୍ତୁ ବନବିଭାଗର ବେପରୁଆ ମନୋଭାବ ପାଇଁ ଅଳ୍ପଦିନ ଭିତରେ ଶିକାରୀଙ୍କ ହାତରେ ତାର ପ୍ରାଣ ଯାଇଥିଲା । ମହାବଳକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଫେଲ ମାରିଥିଲା ବନବିଭାଗ । ଅଭୟାରଣ୍ୟ ଉପକଣ୍ଠରେ ବାଘକୁ ମାରି ତାର ଦାନ୍ତ ଓ ନଖ ନେଇ ମୃତଦେହକୁ ପୋତି ଦେଇଥିଲେ ଶିକାରୀ । ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୌଣସି ସୂତ୍ରରୁ ସୂଚନା ପାଇ ଏହି ଖବର ଲୋକ ଲୋଚନକୁ ଆଣିଥିଲେ । କିନ୍ତୁ ସେତେବେଳେ ଏହା ଏକ କଲରାପତରିଆ ବାଘ ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଥିଲେ । ଅବଶ୍ୟ ପରେ ଏହି ଘଟଣାରେ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ତେଣୁ ଏବେ ଏହି ବାଘକୁ ସୁରକ୍ଷା ଦେବା ବନବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ । ଏବେ ଠାବ କରାଯାଇଥିବା ମହାବଳଟି ଏକ ପୁରୁଷ ବାଘ। ଏହା ଡେବ୍ରିଗଡ଼ ଅଭୟାରଣ୍ୟ କିମ୍ବା ନିକଟସ୍ଥ ଅଞ୍ଚଳରେ ରହୁଥିବା ଅନୁମାନ କରାଯାଉଛି ବୋଲି ଜିଲା ବନ୍ୟପ୍ରାଣୀ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।
ପଡ଼ୋଶୀ ଛତିଶଗଡ଼ରୁ ବାଘଟି ଏଠାକୁ ଆସିଥିବା ସନ୍ଦେହ କରାଯାଉଛି । ତେଣୁ ବାଘ ଦେବ୍ରିଗଡ଼ ଅଭୟାରଣ୍ୟରେ ରହୁଛି କି ଅନ୍ୟ କୁଆଡ଼େ ଯାଉଛି ତା ଉପରେ ନଜର ରଖାଯାଇଛି । ତେବେ ୨୦୧୮ର ଘଟଣା ଯେପରି ପୁନରାବୃତି ନହୁଏ ସେଥିପାଇଁ ସତର୍କ ହୋଇଉଠିଛି ବନବିଭାଗ ।
ଉଲ୍ଲେଖଯୋଗ୍ୟ ଯେ, ଘଞ୍ଚ ଜଙ୍ଗଲ ରହିଥିବା ଡେବ୍ରିଗଡ଼ ଅଭୟାରଣ୍ୟ ବାଘ ପାଇଁ ଏକ ଉତ୍କୃଷ୍ଟ ବାସସ୍ଥାନ। ପ୍ରତିବର୍ଗ କିଲୋମିଟରରେ ବାଘ ପାଇଁ ଖାଦ୍ୟ ଶିକାରର ଘନତା ୩୦ରୁ ଅଧିକ ଅଟେ। ବାଘର ଉପଯୁକ୍ତ ଶିକାର ମଧ୍ୟରେ ସମ୍ବର ଜନସଂଖ୍ୟା ଏଠାରେ ସର୍ବାଧିକ। ହରିଣ ତଥା ବନ୍ୟଜନ୍ତୁ ଘନତ୍ୱ ମଧ୍ୟ ଏଠାରେ ରହିିଛି। ହୀରାକୁଦ ଜଳଭଣ୍ଡାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ସମ୍ବର ଓ ହରିଣ ବିଚରଣ କରିଥାନ୍ତି। ଗତବର୍ଷ ହୀରାକୁଦ ବନ୍ୟଜନ୍ତୁ ବିଭାଗ ଅଧୀନରେ କୁରୁମ୍ବଇ, ଭଟଲି, ଲମ୍ବିପାଲିର ୪ଟି ଗ୍ରାମର ୪୦୦ ପରିବାର(୧୦୦୦ରୁ ଅଧିକ ଜନସଂଖ୍ୟା) ଅଭୟାରଣ୍ୟରୁ ବାହ୍ୟସ୍ଥାନକୁ ସ୍ଥାନାନ୍ତରିତ ହୋଇ ବନ୍ୟଜନ୍ତୁ ଗତିବିଧି ତଥା ପୁର୍ବାନୁମାନ ପାଇଁ ୫୦୦ ହେକ୍ଟରରୁ ଅଧିକ ଅଯଥା ସ୍ଥାନ ସୃଷ୍ଟି କରାଯାଇଥିଲା। ୫୦୦ ହେକ୍ଟରରୁ ଅଧିକ ତୃଣଭୁମିର ବିକାଶ ବର୍ତ୍ତମାନ ଚାଲିଛି। ତେଣୁ ଅଭୟାରଣ୍ୟ ବର୍ତ୍ତମାନ ବାୟୋଟିକ ବିଶୃଙ୍ଖଳାରୁ ସମ୍ପୂର୍ଣ୍ଣ ମୁକ୍ତ। ସମସ୍ତ ଭିଏଚଏଫ୍ ଷ୍ଟେସନ ଗୁଡ଼ିକ ଅତ୍ୟଧିକ କାର୍ଯ୍ୟକ୍ଷମ ଏବଂ ସମସ୍ତ କର୍ମଚାରୀଙ୍କ ପାଖରେ ୱାକିଟକି ରହିଛି। ହୀରାକୁଦ ଜଳଭଣ୍ଡାର ହେଉଛି ଅଭୟାରଣ୍ୟରେ ଜୀବନରେଖା। ଅଭୟାରଣ୍ୟ ଏବଂ ଜଳଭଣ୍ଡାର ମଧ୍ୟରେ ଆମ୍ଫିଟେରେଷ୍ଟ୍ରିଆଲ ଜୋନ/ ଓଭରଲିପ ଜୋନରେ ବନ୍ୟଜନ୍ତୁ ଅଧିକ। ଜଳରାଶିରେ ପ୍ରବେଶକୁ ରୋକିବା ପାଇଁ ଦିନରାତି ପାଟ୍ରୋଲିଂ କରାଯାଇଥାଏ। ପ୍ରାୟ ୨୦୦ ହେକ୍ଟର ଜଙ୍ଗଲି ଦଳକୁ ସଫା କରାଯାଇଛି ବୋଲି ଜିଲା ବନ୍ୟପ୍ରାଣୀ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।
0 Comments