ବିରୋଧ ସତ୍ତ୍ବେ ପାଣ୍ଡିଆନଙ୍କ ଗସ୍ତ ଜାରି
୫-ଟି ସଚିବଙ୍କ ସପକ୍ଷରେ ପ୍ରସନ୍ନ ଆଚାର୍ଯ୍ୟ
କ୍ଷମତା ହସ୍ତାନ୍ତର କରି ନାହାନ୍ତି ମୁଖ୍ୟମନ୍ତ୍ରୀ, ଦାୟିତ୍ବ ଦେଇଛନ୍ତି
ଭୁବନେଶ୍ବର: ବିରୋଧୀଙ୍କ କଡ଼ା ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି । ଆଉ ଶ୍ରୀ ପାଣ୍ଡିଆନଙ୍କୁ ବିରୋଧ ପ୍ରସଙ୍ଗରେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ନିଜର ପୁରୁଖା ନେତାମାନଙ୍କୁ ଆଗକୁ ଆଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗତକାଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଆଜି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ୟ୍ୟ ନିଜଆଡ଼ୁ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ମତ ରଖିବା ସହ ବିରୋଧୀଙ୍କୁ ସମାଲୋଚନା କରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ନେଇ କେନ୍ଦ୍ରର ଚିଠି ପରେ ଜବାବ ରଖି ବିଜେଡି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି,
ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି, ବରଂ ବିଜେଡି ସଭାପତି ହିସାବରେ କର୍ମୀଙ୍କୁ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିସାବରେ ସିଏମଓକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।ମୁଖ୍ୟମନ୍ତ୍ରୀ ନିଜ ସରକାରୀ ଘରକୁ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି। ସିଏମଓ ଯେଉଁଭଳି ଲୋକଙ୍କ ନିକଟତର ହେଉଛି ଭାରତରେ ଅନ୍ୟତ୍ର କେଉଁଠି ହେଉନି। ସିଏମଓକୁ ଆସିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ, ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚିବେ ଏଥିରେ ଅସ୍ୱାଭାବିକତା କୋଉଠି ରହିଲା?
ସେ ଆହୁରି କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର୍ ଡେଲିଗେଟ ହେଉଛି। ମୁଖ୍ୟମନ୍ତ୍ରୀ ଆମ ଦଳର ମୁଖ୍ୟ। ମୁଖ୍ୟ ହିସାବରେ ସେ ଦଳର କର୍ମୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ହିସାବରେ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଉଛନ୍ତି, ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ। ସେ କାହାକୁ କ୍ଷମତା ହସ୍ତାନ୍ତର କରୁନାହାନ୍ତି, ଯାହା ନିକଟରେ ଇସ୍ୟୁ ନଥାଏ ସେମାନେ ଏମିତି କୁହନ୍ତି, ବିଭାଗୀୟ ଚିଠି ଆସିବା ନୂଆ କଥା ନୁହେଁ। ଏଭଳି ଚିରାଚରିତ ଚିଠି ଆମେ ଆଗରୁ ଦେଖିଛୁ, ସରକାର ଲୋକଙ୍କ ନିକଟରେ ପହଞ୍ଚୁଛି। ସେଥିରେ ଲୋକ ଖୁସି, ଆଗାମୀ ନିର୍ବାଚନରେ ବିକାଶ ପ୍ରଭାବ ପଡ଼ିବ। ଏଣେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ବିକାଶଧାରାର ଅନ୍ୟ ନାମ ହେଉଛି ବିଜେଡି। ଲୋକଙ୍କ ମନରେ ଏହା ପହଞ୍ଚିସାରିଛି। ଏବେ ଲିଫଲେଟ ବାଣ୍ଟନ୍ତୁ କି ଘର ଘର ବୁଲନ୍ତୁ, ଲୋକ ଜାଣିଛନ୍ତି ତାଙ୍କ ସୁଖଦୁଃଖର ସାଥୀ କିଏ, ବିକାଶର ସାଥୀ କିଏ, ନିର୍ବାଚନ ବର୍ଷରେ ସବୁ ଦଳ ଏଭଳି କାର୍ୟ୍ୟକ୍ରମ କରନ୍ତି, ଏହାର କିଛି ପ୍ରଭାବ ପଡ଼ିବନାହିଁ। ବିଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଜନତା ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଛନ୍ତି ଆଗାମୀ ନିର୍ବାଚନରେ ମଧ୍ୟ ଆଶୀର୍ବାଦ ଦେବେ।
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ରୂପେଶ କୁମାର ଏହି ଚିଠି ଲେଖିଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ଓଡ଼ିଶା ସଭାପତି ମନମୋହନ ସାମଲଙ୍କ ଦ୍ବାରା ଗତ ୨୪ ତାରିଖ ଦିନ ଅଭିଯୋଗ ଆଧାରରେ କେନ୍ଦ୍ରୀୟ ସଚିବ ଏହି ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ଲେଖିଛନ୍ତି। ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଏଥିରେ ଉଲ୍ଲେଖ ରହିଛି। ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ ବୋଲି ଉଲ୍ଲେଖ କରାଯାଇଥିଲା।
ଅପରପକ୍ଷରେ ଶ୍ରୀ ପାଣ୍ଡିଆନ ଗୁରୁବାର ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ସେଠାରେ ତାଙ୍କୁ ବିଜେପି ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ କଳାପୋଷାକ ଓ କଳା ବେଲୁନ ଉଡ଼ାଇ ବିରୋଧ କରାଯାଇଛି । ବିଜେପିର ଏଭଳି ବିରୋଧ ପ୍ରଦର୍ଶନ କାର୍ୟ୍ୟକ୍ରମ ସମ୍ପର୍କରେ ଆବଶ୍ୟକ ସୂଚନା ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଷେଧକ ପଦକ୍ଷେପ ନିଆଯାଇନଥିଲା । ବାଲେଶ୍ୱରରେ ପାଣ୍ଡିଆନ ଗସ୍ତବେଳେ ଯେଉଁ ଢଙ୍ଗରେ କଂଗ୍ରେସ ନେତାମାନଙ୍କୁ ଅଟକ ରଖାଯାଇଥିଲା, ଜଗତସିଂହପୁରରେ ବିରୋଧୀଙ୍କୁ ବିରୋଧ କରିବାର ସୁଯୋଗ ଦିଆଯାଇଥିଲା ।
\
ତେବେ ପାଣ୍ଡିଆନଙ୍କୁ ଜିଲ୍ଲା ଗସ୍ତବେଳେ ଆଜି ପ୍ରଥମଥର ପାଇଁ ବିଜେପି ଖୋଲାଖୋଲି ବିରୋଧ କରିବା ପରେ ବିଜେଡି ଶିବିର ଚଳଚଞ୍ଚଳ ହୋଇପଡ଼ିଛି । ଏଣିକି ବିରୋଧୀଙ୍କୁ ଗଣମାଧ୍ୟମରେ ଦଳ ପକ୍ଷରୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ସମର୍ଥନ ଓ ବିରୋଧୀଙ୍କ ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯିବ ଏନେଇ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି । ଯାହାର ଫଳସ୍ୱରୂପ ଗତକାଲି ଅତନୁ ସବ୍ୟସାଚୀ ନାୟକ ଓ ଆଜି ପ୍ରସନ୍ନ ଆଚାର୍ୟ୍ୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଥିବାବେଳେ ଆଗାମୀ ଦିନରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଆଗକୁ ଆସିବେ ତଥା ବିରୋଧୀ ଦଳ କରୁଥିବା ସମାଲୋଚନାର ଜବାବ ଦେବେ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ମୋହନ ମାଝୀ ଆଜି ପୁଣିଥରେ ପାଣ୍ଡିଆନଙ୍କୁ ସିଧାସଳଖ ସମାଲୋଚନା କରିବା ସହ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଏବେ ଫାଇଭ-ଟି ସଚିବଙ୍କ ବଚସ୍କର ହୋଇ ତାଙ୍କୁ ଭଗବାନ ବୋଲି ସ୍ୱୀକାର କରିନେଇଥିବା ଅଭିଯୋଗ କରିଛନ୍ତି । ଶାସକ ବିଜେଡି ନେତା-ମନ୍ତ୍ରୀମାନେ ଅସହାୟ ହୋଇପଡ଼ିଛନ୍ତି । ଟିକେଟ୍ କଟିବା ଓ ଜେଲ ଯିବା ଭୟରେ ଏବେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ବିଜେଡି ନେତାମାନେ ଆଗେଇ ଆସିଲେଣି । ଏହା ନିଶ୍ଚିତ ଭାବେ ଓଡ଼ିଶାରେ ଗଣତନ୍ତ୍ର ପ୍ରତି ବିପଦ ।
ପାଣ୍ଡିଆନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପଠାଇଥିବା ଚିଠି ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏହା କିଛି ନୂଆ କଥା ନୁହେଁ ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ ଦେଇଥିବା ବୟାନକୁ ସମାଲୋଚନା କରି ସେ କହିଥିଲେ ଏବେ ବିଷମ ସଙ୍କଟରେ ବିଜେଡି ଓ ବିଜେଡି ସରକାର ପଡ଼ିଯାଇଛନ୍ତି । ତେବେ ଏହି ଚିଠିକୁ ସେମାନେ ସାଧାରଣ ଚିଠି ବୋଲି ଭାବିବା ସେମାନଙ୍କ ପାଇଁ ଆଗାମୀ ଦିନରେ ବହୁତ ବଡ଼ ମୁର୍ଖାମୀ ହେବ । ଏହି ଚିଠି ଆଟମ୍ ବମ୍ ଭଳି ବିସ୍ଫୋରଣ ହୋଇ ସେମାନଙ୍କର ଗର୍ବ ଓ ଅହଙ୍କାରକୁ ଭାଙ୍ଗିଦେବ ଏବଂ ସରକାରକୁ ମଧ୍ୟ ଭସ୍ମ କରିଦେବ ବୋଲି ସେ କହିଛନ୍ତି । ଗଣତନ୍ତ୍ର ଓ ଅମଲାତନ୍ତ୍ର କେଉଁଠି ରହିବା କଥା ଓ ଲୋକଙ୍କ ବିକାଶ କିଭଳି ହେବା କଥା ତାହା ହେଉନି । ଏଠି କେବଳ ରାଜନୀତିକରଣ କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏପଟେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ଆଜି ନିଜ ଦଳର ଆଭିମୁଖ୍ୟରୁ ଦୂରେଇ ଯାଇ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ସମର୍ଥନ କରିଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ ସରକାରରେ ମଧ୍ୟ ଏଭଳି କିଛି ଲୋକଙ୍କୁ କ୍ଷମତା ଦିଆଯାଇ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ ହେଉଥିଲା। ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ କ୍ଷମତା ଅଛି ଓ ଯାହାକୁ ଚାହିଁବେ ତାଙ୍କୁ ପାୱାର ଦେଇ କାର୍ୟ୍ୟ କରାଇପାରିବେ ବୋଲି କହିବା ସହ ପାଣ୍ଡିଆନଙ୍କ କାର୍ୟ୍ୟକୁ ପ୍ରଶଂସା କରିଥିଲେ । ଯଦିଓ ତାଙ୍କ ଦଳ କଂଗ୍ରେସର ଅନ୍ୟ ନେତାମାନେ ଗତ କିଛିଦିନ ଧରି ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଓ ରାଜକୀୟ ସମ୍ବର୍ଦ୍ଧନାକୁ ତୀବ୍ର ବିରୋଧ କରି ଆସୁଛନ୍ତି।
0 Comments