Ticker

4/recent/ticker-posts

ବାପାଙ୍କୁ ବଳିଲେ ଝିଅ: ପଦ୍ମପୁରରେ ବର୍ଷାଙ୍କ ବାଜିମାତ୍‌

ଭିତରେ ପଢ଼ନ୍ତୁ:

  • ପଦ୍ମପୁରରେ କାହିଁକି ହାରିଲା ବିଜେପି,
  • ଭୋଟର ଜଣପିଛା କେତେ ଟଙ୍କା ବଣ୍ଟାଯାଇଥିଲା,
  • ନିଜଠାରୁ ମଧ୍ୟ କିପରି ହାରିଯାଇଛନ୍ତି ପ୍ରଦୀପ,
  • ପଦ୍ମପୁରରେ ସ୍ଥିତି ହରାଇଲା କଂଗ୍ରେସ,
  • ବିଜେଡି ସଫଳତାର ଅସଲ ରହସ୍ୟ

ସଂକ୍ଷେପରେ:

  • ୪୨,୦୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା ସିଂ ବରିହା
  • ବର୍ଷାଙ୍କ ଆଖିର ଲୁହ ଅଭିଜ୍ଞ ପ୍ରଦୀପ ଓ ସତ୍ୟଭୂଷଣଙ୍କୁ ମହଙ୍ଗା ପଡିଲା 

୨୦୨୨ ଉପନିର୍ବାଚନ ଫଳାଫଳ

  1. ବିଜେଡି-୧,୨୦,୮୦୭
  2. ବିଜେପି- ୭୮,୧୨୮
  3. କଂଗ୍ରେସ- ୩,୫୯୪
ବିଜୟ ହାର: ୪୨,୬୭୯(ବିଜେଡି)



ପଦ୍ମପୁରରେ ବିଜେଡିର ବାଜିମାତ୍‌


ରିପୋର୍ଟ ଓ ସମୀକ୍ଷା: ଦେବେନ ପଟେଲ

ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛି ବିଜେଡି। ୪୨,୬୭୯ ପରି ଏକ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ବିଜୟୀ ହୋଇଛନ୍ତି। ଏହା ସହିତ ବିଜେଡି ପଦ୍ମପୁର ଆସନକୁ ନିଜ ଅକ୍ତିଆରରେ ରଖିବାରେ ସକ୍ଷମ ହୋଇଛି। ପଦ୍ମ ଓ ହାତ ଉପରେ ଭାରି ପଡିଛି ଶଙ୍ଖଧ୍ବନୀ। ଧାମନଗରରେ ପରାଜିତ ହେବା ପରେ ସମ୍ମାନର ପ୍ରଶ୍ନ ପାଲଟିଥିବା ପଦ୍ମପୁରରେ ବିଜେଡିର ବିଜୟକୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପଥ ସୁଗମ ହୋଇଥିବା କୁହାଯାଉଛି। ଚଳିତ ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍ ମିଳିଥିବାବେଳେ ବିଜେପିକୁ ୭୮ ହଜାର ୧୨୮ ଭୋଟ୍ ଏବଂ କଂଗ୍ରେସକୁ ମାତ୍ର ୩ହଜାର ୫୯୪ଟି ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି। ୨୦୧୯ରେ ବିଜେଡିରୁ ଦିବଂଗତ ବିଜୟ ରଂଜନ ସିଂ ବରିହା ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ବିଜେପିର ପ୍ରଦୀପ ପୁରୋହିତଙ୍କଠାରୁ ୫,୭୩୪ ହଜାର ଭୋଟ୍‌ରେ ଜିତିଥିବାବେଳେ ଚଳିତ ଉପନିର୍ବାଚନରେ ବିଜୟଙ୍କ ଝିଅ ବର୍ଷାରାଣୀ ବିଜେପିର ପ୍ରଦୀପଙ୍କଠାରୁ ୪୨ହଜାରରୁ ଊର୍ଦ୍ଧ୍ବ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ରାଉଣ୍ଡ ଗଣତିରୁ ହିଁ ବିଜେଡି ଆଗୁଆ ରହିଥିଲା। ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କଠାରୁ ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡର ଏହି ସ୍ଥିତି ପରବର୍ତ୍ତୀ ରାଉଣ୍ଡ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଥିଲା। ରାଉଣ୍ଡ ପିଛା ୨ହଜାର ହାତରେ ଭୋଟ ବ୍ୟବଧାନ ବଢ଼ି ଚାଲିଥିଲା। ୫ମ ରାଉଣ୍ଡ ଗଣତି ଶେଷ ବେଳକୁ ପ୍ରଦୀପ ପୁରୋହିତଙ୍କ ଠାରୁ ବର୍ଷା ୮ ହଜାରରୁ ଅଧିକ ଭୋଟ୍‌ରେ ଆଗରେ ରହିଥିଲେ। କ୍ରମଶଃ ଏହି ବ୍ୟବଧାନ ବଢ଼ି ଚାଲିଥିଲା। ୧୦ମ ରାଉଣ୍ଡ ଶେଷ ବେଳକୁ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୯, ୪୨୫ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲେ। ଗଣତି ଶେଷ ସୁଦ୍ଧା ଏହା ୪୨ହଜାର ଅତିକ୍ରମ କରିସାରିଥିଲା।



ଧାମନଗର ଉପନିର୍ବାଚନ ପରେ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଚଳଚଞ୍ଚଳ ଥିଲା। ତିନି ପ୍ରମୁଖ ଦଳ ଏଠାରେ ନିଜର ପ୍ରାର୍ଥୀ ବିଜୟୀ ହେବେ ବୋଲି ପ୍ରଥମରୁ କହି ଆସୁଥିଲେ। ଏପରିକି ଏହି ଆସନରୁ ତିନି ଥର ବିଧାୟକ ହୋଇ ସାରିଥିବା ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରି କଂଗ୍ରେସ ପୁଣି ଥରେ ନିଜର ପୁରୁଣା ଗଡ଼କୁ ଫେରାଇ ଆଣିବ ବୋଲି ଆଶା ବାନ୍ଧିଥିଲା। ଅପରପକ୍ଷରେ ପୂର୍ବରୁ ଏଠାରୁ ବିଧାୟକ ହୋଇ ସାରିଥିବା ତଥା ଜନଜୀବନ ସହ ଜଡିତ ହୋଇ ରହିଥିବା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରି ଧାମନଗରର ରେକର୍ଡକୁ ଏଠାରେ ଦୋହରାଇଇବ ବୋଲି ଆଶା ବାନ୍ଧିଥିଲା। ସେହିପରି ବିଧାୟକ ବିଜୟରଞ୍ଜନ ସିଂବରିହାଙ୍କ ଅବର୍ତ୍ତମାନର ତାଙ୍କର ଝିଅ ବର୍ଷାକୁ ଟିକେଟ ଦେଇ ବିଜେଡି ଏକ ଅନୁକମ୍ପା ଭୋଟକୁ ହାତେଇବାର ପ୍ରାଥମିକ ଉଦ୍ୟମ ସହ ଏଠାରେ ପ୍ରଚାର କରିଥିଲା। ଏ ସମୟରେ ଏଠାରେ ଚାଷୀଙ୍କ ଇନ୍‌ପୁଟ୍‌ ସବ୍‌ସିଡି ଏବଂ ବୀମାରାଶି ପ୍ରଦାନକୁ ନେଇ ଚାଷୀଙ୍କ ରୋଷକୁ ସତର୍କତାର ସହିତ ଦମନ ସହ ବିଜେଡି କେନ୍ଦ୍ରର ଦୋଷକୁ ଲୋକଙ୍କ ସମ୍ମୁଖକୁ ଆଣିଥିଲା। ଏପରିକି ପରବର୍ତ୍ତୀ ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏଠାକୁ ନିର୍ବାଚନ ପ୍ରଚାର ଆସିି ମଧ୍ୟ ଲୋକଙ୍କୁ ପ୍ରବର୍ତ୍ତାଇ ପାରି ନଥିଲେ। ଯାହାକି ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି। ତେଣୁ ପଦ୍ମପୁରବାସୀଙ୍କ ରେଳ ଲାଇନ ସ୍ବପ୍ନ କାର୍ଡକୁ ଖେଳିବା ପା​‌ଇଁ ବିଜେପି ଏଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଓହ୍ଲାଇ ଥିଲେ ସୁଦ୍ଧା ଏହା ବରଂ ବିଜେପି ପାଇଁ ବୁମେରାଂ ହୋଇଥିଲା। ଏଭଳି ସ୍ଥିତିରେ ବିଜେଡି ମୂଳକୁ ସତର୍କତାର ସହିତ ନିର୍ବାଚନକୁ ଓହ୍ଲାଇଥିଲା। ଏପରିକି ନିରନ୍ତର ୫ଟି ଉପନିର୍ବାଚନକୁ ଭୋଟ ପ୍ରଚାରକୁ ଯାଇ ନ ଥିବା ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏଠାକୁ ପ୍ରଚାରରେ ଆସିଥିଲେ। ସେହିପରି ପ୍ରତି ବ୍ଲକ, ପଞ୍ଚାୟତ ଏପରିକି ଗ୍ରାମ ପାଇଁ ବିଜେଡିର ନେତାଙ୍କୁ ଏଠାରେ ଜଗାଇ ଦିଆଯାଇଥିଲା। ଯାହାର ଫଳ ସ୍ବରୂପ ବିଜେଡିକୁ ଏକ ବିପୁଳ ଭୋଟ୍‌ ମିଳିପାରିଛି। 

‘ପଦ୍ମ’ କାହିଁକି ବିଫଳ ହେଲା ପଦ୍ମପୁରରେ

ପଦ୍ମପୁରକୁ ହାତେଇବା ପାଇଁ ବିଜେପି ନିଜର ସର୍ବୋକୃଷ୍ଣ ଉଦ୍ୟମ କରିଥିଲା। ମାଳମାଳ କେନ୍ଦ୍ରମନ୍ତ୍ରୀ, ସେଲିବ୍ରିଟି ପ୍ରଚାରକୁ ଓହ୍ଲାଇଥିଲେ। ମାତ୍ର ଦଳୀୟ ନେତା-କର୍ମୀଙ୍କ ମଧ୍ୟରେ ରହିିଥିବା ମତଭେଦ ଏଥର ବାରି ହୋଇ ପଡିଥିଲା। ଧାମନଗର ପରେ ପଦ୍ମପୁରରେ ବିଜେପି ଧିମେଇ ଯାଇଥିଲା। 


ବିଜେପି ନେତାମାନେ ବର୍ଷାଙ୍କୁ ବ୍ୟକ୍ତଗତ ଆକ୍ଷେପ କରିବା ଦଳ ପାଇଁ ମହଙ୍ଗା ପଡ଼ିଛି । କାରଣ ରାଜନୀତି ପଶାପାଲିରେ ମହିଳା ଭୋଟ୍ ସବୁବେବେଳ ଟର୍ଣ୍ଣିଂ ପଏଣ୍ଟ୍ ସାଜି ଆସିଛି । ବର୍ଷାଙ୍କ ଆଖିର ଲୁହ ଲୋକଙ୍କ ଭାବାବେଗକୁ ଛୁଇଁଛି। ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂହ ବରିହାଙ୍କୁ ବାରମ୍ବାର ଆକ୍ଷେପକୁ ଲୋକେ ସହଜରେ ଗ୍ରହଣ କଲେ ନାହିଁ। ବର୍ଷାଙ୍କ ଚରିତ୍ର ହନନ ଠିକ୍ ହେଲା ନାହିଁ। ଯାହା ହେଲେ ସୁଦ୍ଧା ବର୍ଷାଙ୍କ ଅଞ୍ଚଳର ଝିଅ ଏବଂ ବିଜୟ ବାବୁଙ୍କ ଦାୟଦ ବୋଲି ଲୋକେ ବୁଝୁଥିଲେ। ସେହିପରି ବିଜେପିର ଝିଅ ବୋହୂ ଥିଓରୀ କାମ ଦେଲା ନାହିଁ। ଅପରାଜିତ ଯାହା ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ଲୋକେ ବୁଝିଲେନି।

ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ଠିକ୍ ଥିଲେ ସୁଦ୍ଧା ଲୋକେ ତାଙ୍କୁ ଗ୍ରହଣ କଲେ ନାହିଁ। କାରଣ ଓଡ଼ିଶାରେ ବିଜେପି ପାଖରୁ କିଛି ଲୋକେ ଆଶା କରିପାରୁ ନାହାନ୍ତି। ଧାମନଗର ବିଜୟ ପରେ ବିଜେପି ପଦ୍ମପୁର ପାଇଁ ପାୱାରଫୁଲ୍ ପ୍ରାର୍ଥୀ ଓହ୍ଲାଇଥିଲେ ବି, ରାଜନୀତିର ରଣନୀତି ଏଠାରେ ଧାମନଗର ଭଳି କାମ ଦେଲାନି । ଚାଷ, ଚାଷୀ ଓ ରେଳଲାଇନ ମଧ୍ୟରେ ଅଟକି ରହି ଯାଇଥିବା ବିଜେପି ପଦ୍ମପୁରର ଭାବାବେଗକୁ ଠିକ୍‌ ଭାବେ ଆକଳନ କରି ପାରି ନଥିଲା। ଏହା ପଛରେ ଅଭାବ ରହିଥିଲା ହୋମୱାର୍କ। ଯେଉଁମାନଙ୍କ

 ତଥ୍ୟ ଆଧାରରେ ବିଜେପି ଏଠା​‌େ​‌ର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲା ତାହା ବିଶ୍ବାସଯୋଗ୍ୟ ଓ ସତ୍ୟ ଉପରେ ଆଧାରିତ ନ ଥିଲା ତାହା ସ୍ପଷ୍ଟ। ତେଣୁ ଉଚିତ ଲୋକଙ୍କ ତଥ୍ୟ ଉପରେ ବିଜେପି ଭରସା କରିବାର ଥିଲା। 

ସେହିପରି ବହୁ ବିଜେପି କର୍ମୀ ଏଠାରେ ମନଲଗାଇ କାର୍ୟ୍ୟ କରି ନ ଥିଲେ। ବହୁ କର୍ମୀ ଭୋଟ ପାଇଁ ଟଙ୍କା ବାଣ୍ଟିବା ଆଳରେ ଘରେ ବସି ରହିିଲେ। ଯେତେବେଳେକ କି ବିଜେଡି ଟଙ୍କା ବାଣ୍ଟିବା ସହ ଘର ଘର ଲୋକଙ୍କୁ ଭେଟି ତାଙ୍କ ସୁଖଦୁଃଖୁ ବୁଝିଲା। ବିଜେପି କେବେଳ ସଭା ଉପରେ ଗୁରୁତ୍ବ ଦେଇଥିଲା। ବିଜେପିର ବହୁ ଦଳୀୟ କର୍ମୀ ଘର ଢ଼ିଙ୍କି କୁମ୍ଭୀର ସାଜିଥିଲେ। 


ବିଜେପି ହାରିବାର ପ୍ରମୁଖ କାରଣ ମଧ୍ୟରେ ରହିଛି:

  • ତୃଣମୂଳସ୍ତରରେ ଠିକ୍‌ ଭାବେ ନିର୍ବାଚନ ପରିଚାଳନା ନ ହେବା
  • ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ। ବୋହୂ-ଝିଅ ଥିଓରୀ କାମ ଦେଲାନି
  • କିଛି ନେତା କାମ ନ କରି ବସିଗଲେ
  • ନୀତିଗତ ନିଷ୍ପତ୍ତି ଓ କାର୍ୟ୍ୟକାରିତାର ତାଳମେଳ ନଥିଲା
  • ଚାଷ, ଚାଷୀ ଓ ରେଳଲାଇନ ମଧ୍ୟରେ ଅଟକି ରହିଗଲେ ନେତା
  • ବିଜେପିର ଗ୍ରାଉଣ୍ଡ କାମ ଠିକ୍ ନ ଥିଲା।
  • ତଳସ୍ତରରେ ଥିବା କର୍ମୀମାନେ ଟଙ୍କା ଖାଇଗଲେ। 
  • ଲୋକଙ୍କ ପାଖରେ ପହଞ୍ଚି ପାରିଲା ବିଜେପିର ଟଙ୍କା ଓ ବାର୍ତ୍ତା
  • ଚାଷୀଙ୍କୁ ଇନପୁଟ ସବସିଡି ଓ ବୀମା ରାଶି ପ୍ରଦାନରେ ହେଉଥିବା ଦାବିରେ କେନ୍ଦ୍ର ଦାୟୀ ନୁହେଁ ତାହା ବୁଝାଇ ପାରିଲା ନାହିଁ। ଏପରିକି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଲୋକଙ୍କୁ ବୁଝାଇ ପାରିଲେ ନାହିଁ।
  • ପଦ୍ମପୁରକୁ ରେଳ ଚଳାଚଳ ପ୍ରସଙ୍ଗ ବିଜେପିକୁ ବୁମେରାଂ ହେଲା। ଲୋକେ ଠିକ୍ ବୁଝି ଗଲେ ଯେ ରାତା ରାତି ରେଳ ଚଳାଚଳ ସମ୍ଭବ ନୁହେଁ। ଖାଲି ବିଜେଡି କୁ ବଦନାମ କରିବା ପାଇଁ ଆଜି ଜମି ଦେଲେ କାଲିଠାରୁ ରେଳ କାମ ହେବ ତାହା ଏକ ଫୁଟଣିଆ କଥା ବୋଲି ଲୋକେ ବୁଝିଗଲେ। 
  • ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଥମ ଦିନରୁ ଭୋଟରେ ସାମିଲ କରିବାର ଆବଶ୍ୟକତା ଥିଲା। ଅପରାଜିତା ବରଗଡ଼ର ଜିଲ୍ଲାପାଳ ଥିଲେ। ଧର୍ମେନ୍ଦ୍ର ଅପରାଜିତାଙ୍କ ମଧ୍ୟରେ ବିବାଦ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା।


ବିଜେଡିର ସଫଳତାର ରାଜ୍‌: 

ଧାମନଗର ପରାଜୟ ପରେ ବିଜେଡି କୌଣସି ହିସାବରେ ମଧ୍ୟ ପଦ୍ମପୁରକୁ ହାତେଇବା ପାଇଁ ଚାହୁଁଥିଲା। ତେଣୁ ଆରମ୍ଭରୁ ବିଜେଡି ହୋମୱାର୍କ ସହ ମଇଦାନକୁ ଓହ୍ଲାଇଥିଲା। ବିଜେଡିର ସବୁ ତୁଙ୍ଗ ନେତା ପଦ୍ମପୁରରେ ସ୍ଥାୟୀ ଭାବେ ରହି କାର୍ୟ୍ୟ କଲେ। ସବୁଠାରୁ ବଡ଼କଥା ହେଲା ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେଡି ନେତାଙ୍କୁ ଗୁରୁତ୍ବ ଦିଆଯାଇ ପ୍ରଚାର କାର୍ୟ୍ୟରେ ନିୟୋଜିତ କରାଯାଇଥିଲ।। ବିଜେଡିର ଚାଣକ୍ୟ ପ୍ରସନ୍ନ ଆଚାର୍ୟ୍ୟକୁ ସବୁ କାର୍ୟ୍ୟ ତଦାରଖ ଦାୟିତ୍ବ ମଧ୍ୟ ଗୁରୁତ୍ବପୂର୍ଣ୍ଣ। 


ବିଜେଡି ଜିତିବାର ପ୍ରମୁଖ କାରଣ

  • ସାରା ରାଜ୍ୟର ବିଜେଡି ନେତା ପଦ୍ମପୁରରେ ରହି କାର୍ୟ୍ୟ କଲେ
  • ଡିଜିଟାଲ ଉପରେ ଭରସା ନ କରି ମୁଖ୍ୟମନ୍ତ୍ରୀ ନିଜେ ମଇଦାନକୁ ଓହ୍ଲାଇଲେ
  • ଜିଲା ଘୋଷରା ସହ ଅନ୍ୟାନ୍ୟ ପ୍ରତିଶ୍ରୁତିରେ ପୋତି ପକାଇଲେ
  • ବିଭିନ୍ନ ଜାତିର ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୁବନେଶ୍ବର, ପୁରୀ​‌େ​‌ର ଜାଗାଦେଲେ
  • ତୃଣମୂଳସ୍ତରରେ ପଶ୍ଚିମ ଓଡ଼ିଶାର ନେତା ମଙ୍ଗ ଧରିଲେ
  • ଘରକୁ ଘର ଯାଇ ପ୍ରଚାର ଉପରେ ଗୁରୁତ୍ବଦେଲେ
  • ସମସ୍ତ ୩୧୯ ବୁଥ୍ ପାଇଁ ବହୁ ପୂର୍ବରୁ ହୋମୱାର୍କ କରିଥିଲେ
  • କଂଗ୍ରେସର ଭୋଟକୁ ବିଜେଡି ନିଜର କରିପାରିଥିଲା
  • ପ୍ରତି ଭୋଟରଙ୍କୁ ପୁଳାପୁଳା ଟଙ୍କା ବାଣ୍ଟିଲେ


ନିଜଠାରୁ ହାରିଗଲେ ପ୍ରଦୀପ ପୁରୋହିତ


ଗତ ୨୦୧୯ ସାଧାରଣ ନିର୍ବାଚନ ଏବଂ ଚଳିତ ୨୦୨୨ ଉପନିର୍ବାଚନକୁ ତର୍ଜମାକୁ ଆଣିଲେ ଜଣାପଡେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜଠାରୁ ନିଜେ ହାରି ଯାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଯେତିକି ଭୋଟ୍ ମିଳିଥିଲା, ୨୦୨୨ ଉପ ନିର୍ବାଚନରେ ତା ଠାରୁ କିଛି ବେଶୀ ୫୬୩ ଖଣ୍ଡ ଅଧିକ ମିଳିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟରଞ୍ଜନ ସିଂବରିହାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଏହି ନିର୍ବାଚନରେ ପ୍ରଦୀପ ପୁରୋହିତଙ୍କୁ ମୋଟ ୭୭,୫୬୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ଚଳିତ ଉପ ନିର୍ବାଚନରେ ମିଳିଛି ୭୮ ହଜାର ୧୨୮ ଭୋଟ୍ । ଅର୍ଥାତ ଗତ ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନରେ  ବିଜେପି ପ୍ରାର୍ଥୀ ୫୬୩ ଖଣ୍ଡ ଭୋଟ୍‌ ଅଧିକ ପାଇଛନ୍ତି। ମାତ୍ର ଗତ ନିର୍ବାଚନ ତୁଳନାରେ ଚଳିତ ଉପନିର୍ବାଚନରେ ମତଦାନ ହାର ବହୁତ ଅଧିକ ରହିଛି। ତେଣୁ ସେହି ଅନୁପାତରେ ପ୍ରଦୀପ ପୁରୋହିତ ନିଜଠାରୁ ନିଜେ ହାରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଗତଥର ନିର୍ବାଚନରେ ବିଜେଡିକୁ ୮୩ ହଜାର ୨୯୯ ଖଣ୍ଡ ଭୋଟ୍ ମିଳିଥିବାବେଳେ ଏଥର ମିଳିଛି ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସର ଭୋଟ୍ ସଂଖ୍ୟା ମଧ୍ୟ ଢେର ଗୁଣା କମିଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୨ ହଜାର ୭୮୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ଏଥର ନିର୍ବାଚନରେ କିନ୍ତୁ ମିଳିଛି ମାତ୍ର ୩୫୯୪ ଖଣ୍ଡ ଭୋଟ୍।

କଂଗ୍ରେସକୁ ୩,୫୯୪, ସ୍ଥିତି ହରାଇଲେ ସତ୍ୟଭୂଷଣ


ପଦମପୁର ଉପନିର୍ବାଚନ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କଂଗ୍ରେସର ଭୋଟ ହାର କ୍ରମାଗତ ଭାବେ କମିବାରେ ଲାଗିଛି। ତୃତୀୟ ସ୍ଥାନରେ ଦଳ ରହିବା ଯେତିକି ଚିନ୍ତାଜନକ ନୁହେଁ ତାଠାରୁ ଚିନ୍ତାଜନକ ହେଲା ଦଳର ଭୋଟ ହାର କ୍ରମାଗତ ଭାବେ କମି ଚାଲିବା। ଧାମନଗରରେ ୩୫୩୩ ଖଣ୍ଡ ଭୋଟ ପାଇଥିବା କଂଗ୍ରେସ ପଦ୍ମପୁରରେ ସେହି ପାଖାପାଖି ମାତ୍ର ୩୫୯୪ ଖଣ୍ଡ ଭୋଟ ପାଇଛି। ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ଦଳର ହେବିୱେଟ ନେତାଙ୍କ ପ୍ରଚାର ସତ୍ତ୍ବେ କଂଗ୍ରେସ ପୁଣି ଥରେ ଫେଲ ମାରିଛି। ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ୩୨ ହଜାର ୭୮୭ ଖଣ୍ଡ ଭୋଟ ପାଇଥିଲେ କିନ୍ତୁ ଏହି ଉପନିର୍ବାଚନରେ ସେହି ଭୋଟକୁ ନିଜ ସପକ୍ଷରେ ଆଣିପାରିନଥିଲେ । ପୂର୍ବରୁ ୩ ଥର ବିଧାୟକ ରହିସାରିଥିବା ସତ୍ୟଭୂଷଣଙ୍କୁ ଲୋକେ ଗ୍ରହଣ କରିନାହାନ୍ତି।

ପଦ୍ମପୁରବାସୀ ଦେଖାଇଲେ ସଚ୍ଚୋଟତା

ଚଳିତ ଉପନିର୍ବାଚନରେ ପଦ୍ମପୁରବାସୀ ତାଙ୍କର ସଚ୍ଚୋଟତା ଦେଖାଇଛନ୍ତି। ଯାହାଠାରୁ ଟଙ୍କା ନେଇଛନ୍ତି ତାକୁ ଭୋଟ ଦେଇଛନ୍ତି। ବିପୁଳ ମତଦାନ ହେବା ଏବଂ ବିଜେଡି ବିପୁଳ ବ୍ୟବଧାନରେ ଜିତିବା ଏହାର ପ୍ରମାଣ ମାତ୍ର। କୁହାଯାଉଛି ବିଜେଡି ଭୋଟ୍‌ ପିଛା ୧ହଜାର ଟଙ୍କା ଲେଖାଁଏ ବାଣ୍ଟିଥିବାବେଳେ ବିଜେପି ୫୦୦ ଟଙ୍କା ଲେଖାଁଏ ବାଣ୍ଟିଥିଲ। ଧାମନଗର ଉପନିର୍ବାଚନରେ ମଧ୍ୟ ବିଜେଡି ଟଙ୍କା ବାଣ୍ଟିଥିଲେ, ମାତ୍ର ଟଙ୍କା ନେବା ପରେ ମଧ୍ୟ ଭୋଟ ଦେଲେ ନାହିଁ। କିନ୍ତୁ ପଦ୍ମପୁର ଅଞ୍ଚଳରେ ଟଙ୍କା ଥିଓରୀ କାମ ଦେଇଛି। ଏହି ନିର୍ବାଚନ ପଦ୍ମପୁରବାସୀଙ୍କ ପାଇଁ ଜିଲ୍ଲା ଦାବି, ଚାଷୀ ସମସ୍ୟା ଉପସ୍ଥାପନା କରିବା ପାଇଁ ମଧ୍ୟ ସୁଯୋଗ ଦେଇଛି।



Post a Comment

0 Comments