Ticker

4/recent/ticker-posts

ବୁର୍ଲା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଘରୋଇ ଔଷଧ ଦୋକାନ ପ୍ରୀତି

ସ୍ବାସ୍ଥ୍ୟସେବା ପାଇଁ ପଶ୍ଚିମ ଓଡ଼ିଶାର ଲୋକ ବୁର୍ଲା ମେଡିକାଲ ଉପରେ ନିର୍ଭର କରନ୍ତି। ଏଠାରେ ନିରାମୟ ଯୋଜନାରେ ସରକାରୀ ଭାବେ ଲୋକଙ୍କୁ ମାଗଣା ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ତେବେ ବୁର୍ଲା ମେଡିକାଲ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଅପରପକ୍ଷରେ ଡାକ୍ତରଖାନା ପରିସରରେ ୨ଟି ଘରୋଇ ଔଷଧ ଦୋକାନଥିବାବେଳେ ପୁଣି ତୃତୀୟ ଘରୋଇ ଡାକ୍ତରଖାନାକୁ ଅନୁମତି ଦେଇଛନ୍ତି। ତେବେ ଏହା ପଛରେ ଜଣେ ଅଧିକାରୀଙ୍କ ସଂପର୍କୀୟକୁ ଥଇଥାନ କରିବା ତଥା ଜଣେ ବାହୁବଳିଙ୍କ ସନ୍ତୁଷ୍ଟ କରିବା ମୂଳ କାରଣ ବୋଲି କୁହାଯାଉଛି।

ଜନୌଷଧି ଦୋକାନକୁ ଲାଗି ରହିଛି ଘରୋଇ ଔଷଧ ଦୋକାନ

ମାଗଣା ଔଷଧ ନିରାମୟ ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ

ସଂକ୍ଷେପରେ:

  • ଜନୌଷଧି ଦୋକାନକୁ ଅନୁମତି ଆଳରେ ଘରୋଇ ଔଷଧ ଦୋକାନ ପ୍ରତିଷ୍ଠା
  • ନୂତନ ଔଷଧ ଦୋକାନରେ ଜଣେ ଅଧିକାରୀଙ୍କ ସଂପର୍କୀୟଙ୍କୁ ଥଇଥାନ ଯୋଜନା
  • ପୂର୍ବରୁ ଥିବା ଦୁଇ ଔଷଧ ଦୋକାନକୁ ଉଚ୍ଛେଦ ଅଭିଯାନ ଅଧାରେ ଅଟକିଛି

ସମ୍ବଲପୁର: ବୁର୍ଲାଠାରେ ରହିଛି ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର); ଯାହାକୁ ଲୋକେ ଆଜି ମଧ୍ୟ ବୁର୍ଲା ମେଡିକାଲ ନାମରେ ଜାଣନ୍ତି। ଜୁଲାଇ, ୧୯୫୯ ମସିହାରୁ ଏହି ଅଞ୍ଚଳରେ କାର୍ୟ୍ୟ କରୁଥିବା ବୁର୍ଲା ମେଡିକାଲ କଲେଜ ଓ ଚିକିତ୍ସାଳୟ ଏବେ ଭିମସାର ନାମରେ ନାମିତ ହୋଇଛି। ତେବେ ଆଜି ମଧ୍ୟ ଏହି ଡାକ୍ତରଖାନା ଉପରେ ଲୋକଙ୍କ ଅଖଣ୍ଡ ବିଶ୍ବାସ। ତେବେ ଏହି ପ୍ରତିଷ୍ଠାନର କର୍ତ୍ତୃପକ୍ଷ ଯେଭଳି ଭାବେ ଏଠାରେ ଲୁଟ୍‌ପାଟ ଆରମ୍ଭ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖର କଥା। ଏହି ମେଡିକାଲ ପରିସରରେ ରୋଗୀଙ୍କ ସୁବିଧା ଦୃଷ୍ଟିରୁ ବହୁ ପୂର୍ବରୁ ଏଠାରେ ଦୁଇଟି ଘରୋଇ ଡାକ୍ତରଖାନା ଚୌଧୁରୀ ମେଡିକାଲ ଓ କ୍ୟାମ୍ପସ୍‌ ମେଡିକାଲ ରହିଛି। ଏହି ଦୁଇ ଦୋକାନରେ ଭିଡ଼ ମଧ୍ୟ ବେଶୀ ହୋଇଥାଏ। ଏହି ଦୋକାନର ମାଲିକାନାକୁ ନେଇ ଦୀର୍ଘ ଦିନରୁ ବହୁ ବିବାଦ ରହିଥିବାବେଳେ ଯେନତେଣ ପ୍ରକାରେ ଉଭୟ ଔଷଧ ଦୋକାନର ମାଲିକ ଏହାକୁ ଦେଣନେଣ କରି ଚଳାଇ ନେଉଛନ୍ତି ( ଔଷଧ ଦୋକାନ ନାମରେ କିଭଳି କେଳେଙ୍କାରୀ ହେଉଛି ତାର ବିସ୍ତୁତ ରିପୋର୍ଟ ରହିଛି)। ଏପରିିକି ସରକାରଙ୍କ ପକ୍ଷରୁ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଣ ପାଇଁ ‘ନିରାମୟ’ ଯୋଜନାର ଆରମ୍ଭ କରାଗଲା। ଏହା ପରେ ଡାକ୍ତରଖାନା ପରିସରରୁ ଘରୋଇ ଔଷଧ ଦୋକାନୀଙ୍କୁ ବିଦା କରାଯିବ ବୋଲି ଆଶା କରାଯାଉଥିଲା। ମାତ୍ର ଆଶ୍ଚର୍ୟ୍ୟଜନକ ଭାବେ ଏହି ଅର୍ଡର ଅଟକି ରହିଛି। ଅର୍ଡର ଅଟକାଇ ରଖିବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବା କୁହାଯାଉଛି। ତେଣୁ ଆଜିଯାଏଁ ଏହି ଔଷଧ ଦୋକାନକୁ ଉଚ୍ଛେଦ କରା ନ ଯାଇ ବିଭିନ୍ନ ଆଳରେ ଅଟକାଇ ରଖାଯାଇଛି। ସେହିପରି ସରକାରୀସ୍ତରରେ ସ୍ପଷ୍ଟ ନିର୍ଦେଶ ସତ୍ତ୍ବେ ନିରାମୟରେ ମିଳୁ ନଥିବା କଂପାନୀ ଔଷଧ ଡାକ୍ତରମାନେ ଲେଖୁଛନ୍ତି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର କମିଶନୀ ମିଳୁଛି। ତେବେ ଏତିକିରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଟଙ୍କା ଭୋକ ମେଣ୍ଟିନାହିଁ। ପୁଣି ଆଉ ଏକ ଦୋକାନକୁ ଏଥିପାଇଁ ଅନୁମତି ଦିଆଯାଇଛି।


ତୃତୀୟ ଘରୋଇ ଔଷଧ ଦୋକାନକୁ ଅନୁମତି କେଳେଙ୍କାରୀ:

ଭିମସାର ପରିସରରେ ପୂର୍ବରୁ ଦୁଇ ଦୁଇଟି ଘରୋଇ ଔଷଧ ଦୋକାନ ବେନିୟମ ଭାବେ ରହିଥିବାବେଳେ ତାକୁ ଉଚ୍ଛେଦ କରାଯିବା ବଦଳରେ ପୁଣି ତୃତୀୟ ଦୋକାନ ଖୋଲିବାକୁ ଯାଉଛି। ଜନୌଷଧି କେନ୍ଦ୍ର ଖୋଲିବା ଆଳରେ ଏଠାରେ ଏହି ଔଷଧ ଦୋକାନ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ଜନୈକ ବାହୁବଳିଙ୍କ ଇଙ୍ଗିତରେ ଭିମସାର କର୍ତ୍ତୃପକ୍ଷ ଏହି ବେନିୟମ କାର୍ୟ୍ୟ ପ୍ରତି ଆଖି ବୁଜି ଦେଇଥିବା ଜଣାପଡିଛି। ପୁଣି ଏହି ନୂଆ ଔଷଧ ଦୋକାନରେ ଏହି ଡାକ୍ତରଖାନାର ଜଣେ ଅଧିକାରୀଙ୍କ ସଂପର୍କୀୟଙ୍କୁ ଥଇଥାନ କରାଯିବାର ଯୋଜନା ରହିଛି। 

ଭିମସାର ହସପିଟାଲ ଅଧିକ୍ଷକ ପୂର୍ବରୁ ରକ୍ତଭଣ୍ଡାର ନିକଟରେ ରହିଥିବା ଦୋକାନ ଗୃହରେ ଜନୌଷଧି କେନ୍ଦ୍ର ଖୋଲାଯିବା ପାଇଁ ଅନୁମତି ଦିଆଯାଇଥିବା ପୂର୍ବରୁ କହିଥିଲେ। ତେବେ ଏହି କେନ୍ଦ୍ରକୁ ଲାଗି ଏବେ ଏଠାରେ ଏକ ଘରୋଇ ଔଷଧ ଦୋକାନର ସାଇନ ବୋର୍ଡ଼ ଲାଗିଛି। ସ୍ବାସ୍ଥ୍ୟ ବିଭାଗରେ ଲମ୍ବା ହାତ ଥିବା ଜଣେ ବାହୁବଳି ଏହାର ପ୍ରଚ୍ଛଦ ପଟରେ ରହି ତାଙ୍କର ମନମାନି ଚଳାଇଛନ୍ତି। 



ଘରୋଇ ଔଷଧ ଦୋକାନ ପାଇଁ କିଭଳି ଦିଆଗଲା ଭିତ୍ତିଭୂମି:

ଭିମସାର ହସପିଟାଲର ରକ୍ତଭଣ୍ଡାର ସମ୍ମୁଖରେ ପୂର୍ବରୁ ଏକ ‘ସଫଲ’ ନାମକ କାଉଣ୍ଟର ଖୋଲାଯାଇ ସେଠାରେ ଫଳମୂଳ ଓ ପନିପରିବା ବିକ୍ରି ହେଉଥିଲା। ମାତ୍ର ତାହା ବନ୍ଦ ହୋଇ ସାରିଛି। ଲୋକଙ୍କ ଦାବି ମୁତାବକ ଏଠାରେ ଜନୌଷଧି ଖୋଲାଯିବା ପାଇଁ ବ୍ୟବସ୍ଥା କରାଯିବବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ କହି ବୁଲିଲେ। ମାତ୍ର ସେହି ଜନୌଷଧି ଦୋକାନ ବାହାନରେ ଏକ ଘରୋଇ ଔଷଧ ଦୋକାନ ଖୋଲାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। 



ନିରାମୟ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ:

ଭିମସାରରେ ସରକାର ମାଗଣା ଔଷଧ ଯୋଗାଇବାଠାରୁ ବ୍ୟୟବହୁଳ ପରୀକ୍ଷା ଏବଂ ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣା କରିଛନ୍ତି। ଏହା ସତ୍ତ୍ବେ ଏଠାରେ ଗୋଟିଏ ପରେ ଗୋଟିଏ ଘରୋଇ ଔଷଧ ଦୋକାନ ଖୋଲାଚାଲିଛି। ମାଗଣା ଔଷଧ ସେବାକୁ ଲୋକ ଦେଖାଣିଆ କରି ଏହା ମାଧ୍ୟମରେ ରୋଗୀ ସମ୍ପର୍କୀୟଙ୍କ ପକେଟକୁ ଖାଲି କରାଯିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଲୋକେ ଅଭିଯୋଗ କରିଛନ୍ତି। ଭିମସାରରେ ମାଗଣା ଔଷଧ ସେବାକୁ ନିରାମୟକୁ ଆଗକୁ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି କି ବୋଲି ସ୍ଥାନୀୟ ସଚେତନ ମହଲରେ ପ୍ରଶ୍ନ ଉଠିଛି। କେତେକାଂଶରେ ତାହା ଠିକ୍‌ ମଧ୍ୟ। କାରଣ ବହୁ ସମୟରେ ନିରାମୟରେ ଔଷଧ ନାହିଁ ବୋଲି କୁହାଯାଉଛି। ଫଳରେ ରୋଗୀଙ୍କ ସଂପର୍କୀୟ କଂପାନୀ ଔଷଧ କିଣି ଖର୍ଚ୍ଚାନ୍ତ ହେଉଛନ୍ତି। ପୁଣି ବହୁ ସମୟରେ ଡାକ୍ତର ନିରାମୟରେ ମିଳୁଥିବା ଔଷଧ ହିଁ ଲେଖୁ ନାହାନ୍ତି। ଫଳରେ ଲୋକେ ଏହି ସବୁ ଘରୋଇ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। 

VIMSAR


ବୁର୍ଲା ମେଡିକାଲର ଗାରିମା ଖସୁଛି:

ଭିମସାର ହସପିଟାଲ ଉପରେ ଲୋକଙ୍କ ବହୁ ଭରସା। ସେହିପରି ଲୋକେ ମଧ୍ୟ କେମିତି ଭାବରେ ଉକୃଷ୍ଟ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ମାଗଣାରେ ପାଇବେ ସେ ନେଇ ସରକାର ମଧ୍ୟ ଚେଷ୍ଟିତ। ତେବେ ବାହୁବଳିଙ୍କୁ ଖୁସି କରିବା ପାଇଁ ହେଉ କିମ୍ବା କେତେବେଳେ ନିଜ ପକେଟ ଗରମ କରିବା ପାଇଁ ହେଉ କର୍ତ୍ତୃପକ୍ଷ ବେଆଇନ କାର୍ୟ୍ୟକୁ ପ୍ରସୟ ଦେଉଛନ୍ତି। ଏହା ଦ୍ବାରା ଏହି ଅନୁଷ୍ଠାନର ଗାରିମା ହ୍ରାସ ପାଉଛି। ସେହିପରି ଭିମସାରର ସ୍ଥାଣୁ ପରିଚାଳନା ବ୍ୟବସ୍ଥା ଏଠାରେ ଦୁର୍ନୀତିକୁ ପ୍ରୋତ୍ସାହିତ କରି ଚାଲିଛି। ସମସ୍ତ ଅନିୟମିତତା ଉପରେ ମେଡିକାଲ କର୍ତ୍ତୃପକ୍ଷ ଆଖିବୁଜି ମୋହର ମାରିଚାଲିଛନ୍ତି। ଘରୋଇ ବିବାଦୀୟ ଠିକାସଂସ୍ଥାଗୁଡିକ ପ୍ରତି ଭିମସାର କର୍ତ୍ତୃପକ୍ଷଙ୍କ ଅହେତୁକ ଅନୁକମ୍ପା ଦେଖାଇ ଚାଲିଛନ୍ତି। ଘଟଣା ସଂପର୍କରେ ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କ ମତାମତ ଲୋଡା ଯାଇଥିଲା। ଘରୋଇ ଡାକ୍ତରଖାନା ଖୋଲାଯିବା ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଥିବାକୁ ସେ ସ୍ବୀକାର କରିଛନ୍ତି। ଏନେଇ ‌ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅପରପକ୍ଷରେ ଭାରପ୍ରାପ୍ତ ମେଡିକାଲ ନିର୍ଦେଶକ ବର୍ଷା ଟୁଡୁଙ୍କୁ ଯୋଗାଯୋଗ କରାଯିବାରେ ଘଟଣା ନେଇ ତଦନ୍ତ ହେବ ବୋଲି କହିଛନ୍ତି। ତେବେ ସତରେ ଏନେଇ ପଦକ୍ଷେପ ନିଆଯିବ ନା କର୍ତ୍ତୃପକ୍ଷ ଚୁପ୍‌ ରହିବ ତାହା ସମୟ କହିବ।


ବି.ଦ୍ର: ବୁର୍ଲା ମେଡିକାଲ ବାବଦରେ ଅଧିକ ଖବର ଜାଣିବାକୁ ଚାହୁଁଥିଲେ ଆମକୁ କମେଣ୍ଟରେ ଲେଖନ୍ତୁ। ମତାମତ କିମ୍ବା ପ୍ରସ୍ତାବ ଥିଲେ ନିହାତି ଭାବେ କମେଣ୍ଟ କରନ୍ତୁ। ଚ୍ୟାନେଲକୁ ଲାଇକ କରନ୍ତୁ।

Post a Comment

1 Comments