Ticker

4/recent/ticker-posts

ମାଉସୀ ଘରୁ ଫେରିଲେ ପ୍ରଭୁ ଦଧିବାମନ

ଦଧିବାମନଙ୍କ ବାହୁଡ଼ା ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଭଟଲି : ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲି ଦଧିବାମନ ମହାପ୍ରଭୁ ମାଉସୀ ମା’ ଘରକୁ ୯ ଦିନ ଯାତ୍ରା କରି ବୁଧବାର ଶ୍ରୀମନ୍ଦିରକୁ ଫେରିଛନ୍ତି। 

ଦଧିବାମନଙ୍କ ବାହୁଡ଼ା ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଏହାକୁ ଦକ୍ଷିଣାଭିମୁଖୀ ଯାତ୍ରା ବୋଲି ମଧ୍ୟ କୁହାଯାଏ। ଆଜି ମାଉସୀମା’ ମନ୍ଦିରରେ ଦୈନିକ ପୂଜାନୀତି, ପହଡ଼ ଭଙ୍ଗଠାରୁ ଆରମ୍ଭ ହୋଇ ସକାଳ ଧୂପନୀତି ଲାଗି ହେବା ପରେ ମହାପ୍ରଭୁଙ୍କୁ ପହଣ୍ଡିବେଶ କରାଯାଇଥିଲା। ମଙ୍ଗଳାର୍ପଣ କଲା ପରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଶଙ୍ଖ, ନାଗରା, ସଂକୀର୍ତ୍ତନ ଧ୍ୱନିରେ ମହାପ୍ରଭୁ ରଥାରୂଢ଼ ହୋଇଥିଲେ। ରଥରେ ମହାପ୍ରଭୁଙ୍କ ଶୃଙ୍ଗାର ବେଶ, ଚିତା ଲାଗି କଲା ପରେ ପଞ୍ଚପଚାର ବିଧିରେ ପୁରୋହିତମାନେ ପୂଜାର୍ଚ୍ଚନା କରି ଗଜାମୁଗ ଓ ପଇଡ଼ ଭୋଗ ଲାଗି କରିଥିଲେ। ଏହା ପରେ ଭକ୍ତମାନେ ଆଳତି ପ୍ରଦାନ କରିଥିଲେ। ପରେ ନବଜାତ ଶିଶୁଙ୍କ ରଥଛୁଆଁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡାହୁକମାନଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କଲା ପରେ ରଥଟଣା ଆରମ୍ଭ ହୋଇଥିଲା। ରଥଦାଣ୍ଡରେ ପହଞ୍ଚିଥିଲା ପରେ ନରେନ୍ଦ୍ର ପଣ୍ଡା, ଘନଶ୍ୟାମ ସାହୁ, ହିମାଂଶୁ ମେହେର ମହାପ୍ରଭୁଙ୍କ ଆଧାରିତ କିମ୍ବଦନ୍ତୀ ଉପରେ ଧାରାବିବରଣୀ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ପୁଣି ରଥଦାଣ୍ଡ ପଡିଆରୁ ରଥ ବାହାରିଥିଲା। ରଥ ଉପରେ ଶ୍ରୀଜିଉଙ୍କ ଶେଷ ପୂଜାନୀତି, ମହାସ୍ନାନ କରି ପଞ୍ଚପଚାର ବିଧିରେ ପୂଜା କରାଯାଇଥିଲା। ପରେ ଶ୍ରୀଜିଉଙ୍କୁ ରଥରୁ ଓହ୍ଲାଇ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ବାଟରେ ଆସିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ସ୍ଥାନେ ସ୍ଥାନେ ପୂଜାର୍ଚ୍ଚନା କରିଥିଲେ। ଶ୍ରୀମନ୍ଦିରରେ ପ୍ରଭୁ ପହଞ୍ଚିବା ପରେ ଅଭିମାନରେ ଥିବା ଲକ୍ଷ୍ମୀ ଠାକୁରାଣୀ ଗମ୍ଭୀରାଘରର ଜୟବିଜୟ ବନ୍ଦ କରିଥିଲେ। ଦ୍ୱାର ଖୋଲିବାକୁ ପ୍ରଭୁ ଦଧିବାମନ ନିବେଦନ କରିଥିଲେ। ମନ୍ଦିର ପୁରୋହିତମାନଙ୍କ ଦ୍ବାରା ମା’ଲକ୍ଷ୍ମୀ ଓ ଶ୍ରୀଜିଉଙ୍କ ପକ୍ଷରୁ ଲକ୍ଷ୍ମୀନାରାୟଣ କଳିଗୀତ ଗାନ କରାଯାଇଥିଲା। ପରେ ମା’ ଲକ୍ଷ୍ମୀ ଠାକୁରାଣୀ ଜୟବିଜୟ ଦ୍ୱାର ଖୋଲିଥିଲେ। କଳିଗୀତ ଗାନ ପରେ ମା’ ଲକ୍ଷ୍ମୀ ଓ ମହାପ୍ରଭୁଙ୍କୁ ପୂଜା ବନ୍ଦାପନା କରି ରସଗୋଲା ଭୋଗ ଲାଗି କରାଯାଇଥିଲା। ଦଧିବାମନ ମହାପ୍ରଭୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିଜେ କରିଥିଲେ। ଏହା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ଓ ରାତ୍ରିକାଳୀନ ପୂଜା, ଧୂପନୀତି କରାଯାଇ ପହଡ଼ କରାଯାଇଥିଲା। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।

Post a Comment

0 Comments