ଆଜିକୁ ପ୍ରାୟ ଛଅଶହ ବର୍ଷ ତଳେ ପଞ୍ଚଦଶ ଶତାବ୍ଦୀରେ ଓଡିଶା ର ଭାଗ୍ୟାକାଶରେ ଜନ୍ମ ନେଇଥିଲେ ପାଞ୍ଚ ଟି ନକ୍ଷତ୍ର ଯେଉଁମାନେ ସେହି ସମୟରେ ସନାତନ ଧର୍ମ ଏବଂ ଜଗନ୍ନାଥ ସଂସ୍କୃତି ରେ ଭିନ୍ନ ଭିନ୍ନ ବିଚାରଧାରା ହେତୁ ମଳିନ ପଡି ଆସୁଥିବା ଧର୍ମ ଧାରଣା କୁ ଉଜ୍ଜୀବିତ କରି, ଉଜ୍ବଳମୟ କରି ଶ୍ରୀଜଗନ୍ନାଥ ଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ଅସ୍ତିତ୍ବ କୁ ପ୍ରତିପାଦିତ କରି ପାରିଥିଲେ, ସେମାନେ ହେଉଛନ୍ତି ଓଡିଶା ର ପଞ୍ଚ ସଖା ନାମରେ ପରିଚିତ ଶ୍ରୀ ଅଚ୍ୟୁତାନନ୍ଦ ଦାସ, ଶ୍ରୀ ଅନନ୍ତ ଦାସ, ଶ୍ରୀ ଯଶୋବନ୍ତ ଦାସ, ଶ୍ରୀ ବଳରାମ ଦାସ ଏବଂ ଶ୍ରୀ ଜଗନ୍ନାଥ ଦାସ। ଓଡିଶା ର ବିଭିନ୍ନ ଗ୍ରାମାଞ୍ଚଳରେ ଜନ୍ମ ନେଇଥିଲେ ମଧ୍ୟ ବାଲ୍ୟ କାଳରୁ ଈଶ୍ବର ଚେତନାରେ ଉଦ୍ ବୁଦ୍ଧ ହୋଇ ସେମାନେ ଘଟଣାକ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ମିଳିତ ହୋଇଥିଲେ। ସେଠାରେ ଶ୍ରୀ ଚୈତନ୍ଯଙ୍କର ଭକ୍ତି ଭାବରେ ଅନୁପ୍ରାଣିତ ହୋଇ ତାଙ୍କର ଶିଷତ୍ୱ ଗ୍ରହଣ କରି ସେହି ପଞ୍ଚସଖା ସାରା ଭାରତରେ ସନାତନ ଧର୍ମ ର ପ୍ରଚାର ପ୍ରସାର କରି ଜଗନ୍ନାଥ ସଂସ୍କୃତିର ଜୈତ୍ରବାନା ଉଡାଇଥିଲେ।
ଏମାନଙ୍କ ସମୟ ବ୍ୟାପ୍ତ ହୋଇଥିଲା ତତ୍କାଳୀନ ଗଜପତିଶ୍ରୀ କପିଳେନ୍ଦ୍ରଦେବଙ୍କ ଠାରୁ ଆରମ୍ଭ କରି ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ, ଗଜପତି ଶ୍ରୀ ଶ୍ରୀ ପ୍ରତାପରୁଦ୍ର ଦେବ ଏବଂ ଗଜପତି ଶ୍ରୀ ଶ୍ରୀ ମୁକୁନ୍ଦ ଦେବଙ୍କ ଯାଏଁ । ଏହି ପଞ୍ଚସଖା ମାନଙ୍କ ଦ୍ୱାରା ଓଡିଶା ର ବିଭିନ୍ନ ସ୍ଥାନରେ ଗଢି ଉଠିଥିଲା ଅସଂଖ୍ୟ ମଠ, ମନ୍ଦିର, ଗାଦି , ଯେଉଁଠାରେ ଶିଷ୍ୟ ମାନଙ୍କ ଗହଣରେ ରହି ସେମାନେ ରଚନା କରିଥିଲେ ଅସଂଖ୍ୟ ଗ୍ରନ୍ଥ, ପୁରାଣ, ତନ୍ତ୍ର ଶାସ୍ତ୍ର, ମନ୍ତ୍ର ଶାସ୍ତ୍ର, ଭେଷଜ ଶାସ୍ତ୍ର, ଭକ୍ତିକଥା , ଭବିଷ୍ୟ ମାଳିକା ,ଯାହା ଏବେ ମଧ୍ୟ ଓଡିଆ ଜାତିର ଦିଗଦର୍ଶନ କରୁଛି ।କାଳଜୟୀ ହୋଇ ରହିଛନ୍ତି ସେମାନଙ୍କ ରଚିତ ତାଳପତ୍ର ପୋଥି ସମୂହ ଯଦିଓ ଅନେକ ପୋଥି ଏବେ ମଧ୍ୟ ଅନାବିଷ୍କୃତ ହୋଇ ରହିଛି। ଏମାନେ ସମସ୍ତେ ସ୍ୱୀୟ ପ୍ରତିଭା ଏବଂ ଜ୍ଞାନଗାରିମାରେ ସମୃଦ୍ଧ ମହାପୁରୁଷ ।
*🥀ଶ୍ରୀ ଅଚ୍ୟୁତାନନ୍ଦ ଦାସ🥀*
*==========================*
ପଞ୍ଚସଖା ମହାପୁରୁଷମାନଙ୍କ ମଧ୍ୟରେ ସର୍ବ କନିଷ୍ଠ ଥିଲେ ମହାପୁରୁଷ ଅଚ୍ୟୁତାନନ୍ଦ । ସେ କଟକ ଜିଲ୍ଲାର ଚିତ୍ରୋତ୍ପଳା ନଦୀତଟ ନେମାଳ ନିକଟବର୍ତ୍ତୀ ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ନେମାଳ ପଦ୍ମବନରେ ସମାଧିସ୍ଥ ହୋଇଥିଲେ। ଲକ୍ଷାଧିକ ଗ୍ରନ୍ଥ, ଗୀତା, ସଂହିତା ମାଳିକା, ଭଜନ, ଚଉତିଶା ଲେଖି ସେ କଳିଯୁଗର ମଣିଷଙ୍କ ପାଇଁ ଦିବ୍ୟଦର୍ଶନ ର ପଥ ପ୍ରଦର୍ଶନ କରି ଯାଇଛନ୍ତି । ତାଙ୍କର ଭବିଷ୍ୟ ଗଣନା ଆଜି ମଧ୍ୟ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହେଉଛି ।
ପ୍ରଜ୍ଞାଦୀପ୍ତ ଏହି ସନ୍ଥଙ୍କର ଜନ୍ମ ରହସ୍ୟ ବଡ ଅଲୌକିକ । ନିଜ ରଚିତ ଶୂନ୍ୟ ସଂହିତା ରେ ସେ ଲେଖିଛନ୍ତି..
“ ଅଲେଖ ଅଜନ୍ମା ଅଟେ ଅଯୋନି ସମ୍ଭୁତ, ଅରୂପ ଅଣାକାର ଯେ ମୁହିଁ ଟି ଅଚ୍ୟୁତ”
ପୁଣି ସେ ନିଜ ରଚିତ “ଅଚ୍ୟୁତ ଜନ୍ମଟୀକା “ ରେ ଲେଖିଛନ୍ତି ଯେ ସେ ତିଳକଣା ଗ୍ରାମ ନିବାସୀ ଦୀନବନ୍ଧୁଙ୍କ ଔରସରୁ ମାତା ପଦ୍ମାବତୀଙ୍କ କୋଳରେ ଜନ୍ମ ନେଇଛନ୍ତି ଏକ ଅତ୍ୟନ୍ତ ଦରିଦ୍ର ପରିବାରରେ, ଯେଉଁଠି ଦାନା, କନା ବିନା ଅନ୍ୟ ସବୁ ସୁଖ ମିଳିଛି ତାଙ୍କୁ। ଇତିହାସ କହେ ଦୀନବନ୍ଧୁ ଶ୍ରୀକ୍ଷେତ୍ର ରେ ଶ୍ରୀଜଗନ୍ନାଥଙ୍କ ଖୁଣ୍ଟିଆ ସେବକ ଥିଲେ , ମହାପ୍ରଭୁ ଙ୍କ ପ୍ରତି ତାଙ୍କର ଅଚଳା ଭକ୍ତି ଥିଲା । ତେବେ କୌଣସି କାରଣରୁ ରାଜକୃପାରୁ ବଞ୍ଚିତ ହୋଇ ସେ ବହୁତ ଦୁଃଖ କଷ୍ଟରେ ଦିନ କାଟୁଥିଲେ। ବୟସାଧିକ୍ୟ ହୋଇଥିଲେ ମଧ୍ୟ ସନ୍ତାନଟିଏ ନଥିବା ହେତୁ ସେ ନିତି ନିତି ଯାଇ ଶ୍ରୀମନ୍ଦିର ରେ ଚତୁର୍ଦ୍ଧାମୂରତି ଙ୍କୁ କାନ୍ଦି କାନ୍ଦି ସନ୍ତାନଟିଏ ପାଇଁ ଗୁହାରି ଜଣାଉଥିଲେ।ଥରେ ପ୍ରାର୍ଥନା କରୁଥିବାବେଳେ ତାଙ୍କୁ ଶୂନ୍ୟବାଣୀ ହେଲା “ କାନ୍ଦୁଛୁ କାହିଁକି ? ଯା’ ଗରୁଡ ସ୍ତମ୍ଭ ପଛପଟରେ ଦେଖ, ତୋ’ ପାଇଁ ଆଶୀର୍ବାଦ ଟିଏ ରଖିଛି “। ସେଇଠୁ ଦୀନବନ୍ଧୁ ଧାଇଁଥିଲେ ଗରୁଡସ୍ତମ୍ଭ ପଛପଟକୁ, ଏବଂ ସେହିଠାରୁ ପାଇଥିଲେ ନାଲି କପଡା ରେ ଗୁଡା ହୋଇଥିବା ପୁତ୍ର ସନ୍ତାନ ଟିଏ। କାଳେ କିଏ ସେ ପୁଅ କୁ ଖୋଜା ଖୋଜି କରି ନେଇଯିବେ ତାଙ୍କ ପାଖରୁ ଭାବି ସେ ସସ୍ତ୍ରୀକ ରାତାରାତି ଚାଲି ଚାଲି ଫେରି ଆସିଥିଲେ ନିଜର ପୈତୃକ ସ୍ଥାନ ନେମାଳ ନିକଟବର୍ତ୍ତୀ ତିଳକଣା ଗ୍ରାମ କୁ। ଇଏ ସବୁ ଜନଶ୍ରୁତି ହୋଇଥିଲେ ମଧ୍ୟ ଏହି ନିଧାର୍ଯ୍ଯ ଯେ ଅଚ୍ୟୁତ ନେପାଳ ନିକଟସ୍ଥ ତିଳକଣା ଗ୍ରାମର ଦୀନବନ୍ଧୁ ଏବଂ ପଦ୍ମାବତୀଙ୍କ ଗର୍ଭ ରୁ ଜନ୍ମ ଗ୍ରହଣ କରିଥିଲେ ।ଆପଣ ମାନେ କାହାଣୀ ପଢୁଛନ୍ତି ଜୟ ଶ୍ରୀକୃଷ୍ଣ ହ୍ଵାଟ୍ସଆପ୍ ଗୃପ ରେ
ଦୀନବନ୍ଧୁ ପୁରୀ ରୁ ଚାଲି ଆସି ତିଳକଣା ରେ ରହିବା ସମୟରେ କୌଣସି କାମଧନ୍ଦା ନପାଇ ଅତି ଦାରିଦ୍ର୍ଯ ଭିତରେ ଜୀବନ କାଟୁଥିଲେ। ଅର୍ଥାଭାବରୁ ପୁଅର ଜନ୍ମ କୋଷ୍ଠୀ ଗଣାପୋଛା ହୋଇପାରିନଥିବାରୁ ମା’ ପଦ୍ମାବତୀ ପୁଅ କୁ “ ଅଗଣି” ବୋଲି ଡାକିଲେ । ସେଇ ଥିଲା ତାଙ୍କର ବାଲ୍ୟକାଳ ର ନାମ। ଅତ୍ୟନ୍ତ ଦୀନହୀନ ଅବସ୍ଥା ରେ ଅଗଣି ତାଙ୍କ ବୟସର ପିଲାମାନଙ୍କ ସହିତ ଗାଈ ଚରାଇବା ପାଇଁ ଯାଉଥିଲେ ଚିତ୍ରୋତ୍ପଳା ନଦୀ ତଟସ୍ଥ ସବୁଜ ପ୍ରାନ୍ତର କୁ। ସେଠାରେ ଭରି ରହିଥିଲା ବଟ, ଅଶ୍ୱତ୍ଥ ଇତ୍ୟାଦି ବୃକ୍ଷମାନ। ଗାଈ ଚରାଇବା ବେଳେ କରି ପଡିଲେ ଖରା ଦାଉରୁ ରକ୍ଷା ପାଇବା ନିମନ୍ତେ ସେ ସେହି ବୃକ୍ଷର ଛାୟାରେ ଯାଇ ଆଶ୍ରୟ ନେଉଥିଲେ । ଖୁବ୍ ଭଲ ଲାଗୁଥିଲା ତାଙ୍କୁ ସେ ଝଙ୍କାଳିଆ ବୃକ୍ଷସବୁ। କେମିତି ଏକ ଅଦ୍ଭୁତ ଶାନ୍ତି ମିଳୁଥିଲା ତାଙ୍କୁ। ଅନେକ ସମୟ ଧରି ସେଠାରେ ବସି ରହୁଥିଲେ ଗୋପାଳ ବାଳକ ଅଗଣି।
ସେ ସମୟରେ ଗାଆଁ ଗହଳିରେ ଗୋପାଳମାନେ ଓଗାଳ ( ଗ୍ରାମ୍ୟ ସଙ୍ଗୀତ) ଗାଉଥିଲେ।ଗାଉଁଲି ଭାଷାରେ ଶ୍ରୀକୃଷ୍ଣଙ୍କର ଗୋପଲୀଳା ଆଉ ମଥୁରା ବିଜୟ, କଂସବଧ ଆଦି ର କଥା କୁ ଓଗାଳ କରି ଗାଉଥିଲେ ଉଚ୍ଚ ସ୍ବର ରେ, ସେଥିରେ ତାଳ ପଡୁଥିଲା ଗାଈ ଅଡା ପାଞ୍ଚଣ, ନହେଲେ ଠେଙ୍ଗାରେ , ନହେଲେ କ୍ଷୀର ବୁହା ବାହୁଙ୍ଗୀ ରେ। ଜୀବନରେ କେବେ ଚାଟଶାଳୀର ଦ୍ୱାର ମାଡିନଥିବା ଅଗଣି ସେସବୁ ଓଗାଳକୁ ଖୁବ୍ ସୁନ୍ଦର ଭାବରେ ମନେରଖି ସୁନ୍ଦର ସ୍ୱରରେ ଗାୟନ କରୁଥିଲେ ସେଇ ବଡ ବରଗଛ ମୂଳରେ ବସି। ଖୁବ୍ ସୁନ୍ଦର ଭାବରେ ବଂଶୀ ମଧ୍ୟ ବଜାଇ ପାରୁଥିଲେ ଅଗଣି। ସାଙ୍ଗମାନଙ୍କ ମେଳରେ ଖୁବ୍ ପ୍ରିୟ ଥିଲେ ବାଳକ ଅଗଣି।
ଦିନେ ସନ୍ଧ୍ୟାବେଳେ ତାଙ୍କ ସାଙ୍ଗରେ ଥିବା ଗୋପାଳ ବାଳକମାନେ ଦେଖିଲେ ଅଗଣି ସେଇ ଝଙ୍କା ବଟବୃକ୍ଷ ମୂଳେ ଆଖିବୁଜି ତନ୍ମୟ ହୋଇ ଓଗାଳ ବୋଲି ଚାଲିଛନ୍ତି, ଶ୍ୱେତବର୍ଣ୍ଣ ର ଗାଈଟିଏ ଆସି ଠିଆ ହୋଇଛି ତାଙ୍କ ପାଖରେ , ତା’ର ପହ୍ନାରୁ ଆପେ ଆପେ କ୍ଷୀର ଝରିପଡୁଛି ଭୂମି ଉପରେ। ପିଲାମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, ସେମାନେ ଅଗଣିଙ୍କୁ ଉଠାଇ ସବୁ ଦୃଶ୍ୟ ଦେଖାଇଲେ। ଅଗଣି କହିଲେ “ମୁଁ ସ୍ୱପ୍ନରେ ଦେଖୁଥିଲି ରାଧାକୃଷ୍ଣ ଲୀଳା କରୁଥିଲେ ଏଠାରେ । ଆହାଃ କି ମଧୁର ସେ ବଂଶୀସ୍ୱନ! କି ସୁନ୍ଦର ସେ ନିତ୍ୟ ରାସ ! ତୁମେମାନେ ଆସି ସବୁ ଭଣ୍ଡୁର କରିଦେଲ “। ସେଦିନ ସିନା ଗୋପାଳ ବାଳକ ମାନଙ୍କ ସହିତ ଘରକୁ ଫେରି ଆସିଲେ ଅଗଣି, ହେଲେ ତାଙ୍କ ମନ ଆଉ ଘରେ କି କୌଣସି କାମରେ ଲାଗିଲାନି । ସେ ଖାଲି ଚାହିଁଲେ ସେହି ବଟବୃକ୍ଷ ମୂଳକୁ ଯିବା ପାଇଁ । ଘରେ ବାପା ମାଆ ବ୍ୟସ୍ତ ହୋଇ ପଡିଲେ।“ ବାର ବର୍ଷ ର ପୁଅ, ଏମିତି ପାଗଳ ଭଳି ହେଉଛି” । କେତେ କଷ୍ଟ ରେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପାଇଛନ୍ତି ତା’କୁ, ସିଏ ଏବେ ଏମିତି ପାଗଳ ଭଳି ହେଲେ ତାଙ୍କ ସଂସାର ଭାସିଯିବ । ବହୁତ ଭାବିଚିନ୍ତି ଦୀନବନ୍ଧୁ ସ୍ଥିର କଲେ ପୁଅକୁ ନେଇ ଥରେ ଶ୍ରୀକ୍ଷେତ୍ରକୁ ଯିବି, ସେଇଠି କାଳିଆ ସାଆନ୍ତ ଙ୍କୁ ପୁଅ ପାଇଁ ଗୁହାରି ଜଣାଇବି। ତାଙ୍କରି ଦାନ ସେ, ସେଇ ଠାକୁରେ ଭଲ କରିଦେବେ ତା’କୁ । ବାରବର୍ଷ ର ଅଗଣି କୁ ଧରି ଚାଲି ଚାଲି ବହୁତ କଷ୍ଟ କରି ରଥଯାତ୍ରା ସମୟରେ ପହଞ୍ଚିଲେ ଶ୍ରୀକ୍ଷେତ୍ର ପୁରୀ ରେ।
ଠିକ୍ ସେହି ସମୟରେ ଶ୍ରୀଚୈତନ୍ଯ ଅବସ୍ଥାନ କରୁଥାନ୍ତି ପୁରୀ ରେ। ବଡଦାଣ୍ଡ ରେ ଚାଲିଥାଏ ତାଙ୍କର ଉଦ୍ଦଣ୍ଡ କିର୍ତ୍ତନ । ବାପାଙ୍କ ପାଖରେ ବଡଦାଣ୍ଡ ରେ ଠିଆ ହୋଇଥିବା ଅଗଣି ର ଦୃଷ୍ଟି ପଡିଲା ସେହି ଜ୍ୟୋତିର୍ମୟ ପୁରୁଷଙ୍କ ଉପରେ ଯିଏ ଚକ୍ଷୁ ମୁଦ୍ରିତ କରି, ଦୁଇ ବାହୁ ତୋଳି ନିତାଇଗୌର ନାମ ଧରି ଆଗେଇ ଚାଲୁଥିଲେ ସାଥିଙ୍କ ଗହଣରେ। ଚକ୍ଷୁ ରୁ ତାଙ୍କର ଝରି ପଡୁଥିଲା ଧାର ଧାର ଲୁହ, ତାଙ୍କ କାନ୍ଧ ର ଉତ୍ତରୀ ଭିଜୁଥିଲା ସେଇ ଲୁହ ରେ। ନିର୍ବାକ୍ ନିଶ୍ଚଳ ହୋଇ ଠିଆ ହୋଇଥିବା ଅଗଣି ବାପାଙ୍କ ହାତରୁ ହାତ ଖସାଇ ଧାଇଁ ଗଲା ସେ ଭିଡ ଭିତରକୁ । ଭିଡ ଭିତରେ ବାଟ କାଟି କାଟି ଯାଇ ଜାବୁଡି ଧରିଲା ସେଇ ଜ୍ୟୋତିର୍ମୟ ପୁରୁଷ ଙ୍କ ପାଦ ଯୁଗଳ କୁ, ଲୋଟି ପଡିଲା ଭୂମି ଉପରେ।ଅଚାନକ ପରିସ୍ଥିତିରେ ଅଟକି ଗଲେ ସେ, ଅଟକି ଗଲେ କିର୍ତ୍ତନ ଦଳ, ଥମିଗଲା ଝାଞ୍ଜ, ମୃଦଙ୍ଗ ,ଖୋଳ , କରତାଳ ସହ କିର୍ତ୍ତନ ର ସ୍ୱର। ବଡଦାଣ୍ଡ ସାରା ଗୁଞ୍ଜରଣ ଖେଳିଗଲା “ କିଏ ଏହି ବାଳକ ? “ । ପରମ କରୁଣାମୟ ଶ୍ରୀଚୈତନ୍ଯଙ୍କ ଆଖି ଖୋଲିଗଲା, ପାଦରେ ପଡି ରହିଥିବା ବାଳକ ଟିକୁ ସେ ତଳୁ ଉଠାଇ ଛାତିରେ ଚାପି ଧରିଲେ। ସେଇଠି ବଦଳି ଗଲା ଗୋପାଳକ ଅଗଣି ର ଭାଗ୍ୟ, ପରଶମଣି ର ପରଶରେ ସୁବର୍ଣ୍ଣ ପାଲଟିଲା ମାଟିରେ ପଡିଥିବା ଲୁହାଖଣ୍ଡଟି।
ଦୀନବନ୍ଧୁ ସେତେବେଳକୁ ପୁଅକୁ ଖୋଜି ଖୋଜି ପହଞ୍ଚି ସାରିଥିଲେ ସେଠାରେ।ଶ୍ରୀଚୈତନ୍ଯଙ୍କୁ ଶୁଣେଇଥିଲେ ଅଗଣି ର ଜନ୍ମ ବୃତ୍ତାନ୍ତ। ଶ୍ରୀଚୈତନ୍ଯ ନିଜର ଶିଷ୍ୟ ଭାବରେ ଗ୍ରହଣ କରିଥିଲେ ଅଗଣି ଙ୍କୁ, ନୂତନ ନାମ ଦେଇଥିଲେ “ ଅଚ୍ୟୁତାନନ୍ଦ “ । ସେଇଠୁ ଆଉ ଘରକୁ ଫେରି ନଥିଲେ ଅଚ୍ୟୁତ । ଶ୍ରୀଚୈତନ୍ଯଙ୍କ ସହିତ ସେ ବାହାରି ଯାଇଥିଲେ ଜ୍ଞାନ ଆହରଣ କରିବା ସହିତ ତୀର୍ଥ ଭ୍ରମଣରେ।ନଦୀୟା ନବଦ୍ବୀପ ରୁ ଆରମ୍ଭ କରି କାଶୀ, ବାରଣାସୀ, ମଥୁରା, ବୃନ୍ଦାବନ, ଭ୍ରମଣ କରିସାରି ପୁନଃଶ୍ଚ ସେ ଫେରିଥିଲେ ଶ୍ରୀକ୍ଷେତ୍ର କୁ। ସେହିଠାରେ ରହି ଜଗନ୍ନାଥଙ୍କ ଧ୍ୟାନ ରେ ସମୟ ଅତିବାହିତ କରୁଥିଲେ। ଶ୍ରୀକ୍ଷେତ୍ରରେ ରହଣୀ ସମୟରେ ତାଙ୍କର ଭେଟ ହୋଇଥିଲା ସମଭାବାପନ୍ନ ବୈଷ୍ଣବ ଶ୍ରୀ ଅନନ୍ତ, ଯଶୋବନ୍ତ, ଜଗନ୍ନାଥ ଏବଂ ବଳରାମ ଦାସଙ୍କ ସହିତ ।
ପନ୍ଥା ଭିନ୍ନ ଭିନ୍ନ ହେଲେ ମଧ୍ୟ ସେମାନଙ୍କ ଲକ୍ଷ ଥିଲା ଏକ “ ସନାତନ ଧର୍ମ ର ସଂସ୍ଥାପନା “। ସଭିଏଁ ଦେଖୁଥିଲେ “ଶ୍ରୀ ଜଗନ୍ନାଥଙ୍କ ଭିତରେ ଶ୍ରୀକୃଷ୍ଣ ଙ୍କୁ” ଏବଂ ଚିନ୍ତନ ଥିଲା ଏକ “ ଶ୍ରୀକୃଷ୍ଣ ଏବଂ ଜଗନ୍ନାଥ ଏକ ଓ ଅଭିନ୍ନ” । ପାଞ୍ଚ ଜଣ ଏକତ୍ରିତ ହୋଇ ଆରମ୍ଭ କରିଥିଲେ ଏକ ନୂତନ ଯୁଗ ।“ ପଞ୍ଚସଖା ଙ୍କ ଯୁଗ”।ଓଡିଶା ମାଟିର ବିଭିନ୍ନ ସ୍ଥାନରେ ଏକତ୍ର ଅଥବା ଭିନ୍ନ ଭିନ୍ନ ଭାବରେ ସେମାନେ ଗଠନ କରିଥିଲେ ଧ୍ୟାନପୀଠମାନ ଯେଉଁଠି ରହି ଈଶ୍ବରଙ୍କୁ ଧ୍ୟାନ କରିବା ସହ ସେମାନେ ଅନେକ ଶିଷ୍ୟ ଗ୍ରହଣ କରି ପ୍ରଚାର କରୁଥିଲେ ସନାତନ ଧର୍ମ ଏବଂ ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଜଗତସିଂହପୁର, କୁଜଙ୍ଗ , କଟକ, ଆଠଗଡ, କୁଣ୍ଡ, ପାରାଦ୍ବୀପ, କେନ୍ଦ୍ରାପଡା, ପୁରୀ ଇତ୍ୟାଦି ସ୍ଥାନରେ ଅନେକ ଧ୍ୟାନପୀଠ ବା ଗାଦି ଥିଲେ ମଧ୍ୟ ତାଙ୍କର ଜନ୍ମସ୍ଥାନ ନେମାଳ ର ପଦ୍ମବନ ଥିଲା ତାଙ୍କର ପ୍ରିୟ ସାଧନାପୀଠ । ପବିତ୍ର ପାବନୀ ଚିତ୍ରୋତ୍ପଳା ଏବଂ ଲୁଣା ନଦୀ ର ମଧ୍ୟବର୍ତ୍ତୀ ଏହି ତ୍ରିକୋଣଭୂମି କୁ ସେ ଉତ୍ତର ଭାରତର ପ୍ରୟାଗତୁଲ୍ୟ ମଣୁଥିଲେ। ସେ ତାଙ୍କର ବଟ ସଂହିତା ରେ ଲେଖିଛନ୍ତି....
“ ଚିତ୍ରୋତ୍ପଳା ଗଙ୍ଗା, ଲୁଣା ଟି ଯମୁନା,ହଂସୁଆ ଯେ ସରସ୍ବତୀ ,
ଏ ତିନି ନଦୀଙ୍କ ସଙ୍ଗମ ସ୍ଥଳଟି ପବିତ୍ର ଅଟେ ଏ ମାଟି “ ।
ଚିତ୍ରୋତ୍ପଳା ତଟସ୍ଥିତ ଏହି ସ୍ଥାନର ନାମ ପଦ୍ମବନ ହେବା ପଛରେ ଅନେକ ଲୋକକଥା ରହିଛି। କିଏ କହେ ସୃଷ୍ଟି ଆରମ୍ଭ ରେ ଦେବାସୁର ମିଳି ସମୁଦ୍ର ମନ୍ଥନ କଲାବେଳେ ଲକ୍ଷ୍ମୀ ଙ୍କ ପରେ ପଦ୍ମ ବାହାରିଥିଲେ, ସେହି ପଦ୍ମ ଟି ଛିଟିକି ଆସି ଏଠାରେ ପତିତ ହୋଇଥିଲା, ତେଣୁ ଏହାର ନାମ “ପଦ୍ମବନ”।ଏହା ଏକ ଅତ୍ୟନ୍ତ ପବିତ୍ର ସ୍ଥାନ ହୋଇଥିବା ହେତୁ ଏଠାରେ ଅନନ୍ତ କାଳରୁ ଭୃଗୁ, ଭଙ୍ଗୀରେ,ମାର୍କଣ୍ଡେୟ ଏବଂ ଶୁକସୌନକାଦି ଅନେକ ଋଷିମୁନି ମାନେ ରହି ତପସ୍ୟା କରୁଥିଲେ। ଏହି ଗ୍ରାମର ନାମ ” ନେମାଳ “ହେବା ପଛରେ ମଧ୍ୟ ଜନଶ୍ରୁତି ରହିଛି।ଏକଦା ପୁରୀରେ ଧର୍ମ ଅଧର୍ମ ର ଦ୍ୱନ୍ଦ୍ୱ ଉପୁଜିଥିବା ହେତୁ ଅଚ୍ୟୁତ ଖୁବ୍ ଦୁଃଖୀ ହୋଇ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ତାଙ୍କ ପାଇଁ ଅନ୍ୟ ଏକ ସାଧନା ସ୍ଥଳ ସ୍ଥିର କରିଦେବା ପାଇଁ । ଅଚ୍ୟୁତାନନ୍ଦଙ୍କର ଭକ୍ତି ରେ ସୁପ୍ରସନ୍ନ ହୋଇ ଶ୍ରୀଜଗନ୍ନାଥ ତାଙ୍କୁ ନିଜ ଗଳାର ପଦ୍ମମାଳଟିଏ ଆଜ୍ଞାମାଳ କରି ଦେଲେ, ଶୂନ୍ୟ ବାଣୀ ହେଲା “ ହେ ଭକ୍ତ ! ଏହି ଆଜ୍ଞାମାଳ ନେଇ ଉତ୍ତରମୁଖା ହୋଇ ଚାଲି ଚାଲି ଯା’ , ଯେଉଁ ସ୍ଥାନରେ ଏଇ ମାଳଟି ଛିଡି ପଡିବ ସେଇ ହେବ ତୋ’ର ସାଧନା ପୀଠ” । ଅଚ୍ୟୁତାନନ୍ଦ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ଉତ୍ତରମୁଖା ହୋଇ ଚାଲି ଚାଲି ଆସି ଚିତ୍ରୋତ୍ପଳା ତଟସ୍ଥିତ ଏହି ସ୍ଥାନରେ ପହଞ୍ଚିଲା ବେଳକୁ ସେଇ ମାଳଟି ଛିଡି ପଡିଲା, ତେଣୁ ସେ ଏଇ ସ୍ଥାନଟିକୁ ନିଜର ସାଧନା ପୀଠ କରିଥିଲେ, ସେହି ଉପାଖ୍ଯାନ ରୁ ଏହି ସ୍ଥାନର ନାମ ହେଲା “ନେ- ମାଳ” ବା ନେମାଳ। ସେ ଯାହାହେଉ ଜନଶ୍ରୁତି ତ ଅନେକ କିନ୍ତୁ ଏହା ସତ୍ୟ ଏବଂ ପ୍ରତିପାଦିତ ଯେ ନେପାଳ ର ପଦ୍ମବନ ହିଁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶ୍ରେଷ୍ଠ ସାଧନାପୀଠ । ସେଥିପାଇଁ ସେ ଏହି ସ୍ଥାନରେ ନିଜ ପରିବାର, ଶିଷ୍ୟ ଏବଂ ଦ୍ୱାଦଶ ଗୋପାଳଙ୍କ ସହ ତାଙ୍କର ଶେଷ ସମୟ ବିତାଇ ଏହି ପଦ୍ମବନ କୁ ହିଁ ନିଜର ସମାଧିସ୍ଥଳ ରୂପେ ସ୍ଥିର କରିଥିଲେ।
ଏକ ଶତ ଅଠେଇଶି ବର୍ଷ ରସିଦ୍ଧ ସାଧକ ଜୀବନ କାଳ ସମାପ୍ତି କରି ମହାପୁରୁଷ ଅଚ୍ୟୁତାନନ୍ଦ ଗଜପତି ମୁକୁନ୍ଦଦେବଙ୍କ ଦଶ ଅଙ୍କରେ ପବିତ୍ର ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ( ଦେବ ସ୍ନାନ ପୂର୍ଣ୍ଣିମା) ଦିନ ଜୀବନ୍ତ ସମାଧି ନେଇଥିଲେ ଏଇ ପୁଣ୍ୟ ଧାମରେ। ତାଙ୍କର ଅମର ଆତ୍ମା ଲୀନ ହୋଇ ଯାଇଥିଲା ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଚରଣରେ । ପାବନ ପଦ୍ମବନ ଆହୁରି ପବିତ୍ର ସ୍ଥଳଟିଏ ହୋଇ ରହିଗଲା କାଳ କାଳକୁ। ନେମାଳ ପଦ୍ମବନ ରେ ସେଇ ବଟବୃକ୍ଷ ମୂଳରେ ଗଢି ଉଠିଲା ତାଙ୍କର ପବିତ୍ର ସମାଧି ଯାହା ଆଜି “ବଟ ଗୋସାଇଁ “ ନାମରେ ସାରା ପୃଥିବୀରେ ଖ୍ୟାତ ।
କାଳକ୍ରମେ ସେଠାରେ ଗଢି ଉଠିଛି ତାଙ୍କର ସମାଧି ମନ୍ଦିର । ପ୍ରବେଶ ଦ୍ୱାର ପରେ ତୋରଣ ପାଖରୁ ସାତ ପାହାଚ ଉପରେ ଶୋଭା ପାଉଛନ୍ତି ମହାପୁରୁଷଙ୍କ ଅମର ଦେହାବଶେଷ । ଚନ୍ଦନ ଚର୍ଚ୍ଚିତ ସମାଧି ଉପରେ ଚିତ୍ରିତ ଦୁଇ ବଡ ବଡ ଚକାଡୋଳା ସୂଚାଇ ଦେଉଛି ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ର ତତ୍ତ୍ଵ , ଶ୍ରୀ ଜଗନ୍ନାଥ ଙ୍କ ମଧ୍ୟରେ ଲୀନ ହୋଇଥିବା ତାଙ୍କର ପବିତ୍ର ଆତ୍ମା ର କଥା। ଦ୍ୱାଦଶ ଗୋପାଳଙ୍କ ସହିତ ରାଧାକୃଷ୍ଣ ମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ସେଠାରେ ମହାପୁରୁଷଙ୍କ ସହିତ। ପ୍ରତି ବର୍ଷ ମାଘ ଶୁକ୍ଳ ଏକାଦଶୀ ତିଥି ରେ ମହାପୁରୁଷଙ୍କ ଜନ୍ମ ତିଥି ଏବଂ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ମହାପୁରୁଷଙ୍କ ପୁଣ୍ୟ ତିଥି ଖୁବ୍ ଯାକଯମକ ରେ ପାଳନ ହୋଇଥାଏ ଏହି ପୀଠରେ। କଥିତ ଅଛି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ କାଳେ ପୁରୀ ଧାମ ତେଜି ନିଜେ ଉପସ୍ଥିତ ହୁଅନ୍ତି ଏହି ଦିନ ନେପାଳ ପଦ୍ମବନ ରେ ଅଚ୍ୟୁତାନନ୍ଦଙ୍କୁ ଦର୍ଶନ ଦେବା ଲାଗି। ସେ ଦିନ ଖୁବ୍ ବଡ ମେଳା ଲାଗେ ଏହି ପୀଠରେ।
ସହସ୍ରାଧିକ ଜନସାଧାରଣ ସାମିଲ ହୋଇ ପୂଜାର୍ଚ୍ଚନା କରି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ମହାପୁରୁଷ ଅଚ୍ୟୁତାନନ୍ଦ ନିଜେ କହିଛନ୍ତି ......
“ ମୋର ସାତ ପାହାଚ ଅତିକ୍ରମ କରି ମୋ’ ସମାଧିସ୍ଥଳକୁ ସାତଥର ପରିକ୍ରମା କରି ଭକ୍ତ ଯାହା ବି ମନୋକାମନା କରିଥାଏ, ମୁଁ ତା’କୁ କେବେହେଁ ନିରାଶ କରେନାହିଁ “।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଲେଖନୀ ଥିଲା ଅମୃତସ୍ରାବୀ । ସେ ନିଜେ ଶୂନ୍ୟ ସଂହିତା ରେ ଲେଖିଛନ୍ତି ତାଙ୍କର ସାରସ୍ୱତ ସୀମା । ସେଥିରେ ରହିଛି ଛତିଶି ସଂହିତା, ଅଠସ୍ତରି ଗୀତା, ସତେଇଶି ବଂଶାନୁଚରିତ, ଚଉଦ ଉପବଂଶାନୁଚରିତ, ଏକ ଶତ ଭବିଷ୍ୟମାଳିକା ସହିତ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ପଦପଦାବଳୀ ଯହିଁରେ କେବଳ ଶ୍ରୀକୃଷ୍ଣ ମହିମା ବର୍ଣ୍ଣିତ ରହିଛି। ସେ ଲେଖିଛନ୍ତି ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ବ ,ଯିଏ ବର୍ଣ୍ଣନା କରେ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ର ଅବସ୍ଥିତି , ଯାହା ଭାରତ ର ଆଉ କେଉଁ ପୁରାଣ ଶାସ୍ତ୍ର ରେ ଦେଖିବାକୁ ମିଳେନାହିଁ । ସେ ତାଙ୍କର ରଣପୁର ରାଜ୍ୟ ରେ ରହଣୀ କାଳରେ ଲେଖିଛନ୍ତି “ହରିବଂଶ” ଯାହା ଆଜି ମଧ୍ୟ ଓଡିଶା ର ପୁରପଲ୍ଲୀ ରେ ବହୁଳ ପ୍ରଚଳିତ । ଛଅ ଶହ ବର୍ଷ ତଳେ ଲିଖିତ ତାଙ୍କର ଭବିଷ୍ୟବାଣୀ “ ଅଚ୍ୟୁତ ଭବିଷ୍ୟତ ମାଳିକା” ଆଜି ମଧ୍ୟ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହେଉଛି ପୃଥିବୀରେ ।ତାଳପତ୍ର ପୋଥି ଆକାରରେ ତାଙ୍କର ସମସ୍ତ ସୃଷ୍ଟି ଏବେ ମଧ୍ୟ ସୁରକ୍ଷିତ ରହିଛି ରାଜ୍ୟ ସଂଗ୍ରହାଳୟରେ ଏବଂ ରାଜ୍ୟର ଅନେକ ଗାଦି ମାନଙ୍କ ରେ। ମହାପୁରୁଷ ଅଚ୍ୟୁତାନନ୍ଦ ଥିଲେ ଅନେକ ଅଲୌକିକ ପ୍ରତିଭାର ଅଧିକାରୀ । କେବେ ସେ ଲିମ୍ବ କୁ ମଧୁର କରିଥିଲେ ତ କେବେ ରଣପୁର ର ଅପୁତ୍ରିକ ରାଜାଙ୍କୁ ପୁତ୍ରଦାନ ଦେଇଥିଲେ, କେବେ ଅନ୍ଧ କୁ ଚକ୍ଷୁଦାନ ଦେଇଥିଲେ ତ କେବେ ନିଜେ ଗଜପତି ପ୍ରତାପରୁଦ୍ର ଦେବଙ୍କୁ ଗଭୀର ବାମ୍ଫି ମଧ୍ୟରୁ ଉଠିଆସି ଚମତ୍କୃତ କରିଥିଲେ । ତାଙ୍କର ଅଲୌକିକତା ସବୁକୁ ଲିପିବଦ୍ଧ କରି ରଖିଛନ୍ତି ତାଙ୍କର ପ୍ରଧାନ ଶିଷ୍ୟ ରାମ ଏବଂ ଭରତ ଙ୍କୁ କହିଥିବା ତାଙ୍କର ବାଣୀରେ।ଏବେ ମଧ୍ୟ ମୁଖ୍ୟ ଶିଷ୍ୟ ରାମ ଦାସଙ୍କର ଗାଦି ରହିଛି ନେପାଳ ପଦ୍ମବନ ର ଅନତିଦୂରରେ “ ମହିମା ଗାଦି” ନାମରେ। ସେଠାରେ ସାଇତା ହୋଇ ରହିଛି ମହାପୁରୁଷଙ୍କର ଅନେକ ପୋଥି । କାଳୀ ମା’ ନାମକ ଜଣେ ବୃଦ୍ଧା ଏହାର ତତ୍ତ୍ୱାବଧାରିକା ଥିବାରୁ ଏହାକୁ ଅନେକ “କାଳୀ ମା’ ଗାଦି” ବୋଲି କହିଥାନ୍ତି। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଲେଖନୀ କହେ ସେ ଥିଲେ ଜାତିସ୍ମର । ସେ ସତ୍ୟ, ତ୍ରେତୟା, ଦ୍ୱାପର, କଳି ଚାରି ଯୁଗରେ ସ୍ୱୟଂ ନାରାୟଣଙ୍କର ସଖା ହୋଇ ଜନ୍ମ ନେଇଛନ୍ତି । ସେ ସତ୍ୟଯୁଗର କୃପାଜଳ, ତ୍ରେତୟା ର ନଳ, ଦ୍ୱାପର ର ସୁବଳ ଏବଂ କଳିରେ ଅଚ୍ୟୁତ ନାମ ଧାରଣ କରିଛନ୍ତି । ସେଥିପାଇଁ ସେ ଦିବ୍ୟଦ୍ରଷ୍ଟା । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହିମା ଅବର୍ଣ୍ଣନୀୟ। ସାଧାରଣ ମଣିଷଙ୍କର ଚିନ୍ତନ ବାହାରେ ତାଙ୍କର ଅଲୌକିକତା । ଆସନ୍ତୁ ଆଜି ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ମଥାନତ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେବା।
ଜୟ ଜଗନ୍ନାଥ, ଜୟ ଶ୍ରୀ ଅଚ୍ୟୁତ !
*==========================*
. *🥀ପ୍ରମତ୍ତ ସନ୍ଥ ବଳରାମ ଦାସ🥀*
*==========================*
ପଞ୍ଚଦଶ ଶତାବ୍ଦୀରେ ଓଡିଶା ର ଜଗନ୍ନାଥ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ସାରା ଭାରତରେ କରିଥିଲେ ଆମର ପୂଜ୍ୟ ପଞ୍ଚସଖା ଶ୍ରୀ ଅଚ୍ୟୁତାନନ୍ଦ ଦାସ, ଶ୍ରୀ ଯଶୋବନ୍ତ ଦାସ, ଶ୍ରୀ ଶିଶୁ ଅନନ୍ତ ଦାସ, ଶ୍ରୀ ଜଗନ୍ନାଥ ଦାସ ଏବଂ ଶ୍ରୀ ବଳରାମ ଦାସ । ପଞ୍ଚସଖା ଙ୍କ ମଧ୍ୟରେ ବୟୋଜ୍ଯଷ୍ଠ ହେଉଛନ୍ତି ସନ୍ଥ ବଳରାମ ଦାସ ।ସର୍ବାଗ୍ରେ ସେ ହିଁ ପୁରୁଷୋତ୍ତମ ଧାମରେ ପାଦ ଦେଇଥିଲେ । ଅନ୍ୟ ଚାରିଜଣ ପରବର୍ତ୍ତୀ ସମୟରେ ଆସି ତାଙ୍କ ସହିତ ମିଳିତ ହୋଇଥିଲେ।
ସନ୍ଥ ବଳରାମ ଦାସ ଥିଲେ ଯୋଗଜନ୍ମା ପୁଣ୍ୟ ପୁରୁଷ । ତତ୍କାଳୀନ କୁସଂସ୍କାର ଗ୍ରସ୍ତ ସମାଜରେ ସଂସ୍କାର ଆଣିବା ପାଇଁ ସେ ରଚନା କରି ଯାଇଛନ୍ତି ଅନେକ ଗୁଡିଏ ଗ୍ରନ୍ଥ ଯେମିତି କି “ବିରାଟ ଗୀତା” ଯହିଁରେ ସେ ମହାଭାରତର ଗୀତା ସଦୃଶ ଜୀବନଧାରଣର ମାନ ଶିକ୍ଷା ଦେଇଛନ୍ତି ଗୀତ ଛଳରେ। ତାଙ୍କ ରଚିତ “ଲକ୍ଷ୍ମୀ ପୁରାଣ “ରେ ସେ ଜାତି ପ୍ରଥାର ବିରୋଧ କରିବା ସହିତ ନାରୀ ଶକ୍ତିର ମହତ୍ତ୍ଵ ପ୍ରତିପାଦିତ କରିଛନ୍ତି । ନାରୀ ନିର୍ଯ୍ୟାତନାର କୁପରିଣାମ ଦର୍ଶାଇବା କରିବା ସହିତ ନାରୀଙ୍କୁ ନିଜର କର୍ତ୍ତବ୍ୟ ବିଷୟରେ ମଧ୍ୟ ସଚେତନ କରାଇଛନ୍ତି । “ବ୍ରହ୍ମାଣ୍ଡ ଭୂଗୋଳ” ରେ ସେ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ର ଦର୍ଶନ କରି ବ୍ରହ୍ମ ଏକାକ୍ଷର ମନ୍ତ୍ର ର ମହିମା ବୁଝାଇଛନ୍ତି । “ଭାବ ସମୁଦ୍ର” ରେ ମଣିଷକୁ ଭାବର ସମୁଦ୍ର ମଧ୍ୟରେ ଲୀନ ହୋଇ ପ୍ରଭୁକୃପା ଲାଭ କରିବାର ବାଟ ମଧ୍ୟ ଦେଖାଇଛନ୍ତି।ସନ୍ଥ ବଳରାମ ଦାସଙ୍କ ଲେଖା ଗୁଡିକ ମୁଖ୍ୟତଃ ସେ ସମୟରେ ଓଡିଶା କୁ କବଳିତ କରି ରଖିଥିବା ଜାତିପ୍ରଥା, କୁସଂସ୍କାର, ସାମାଜିକ ଅସମଞ୍ଜସ୍ୟ ଇତ୍ୟାଦି କୁ ଦୂର କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଜଣାଯାଏ।
ଜଣେ ତତ୍ତ୍ଵଜ୍ଞ ଏବଂ ମୁକ୍ତ ବିଚାରଧାରା ର ସନ୍ଥ ହିସାବରେ ଭକ୍ତ ବଳରାମ ଦାସ ଅଗ୍ରଗଣ୍ୟ । “ ଭାବ ସମୁଦ୍ର “ “ବଟ ଅବକାଶ”, “ଭକ୍ତି ଚନ୍ଦ୍ରିକା”, “ବ୍ରହ୍ମାଣ୍ଡ ଭୂଗୋଳ” “ବିରାଟ ଗୀତା” “ଗୁପ୍ତ ଗୀତା” “ ଭବିଷ୍ୟତ ମାଳିକା” ଏବଂ ଶରୀର ତତ୍ତ୍ୱ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ବ ଇତ୍ୟାଦି ତାଙ୍କର ଏକ ଶହ ଆଠଟି କୃତି ରହିଛି। ତହିଁରୁ ତାଙ୍କ ଦ୍ବାରା ଲିଖିତ ” ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ “ “ ଶ୍ରୀମହାଲକ୍ଷ୍ମୀ ପୁରାଣ” ବା “ମାଣବସା କଥା ” ଓଡିଶା ର ଘରେ ଘରେ ପ୍ରଚଳିତ।
ଏହି ସନ୍ଥ ଙ୍କର ସଠିକ ଜନ୍ମ , ମୃତ୍ୟୁ ବର୍ଷ ବିଷୟରେ ଅନେକ ବାଦାନୁବାଦ ରହିଥିଲେ ମଧ୍ୟ ଅଚ୍ୟୁତାନନ୍ଦଙ୍କ ଲିଖିତ” ଉଦୟ ଗୀତା” ରୁ ଜଣାଯାଏ ଯେ .ଗଜପତି ମହାରାଜ ଶ୍ରୀଶ୍ରୀ ପ୍ରତାପରୁଦ୍ର ଦେବଙ୍କ ରାଜୁତି ସମୟରେ ଚଉଦଶହ ବୟାଅଶୀ ମସିହାରେ ପୁରୀ ନିକଟସ୍ଥ ଗୋପ ବ୍ଲକ୍ ର ସମଗରା ଗ୍ରାମର ବେଦପୁର ଶାସନ ର ଏକ ଦରିଦ୍ର ଶୂଦ୍ର ପରିବାରରେ ପବିତ୍ର ଫାଲଗୁନ ମାସର ଦଶମୀ ତିଥି ( ଦୋଳ ଦଶମୀ) ରେ ଜନ୍ମଗ୍ରହଣ କରିଥିଲେ ବଳରାମ ଦାସ।
ତାଙ୍କ ଜୀବନୀ ରୁ ଜଣାଯାଏ ଯେ ତାଙ୍କର ପିତା ଶ୍ରୀ ସୋମନାଥ ମହାପାତ୍ର ଏବଂ ମାତା ଶ୍ରୀମତୀ ମହାମାୟା ଦେବୀ ଦୀର୍ଘକାଳ ଧରି ସନ୍ତାନ ସୁଖରୁ ବଞ୍ଚିତ ଥିବା କାରଣରୁ ସେହି ଗ୍ରାମରେ ଅବସ୍ଥିତ ପ୍ରଭୁ ବେଲେଶ୍ବର ଙ୍କର ମନ୍ଦିର ରେ ଏକୋଇଶି ଦିନ କାଳ ଅଧିଆ ପଡି ନିର୍ଜଳା ଉପବାସ ରେ ଆରାଧନା କରିଥିଲେ। ପ୍ରଭୁ ବେଲେଶ୍ବର କରୁଣା ରୁ ତାଙ୍କର ପୁତ୍ର ସନ୍ତାନ ଟିଏ ହେଲାପରେ ସେହି ପ୍ରଭୁ ବେଲେଶ୍ବର ଙ୍କର ନାମ ଅନୁସାରେ ତା’ର ନାମ ଦେଇଥିଲେ ବଳରାମ । ଶ୍ରଦ୍ଧାରେ ଡାକୁଥିଲେ “ବଳି” ବୋଲି। ମହାଦେବଙ୍କ ଆଶୀର୍ବାଦ ରୁ ଜନ୍ମ ଦେଇଥିବାରୁ ଅନେକ ଅଲୌକିକ ଘଟଣା ସବୁ ଘଟିଥିଲା ବାଳୁତ ବଳି ଙ୍କ ଜୀବନରେ। ଥରେ ତାଙ୍କ ମାଆ ତାଙ୍କୁ ତେଲ ହଳଦୀ ଲଗାଇ ଘର ଅଗଣା ରେ ଶୁଆଇ ଦେଇ ଘର ଭିତରକୁ କୌଣସି କାମରେ ଯାଇଥିଲେ, ଫେରିବା ବେଳକୁ ଦେଖନ୍ତି ତ ବାଳୁତ ବଳି ର ମୁଣ୍ଡ ଉପରକୁ ଛାଇ କରି ଜଗି ରହିଛି ନାଗ ସାପଟିଏ, ବଳି ତା’ର ଲାଞ୍ଜ କୁ ଧରି ଆନନ୍ଦ ରେ ଖେଳୁଛନ୍ତି । ଭୟ ରେ ମୂର୍ଚ୍ଛା ଗଲେ ମା’ ମହାମାୟା । ଚେତା ଫେରିଲା ବେଳକୁ ଦେଖିଲେ ବଳି ଆରାମରେ ଖେଳୁଛନ୍ତି, ଘରେ ସମସ୍ତଙ୍କୁ ସେଇ କଥା କହିଲେ। ବାପା ସୋମନାଥ କହିଲେ ସେ ଶିବକୃପା ରୁ ଜନ୍ମ ନେଇଛି , ତା’ର କିଛି ହେବନାହିଁ । ସେଇ ଶିବ ତା’ର ରକ୍ଷକ।
ଶିଶୁ ବଳରାମ ପିଲାଦିନେ ଖୁବ୍ ଦୁଷ୍ଟ ଏବଂ କ୍ଷଣକୋପୀ ଥିଲେ। ପିତା ସୋମନାଥ ଗଜପତି ମହାରାଜାଙ୍କର ମନ୍ତ୍ରୀ ହୋଇଥିବା ହେତୁ ସେ ପୁରୀରେ ରହୁଥିଲେ। ବାଳକ ବଳରାମ ମାଆଙ୍କ ପାଖରେ ଗ୍ରାମରେ ରହୁଥିଲେ।ବାଳକ ବଳି ସାଙ୍ଗସାଥୀଙ୍କ ସହିତ ଖେଳରେ ମାତି ପାଠ ପଢାରେ ମୋଟେ ଧ୍ୟାନ ଦେଲେ ନାହିଁ । ତେଣୁ ତାଙ୍କ ବାପା ତାଙ୍କୁ ନିଜ ପାଖକୁ ନେଇଗଲେ ପୁରୀ। ସେଇଠି ରହି ସଂସ୍କୃତ ଟୋଲ୍ ରେ ପାଠପଢା ଆରମ୍ଭ କଲେ ବଳରାମ। ଖୁବ୍ ଶିଘ୍ର ସେ ବେଦବେଦାନ୍ତ , ଉପନିଷଦ, ଶାସ୍ତ୍ର ଇତ୍ୟାଦି ରେ ପାରଙ୍ଗମ ହୋଇ ଉଠିଲେ । ଜାତସ୍ମର ହୋଇଥିବା ହେତୁ ପିଲାଟି ବେଳୁ ସେ ଜାଣି ପାରିଥିଲେ ଯେ ସେ ସତ୍ୟଯୁଗରେ ମାର୍କଣ୍ଡେୟ, ଦ୍ୱାପରଯୁଗରେ ସୁଦାମ, ତ୍ରେତୟା ଯୁଗରେ ସୁଷେଣ ନାମରେ ଜନ୍ମ ନେଇ ସଖା ରୂପେ ପ୍ରଭୁଙ୍କ ସହିତ ଲୀଳାଖେଳା କରିଥିଲେ ଏବଂ ସହି ନିମନ୍ତେ କଳିଯୁଗରେ ସେ ବଳରାମ ରୂପେ ଅବତୀର୍ଣ୍ଣ ହୋଇଥିଲେ। ହରିଭକ୍ତିରେ ସଦା ଲୀନ ରହୁଥିଲେ ବାଳକ ବଳି। ନଅ ବର୍ଷ ବୟସରେ ସେ ନିଜକୁ ବୈଷ୍ଣବ ବୋଲି କହୁଥିଲେ। ସେ ଲେଖିଲେ ...“ ମାଳା ତିଳକ ଯା’ର ନାହିଁ, ସେ ପୁଣି ବୈଷ୍ଣବ ବୋଲାଇ”।
ମାତ୍ର ତେର ବର୍ଷ ବୟସରେ ସେ ଗୃହତ୍ୟାଗ କରି ବିଧିବଦ୍ଧ ଭାବେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ଶ୍ରୀଜଗନ୍ନାଥଙ୍କ ପାଖରେ ରହି ନାମ ସଂକୀର୍ତ୍ତନ କରିବା ସହିତ ଅନେକ ଭଜନ, ଜଣାଣ, ଚଉତିଶା ରଚନା କରିଥିଲେ। ପନ୍ଦରଶହ ଦଶ ମସିହା ରେ ଶ୍ରୀଚୈତନ୍ଯଙ୍କ ଓଡିଶା ଆଗମନ କାଳରେ ତାଙ୍କର ଭାବଧାରାରେ ଅନୁପ୍ରାଣିତ ହୋଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ବଳରାମ ଦାସ। ସେତେବେଳକୁ ପନ୍ଦରଶହ ସାତ ମସିହାରେ ସେ ଲେଖି ସାରିଥିଲେ ଥିଲେ ତାଙ୍କ ଜୀବନର ଶ୍ରେଷ୍ଠ ଗ୍ରନ୍ଥ “ ଜଗମୋହନ ରାମାୟଣ” ଯାହା ଦାଣ୍ଡି ବୃତ୍ତ ରେ ଲେଖା ହୋଇଥିବା ହେତୁ “ଦାଣ୍ଡି ରାମାୟଣ” ନାମରେ ଓଡିଶା ର କୋଣ ଅନୁକୋଣରେ ପ୍ରସିଦ୍ଧି ଲାଭ କରିଥିଲା । ସେ ପର୍ଯ୍ୟନ୍ତ ବାଲ୍ମିକୀଙ୍କର ସଂସ୍କୃତ ରାମାୟଣ କୁ ଅନ୍ୟ କୌଣସି ଭାଷାରେ ଅନୁବାଦ କରିବା ପାଇଁ କେହି ସାହସ କରି ନଥିଲେ । ସେଥିପାଇଁ ତାଙ୍କୁ ଓଡିଶା ର ବାଲ୍ମିକୀ ବୋଲି ଆଖ୍ୟା ଦିଆଯାଏ।
ଶ୍ରୀ ଚୈତନ୍ଯଙ୍କର ଅନୁଗାମୀ ହୋଇ ସେ ତାଙ୍କର ଅନ୍ୟ ଚାରି ସଖାଙ୍କ ସହିତ ମିଳିତ ହୋଇଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ସେମାନେ ପଞ୍ଚସଖା ନାମରେ ନାମିତ ହୋଇ ସାରା ଭାରତ ଭ୍ରମଣ କରି ଓଡିଶା ର କୋଣ ଅନୁକୋଣରେ ମଠ ବା ଟୁଙ୍ଗୀ ସ୍ଥାପନ କରି ଅନେକ ଶିଷ୍ୟ ଗ୍ରହଣ କରିଥିଲେ। ସେଇ ଶିଷ୍ୟ ମାନଙ୍କ ମାଧ୍ୟମରେ ସେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିଲେ । କଥିତ ଅଛି ଯେ ବଳରାମ ଦାସଙ୍କର ଷୋହଳ ଜଣ ପ୍ରମୁଖ ଶିଷ୍ୟ ରହିଥିଲେ। ତନ୍ମଧ୍ୟ ରୁ ତାଙ୍କର ପ୍ରିୟ ଶିଷ୍ୟ ଥିଲେ ହରିଦାସ ଏବଂ ମଲ୍ଲ।
ସବୁ ସଦଗୁଣ ଥିବା ସତ୍ତ୍ବେ ମଧ୍ୟ କ୍ଷଣକୋପୀ ଏବଂ ସ୍ପଷ୍ଟବାଦୀ ହୋଇଥିବାରୁ ପୁରୀ ର କିଛି ପଣ୍ଡା ପଢିହାରୀ ମାନେ ତାଙ୍କୁ ପସନ୍ଦ କରୁନଥିଲେ। କେହି କେହି କହନ୍ତି ତାଙ୍କର ଲୋକପ୍ରିୟତା ରେ ଅସହିଷ୍ଣୁ ହୋଇ ଅନେକେ ତାଙ୍କ ନାମରେ ଅନେକ କୁତ୍ସାରଟନା କରୁଥିଲେ । ନିଜେ ହରି ନାମ ରେ ସର୍ବଦା ମଗ୍ନ ରହି ସେ ନିଜକୁ “ମତ୍ତ ବଳରାମ ଦାସ “ ବୋଲି କହୁଥିଲେ । ପୁରୀ ଚୂଡଙ୍ଗ ସାହିର ଜଣେ ମହିଳା ଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିବା ହେତୁ ସେ ଅଧିକାଂଶ ସମୟରେ ତାଙ୍କ ପାଖରେ ବିତାଉଥିଲେ। ନିନ୍ଦୁକ ମାନଙ୍କ ମୁଖରେ ସେ ଜଣେ ମଦ୍ୟପ ଏବଂ ବେଶ୍ୟାଶକ୍ତ ବୋଲି ଖୁବ୍ ପ୍ରଚାରିତ ହେଉଥିଲା। ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ କାନରେ ଏ କଥା ପକାଇ ତାଙ୍କୁ ଶ୍ରୀମନ୍ଦିର ଭିତରେ ପୁରେଇ ନ ଦେବା ପାଇଁ ଷଡଯନ୍ତ୍ର ଚାଲିଥିଲା। ଦିନେ ବଳରାମ ଦାସ ଲୁଚି ଲୁଚି ମନ୍ଦିର ଭିତରେ ପଶିଲେ ଏବଂ ରାତି ପହୁଡ ପରେ ପ୍ରଭୁ ଜଗନ୍ନାଥ ଏବଂ ମାଆ ମହାଲକ୍ଷ୍ମୀଙ୍କ ଲୀଳା ଖେଳା ଦେଖିବା ପାଇଁ ଗରୁଡ ସ୍ତମ୍ଭ ପଛ ପଟରେ ଲୁଚିରହିଲେ । କଥିତ ଅଛି ଯେ ତହିଁଆର ଦିନ ସ୍ୱୟଂ ମହାଲକ୍ଷ୍ମୀ ରୁଷ୍ଟ ହୋଇ ବଳରାମ ଦାସ ଙ୍କୁ ତାଙ୍କ ଜୀବଦ୍ଦଶାରେ ଶ୍ରୀମନ୍ଦିର ନମାଡିବା ଲାଗି ଆଦେଶ ଦେଇଥିଲେ ।
ଥରେ ରଥଯାତ୍ରା ସମୟରେ ସେ ଅଶୌଚ ଭାବରେ ନନ୍ଦିଘୋଷ ରଥରେ ଚଢିବା ପାଇଁ ଚେଷ୍ଟା କରୁଥିଲା ବେଳେ ପଣ୍ଡା ମାନଙ୍କ ହାତରେ ଧରାପଡିଲେ। ସେମାନେ ଘୋଷାଡି ଓଟାରି ତାଙ୍କୁ ମାଡମାରି ବାହାର କରିଦେଲେ ସେଠାରୁ। ସେବାୟତମାନଙ୍କ ଦ୍ଵାରା ଲାଞ୍ଛିତ ଅପମାନିତ ହୋଇ କାନ୍ଦି କାନ୍ଦି ସେ ପହଞ୍ଚିଥିଲେ ବାଙ୍କୀ ମୁହାଁଣ ରେ। ସେଇଠି ବାଲୁକା ଶଯ୍ୟା ରେ ଭକ୍ତି ସହକାରେ ଗଢିଥିଲେ ତିନୋଟି ରଥ ଏବଂ ତାଙ୍କ ରଥରେ ବିଜେ କରିବା ଲାଗି ଆକୁଳ ପ୍ରାର୍ଥନା କରିଥିଲେ ଶ୍ରୀଜଗନ୍ନାଥଙ୍କୁ । ଭକ୍ତ ର ଅଚଳା ଭକ୍ତି ରେ ସନ୍ତୁଷ୍ଟ ହୋଇ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ଛାଡି ବଳରାମ ଦାସ ଙ୍କ ବାଲି ରଥରେ ବିଜେ ହୋଇଥିଲେ। ଏପଟେ ବଡଦାଣ୍ଡ ରେ ନନ୍ଦିଘୋଷ ରଥ ନଚଳିବାରୁ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମେତ ସମସ୍ତ ସେବାୟତମାନେ ବିଚଳିତ ହୋଇ ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରନ୍ତେ ପ୍ରଭୁ ଶୂନ୍ୟବାଣୀ କରିଥିଲେ “ମୋ’ ଭକ୍ତ ବଳରାମ ଦାସଙ୍କୁ ତୁମ ପଣ୍ଡାଏ ମାଡମାରି ଅପମାନିତ କରିଛନ୍ତି, ତାଙ୍କୁ କ୍ଷମା ପ୍ରାର୍ଥନା କରି ନନ୍ଦିଘୋଷ କୁ ଆଣିଲେ ଯାଇ ରଥ ଚଳିବ , ନହେଲେ ନାହିଁ “।ଗଜପତି ମହାରାଜା ନିଜର ଦୋଷ ସ୍ୱୀକାର କରି ବାଙ୍କୀ ମୁହାଁଣ କୁ ଯାଇ ବଳରାମ ଦାସଙ୍କୁ କ୍ଷମା ଯାଚନା କରି ସସମ୍ମାନେ ନିମନ୍ତ୍ରଣ କରି ଆଣିଥିଲେ ନନ୍ଦିଘୋଷ କୁ । ତାଙ୍କୁ ଶ୍ରୀମନ୍ଦିର ରେ ସେବା କରିବାର ଅଧିକାର ଦେଲେ।
ବଳରାମ ଦାସ ଙ୍କୁ ସିନା ଗଜପତି ମହାରାଜା ନିମନ୍ତ୍ରଣ କରିଦେଲେ ଶ୍ରୀମନ୍ଦିର କୁ, ହେଲେ ମହା ଅଭିମାନୀ ବଳରାମ ଦାସ ଆଉ ପୁରୀରେ ନିବାସ କଲେନାହିଁ। ସେ ପୁରୀ ତ୍ୟାଗ କରି ନିଜ ଗ୍ରାମ ଏରବଙ୍ଗ ଠାରେ ତୁଳସୀ ଚଉରା ବୋଲି ମଠ ଟିଏ ସ୍ଥାପନ କରି ସେଇଠି ରହି ଜଗନ୍ନାଥଙ୍କ ଆରାଧନା କରିଥିଲେ । ଶେଷଜୀବନ ପର୍ଯ୍ୟନ୍ତ ସେ ସେହିଠାରେ ଶିଷ୍ୟ ମାନଙ୍କ ସହିତ ଅବସ୍ଥାନ କରି ଜଗନ୍ନାଥ ସଂସ୍କୃତିର ମହାନତା ବୃଦ୍ଧି କରିବାର ପ୍ରଚେଷ୍ଟା ରତ ହେଲେ। ସଖା ମାନଙ୍କ ସହ ଧର୍ମ ପ୍ରଚାର କରିବାକୁ ଗ୍ରାମ ଗ୍ରାମ, ନଗର ନଗର ପରିକ୍ରମା କରି ଭାଗବତ ଟୁଙ୍ଗୀମାନ ସ୍ଥାପନ କଲେ। ଶୁଣାଯାଏ ନିଜ ସଖାମାନଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା ଏବଂ ପ୍ରତିଦିନ ରାତିରେ ସେମାନଙ୍କର ଆଶରୀରୀ ସାକ୍ଷାତ ହେଉଥିଲା। ସେହି ମଠରେ ଥିବା ପଞ୍ଚଶାଖାଯୁକ୍ତ ନିମ୍ଵଗଛଟିଏ ଆଜି ମଧ୍ୟ ତା’ର ମୂକ ସାକ୍ଷୀ ହୋଇ ରହିଛି।
କଥିତ ଅଛି ଯେ ବଳରାମ ଦାସ ଙ୍କ ଶେଷ ସମୟ ଉପସ୍ଥିତ ହେବା ପୂର୍ବରୁ ସେ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଥିଲେ ଥରେ ମାତ୍ର ଆସି ତାଙ୍କୁ ସେଇଠି ଦର୍ଶନ ଦେବା ଲାଗି। ଭକ୍ତ ର ଗୁହାରି ଶୁଣି ଶ୍ରୀଜଗନ୍ନାଥ, ମା’ ଲକ୍ଷ୍ମୀ ଙ୍କୁ ସାଥିରେ ନେଇ ଆସି ସେହି ମଠରେ ଦର୍ଶନ ଦେଇଥିଲେ ବଳରାମ ଦାସ ଙ୍କୁ । ମା’ ଲକ୍ଷ୍ମୀ ତାଙ୍କୁ କହିଥିଲେ “ ଦେଖିଲୁ ତ ବଳି, ମୋ ଅଭିଶାପ ରୁ ମୃତ୍ୟୁ ପର୍ଯ୍ୟନ୍ତ ପୁରୀ କୁ ଯାଇ ପାରିଲୁନି “। ବଳରାମ ଉତ୍ତର ଦେଇଥିଲେ “ ଦେଖି ପାରୁନୁ କି ଟେରି ! ପୁରୀ ପରା ସ୍ବୟଂ ମୋ ପାଖରେ ହାଜର ହୋଇଛି, ତୁ ଆସିଛୁ, ମୋ ପ୍ରଭୁ ଆସିଛନ୍ତି ଏଠିକି, ଇଏ ପୁରୀ ନୁହେଁ ତ ଆଉ କ’ଣ “?। ଏମିତି ଥିଲା ତାଙ୍କର ଭକ୍ତିର ଶକ୍ତି।
ଶେଷରେ ଆଷାଢ ଶୁକ୍ଳ ତ୍ରୟୋଦଶୀ( ଅନଙ୍ଗ ତ୍ରୟୋଦଶୀ) ଦିନ ବ୍ରହ୍ମସମାଧି ରେ ବସି ବ୍ରହ୍ମଲୀନ ହୋଇଥିଲେ ଭାବ ଭକ୍ତି ରେ ପ୍ରମତ୍ତ ଭକ୍ତ ବଳରାମ ଦାସ । ତାଙ୍କ ଭକ୍ତି ର ସ୍ୱାକ୍ଷର ଚିରକାଳ ପାଇଁ ଜାଜଲ୍ୱମାନ ହୋଇ ରହିଛି ପୁରୀ ଜିଲ୍ଲା ର ସମଗରା ଆଉ ଏରବଙ୍ଗ ଗ୍ରାମରେ ।
ଜୟ ଜଗନ୍ନାଥ, ଜୟ ଶ୍ରୀ ବଳରାମ ଦାସ!
*==========================*
. *🥀ଅତିବଡି ଜଗନ୍ନାଥ ଦାସ🥀*
*==========================*
ପଞ୍ଚଦଶ ଶତାବ୍ଦୀରେ ବିଭିନ୍ନ ଧର୍ମ ର ଅଭ୍ୟୁଦୟ ହେତୁକ ମତାନୈକ୍ୟ, ଦାରିଦ୍ର୍ଯ ଅଶିକ୍ଷା, କୁସଂସ୍କାର ରେ ପୀଡିତ ଓଡିଶା ର ଜନସାଧାରଣଙ୍କ ଧର୍ମଧାରଣା କୁ ସୁଦୃଢ କରିବା ପାଇଁ, ଓଡିଶା ର ପ୍ରାଣବିନ୍ଦୁ ଶ୍ରୀଜଗନ୍ନାଥଙ୍କ ମହିମା କୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇ ସନାତନ ଧର୍ମ ର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ପାଇଁ ଯେଉଁ ପାଞ୍ଚଜଣ ଓଡିଆ ପୁଅ ଏକତ୍ରିତ ହୋଇଥିଲେ , ସେମାନେ ଜଗନ୍ନାଥ ଙ୍କର ପଞ୍ଚସଖା ନାମରେ ପରିଚିତ ଶ୍ରୀ ଜଗନ୍ନାଥ ଦାସ, ଶ୍ରୀ ବଳରାମ ଦାସ, ଶ୍ରୀ ଅନନ୍ତ ଦାସ, ଶ୍ରୀ ଯଶୋବନ୍ତ ଦାସ ଏବଂ ଶ୍ରୀ ଅଚ୍ୟୁତାନନ୍ଦ ଦାସ। ଓଡିଶା ର ବିଭିନ୍ନ ଗ୍ରାମାଞ୍ଚଳରେ ଜନ୍ମ ନେଇଥିଲେ ମଧ୍ୟ ଶ୍ରୀକ୍ଷେତ୍ର ପୁରୀ ରେ ସମ୍ମିଳିତ ହୋଇଥିଲେ। ଜାତସ୍ମର ହୋଇଥିବା ହେତୁ ଜାଣି ପାରିଥିଲେ ଯେ ଯୁଗେ ଯୁଗେ ସେମାନେ ପ୍ରଭୁଙ୍କ ସଖା ଭାବରେ ଅବତୀର୍ଣ୍ଣ ହୋଇଆସିଛନ୍ତି ଧରା ପୃଷ୍ଠରେ ପ୍ରଭୁଙ୍କ ସହିତ ଲୀଳାଖେଳା କରିବା ନିମନ୍ତେ । ପ୍ରଭୁଙ୍କ ଗୁଣ କିର୍ତ୍ତନ କରି , ପ୍ରଭୁଙ୍କ ମହିମାକୁ ପ୍ରଚାର ପ୍ରସାର କରି ବିଭିନ୍ନ ଅଲୌକିକ ଲୀଳା କରିବା ସହ ସମାଜ ର ହିତସାଧନ ନିମିତ୍ତ ଅନେକ ଅନେକ ଉପଦେଶ ଦେଇ ଯାଇଛନ୍ତି, ଜୀବନ ଧାରଣର ବିଧି ଶିଖାଇଛନ୍ତି, ଶରୀରସାଧନା ମାଧ୍ୟମ ରେ ବିଭୁପ୍ରାପ୍ତି ର ମାର୍ଗ ପ୍ରଦର୍ଶନ କରାଇଛନ୍ତି ବିଭିନ୍ନ ଗ୍ରନ୍ଥ ଆକାରରେ। ପାଞ୍ଚଶହ ବର୍ଷ ପୂର୍ବେ ସେମାନଙ୍କ ଦ୍ବାରା ରଚିତ ଭବିଷ୍ୟତ ମାଳିକା ଆଜି ମଧ୍ୟ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହେଉଛି। ସେମାନଙ୍କ ସେସମୟର ଜୀବନ ଦର୍ଶନ ଆଜି ମଧ୍ୟ ସାଧାରଣ ମଣିଷଙ୍କୁ ଅସାଧାରଣ ଜୀବନୀ ଶକ୍ତି ଯୋଗାଉଛି, ମାର୍ଗ ଦର୍ଶନ କରାଉଛି।ଆପଣ ମାନେ କାହାଣୀ ପଢୁଛନ୍ତି ଜୟ ଶ୍ରୀକୃଷ୍ଣ ହ୍ଵାଟ୍ସଆପ୍ ଗୃପ ରେ।
କୋଟି ଓଡିଆ ର ମଉଡମଣି କୋଟି କୈବଲ୍ୟନାଥ ଶ୍ରୀଜଗନ୍ନାଥଙ୍କ ସେହି ପ୍ରିୟ ସଖା ମାନେ ଆମ ଓଡିଆ ଜାତି ର ଅମୂଲ୍ୟ ରତ୍ନ, ହୀରା,ମୋତି,ମଣି ମାଣିକ୍ୟ । ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ମଣି ହେଲେ ଶ୍ରୀ ଜଗନ୍ନାଥ ଦାସ ଯିଏ ସଂସ୍କୃତ ଭାଷାରେ ରଚିତ ବ୍ୟାସଦେବ ଙ୍କର ଶ୍ରୀମଦ୍ ଭାଗବତ କୁ ଓଡିଆ ଭାଷା ରେ ରଚନା କରି ଆମ ରାଜ୍ୟର ସନ୍ଥ ସାହିତ୍ୟ ର ମଉଡମଣି ହୋଇଛନ୍ତି। ଶ୍ରୀ ଜଗନ୍ନାଥ ଦାସ ଙ୍କ ସଠିକ୍ ଜନ୍ମ ସମୟ ନିର୍ଦ୍ଧିଷ୍ଟ ଭାବରେ କେଉଁଠି ଉଲ୍ଲେଖ ନଥିଲେ ମଧ୍ୟ ସମକାଳୀନ ଇତିହାସ ରୁ ଜଣାଯାଏ ଯେ ସେ ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କ ରାଜତ୍ଵ କାଳରେ ଚଉଦଶହ ସତାଅଶୀ ମସିହା ରେ ପୁରୀର କପିଳେଶ୍ୱରପୁର ଶାସନ ଅନ୍ତର୍ଗତ କପିଳପ୍ରସାଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପିତାଙ୍କ ନାମ ଥିଲା ଶ୍ରୀ ଭଗବାନ ଦାଶ ଏବଂ ମାତାଙ୍କ ନାମ ଥିଲା ପଦ୍ମାବତୀ। ଭଗବାନ ଦାଶ ଙ୍କ ସାତପୁରୁଷ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନିରର ପୁରାଣପଣ୍ଡା ଭାବରେ କାର୍ଯ୍ୟ କରି ଆସୁଥିଲେ, ତେଣୁ ଭଗବାନ ଦାଶ ମଧ୍ୟ ସେହି କାର୍ଯ୍ୟରେ ନିଯୁକ୍ତ ଥିଲେ।ଅନେକ ଦିନ ଧରି ସନ୍ତାନ ସନ୍ତତି ନହେବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଶ୍ରୀଜଗନ୍ନାଥଙ୍କୁ ଗୁହାରି କରିଥିଲେ ସନ୍ତାନ ଟିଏ ପାଇଁ। ଶ୍ରୀଜଗନ୍ନାଥଙ୍କ କୃପାରୁ ଭାଦ୍ରବ ମାସର ପବିତ୍ର ରାଧାଷ୍ଟମୀ ତିଥିରେ ତାଙ୍କର ପୁତ୍ର ସନ୍ତାନ ଟିଏ ହୋଇଥିଲା, ତେଣୁ ପିତାମାତା ନାମ ଦେଇଥିଲେ ” ଜଗନ୍ନାଥ ଦାସ “।ଚାରିବର୍ଷ ରେ କର୍ଣ୍ଣ ଭେଦ ଏବଂ ଆଠ ବର୍ଷରେ ବ୍ରତପୋନୟନ ହୋଇଥିଲା ଜଗନ୍ନାଥ ଙ୍କର। ସେଇ ସମୟ ମଧ୍ୟରେ ସେ ବେଦ ଉପନିଷଦ , ଅଷ୍ଟାଦଶ ପୁରାଣ ଆଦିରେ ପାରଙ୍ଗମ ହୋଇ ସାରିଥିଲେ । ସେ ସମୟର ପ୍ରଚଳିତ ପ୍ରଥା ଅନୁଯାୟୀ ବାର ବର୍ଷ ରେ ତାଙ୍କର ବାଲ୍ୟ ବିବାହ ମଧ୍ୟ କରି ଦିଆ ଯାଇଥିଲା। କିନ୍ତୁ ଜଗନ୍ନାଥ ତ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମଭକ୍ତ । ରାଧାଷ୍ଟମୀ ରେ ଜନ୍ମ ହୋଇଥିବାରୁ ରାଧାରାଣୀଙ୍କ ଭାବ ନେଇ ସେ ସଦା ସର୍ବଦା ଜଗନ୍ନାଥଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ଦେଖୁଥିଲେ ଏବଂ ତାଙ୍କରି ପ୍ରେମରେ ତଲ୍ଲୀନ ହୋଇ ଗୃହତ୍ୟାଗ କରି ଶ୍ରୀକ୍ଷେତ୍ରବାସୀ ହୋଇଥିଲେ। ପିତା ଭଗବାନ ଦାଶ ଙ୍କ ପାଖରେ ରହି ନିତ୍ୟ ଶ୍ରୀମନ୍ଦିର ଆସି କଳ୍ପବଟ ମୂଳରେ ବଟଗଣେଶ ଙ୍କ ପାଖରେ ବସି ଧ୍ୟାନ କରୁଥିଲେ ଶ୍ରୀଜଗନ୍ନାଥଙ୍କୁ।
ଖୁବ୍ ଅଳ୍ପ ବୟସରେ ତାଙ୍କର ପିତୃ ବିୟୋଗ ଘଟିଥିଲା ଏବଂ ବଂଶାନୁକ୍ରମିକ ଭାବରେ ସେ ଶ୍ରୀମନ୍ଦିର ର ପୂଜାପଣ୍ଡା ରୂପେ ନିଯୁକ୍ତ ହୋଇଥିଲେ। ଗ୍ରାମ ରୁ ବିଧବା ମାତାଙ୍କୁ ଆଣି ପାଖରେ ରଖିଥିଲେ। ସେ ସମୟରେ ପୁରୀର ପ୍ରତ୍ୟେକ ବିଧବା ବ୍ରାହ୍ମଣୀ ଦିନରେ ବକ୍ତଟିଏ ବଡଦେଉଳର ହବିଷ୍ୟାନ୍ନ ଭୋଜନ କରି ସନ୍ଧ୍ୟା ରେ ଶ୍ରୀମଦ୍ ଭାଗବତ ଶୁଣିବା ର ପ୍ରଥା ରହିଥିଲା। ବ୍ୟାସଦେବଙ୍କ ଶ୍ରୀମଦ୍ ଭାଗବତ ସଂସ୍କୃତରେ ଲେଖା ହୋଇଥିବାରୁ ସମସ୍ତଙ୍କର ବୋଧଗମ୍ୟ ହେଉନଥିଲା । ପୁଣି ଜଗନ୍ନାଥ ଙ୍କର ମାତା ପଦ୍ମାବତୀ ଅଶିକ୍ଷିତା ଥିବାରୁ ମୋଟେ ବୁଝି ପାରୁନଥିଲେ ସେ ସବୁ ଶ୍ଳୋକ ର ଅର୍ଥ। କିନ୍ତୁ ତାଙ୍କର ଆଗ୍ରହ ଥିଲା ସବୁ ଜାଣିବା ପାଇଁ । ସେ ଅର୍ଥାଭାବରୁ ବିଶେଷ ଦକ୍ଷିଣା ମଧ୍ୟ ଦେଇ ପାରୁନଥିଲେ ପଣ୍ଡିତ ଙ୍କୁ । ସବୁବେଳେ ଅନୁରୋଧ କରୁଥିଲେ ପଣ୍ଡିତଙ୍କୁ ଟିକିଏ ଓଡିଆ ଭାଷା ରେ ସରଳ କରି ବୁଝାଇ ଦେବାକୁ । ପଣ୍ଡିତ କେବେ କେବେ ଦୟାକରି ବୁଝାଇ ଦେଉଥିଲେ ତ ଆଉ କେତେବେଳେ ମନା କରି ଦେଉଥିଲେ ତାଙ୍କୁ।ଆପଣ ମାନେ କାହାଣୀ ପଢୁଛନ୍ତି ଜୟ ଶ୍ରୀକୃଷ୍ଣ ହ୍ଵାଟ୍ସଆପ୍ ଗୃପ ରେ।
ସେଦିନ କିନ୍ତୁ ପଣ୍ଡିତଙ୍କର କ’ଣ ହୋଇଥିଲା କେଜାଣି ଖୁବ୍ ରୁକ୍ଷ ସ୍ୱରରେ ସେ ଭର୍ତ୍ସନା କରି କହିଲେ ପଦ୍ମାବତୀ ଙ୍କୁ “ କିଛି ତ ବୁଝି ପାରୁନ , କାହିଁକି ଆସୁଛି ଏଠିକି? ମୁଁ ସଂସ୍କୃତ ପଣ୍ଡିତ, ଏତେ ଓଡିଆ ଭାଷା ରେ ବୁଝେଇ ପାରିବିନି ତୁମକୁ, ହୁଁ...ଅଣ୍ଟାରେ କଉଡି ଗୋଟିଏ ନାହିଁ, ଆସିଲା ଭାଗବତ ଶାସ୍ତ୍ର ଶୁଣିବାକୁ” !
ସର୍ବ ସମକ୍ଷରେ ଏ ଅପମାନ ଖୁବ୍ ବାଧିଲା ପଦ୍ମାବତୀଙ୍କୁ ...କାନ୍ଦି କାନ୍ଦି ଘରକୁ ଫେରି ଆସିଲେ ସେ। ଘରେ ଶୋଇ ତକିଆରେ ମୁହଁ ମାଡି ସେମିତି କାନ୍ଦୁଥାନ୍ତି । ରାତିରେ ଶ୍ରୀମନ୍ଦିରରୁ ପୁରାଣ ପଢା ସାରି ଫେରିଲେ ଜଗନ୍ନାଥ। ମାଆଙ୍କୁ ଏମିତି ବିକଳ ହୋଇ କାନ୍ଦୁଥିଲା ଦେଖି ବ୍ୟସ୍ତ ହୋଇ ପଚାରିଲେ “ କ’ଣ ହୋଇଛି “ ବୋଲି । ପଦ୍ମାବତୀ ସକଳ ଘଟଣା ଶୁଣାଇଦେଲେ ପୁଅକୁ ଆଉ କହିଲେ “ ବାପାରେ! ତୁ’ ତ ଆମର ଏତେ ପାଠ ପଢିଛୁ, ସେଇ ସଂସ୍କୃତ ଭାଷାରେ ଲେଖା ହୋଇଥିବା ଭାଗବତ କୁ ଟିକିଏ ଆମ ଓଡିଆ ଭାଷାରେ ଲେଖି ଦିଅନ୍ତୁ ନାହିଁ ? ତାହାହେଲେ ଖାଲି ମୁଁ କାହିଁକି ! ମୋ’ଭଳି ଆମର ଅନେକ ମଣିଷ ସହଜରେ ବୁଝି ପାରନ୍ତେ ତା’କୁ। ଆଉ ଆମକୁ ସେ ପଣ୍ଡିତଙ୍କର ଗଞ୍ଜଣା ସହିବାକୁ ପଡନ୍ତା ନାହିଁ “। କଥା ଟି ଖୁବ୍ ଆନ୍ଦୋଳିତ କଲା ଜଗନ୍ନାଥ ଦାସ ଙ୍କୁ । ମନେ ମନେ ସେ ସିଦ୍ଧାନ୍ତ କଲେ ବ୍ୟାସଦେବଙ୍କ ରଚିତ ସଂସ୍କୃତ ଭାଗବତ ର ଓଡିଆ ରୂପାନ୍ତରଣ କରିବା ପାଇଁ । ହେଲେ ଶ୍ରୀ ଜଗନ୍ନାଥଙ୍କ କୃପାରୁ ବିନା ତାହା କ’ଣ ସମ୍ଭବ ? ପରଦିନ ବଡ ଦେଉଳରେ ଯାଇଁ ସେ ବସିଲେ ବଟଗଣେଶ ଙ୍କ ସମ୍ମୁଖରେ । ନୀଳଚକ୍ରକୁ ଚାହିଁ ପ୍ରାର୍ଥନା କଲେ ନିଳାଦ୍ରୀବିହାରୀ ଙ୍କୁ “ ପ୍ରଭୁ! ମୁଁ ତ’ ମୂଢ ଅଜ୍ଞାନ ଟିଏ, ତୁମ ଆଜ୍ଞା ବିନା କେମିତି ଲେଖିବି କ’ଣ? ତୁମେ ସହାୟ ହୁଅ ପ୍ରଭୁ ! ପଥ ଦେଖାଅ !” । ତା’ପରେ ଯାହା ଘଟିଲା ତାହା ଇତିହାସ ହୋଇ ରହିଗଲା କାଳ କାଳ କୁ। ଅବିରାମ ଗତିରେ ଚାଲିଥିଲା ତାଙ୍କର ଲେଖନୀ , ସୃଷ୍ଟି କରିଥିଲା ନବାକ୍ଷରୀ ଛନ୍ଦ ରେ ଦ୍ୱାଦଶ ଅଧ୍ୟାୟ ସମ୍ବଳିତ ଓଡିଆ ଭାଗବତ , ଯାହା ତାଙ୍କର ସର୍ବଶ୍ରେଷ୍ଠ ଗ୍ରନ୍ଥ ।
ଭାଗବତ ର ପ୍ରତ୍ୟେକ ଟି ଅକ୍ଷର ର ବିଶେଷତ୍ୱ ରହିଛି । ଯଥା ଭ- ରେ ଭାବ, ଗ- ରେ ଜ୍ଞାନ, ବ- ବୈରାଗ୍ୟ, ତ- ରେ ତତ୍ତ୍ୱ । ଅତିବଡି ଶ୍ରୀଜଗନ୍ନାଥ ଦାସ ଙ୍କ ରଚିତ ଭାଗବତ କେବଳ ବ୍ୟାସଦେବ ଙ୍କର ମୂଳ ସଂସ୍କୃତ ଭାଗବତ ର ଆକ୍ଷରିକ ଅନୁବାଦ ନୁହେଁ ବରଂ ଏହା ତାହାର ଏକ ଅନୁଶୀଳନ କହିଲେ ଅତ୍ୟୁକ୍ତି ହେବନାହିଁ । ଏଥିରେ ବିଭିନ୍ନ ଆଖ୍ୟାୟିକା ଆକାରରେ ଓଡିଶା ର ଜାତୀୟ ଜୀବନ, ଇତିହାସ,ଭୂଗୋଳ କୁ ମଧ୍ୟ ପ୍ରଦର୍ଶନ କରାଇଛନ୍ତି। ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ ଭାଗବତ ପ୍ରତ୍ୟେକ ଓଡିଆ ର ଜୀବନରେ ସୁଖ ଦୁଃଖ ର ସାଥୀ ଏବଂ ମୃତ୍ୟୁ କାଳରେ ସେ ମୋକ୍ଷ ର ସାଥୀ। ଓଡିଶା ରେ ଏମିତି କୌଣସି ଗାଆଁ ନଥିବ ଯେଉଁ ଗାଆଁ ରେ ଭାଗବତ ଗାଦି ଟିଏ ନଥିବ , ଏମିତି କୌଣସି ଘରଟିଏ ନଥିବ ଯେଉଁଠି ମରଣାପନ୍ନ ମଣିଷ ଟିଏ ପାଖରେ ତା’ର ଶେଷ ସମୟରେ ଭାଗବତ ର ଅଧ୍ୟାୟ ଟିଏ ବୋଲା ହେଉ ନଥିବ। ପ୍ରତିଟି ଓଡିଆର ଅସ୍ଥିମଜ୍ଜା ରେ ମିଶି ରହିଛି ଭାଗବତ ର ସାରାଂଶ । ଜଗନ୍ନାଥ ଦାସ ଏବଂ ରଚିତ ଶ୍ରୀମଦ୍ ଭାଗବତ କୁ ନେଇ ରହିଛି ଅନେକ ଅଲୌକିକ ଘଟଣା । ସେମିତି କିଛି ଘଟଣା ...
ଗଜପତି ମହାରାଜ ପ୍ରତାପରୁଦ୍ର ଦେବ ସିନା ଜଗନ୍ନାଥ ଦାସଙ୍କ ଜଗନ୍ନାଥ ଭକ୍ତି ଦେଖି ଆଦର କରି ତାଙ୍କୁ ଶ୍ରୀମନ୍ଦିର ରେ ପୁରାଣପଣ୍ଡା ଭାବରେ ନିଯୁକ୍ତ କଲେ ହେଲେ ପୁରୀର ପଣ୍ଡା ପଢିହାରୀ ମାନେ ତାଙ୍କୁ ସହ୍ୟ କରି ପାରୁନଥିଲେ। ସେମାନେ ବିଭିନ୍ନ ପ୍ରକାର ଉପାୟ କରୁଥିଲେ ରାଜାଙ୍କ ଦୃଷ୍ଟି ରେ ତାଙ୍କୁ ତଳକୁ ଖସାଇବା ପାଇଁ । ଅଠର ବର୍ଷ ବୟସରେ ଜଗନ୍ନାଥ ଦାସ ତାଙ୍କର ଭାଗବତ ଲେଖା ଆରମ୍ଭ କରିଥିଲେ ତାହା ତାଙ୍କୁ ଊଣେଇଶି ବର୍ଷ ହେବା ବେଳକୁ ଶେଷ ହେଲା। ସେ ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ସେଇ ଗ୍ରନ୍ଥ ଟି ନିଜ ହାତରେ ସମର୍ପଣ କରି କହିଲେ “ ମଣିମା ! ଏହାକୁ ମୁଁ ମୋ’ ପ୍ରଭୁଙ୍କୁ ସମର୍ପଣ କରି ସାରିଛି , ଆପଣ ଆଜ୍ଞା ଦେଲେ ଆସନ୍ତା କାଲି ଠାରୁ ଏହାକୁ ପ୍ରତିଦିନ ଶ୍ରୀମନ୍ଦିରରେ ପ୍ରଭୁଙ୍କ ଛାମୁରେ ପାଠ କରିବା “। ଗଜପତି ମହାରାଜ ହଁ ଭରିଲେ କିନ୍ତୁ ପଣ୍ଡାପଢିହାରୀ ଙ୍କୁ
ଏକଥା ପସନ୍ଦ ହେଲା ନାହିଁ । ସେମାନେ ପ୍ରତିବାଦ କରିକହିଲେ “ ପ୍ରଭୁ ଙ୍କ ଛାମୁରେ ଏ ଯାବତ୍ ବ୍ୟାସଦେବଙ୍କ ଲିଖିତ ସଂସ୍କୃତ ଭାଗବତ ପଢା ହୋଇ ଆସୁଛି, ଅଷ୍ଟାଦଶ ପୁରାଣ ଏବଂ ଅନ୍ୟାନ୍ୟ ଭାଷାର ଲିଖିତ ଭାଗବତ ମଧ୍ୟ ରହିଛି , ତେବେ ସେ ସବୁ ପଢା ନହୋଇ ଜଗନ୍ନାଥ ଦାସଙ୍କ ଭାଗବତ କାହିଁକି ପଢା ହେବ ? ତା’ ଛଡା ସେ ଏହା ପ୍ରଭୁଜଗନ୍ନାଥ ଙ୍କୁ ସମର୍ପଣ କରିଛନ୍ତି ଏବଂ ଜଗନ୍ନାଥେ ଏହା ଶୁଣିବାକୁ ଚାହାଁନ୍ତି ବୋଲି ପ୍ରମାଣ କ’ଣ ? ଗଜପତି ମହାରାଜ ପ୍ରତାପରୁଦ୍ର ଦେବ କିଛି ସମୟ ଚିନ୍ତା କରି କହିଲେ ............ ” ଠିକ୍ ଅଛି , ଆଜି ବଡସିଂହାର ବେଶ ସରି ପ୍ରଭୁ ପହୁଡ ଯିବା ପୂର୍ବରୁ ସମସ୍ତ ପୁରାଣ ସହିତ ଜଗନ୍ନାଥ ଦାସଙ୍କ ଭାଗବତ କୁ ଏକାଠି କରି ଗୋଟିଏ ଥାକ କରି ରଖିଦେବା । ପ୍ରଭୁଙ୍କର ଯେଉଁଟି ଶୁଣିବାକୁ ପସନ୍ଦ ହେବ ସେ ନିଜେ ବାଛିନେବେ”।
ତାହା ହିଁ ହେଲା। ଚାଲାଖି କରି ଜଗନ୍ନାଥ ଦାସଙ୍କ ଭାଗବତ କୁ ସବାତଳେ ରଖି ତା’ ଉପରେ ସବୁଯାକ ପୁରାଣ ଏକାଠି ରଖି ପହୁଡ ସଜ ପରେ କଳାହାଟ ଦ୍ୱାର ମୁଦ ପକାଇଲେ ବଡପଣ୍ଡା । ସିଂହଦ୍ୱାର ବନ୍ଦ କରି ତାଲା ପକାଇ ଯିଏ ଯାହା ଘରକୁ ଗଲେ। ତା’ ପରଦିନ ପ୍ରଭାତ ରୁ ମଙ୍ଗଳଆଳତି ସାରି ବଡପଣ୍ଡାଏ କଳାହାଟ ଦ୍ୱାର ଫିଟାଇଲେ।ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କ ସହିତ ସମସ୍ତ ସେବାୟତମାନେ ଉପସ୍ଥିତ ହୋଇଥାନ୍ତି ଫଳାଫଳ ଜାଣିବା ପାଇଁ । ରତ୍ନ ସିଂହାସନ ତଳେ ରଖାଯାଇଥିବା ପୋଥି ଥାକରେ ସବୁଠୁଁ ଉପରେ ଥୁଆ ହୋଇଥିଲା ଜଗନ୍ନାଥ ଦାସଙ୍କ ରଚିତ ” ଶ୍ରୀମଦ୍ ଭାଗବତ “।ଚନ୍ଦନ ତୁଳସୀ ଲାଗି ହୋଇ ସତେ କି ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞା ଶୁଣାଉଥିଲା। ସମସ୍ତେ ଜୟ ଜୟକାର କରି ଉଠିଲେ। ଜଗନ୍ନାଥ ଦାସଙ୍କ ଆଖିରୁ ଲୁହଧାର ଗଡି ପଡିଲା। ଦୁଇ ହାତ ଜୋଡି ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଲେ ସେ। ସେଇଦିନୁଁ ଶ୍ରୀମନ୍ଦିର ରେ ପ୍ରତ୍ୟହ ସନ୍ଧ୍ୟା ଧୂପ ପରେ ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ ଭାଗବତ ପଢା ହେଉଛି । ଆଜି ମଧ୍ୟ ସେହି ପରମ୍ପରା ଜାରି ରହିଛି । ଧନ୍ୟ ମହାପ୍ରଭୁ! ଧନ୍ୟ ତୁମର ଲୀଳା।
ଆଉ ଗୋଟିଏ ଘଟଣା। ପନ୍ଦରଶହ ଦଶ ମସିହାରେ ବଙ୍ଗୀୟ ବୈଷ୍ଣବ ଶ୍ରୀଚୈତନ୍ଯଙ୍କ ଆଗମନ ହେଲା ଓଡିଶା କୁ। ତାଙ୍କର କିର୍ତ୍ତନ ମଣ୍ଡଳୀ ଏବଂ ଭକ୍ତ ମାନଙ୍କ ଗହଣରେ ପଦବ୍ରଜରେ ସେ ଆସିଥିଲେ ନଦୀୟା ନବଦ୍ବୀପ ରୁ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ । ସିଂହଦ୍ୱାର ଦେଇ ବାଇଶି ପାବଚ୍ଛ ରେ କିର୍ତ୍ତନ କରି କରି ସେ ପହଞ୍ଚିଲେ ଗରୁଡସ୍ତମ୍ଭ ପାଖରେ। ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରି ଭାବବିହ୍ବଳିତ ଚିତ୍ତରେ ଆଖି ବନ୍ଦ କରି ଠିଆ ହୋଇ ରହିଥାନ୍ତି ସେଠାରେ । ହାତ ଯୋଡିକ ଉର୍ଦ୍ଧ୍ବ କୁ ଟେକି ଏପଟ ସେପଟକୁ କରି ଅନେକ ସମୟ ଧରି କ’ଣ ଭାବୁଥାନ୍ତି କେଜାଣି ତାଙ୍କ ଆଖିରୁ ଲୁହ ଝରି ପଡୁଥାଏ । ସନ୍ଧ୍ୟା ସମୟ । ଭାଗବତ ପାଠ ସାରି ସେଇଠି ଅଳ୍ପ ଦୂରରେ ବସିଥିଲେ ଜଗନ୍ନାଥ ଦାସ। ଶ୍ରୀଚୈତନ୍ଯଙ୍କର ଏପରି ଭାବକୁ ଲକ୍ଷ୍ୟ କରି ସେ ହଠାତ୍ କହି ଉଠିଲେ “ ଗୋସେଇଁ, ମାଳା ଟି ଛିଡାଇ ଦିଅନ୍ତୁ, ମୋ’ ପ୍ରଭୁ ଅଛିଣ୍ଡା ମାଳ ପିନ୍ଧନ୍ତି ନାହିଁ ପରା !” ଚମକି ପଡି ଦୁଇ ହାତ କୁ ସମାନ୍ତରାଳ ଭାବେ ପ୍ରସାରିତ କରିଦେଲେ। କିଛି ସମୟ ପରେ ହସ ଖେଳିଗଲା ତାଙ୍କ ଓଠରେ। ପ୍ରଭୁଙ୍କୁ ପ୍ରଣାମ କରି ଆଖି ଖୋଲି ଚାହିଁଲେ ଶ୍ରୀ ଚୈତନ୍ଯ ଦେବ !
ପଛରେ ଥିବା ଭକ୍ତ ମାନଙ୍କ ଭିତରେ ଖୋଜୁଥିବା କାହାକୁ ଦେଖିଲେ ଜଗନ୍ନାଥ ଦାସ ଙ୍କୁ। ଅତ୍ୟନ୍ତ ଆଚମ୍ବିତ ହେଲେ, ମନେ ମନେ ଭାବିଲେ କିଏ ଏହି ଭକ୍ତ ? ସେ କେମିତି ଜାଣିଲେ ଯେ ମୁଁ ମନେମନେ ଫୁଲହାରଟିଏ ଗୁନ୍ଥି ଜଗନ୍ନାଥଙ୍କ ଗଳାରେ ପିନ୍ଧାଇବା ପାଇଁ ଚେଷ୍ଟା କରି ବିଫଳ ହେଉଛି ବୋଲି ? ସେଥିପାଇଁ ମତେ ବାଟଟି ବତାଇଦେଲେ। ତାଙ୍କର ଦୃଷ୍ଟି ପଡିଲା ଜଗନ୍ନାଥ ଦାସଙ୍କ ଉପରେ। ସତେକି ବିଜୁଳି ଚମକି ଗଲା । କିଛି କ୍ଷଣ ପାଇଁ ଦୁଇଟି ଦୃଷ୍ଟି ମିଳିତ ହେଲା । ଦୁହେଁ ଦୁହିଁଙ୍କ ଭିତରେ ଜଗନ୍ନାଥଙ୍କ ରୂପ ଦର୍ଶନ କରି ବିମୋହିତ ହେଲେ। ଶ୍ରୀଚୈତନ୍ଯ ଧାଇଁ ଆସି କୁଣ୍ଢେଇ ପକାଇଲେ ଜଗନ୍ନାଥ ଦାସଙ୍କୁ, ମୁହଁ ରେ ମୁହଁ ଲଗାଇ କହି ଉଠିଲେ “ ତୁମି ଅତି ବଡି ଗୋ... ଅତି ବଡି “। ଲୋକକଥା ରେ ଶୁଣାଯାଏ ଯେ ସେ ଆଲିଙ୍ଗନ ଦୁଇ ପ୍ରହର ଧରି ହୁଗୁଳା ହୋଇନଥିଲା। ଜଗନ୍ନାଥ ଦାସ ଶ୍ରୀ ଚୈତନ୍ଯଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କ ସତ୍ତା ଅନୁଭବ କରିଥିଲେ ଏବଂ ଶ୍ରୀଚୈତନ୍ଯ ଶ୍ରୀ ଜଗନ୍ନାଥ ଦାସ ଙ୍କ ମଧ୍ୟରେ ରାଧାରାଣୀ ଙ୍କର ସତ୍ତା ଦେଖିଥିଲେ । ଜୀବପରମ ଦୁହିଁଙ୍କର ମିଳନ ହୋଇଥିଲା। ଏକାକାର ହୋଇଥିଲେ ରାଧାମାଧବ। ଶ୍ରୀଜଗନ୍ନାଥଙ୍କ ଭିତରେ ପରମପ୍ରେମମୟ ଶ୍ରୀକୃଷ୍ଣ ଏବଂ ପ୍ରେମମୟୀ ରାଧିକାଙ୍କୁ ଦର୍ଶନ କରି ସାରାଜଗତ ଧନ୍ୟ ହୋଇଥିଲା ସେଦିନ।
ସେହି ଦିନଠାରୁ ଜଗନ୍ନାଥ ଦାସ” ଅତିବଡି ଜଗନ୍ନାଥ ଦାସ “ନାମରେ ପରିଚିତ ହେଲେ। ଗଜପତି ମହାରାଜା ଖଞ୍ଜିଦେଲେ ବଡ ଦେଉଳ ସଂଲଗ୍ନ ବଡ ଓଡିଆ ମଠରେ ତାଙ୍କର ରହଣୀ ର ସମସ୍ତ ବ୍ୟବସ୍ଥା । ଆଉ ଶ୍ରୀଚୈତନ୍ଯ ! ଜଗନ୍ନାଥଙ୍କ ପ୍ରେମ ରେ ନିମଗ୍ନ ହୋଇ ସେ ଭୁଲିଗଲେ ନିଜକୁ, ନିଜର ଭିଟାମାଟି କୁ। ତାଙ୍କର କିର୍ତ୍ତନ ମଣ୍ଡଳୀ ଏବଂ ତାଙ୍କ ସହିତ ବଙ୍ଗରୁ ଆସିଥିବା ସମସ୍ତଙ୍କୁ ବିଦାୟ ଦେଇ ନିଜେ ରହିଗଲେ ପୁଣ୍ୟ ଧାମ ନୀଳାଚଳରେ ଶ୍ରୀଜଗନ୍ନାଥଙ୍କ ପ୍ରେମଭକ୍ତିରେ ବାନ୍ଧି ହୋଇ। ଏଇଠି ସରିଲା ତାଙ୍କର ଶେଷ ଜୀବନ, ଶରଧାବାଲି ର ଚୈତନ୍ଯମଠରେ ବ୍ରହ୍ମଲୀନ ହେଲେ ସେ।
ଅତିବଡି ଜଗନ୍ନାଥ ଦାସ ମଧ୍ୟ ବଡ ଦେଉଳ ର ଗହଳ ଚହଳରୁ ଦୂରରେ ରହିବା ପାଇଁ ଚାହିଁ ସମୁଦ୍ର କୂଳରେ ଚକ୍ରତୀର୍ଥ ପାଖରେ ଆଶ୍ରମ ଟିଏ ସ୍ଥାପନା କରି ଶିଷ୍ୟ ମାନଙ୍କ ସହିତ ରହିଲେ। ଜନଶ୍ରୁତି ଅଛି ଯେ ସମୁଦ୍ର ର ଲହଡିମାଳା ର ଘୋରଗର୍ଜନ ତାଙ୍କର ସାଧନା ରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ସେ ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଥିଲେ ସମୁଦ୍ର କୁ ସାତ ଟି ଲହଡି ପଛକୁ ଘୁଞ୍ଚି ଯିବା ପାଇଁ ଆଦେଶ ଦେବାକୁ । ଭକ୍ତ ର ଗୁହାରି ଶୁଣି ପ୍ରଭୁ ଆଦେଶ ଦେଇଥିଲେ ସମୁଦ୍ର କୁ ସାତ ଟି ଲହଡି ପଛକୁ ଘୁଞ୍ଚି ଯିବା ଲାଗି। ଅତିବଡି ଜଗନ୍ନାଥ ଦାସ ଙ୍କର ଚିନ୍ତା ଦୂର ହେଲା। ଆଜି ମଧ୍ୟ ପୁରୀର ଚକ୍ରତୀର୍ଥ ରୋଡ୍ ରେ ଅତିବଡି ଜଗନ୍ନାଥ ଦାସ ଙ୍କର ମଠ ଟି “ସାତ ଲହଡି ମଠ” ନାମରେ ପରିଚିତ ହୋଇ ଭକ୍ତ ଏବଂ ଭଗବାନଙ୍କର ଯଶ ଗାନ କରୁଛି।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
*==========================*
. *🥀ମହାପୁରୁଷ ଶ୍ରୀ ଯଶୋବନ୍ତ ଦାସ🥀*
*==========================*
ପଞ୍ଚଦଶ ଶତାବ୍ଦୀରେ ବିଭିନ୍ନ ପାରିପାର୍ଶ୍ବିକ କାରଣରୁ ମ୍ଳାନ ପଡିଯାଇଥିବା ଓଡିଶା ର ଧର୍ମଧାରଣା କୁ ସୁଦୃଢ କରିବା ପାଇଁ, ସନାତନ ଧର୍ମ ର ମହାନତା ପ୍ରତିପାଦିତ କରିବା ପାଇଁ ଉତ୍କଳ ମାଟିର ଯେଉଁ ପାଞ୍ଚଜଣ ମୁର୍ଦ୍ଧନ୍ୟ ପ୍ରତିଭା ହାତରେ ହାତ, କାନ୍ଧରେ କାନ୍ଧ ମିଳାଇ ଜଗନ୍ନାଥ ସଂସ୍କୃତି କୁ ପୁନଃଶ୍ଚ ଆଗଙ୍ଗାଗୋଦାବରୀ ପରିବ୍ୟାପ୍ତ କରିଥିଲେ ସେମାନେ ହେଲେ ଶ୍ରୀ ଜଗନ୍ନାଥ ଙ୍କ ପଞ୍ଚସଖା ଭାବେ ନିଜକୁ ପରିଚିତ କରାଇ ଥିବା ଉତ୍କଳୀୟ ବୈଷ୍ଣବ , ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଦାସ, ଶ୍ରୀ ବଳରାମ ଦାସ, ଶ୍ରୀ ଯଶୋବନ୍ତ ଦାସ, ଶ୍ରୀ ଜଗନ୍ନାଥ ଦାସ ଏବଂ ଶ୍ରୀ ଅନନ୍ତ ଦାସ।
ସେମାନେ ସମସ୍ତେ ଥିଲେ ଜ୍ଞାନ ମିଶା ଭକ୍ତି ର ପଥ ପ୍ରଦର୍ଶକ । ନାନାଦି ଅଲୌକିକ ପ୍ରତିଭା ସଂପନ୍ନ ଏହି ମହାପୁରୁଷ ମାନେ ଥିଲେ ବିବିଧ ବିଜ୍ଞାନରେ ପାରଙ୍ଗମ। ଯନ୍ତ୍ର, ମନ୍ତ୍ର, ତନ୍ତ୍ର, ଯୋଗ, ଶରୀର ସାଧନା, ଜ୍ୟୋତିଷଶାସ୍ତ୍ର, ସାହିତ୍ୟ, ସଙ୍ଗୀତ କଳା ରେ ନିପୁଣ ଥିଲେ ସେମାନେ। ପରିବ୍ରାଜକ ଭାବରେ ଅନେକ ସ୍ଥାନରେ ଭ୍ରମଣ କରି ସେମାନେ ସନାତନ ଧର୍ମ ର ପ୍ରଚାର କରିବା ସହିତ ସମାଜ ସଂସ୍କାର ଭାବରେ ସେମାନେ ସାମାଜିକ କୁସଂସ୍କାର, ଜାତିପ୍ରଥା, ଅଶିକ୍ଷା ବିରୁଦ୍ଧରେ ମଧ୍ୟ ସଚେତନତା ସୃଷ୍ଟି କରୁଥିଲେ । ନାନା ସ୍ଥାନରେ ମଠରେ, ଟୁଙ୍ଗୀ ଇତ୍ୟାଦି ସ୍ଥାପନ କରି ଶିଷ୍ୟ ମାନଙ୍କ ଜରିଆରେ ଧର୍ମର ପ୍ରଚାର ପ୍ରସାର କରିବା ସହ ନିଜର ସାରସ୍ୱତ ସୃଷ୍ଟି ଏବଂ ସାଧନାରେ ରେ ମଗ୍ନ ରହୁଥିଲେ । ସେହିମାନଙ୍କ ସୃଷ୍ଟ ଜ୍ଞାନର ଭଣ୍ଡାର ମାନ ଆଜି ମଧ୍ୟ ତାଳପତ୍ର ପୋଥି ଆକାରରେ ସଂରକ୍ଷିତ ହୋଇ ରହିଛି ଅନେକ ମଠରେ ମାନଙ୍କ ରେ। ହେଲେ ଉପଯୁକ୍ତ ଅନୁଶୀଳନ ଏବଂ ପ୍ରଚାର ପ୍ରସାର ଅଭାବରୁ ସେମାନଙ୍କ ମହାନତା ଆଜି ବିସ୍ମୃତପ୍ରାୟ । ପଡୋଶୀ ରାଜ୍ୟ ରୁ ଭକ୍ତମାନେ ଶ୍ରୀକ୍ଷେତ୍ର କୁ ଆସି ଶ୍ରୀଜଗନ୍ନାଥଙ୍କ ଶରଣାଗତ ହୋଇ ସେହିଠାରେ ବସବାସ କରି ନିଜ ନିଜର ଭିନ୍ନ ଭିନ୍ନ ସଂପ୍ରଦାୟ ଗଢି ସନାତନ ଧର୍ମ ପ୍ରଚାରକ ଭାବରେ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଆମ ଉତ୍କଳ ର ସେହି ପରମ ସାଧକ ପାଞ୍ଚଜଣ ଇତିହାସ ରେ ଆଢୁଆଳ ରେ ରହିଯାଇଥିବା ଭଳି ମନେହୁଏ । ସେହି ସିଦ୍ଧ ସାଧକ ମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ମହାପୁରୁଷ ଶ୍ରୀ ଯଶୋବନ୍ତ ଦାସ । ଆପଣ ମାନେ କାହାଣୀ ପଢୁଛନ୍ତି ଜୟ ଶ୍ରୀକୃଷ୍ଣ ହ୍ଵାଟ୍ସଆପ୍ ଗୃପ ରେ।
ଏହି ପଞ୍ଚସଖା ମାନଙ୍କର ଜନ୍ମ ତାରିଖ ସଠିକ ଭାବରେ ଏଯାବତ୍ ପ୍ରମାଣିତ ହୋଇ ପାରିନଥିଲେ ମଧ୍ୟ ପଞ୍ଚସଖା ମାନଙ୍କ ମଧ୍ୟରୁ ଜଗନ୍ନାଥ ଦାସ ଏବଂ ଯଶୋବନ୍ତ ଦାସ ସମସାମୟିକ ଥିଲେ ବୋଲି ଜଣାଯାଏ। ନେମାଳ ପଦ୍ମବନ ର ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦ ତାଙ୍କ ରଚିତ ” ଉଦୟ କାହାଣୀ “ ରେ ପଞ୍ଚସଖାଙ୍କର ଉଦୟ ଅର୍ଥାତ୍ ସେମାନଙ୍କ ଆବିର୍ଭାବ ର ସମସ୍ତ ବିବରଣୀ ଲେଖିଛନ୍ତି ।ସେମାନେ ସମସ୍ତେ ପଞ୍ଚଦଶ ଶତାବ୍ଦୀରେ ଯଥାକ୍ରମେ ଗଜପତି ମହାରାଜା ଶ୍ରୀ ଶ୍ରୀ କପିଳେନ୍ଦ୍ରଦେବ, ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ଏବଂ ଶ୍ରୀ ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ରାଜୁତି କାଳରେ ଅର୍ଥାତ୍ ଚଉଦଶହ ପଇଁତ୍ରିଶ ରୁ ପନ୍ଦରଶହ ବତିଶି ମସିହା ମଧ୍ୟରେ ଆବିର୍ଭାବ ହୋଇ ସେମାନଙ୍କ ଲୀଳାଖେଳା କରିଛନ୍ତି । ଉଡ୍ରଦେଶ ବା ଉତ୍କଳ ର ବିଭିନ୍ନ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ କୌଣସି ନା କୌଣସି ଘଟଣାକ୍ରମରେ ସେମାନେ ଗୃହତ୍ୟାଗ କରି ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି ଏବଂ ସେଠାରେ ରହି ଜଗନ୍ନାଥଙ୍କ ସେବା କରିବା ସମୟରେ ପରସ୍ପର ସହିତ ମିଳିତ ହୋଇଛନ୍ତି । ସେମାନେ ସମସ୍ତେ ଜାତସ୍ମର ହୋଇଥିବା ହେତୁ ପରସ୍ପରକୁ ଚିହ୍ନି ପାରିଛନ୍ତି ଏବଂ ଚାରିଯୁଗ ଧରି ସେମାନେ ଯେ ଜଗନ୍ନାଥଙ୍କ ଅଂଶ ନେଇ ଅବତାରି ପୁରୁଷ ଭାବରେ ତାଙ୍କ ସହିତ ସଖା ଭାବରେ ଲୀଳାଖେଳା କରିବାକୁ ଆସିଛନ୍ତି ଏହା ହୃଦୟଙ୍ଗମ କରିଛନ୍ତି । ସେହି ସଂପର୍କରେ ଅଚ୍ୟୁତାନନ୍ଦ ଲେଖିଛନ୍ତି ଯେ ଯଶୋବନ୍ତ ଦାସ ଯେ ସତ୍ୟ ଯୁଗରେ ଗାର୍ଗବ, ତ୍ରେତୟା ଯୁଗରେ ଜାମ୍ବବ, ଦ୍ଦ୍ୱାପର ଯୁଗରେ ଶ୍ରୀଦାମ ଏବଂ କଳିରେ ଯଶୋବନ୍ତ ରୂପେ ଅବତୀର୍ଣ୍ଣ ହୋଇଛନ୍ତି ଜଗନ୍ନାଥ ଙ୍କ ସଖା ଭାବରେ। ଆପଣ ମାନେ କାହାଣୀ ପଢୁଛନ୍ତି ଜୟ ଶ୍ରୀକୃଷ୍ଣ ହ୍ଵାଟ୍ସଆପ୍ ଗୃପ ରେ।
ସମସାମୟିକ ଉତ୍କଳର ଇତିହାସ କୁ ଲକ୍ଷ୍ୟ କଲେ ଏହା ଜଣାଯାଏ ଯେ ମହାପୁରୁଷ ଶ୍ରୀ ଯଶୋବନ୍ତ ଦାସ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜୁତି ସମୟରେ ଚଉଦଶହ ସତାଅଶୀ ମସିହା ରେ ଅବିଭକ୍ତ କଟକ ଜିଲ୍ଲାର ଅଢଙ୍ଗ ଗଡ ନିକଟବର୍ତ୍ତୀ ନନ୍ଦିଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା ଶ୍ରୀ ବଳଭଦ୍ର ମଲ୍ଲ ଏବଂ ମାତାଙ୍କ ନାମଥିଲା ରେଖା ଦେବୀ। ବଳଭଦ୍ର ମଲ୍ଲ ଜାତି ରେ କ୍ଷତ୍ରିୟ ଥିଲେ ଏବଂ ସେ କୁଜଙ୍ଗର ତତ୍କାଳୀନ ଷଣ୍ଢ ରାଜା ଶ୍ରୀ ମଲ୍ଲିକା ଷଣ୍ଢ ଙ୍କର ଜଣେ ସାଧାରଣ ସିପାହୀ ରୂପେ କାର୍ଯ୍ୟ କରୁଥିଲେ।ଅଭାବ ଅନାଟନ ମଧ୍ୟରେ ଯଶୋବନ୍ତ ଙ୍କର ବାଲ୍ୟକାଳ ଅତିବାହିତ ହୋଇଥିଲା। ପାଞ୍ଚବର୍ଷ ରେ ଖଡି ଛୁଇଁଥିଲେ ଯଶୋବନ୍ତ କିନ୍ତୁ ସାତ ବର୍ଷ ବୟସର ହେବା ବେଳକୁ ସେ ବେଦ,ବେଦାନ୍ତ, ଶାସ୍ତ୍ର ପୁରାଣ ରେ ପାରଙ୍ଗମ ହୋଇସାରିଥିଲେ। ସେଇଥିରୁ ତାଙ୍କର ଅଲୌକିକ ଜ୍ଞାନ ଶକ୍ତି ପ୍ରମାଣିତ ହୋଇଥିଲା। ସେ ମଧ୍ୟ ଶ୍ରୀକ୍ଷେତ୍ର ଯାଇ ଶ୍ରୀ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବାର ଇଚ୍ଛା ପ୍ରକାଶ କରୁଥିଲେ ବାରମ୍ବାର ।
ପିଲାଟି ଦିନରୁ ଯଶୋବନ୍ତଙ୍କର ନିଆରାପଣ ବାରି ହୋଇ ପଡୁଥିଲା, ସେ ଅନ୍ୟ ଶିଶୁଙ୍କ ଭଳି ଖେଳକୁଦ ନକରି ଗୋଟିଏ ସ୍ଥାନରେ ଧ୍ୟାନସ୍ଥ ହୋଇ ବସି ରହୁଥିଲେ।ତାଙ୍କୁ ଆଠବର୍ଷ ହୋଇଥିବା ବେଳେ ଥରେ ସେମିତି ଧ୍ୟାନସ୍ଥ ହୋଇ ଗୋଟିଏ ନିର୍ଜନ ପ୍ରାନ୍ତରରେ ବସିଥିବା ବେଳେ ତାଙ୍କର ଚାରିପଟେ ଗୋଟିଏ ଜ୍ୟୋତି ବଳୟ ଘୁରୁଥିବାର ସେହି ଗ୍ରାମର ଜଣେ ବୃଦ୍ଧା ଦେଖିଥିଲେ ଏବଂ ସମସ୍ତଙ୍କୁ ଜଣାଇଥିଲେ କିନ୍ତୁ ସମସ୍ତେ ତାଙ୍କୁ “ପାଗଳୀ “ ବୋଲି କହି ତାଙ୍କର କଥାକୁ ହସ ରେ ଉଡାଇ ଦେଇଥିଲେ । ବାର ବର୍ଷ ବୟସରେ ସେ ଗୃହତ୍ୟାଗୀ ହୋଇ ଶ୍ରୀକ୍ଷେତ୍ର ରେ ଶ୍ରୀଜଗନ୍ନାଥଙ୍କ ଶରଣାଗତ ହୋଇଥିଲେ। ସେଠାରେ ସେ ହେରାଗୋହିରୀ ସାଥିରେ କୁଡିଆ ଟିଏ କରି ରହିଥିଲେ। ନିତ୍ୟ ଜଗନ୍ନାଥ ଙ୍କ ଦର୍ଶନ କରି ମିଳିତ ହୋଇଥିଲେ ତାଙ୍କର ଅନ୍ୟ ଚାରିଜଣ ସଖାଙ୍କ ସହିତ। ପନ୍ଦରଶହ ଦଶ ମସିହାରେ ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ସେ ତାଙ୍କ ସହିତ ମିଳିତ ହୋଇଥିଲେ। ପୁନଃଶ୍ଚ ତପ ସାଧନାରେ ରତ ହୋଇ ବିଭୁକୃପା ପ୍ରାପ୍ତି ହେବା ପରେ ସେ ଅନେକ ଅନେକ ଅଲୌକିକ ଚମତ୍କାର କରିଥିଲେ।କିଛିଦିନ ପରେ ଫେରିଥିଲେ ନିଜର ଜନ୍ମ ସ୍ଥାନ ଅଢଙ୍ଗ ଗଡ କୁ। ଆପଣ ମାନେ କାହାଣୀ ପଢୁଛନ୍ତି ଜୟ ଶ୍ରୀକୃଷ୍ଣ ହ୍ଵାଟ୍ସଆପ୍ ଗୃପ ରେ।
ଅଢଙ୍ଗ ଗଡ ସେ ସମୟରେ ସାମନ୍ତ ରାଜ୍ୟ ଥିଲା ଏବଂ ଏହାର ରାଜା ଥିଲେ ଶ୍ରୀ ରଘୁରାମ ଚମ୍ପତ୍ତି । ଯୋଗକୁ ସେହି ସମୟରେ ଘୋର ଦୁର୍ଭିକ୍ଷ ପଡିଥିଲା । ଘୋର ଅଭାବ ଭିତରେ ପଢୁଥିଲେ ଯଶୋବନ୍ତ । ଖାଦ୍ୟ ନପାଇ ଭୋକ ବିକଳରେ ଦିନେ ଗୋଟିଏ ଧାନ କିଆରି ରେ ପଶି ଧାନ ଚୋରି କରିବା ସମୟରେ ଧରାପଡିଲେ ରାଜାଙ୍କର ସୈନ୍ୟ ମାନଙ୍କ ହାତରେ। ସେମାନେ ଯଶୋବନ୍ତ ଙ୍କୁ ଚୋର କହି ଯାବତୀୟ ଗାଳିଗୁଲଜ କରିବା ସହ ଧାନ ସମେତ ବାନ୍ଧି ନେଇଗଲେ ରାଜାଙ୍କ ନିକଟକୁ । ରାଜ ଦରବାରରେ ବିଚାର ହେଲା ତାଙ୍କର । ସେହି ସମୟରେ ଏକ ଅଲୌକିକ ଘଟଣା ଘଟିଲା , ଧାନ ବସ୍ତା ମଧ୍ୟରୁ “ରାମନାମ” ଶୁଭିଲା । ରାଜା ରଘୁରାମ ଚମ୍ପତ୍ତି ଆଚମ୍ବିତ ହେଲେ। ଯଶୋବନ୍ତ ଙ୍କୁ ସାଧୁ ମହାତ୍ମା ମନେକରି ତାଙ୍କ ପାଦସ୍ପର୍ଶ କରି କ୍ଷମା ଭିକ୍ଷା କରନ୍ତେ ଯଶୋବନ୍ତ ଉପରକୁ ଚାହିଁ ଜଗନ୍ନାଥଙ୍କୁ ସ୍ମରଣ କରି ହାତ ବଢାଇଦେଲେ। ହାତ ମୁଠାରେ ଶୂନ୍ୟ ରୁ ଖସାଇ ଆଣିଲେ ଜଗନ୍ନାଥ ଙ୍କର ଧଣ୍ଡା ତୁଳସୀ।ତା’କୁ ଆଶୀର୍ବାଦ ସ୍ୱରୂପ ବଢାଇଦେଲେ ରାଜାଙ୍କ ହାତକୁ । ରାଜାଙ୍କୁ ଦେଖି ରାଣୀ ମଧ୍ୟ ହାତ ବଢାଇଲେ ଜଗନ୍ନାଥ ଙ୍କର ଧଣ୍ଡା ତୁଳସୀ ଟିକିଏ ପାଇବା ପାଇଁ । ତାଙ୍କୁ ମଧ୍ୟ ଶୂନ୍ୟ ରୁ ଧଣ୍ଡା ତୁଳସୀ ଆଣି ବଢେଇଦେଲେ ଯଶୋବନ୍ତ । ରାଜା ରାଣୀ ଦୁହେଁ ଚମତ୍କୃତ ହେଲେ। ସଭାରେ ଉପସ୍ଥିତ ସମସ୍ତଙ୍କୁ ଶୂନ୍ୟ ରୁ ତୋଳିଆଣି ଜଗନ୍ନାଥ ଙ୍କର ଧଣ୍ଡା ତୁଳସୀ ଦେଇ ଧନ୍ୟ କରିଥିଲେ ଯଶୋବନ୍ତ । ସଭାସଦବର୍ଗଙ୍କ ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ । ରାଜା ରଘୁରାମ ଏବଂ ତାଙ୍କ ରାଣୀ ତିଳୋତ୍ତମା ଦୁଇଜଣଯାକ ଯଶୋବନ୍ତଙ୍କର ପାଦତଳେ ପଡି ତାଙ୍କୁ ଗୁରୁ ଭାବରେ ଗ୍ରହଣ କରିଥିଲେ ସେଦିନ। ଯଶୋବନ୍ତ ଙ୍କୁ ଅନେକ ଧନରତ୍ନ ଦେବା ସହିତ ରାଜା ରଘୁରାମ ନିଜର ଭଗିନୀ ଅଞ୍ଜନା ଙ୍କୁ ବିବାହ ଦେଇଥିଲେ ଯଶୋବନ୍ତ ଙ୍କ ସହିତ। ଅଢଙ୍ଗ ଗଡର ନନ୍ଦିଗ୍ରାମ ସ୍ଥିତ ସେଇ ଭଙ୍ଗା ଚାଳଘରେ ଆସି ରହିଥିଲେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ ।
ଯଶୋବନ୍ତ ଦାସ ସିନା ସଂସାରୀ ହେଲେ କିନ୍ତୁ ତାଙ୍କର ମନ ସଂସାରରେ ନଥିଲା ,ସଦାସର୍ବଦା ଜଗନ୍ନାଥଙ୍କ ଚରଣରେ ଘୁରିବୁଲୁଥିଲା। ତାଙ୍କର ସଂସାର ପ୍ରତି ଉଦାସୀନ ଭାବ ବ୍ୟଥିତ କରୁଥିଲା ତାଙ୍କର ପତ୍ନୀ ଅଞ୍ଜନା ଙ୍କୁ। ବର୍ଷାଦିନ ପୂର୍ବରୁ ଗାଆଁ ରେ ସମସ୍ତଙ୍କ ଘର ଛାଉଣୀଛପର ହୋଇଥିଲେ ମଧ୍ୟ ଯଶୋବନ୍ତ ଙ୍କର ସେଇ ପୁରୁଣା ଘରଟି ଛାଉଣି ଛପର ହୋଇ ନଥିଲା। ବର୍ଷା ତା’ର ନିର୍ଦ୍ଧିଷ୍ଟ ସମୟରେ ଆସିଲା। ଯଶୋବନ୍ତ ଙ୍କର ଘରେ ଛପର କଣା ହୋଇ ବର୍ଷା ପାଣିରେ ଘରଦ୍ବାର ଭାସିଲା । ବ୍ୟସ୍ତ ବିବ୍ରତ ହୋଇ ପତ୍ନୀ ଅଞ୍ଜନା ତିରସ୍କାର କରିବାକୁ ଲାଗିଲେ ପତି ଙ୍କୁ “ ଅଳସୁଆ, ନିଖଟୁ, ତୁମକୁ ବାହାରେ ମୋ’ ଜୀବନରେ କୌଣସି ସୁଖ ପାଇଲି ନାହିଁ ” କହି ଖୁବ୍ କାନ୍ଦିଲେ ।
ପତ୍ନୀ ଙ୍କର ତିରସ୍କାର ଆଉ କାନ୍ଦଣା ଦୁଇଟି ଯାକ ଖୁବ୍ ବାଧିଲା ଯଶୋବନ୍ତ ଙ୍କୁ। ସେ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରି କହିଲେ “ ପ୍ରଭୁ! ମୁଁ ତ’ ଆପଣଙ୍କ ଶରଣାଗତ ହୋଇଛି, ମୋ’ର ଭଲ ମନ୍ଦ ସୁଖ ଦୁଃଖ ସବୁ ଆପଣଙ୍କର । ଏ ବର୍ଷା ବିପଦରୁ ରକ୍ଷା କରନ୍ତୁ ପ୍ରଭୁ! ଏ ମେଘକୁ ଆଦେଶ କରନ୍ତୁ ସେ ଅଢଙ୍ଗ ଗଡରେ ମୋ’ ଘରକୁ ଛାଡି ଆଉ ଯେଉଁଠି ବର୍ଷିବ ବର୍ଷୁ । ସତ କୁ ସତ ପ୍ରଭୁ ଯେମିତି ଆଦେଶ ଦେଲେ ମେଘ କୁ। ଯଶୋବନ୍ତ ଙ୍କ ଘରଟି ତତକ୍ଷଣାତ୍ ଶୁଖିଲା ହୋଇଗଲା ଏବଂ ସାରା ବର୍ଷା ଋତୁ ରେ ତାଙ୍କ ଘରେ ଟୋପାଏ ମଧ୍ୟ ବର୍ଷା ଜଳ ପଡିଲା ନାହିଁ । ଭକ୍ତ ର ମାନ କୁ ଏମିତି ରଖିଥିଲେ ପ୍ରଭୁ ଜଗନ୍ନାଥ ।
ଆଉ ଦିନକର କଥା । ସେତେବେଳକୁ ଯଶୋବନ୍ତ ଙ୍କର ସାଧନା ଓ ସିଦ୍ଧି ର କଥା ବହୁଳ ଭାବେ ପ୍ରଚାରିତ ହୋଇ ସାରିଥାଏ ସାରା ଉତ୍କଳରେ । ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ କାନରେ ମଧ୍ୟ ପଡିଥାଏ ତାଙ୍କର ସୁନାମ। ସେଦିନ ଅଢଙ୍ଗ ରେ ଥାଆନ୍ତି ସେ ।
ହଠାତ୍ ଯଶୋବନ୍ତ ଙ୍କର ଇଚ୍ଛା ହେଲା ଶ୍ରୀକ୍ଷେତ୍ର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ । ଝଡ ପରି ବାହାରି ଗଲେ ସେ ଏକା ଏକା। ଚାଲି ଚାଲି ଯାଇ ଅଠରନଳା ପାଖରେ ପହଞ୍ଚିବା ବେଳକୁ ଦେଖିଲେ ସେଠାରେ ପ୍ରବଳ ଭିଡ ଲାଗିଛି। ଭିଡ ଭିତରେ ପଶି ଦେଖିଲା ବେଳକୁ ଆଠ ଦଶ ବର୍ଷ ର ବାଳକ ଟିଏ କୁ ଝାଡୁ ଧରି ଝାଡୁଛି ଜଣେ ଗୁଣିଆ । ଲୋକେ କହିଲେ ଏଇ ବାଳକ କୁ ଭୂତ ଗ୍ରାସିଛି। ବିଚିତ୍ର ଆଚରଣ କରି ସମସ୍ତଙ୍କୁ କାମୁଡି ଗୋଟାଉଛି , ତେଣୁ ଏ ଗୁଣିଆ ଆସିଛି ତା’କୁ ଭୂତ ଛଡାଇବା ପାଇଁ । ଯଶୋବନ୍ତ ଥରେ ଚାହିଁଲେ ସେ ବାଳକ ଆଡକୁ , ଗୁଣିଆ ହାତରୁ ଝାଡୁ ନେଇ ତଳକୁ ଫିଙ୍ଗି ଦେଲେ। ଉପରକୁ ଚାହିଁ ଜଗନ୍ନାଥଙ୍କୁ ସ୍ମରଣ କରି ଭୂତ କୁ ଆଜ୍ଞା ଦେଲେ ଏବେ ସେ ବାଳକ କୁ ଛାଡି ବାହାରି ଆ’ ମୁଁ ତୋ’ କାନ୍ଧରେ ସବାର ହୋଇ ଶ୍ରୀକ୍ଷେତ୍ର ଯିବି। କ’ଣ ଥିଲା ତାଙ୍କ ଆଜ୍ଞା ରେ କେଜାଣି ଭୂତ ବାଳକ ଟିକୁ ଛାଡି ଯଶୋବନ୍ତ ଙ୍କ ପାଖରେ ହାଜର ହେଲା, ତା’ରି ଉପରେ ସବାର ହୋଇ ଯଶୋବନ୍ତ ଚାଲିଲେ ପୁରୀ ଆଡକୁ । ରାସ୍ତାରେ ଦେଖଣାହାରୀଏ ଦେଖୁଥିଲେ ଯୁବକ ଟିଏ ଶୂନ୍ୟ ରେ ବସି ବସି ଚାଲିଛି। ବଡ ଚମତ୍କାର କଥା ଇଏ। ହାଲହୋଳି ହୋଇ କଥା ପ୍ରସରି ଗଲା ରାଜାଙ୍କ କାନକୁ। ନଅର ଭିତରୁ ବାହାରି ଆସିଲେ ଗଜପତି ପ୍ରତାପରୁଦ୍ର ଦେବ , ଦେଖିଲେ ଅଢଙ୍ଗ ର ଯଶୋବନ୍ତ ଦାସ ଆସୁଛନ୍ତି ଭୂତ ଉପରେ ସବାର ହୋଇ । ସିଏ ନଅର ପାଖରେ ଅଟକାଇଲେ ତାଙ୍କୁ । କହିଲେ “ ଦାସେ, ଏ ଭୂତ କୁ ନେଇ ଶ୍ରୀମନ୍ଦିର ଭିତରକୁ ଯିବେ ? ସିଏ ଆଉ ରଖିବ ତ ମନ୍ଦିର କୁ ? ପଣ୍ଡାପଢିହାରୀ ଙ୍କୁ ?? ଭକ୍ତ ମାନଙ୍କୁ ???
ଯଶୋବନ୍ତ ଦାସ ହସି ହସି ଉତ୍ତର ଦେଲେ ନାହିଁ ମହାରାଜ ! ଶ୍ରୀମନ୍ଦିର ନୁହେଁ ୟା’କୁ ଆଣିଛି ଆମ ଗୁଣ୍ଡିଚା ମନ୍ଦିର ଜଗିବା ପାଇଁ । ଠାକୁର ମାନେ ତ ବର୍ଷ କୁ ମାତ୍ର ନଅଟି ଦିନ ସେଠାରେ ରହୁଛନ୍ତି ବାକୀ ତିନିଶହ ଛପନ ଦିନ ଗୁଣ୍ଡିଚା ମନ୍ଦିର ଖାଲି ପଡୁଛି। କେତେ ଭୂତପ୍ରେତ ବ୍ରହ୍ମ ରାକ୍ଷସ ରହୁଛନ୍ତି ଏତେ ବଡ ଇଲାକାରେ, ଏଇ ବାବନା ଭୂତ ଏବେ ଜଗିବା ଆମ ଗୁଣ୍ଡିଚା ମନ୍ଦିର କୁ। ତାହା ହିଁ ହେଲା। ଯଶୋବନ୍ତ ଙ୍କର ଆଜ୍ଞା ରେ ସେ ବାବନାଭୂତ ଯାଇ ରହିଲା ଗୁଣ୍ଡିଚା ମନ୍ଦିର ରେ ସେଦିନ ଠାରୁ। ଆଜି ମଧ୍ୟ ସେ ଜଗି ରହିଛି ଗୁଣ୍ଡିଚା ମନ୍ଦିର ର ନାକଚଣା ଦ୍ୱାର ପାଖରେ। ଏହା ଲୋକକଥା ହେଲେ ମଧ୍ୟ ସମସ୍ତଙ୍କ ମନରେ ବସା ବାନ୍ଧି ରହିଛି ଏ ଯାବତ୍ ।
ମହାପୁରୁଷ ଯଶୋବନ୍ତ ଦାସ ପଞ୍ଚସଖା ଙ୍କ ମଧ୍ୟରେ ମଧ୍ୟ ମଣି ଭାବରେ ପରିଗଣିତ ହୁଅନ୍ତି । ବେଦ ଉପନିଷଦ, ଜ୍ୟୋତିଷ ଶାସ୍ତ୍ର, ତନ୍ତ୍ର ମନ୍ତ୍ର ସହିତ ଶରୀରତତ୍ତୱ ରେ ମଧ୍ୟ ଗଭୀର ଜ୍ଞାନ ଥିଲା ଯଶୋବନ୍ତ ଦାସ ଙ୍କର।। ଅଗମ ଅର୍ଥାତ୍ ବେଦବିଦ୍ୟାରେ ପାରଙ୍ଗମ ଥିଲେ ମଧ୍ୟ ତନ୍ତ୍ର ସାଧକ ଭାବରେ ତାଙ୍କର ଖ୍ୟାତି ରହିଛି। ତାଙ୍କର ସାରସ୍ୱତ କୃତି ମଧ୍ୟରେ ସର୍ବୋତ୍କୃଷ୍ଟ ହେଉଛି “ ଟୀକା ଗୋବିନ୍ଦଚନ୍ଦ୍ର “ ଯାହା ଉତ୍କଳ ରେ ନାଥ ସଂପ୍ରଦାୟ ସୃଷ୍ଟି କରିଛି। “ ଟୀକା ଗୋବିନ୍ଦଚନ୍ଦ୍ର “ ରେ ଜଣେ ରାଜପୁତ୍ର ଗୋବିନ୍ଦ ଚନ୍ଦ୍ର ନିଜ ମାତାଙ୍କର ଉପଦେଶରେ ଅନୁପ୍ରାଣିତ ହୋଇ ଜୀବନର ଶ୍ରେଷ୍ଠତ୍ୱ ହାସଲ କରିବା ନିମନ୍ତେ କିପରି ସକଳ ସଂପଦ ତ୍ୟାଗ କରି ଯୋଗୀ ହୋଇ ଯାଇଛନ୍ତି ତାହା ବର୍ଣ୍ଣନା କରିଛନ୍ତି ଯଶୋବନ୍ତ । ବିଭୁପ୍ରାପ୍ତି ହିଁ ଜୀବନ ର ଶ୍ରେଷ୍ଠ ତାହା ଶିକ୍ଷା ଦେଇଛନ୍ତି ସମାଜ କୁ। ଶରୀର ତତ୍ତ୍ବ ସାଧନା ରେ ଅସମ୍ଭବ କୁ ସମ୍ଭବ କରି ପାରୁଥିଲେ ସେ । ତାଙ୍କର ସାରସ୍ୱତ କୃତି ମଧ୍ୟରେ ରହିଛି “ ଚଉରାଅଶୀ ଆଜ୍ଞା “ ଶିବସ୍ୱରୋଦୟ ଗୀତା” ପ୍ରେମ ଭକ୍ତି ବ୍ରହ୍ମଗୀତା, “ଶରୀରଭେଦୀ ଭଜନ,” ଯଶୋବନ୍ତ ଭବିଷ୍ୟ ମାଳିକା” ଇତ୍ୟାଦି ଇତ୍ୟାଦି ଅନେକ । ସେସବୁ ଉତ୍କଳୀୟ ଜନମାନସରେ ଅଦ୍ୟାବଧି ଉଜ୍ଜୀବିତ କରି ରଖିଛି ତାଙ୍କୁ। ତାଙ୍କର ସାତ ଶହ ପଚାଶ ଜଣ ଶିଷ୍ୟ ଥିଲେ ମଧ୍ୟ ରାମ ଦାସ ଥିଲେ ତାଙ୍କର ପ୍ରିୟ ଶିଷ୍ୟ । ମହାପୁରୁଷ ଯଶୋବନ୍ତ ଅନ୍ୟ ସଖା ମାନଙ୍କ ସହିତ ରାସ ମଣ୍ଡଳୀ ରେ ରାଧାକୃଷ୍ଣ ଙ୍କର ନିତ୍ୟରାସ କିର୍ତ୍ତନ କରିବା ସହିତ ଓଡିଶା ର କୁଜଙ୍ଗ, କଟକ , କେନ୍ଦ୍ରାପଡା ଆଠଗଡ ଇତ୍ୟାଦି ବିଭିନ୍ନ ସ୍ଥାନରେ ମଠରେ ଗାଦି ସ୍ଥାପନ କରି ଶିଷ୍ୟ ମାନଙ୍କ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଥିଲେ।
ଶତତ୍ତୋର ବୟସରେ ସେହି ମହାନ ଆତ୍ମା ଅଢଙ୍ଗ ସ୍ତିତ ନିଜ ଆଶ୍ରମରେ ମାଘମାସ ଓଢଣଷଷ୍ଠୀ ତିଥିରେ ବ୍ରହ୍ମଲୀନ ହୋଇଥିଲେ। ସେହି ଆଶ୍ରମରେ ଆଜି ମଧ୍ୟ ତାଙ୍କର ସମାଧି ପୀଠ ରହିଛି । ସେହି ମାଟିରେ ପାଦ ଦେଇ, ସେଇ ଆଶ୍ରମ ର ଧାଡିକୁ ନିଜ ମାରେ ବୋଳି, ତାଙ୍କ ରଚିତ ଟୀକା ଗୋବିନ୍ଦଚନ୍ଦ୍ର ର ପଦେ “ ଭଜୁ କି ନା ରାମ ନାମରେ କୁମର.... “ ଅବା ତାଙ୍କର ଶରୀରଭେଦୀ ଭଜନ ର ପଦେ “ ବଡ ମୟାବୀ ଜୀବ ନୁହେଁ କାହାରି .. “ ବୋଲି ଦେଇ ଆଜି ମଧ୍ୟ କୋଟି ଓଡିଆ ର ଜୀବନ ଧନ୍ୟ ହେଉଛି। କୋଟି କୈବଲ୍ୟନାଥ କୋଟିକୋଟି ଓଡିଆ ର ପ୍ରାଣବିନ୍ଦୁ ଶ୍ରୀଜଗନ୍ନାଥଙ୍କର ସେହି ମହାନ ସଖା ଶ୍ରୀ ଯଶୋବନ୍ତ ଦାସ ଙ୍କୁ କୋଟି ପ୍ରଣାମ ।
ଜୟ ଜଗନ୍ନାଥ । ଜୟ ଜଗନ୍ନାଥ ।ଜୟ ଜଗନ୍ନାଥ।
*==========================*
. *🥀ଶିଶୁ ଅନନ୍ତ ଦାସ🥀*
*==========================*
ପଞ୍ଚଦଶ ଶତାବ୍ଦୀରେ ଓଡିଶା ର ଧୂମିଳ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତି ଏବଂ ଧର୍ମଧାରଣା କୁ ସୁଦୃଢ କରିବା ପାଇଁ , ତତ୍କାଳୀନ ସମାଜରେ ପ୍ରଭାବ ବିସ୍ତାର କରିଥିବା କୁସଂସ୍କାର, ଜାତିପ୍ରଥା, ଲିଙ୍ଗଗତ ବୈଷମ୍ୟ କୁ ଦୂର କରିବା ପାଇଁ , ସର୍ବୋପରି ସନାତନ ଧର୍ମ ର ପୁନଃ ପ୍ରତିଷ୍ଠା କରିବା ନିମନ୍ତେ ଓଡିଶା ରେ ଉଦୟ ହୋଇଥିଲେ ପାଞ୍ଚୋଟି ଉଜ୍ବଳ ନକ୍ଷତ୍ର । ସେମାନେ ହେଲେ ପଞ୍ଚସଖା ଶ୍ରୀ ଅଚ୍ୟୁତ ଦାସ, ଶ୍ରୀ ଯଶୋବନ୍ତ ଦାସ, ଶ୍ରୀ ବଳରାମ ଦାସ, ଶ୍ରୀ ଜଗନ୍ନାଥ ଦାସ ଏବଂ ଶ୍ରୀ ଅନନ୍ତ ଦାସ ( ଶିଶୁ ଅନନ୍ତ ଦାସ)। ଏମାନେ ସମସ୍ତେ ଓଡିଶା ର ବିଭିନ୍ନ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ କୌଣସି ନା କୌଣସି ଘଟଣାକ୍ରମରେ ଗୃହତ୍ୟାଗ କରି ଶ୍ରୀକ୍ଷେତ୍ର ରେ ମିଳିତ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ଉପାସନା କରିବା ସହିତ ଅନେକ ଅଲୌକିକ ଚମତ୍କାର କରି ନିଜର ଭକ୍ତି ର ପରାକାଷ୍ଠା ପ୍ରଦର୍ଶନ କରିବା ମଧ୍ୟରେ ବଙ୍ଗୀୟ ସନ୍ଥ ଶ୍ରୀଚୈତନ୍ୟଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ବଙ୍ଗୀୟ ବୈଷ୍ଣବ ଧର୍ମ ସହିତ ଉତ୍କଳୀୟ ଗୌଡୀୟ ବୈଷ୍ଣବ ଧର୍ମର ସ୍ଥାପନା କରି ଭାରତର କୋଣ ଅନୁକୋଣରେ ସନାତନ ଧର୍ମର ପ୍ରଚାର ପ୍ରସାର କରିଥିଲେ। ସେମାନେ ସମସ୍ତେ ଥିଲେ ମୂର୍ଦ୍ଧନ୍ୟ ପ୍ରତିଭା । ଜଗନ୍ନାଥ ଙ୍କ ପଞ୍ଚସଖା ନାମରେ ନାମିତ ଏହି ସନ୍ଥ ମାନେ ଓଡିଶାର ପୁରପଲ୍ଲୀ ରେ ଅନେକ ମଠରେ, ଟୁଙ୍ଗୀ ଇତ୍ୟାଦି ସ୍ଥାପନ କରି ସେଠାରେ ଈଶ୍ବର ଙ୍କୁ ଧ୍ୟାନ କରିବା ସହିତ ସମାଜର ହିତ ସାଧନ ପାଇଁ, ସମାଜ କୁ ଦିଗଦର୍ଶନ ଦେବାପାଇଁ ଅନେକ ଅନେକ ଗ୍ରନ୍ଥ ସବୁ ରଚନା କରି ଯାଇଛନ୍ତି ।“ ମଣିଷ ଶରୀରରେ ଈଶ୍ବର ଅଛନ୍ତି “ “ଈଶ୍ବର ଙ୍କୁ ପାଇବାପାଇଁ ହେଲେ ପ୍ରଥମେ ଆତ୍ମା ଶୁଦ୍ଧି ହେବା ଲୋଡା “ ଯୋଗ ସାଧନ ରେ ବିଭୁପ୍ରାପ୍ତି “ ଏହା ପ୍ରତିପାଦିତ କରିଛନ୍ତି । ସେମାନଙ୍କ ସାଧନା ବଳରେ ସେମାନେ “ଭବିଷ୍ୟ ଦ୍ରଷ୍ଟା “ ହୋଇ ପାରିଛନ୍ତି । ଆଜକୁ ପାଞ୍ଚ ଶହ ବର୍ଷ ତଳେ ସେମାନେ ଯେଉଁ ଭବିଷ୍ୟ ଗଣନା କରିଥିଲେ ତାହା ଆଜି ଅକ୍ଷରେ ଅକ୍ଷରେ ସତ୍ୟ ହେଉଛି । ମଣିଷ ମାନଙ୍କୁ ଦିବ୍ୟ ଜ୍ଞାନ ଦେଇଥିବା ସେହି ମହାପୁରୁଷ ମାନଙ୍କୁ ଆଜି ଆମେ ବିଜ୍ଞାନ ଯୁଗରେ ପାଶୋରି ଯାଇଛେ। ଭୁଲି ଯାଇଛେ କି ଆମ ପୂର୍ବସୂରୀ ମାନେ ଆମ ପାଇଁ ଛାଡି ଯାଇଛନ୍ତି ଅସୀମ ଏବଂ ଅନନ୍ତ ଜ୍ଞାନର ଭଣ୍ଡାର ସେଇ ସବୁ ତାଳ ପତ୍ର ପୋଥି ଆକାରରେ। ବଙ୍ଗଳାର ଶ୍ରୀଚୈତନ୍ୟଙ୍କୁ ଇତିହାସ ମନେ ରଖିଛି ହେଲେ ଆମ ଓଡିଶା ର ପଞ୍ଚସଖା ଆଜି ଅଜ୍ଞାତ ଅଧ୍ୟାୟ ହୋଇ ଲୁଚି ଯାଉଛନ୍ତି ଇତିହାସରେ। ସେଥିପାଇଁ ଲୋଡା ଆତ୍ମମନ୍ଥନ ,ଆତ୍ମ ମନନ, ଆତ୍ମ ଚିନ୍ତନ ଏବଂ ଆତ୍ମ ଅନୁଶୀଳନ।
ସେଇ ପଞ୍ଚସଖା ଙ୍କ ମଧ୍ୟରୁ ଜଣେ ଶ୍ରୀ ଅନନ୍ତ ଦାସ।କଟକ ଜିଲ୍ଲାର ବାଲିପାଟଣା ନିକଟସ୍ଥ କୁଶଭଦ୍ରା ନଦୀତଟରେ ବାଇପଡା ଗ୍ରାମ। ସେଇଠି ପିତା କପିଳ ଏବଂ ମାତା ଗୌରୀ ଙ୍କ ଔରସରୁ ଜନ୍ମ ନେଇଥିଲେ ଅନନ୍ତ। ତାଙ୍କର ଜନ୍ମ ସମୟ ଯଦିଓ ସଠିକ ନିରୂପଣ କରାଯାଇ ପାରିନାହିଁ ତଥାପି ସମସାମୟିକ ଘଟଣାବଳୀ ରୁ ଅନୁଧ୍ୟାନ କରାଯାଏ ଯେ ସେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ପଚିଶି ଅଙ୍କ ରେ ଅର୍ଥାତ୍ ଊଣେଇଶହ ଛୟାଅଶି ମସିହା ରେ ଜନ୍ମ ନେଇଥିଲେ । ଜନଶ୍ରୁତି ରୁ ଜଣାଯାଏ ଯେ ବାଲ୍ୟ କାଳରୁ ପିତାମାତା ଙ୍କୁ ହରାଇ ଅନାଥ ହୋଇ ଗାଆଁ ରେ ଥିବା ଏକ ବିଷ୍ଣୁ ମନ୍ଦିର ରେ ଆଶ୍ରୟ ନେଇଥିଲେ। ସେଇ ମନ୍ଦିର ରେ ଥିବାବେଳେ ଶଙ୍କର ଦାସ ନାମକ ଜଣେ ସନ୍ୟାସୀ ଶିଶୁ ଟି ଅନାଥ ବୋଲି ଜାଣି ଦୟା ପରବଶ ହୋଇ ନିଜ ସାଥିରେ ନେଇ ଯାଇଥିଲେ। ସନ୍ୟାସୀ ଜଣକ ଏକାମ୍ର କ୍ଷେତ୍ରର ବିନ୍ଦୁସାଗର ପାଖରେ ଗୋଟିଏ କୁଡିଆ କରି ରହି ସେଠାରେ ଅନନ୍ତ ବାସୁଦେବଙ୍କୁ ଆରାଧନା କରୁଥିଲେ। ଅନାଥ ବାଳକ ଟି ମଧ୍ୟ ତାଙ୍କ ସହିତ ସେଇଠି ରହି ମନ୍ଦିର ରୁ ମାଗଣାରେ ଦୁଇ ଓଳି ଅନ୍ନପ୍ରସାଦ ପାଉଥିଲା । ସେଠାରେ ମାଆ ଲକ୍ଷ୍ମୀ ଙ୍କୁ ନିଜର ମାଆ ଏବଂ ଅନନ୍ତ ନାରାୟଣ ଙ୍କୁ ନିଜର ପିତା ବୋଲି ମନେକରି ତାଙ୍କର ସେବା କରୁଥିଲା।କଥିତ ଅଛି ଯେ ଶିଶୁ ଅନନ୍ତ ମା’ଲକ୍ଷ୍ମୀଙ୍କର ସ୍ତନ୍ୟ ପାନ କରିବାର ସୌଭାଗ୍ଯ ପ୍ରାପ୍ତ ହୋଇଥିଲେ।ତେଣୁ ସେହି ସନ୍ୟାସୀ ବାଳକ ର ନାମ କରଣ କରିଥିଲେ “ଶିଶୁ ଅନନ୍ତ “। ତାଙ୍କରି ପାଖରେ ରହି, ତାଙ୍କ ସେବା କରି ବିଭୁଚିନ୍ତନ କରିବା ସହ ଶାସ୍ତ୍ର ପୁରାଣ ମଧ୍ୟ ଶୁଣୁଥିଲା। ଶିଶୁ ଟି ଦଶ ବର୍ଷ ର ହୋଇଥିବା ବେଳେ ସନ୍ୟାସୀ ଜଣକ ଏକାମ୍ର ତ୍ୟାଗ କରି ଖଣ୍ଡଗିରି ଯାତ୍ରା କଲେ। ଅନାଥ ବାଳକ ଅନନ୍ତ ଙ୍କୁ ମଧ୍ୟ ସାଥିରେ ନେଇଗଲେ। ସେଠାରେ ଖଣ୍ଡଗିରି ଗୁମ୍ଫା ରେ ଦୁଇବର୍ଷ ସାଧନା କରିବା ପରେ ସେ ଅନନ୍ତ ଙ୍କୁ ନେଇ ଶ୍ରୀକ୍ଷେତ୍ର ଅଭିମୁଖେ ଗମନ କଲେ। ଅନନ୍ତ ଶ୍ରୀକ୍ଷେତ୍ର ରେ ବାସ କରି ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରି , ତାଙ୍କର ଗୁଣ କିର୍ତ୍ତନ କରି ଦିନ କାଟିଲେ। କିଛି ଦିନ ଅନ୍ତେ ସନ୍ୟାସୀ ଶଙ୍କର ଦାସ ତପସ୍ୟା କରିବାକୁ ହିମାଳୟ ବାହାରିଗଲେ , କିନ୍ତୁ ଅନନ୍ତ ଙ୍କୁ ଆଦେଶ ଦେଇଗଲେ ଶ୍ରୀକ୍ଷେତ୍ର ରେ ରହିବା ପାଇଁ । ଶିଶୁ ଅନନ୍ତ ସେଇଠି ରହିଗଲେ। ସେଠାରେ ତାଙ୍କର ଭେଟ ହୋଇଥିଲା ସନ୍ଥ ବଳରାମ ଦାସ ଙ୍କ ସହିତ।
ଜାତସ୍ମର ହୋଇଥିବା ହେତୁ ବଳରାମ ଦାସ ତାଙ୍କ ସଖା ଙ୍କୁ ଚିହ୍ନି ପାରିଲେ। ଜାଣିଲେ ଯୁଗଯୁଗ ଧରି ସେମାନେ ପ୍ରଭୁଙ୍କ ସଖା ଭାବରେ ଅବତୀର୍ଣ୍ଣ ହୋଇଛନ୍ତି।ପୂର୍ବଜନ୍ମ ରୁ ଅନନ୍ତ ସତ୍ୟ ଯୁଗରେ ଶ୍ରୀବତ୍ସ, ତ୍ରେତୟା ରେ ଜାମ୍ବବ , ଦ୍ୱାପର ରେ ସୁବାହୁ ନାମ ଧାରଣ କରି ପ୍ରଭୁଙ୍କ ସେବା କରିଛନ୍ତି ଏବଂ କଳିଯୁଗ ରେ ଅନନ୍ତ ନାମ ଧରି ଶ୍ରୀକ୍ଷେତ୍ର ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବା କରିବା ତାଙ୍କ ବିଧିନିର୍ଦ୍ଦିଷ୍ଟ ।
ତାଙ୍କର ଶିଶୁ ସୁଲଭ ସରଳତା ହେତୁ ଅନନ୍ତ ଦାସ ପୂର୍ଣ୍ଣ ବୟସ୍କ ହେଲାପରେ ମଧ୍ୟ ଶିଶୁ ଅନନ୍ତ ନାମରେ ପରିଚିତ ହେଉଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଶିଷ୍ୟମାନେ ମଧ୍ୟ “ଶିଶୁ ସଂପ୍ରଦାୟ” ନାମରେ ପରିଚିତ ହେଲେ। ବାଲ୍ୟ କାଳରୁ ଶିଶୁ ଅନନ୍ତ ସୂର୍ଯ୍ୟ ଉପାସନା କରି ସୂର୍ଯ୍ୟଦେବଙ୍କର କୃପାରୁ ସୂର୍ଯ୍ୟ ନାରାୟଣ ମନ୍ତ୍ର ପ୍ରାପ୍ତ ହୋଇଥିଲେ। ଅଷ୍ଟାଙ୍ଗ ଯୋଗସାଧାନାରେ ପ୍ରବୀଣ ହୋଇ ସେ ମଧ୍ୟ ବ୍ରହ୍ମ ଦର୍ଶନ କରିଥିଲେ। ଶ୍ରୀକ୍ଷେତ୍ର ରେ ରହଣୀ କାଳରେ ତାଙ୍କର ଭେଟ ହୋଇଥିଲା ବୈଷ୍ଣବ ଗୁରୁ ଶ୍ରୀଚୈତନ୍ୟଙ୍କ ସହିତ।ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ସହିତ ବୁଲି ବୁଲି ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ। କିଛିଦିନ ଅନ୍ତେ ସେ ଓଡିଶା କୁ ଫେରିଆସି ନିଜ ଜନ୍ମ ମାଟି କଟକ ଜିଲ୍ଲା ର ବନମାଳୀ ପୁର ଠାରେ ଧନୁଆଁ, କୁଶଭଦ୍ରା, ପ୍ରାଚୀ ନଦୀ ର ସଙ୍ଗମ ସ୍ଥଳ (ଯାହା ତ୍ରିବେଣୀ ଘାଟ ନାମରେ ଜଣାଯାଏ ) ସେଇଠି ଆଶ୍ରମର କରି ଶିଷ୍ୟ ମାନଙ୍କ ସହ ରହି ସାରସ୍ୱତ ସାଧନା ରେ ଚିତ୍ତନିବେଶ କରିଥିଲେ। ତାଙ୍କର ରଚିତ ଗ୍ରନ୍ଥ ମାନଙ୍କ ମଧ୍ୟରେ “ ହେତୁ ଉଦୟ ଭାଗବତ” “ଶିଶୁ ସଂହିତା “ “ବ୍ରହ୍ମ ଶାଙ୍କୁଳି” “ଶ୍ରୀ ସୁ ପ୍ରକାଶ “ “ଗୁରୁଭକ୍ତି ଗୀତା” “ଚକା ମଡାଣ” ଇତ୍ୟାଦି ଜନମାନସରେ ଆନ୍ଦୋଳନ ସୃଷ୍ଟି କରେ। ଶରୀରତତ୍ତ୍ୱ ସହିତ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ଵ, ଭବିଷ୍ୟତ ମାଳିକା ସହ ବ୍ରହ୍ମ ଏକାକ୍ଷରମନ୍ତ୍ର, ବ୍ରହ୍ମଚାରୀ ମନୁଷ୍ୟ ର କରଣୀୟ ମଧ୍ୟ ବଖାଣିଛନ୍ତି ଶିଶୁ ଅନନ୍ତ ଦାସ । ସମଗ୍ର ଶ୍ରୀଭଗବତ ଗୀତା ର ସାରାଂଶ କୁ ପାଞ୍ଚୋଟି ଅଧ୍ୟାୟ ରେ ବୁଝାଇଛନ୍ତି ତାଙ୍କ ରଚିତ “ଗୀତାସାର” ରେ। ଅର୍ଦ୍ଧନାରୀଶ୍ବର ତତ୍ତ୍ବ ତାଙ୍କ ରଚନାରେ ମୁଖ୍ୟ ସ୍ଥାନ ଗ୍ରହଣ କରିଛି। ଶାସ୍ତ୍ର ପୁରାଣରୁ ସହିତ ଅନେକ ସୁନ୍ଦର ଭଜନ ମଧ୍ୟ ରଚନା କରିଛନ୍ତି ଶିଶୁ ଅନନ୍ତ । ସେହି ଭଜନ ଗୁଡିକ ସରଳ ସାବଲୀଳ ଭାଷାରେ ରଚିତ ହୋଇଥିଲେ ମଧ୍ୟ ଅନେକ ଗୂଢ ତତ୍ତ୍ଵ ରହିଛି ତହିଁରେ । ଜଣେ ଗଭୀର ଭାବରେ ଅନୁଧ୍ୟାନ କଲେ ତାହାର ମର୍ମ ବୁଝିହେବ।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଭାଷାରେ “ ଗାର କଟା ଜାଣେ ଅନନ୍ତ “ ଅର୍ଥାତ୍ ଶିଶୁ ଅନନ୍ତ ଜ୍ୟୋତିଷ ଶାସ୍ତ୍ର ରେ ପ୍ରବୀଣ ଥିଲେ। ସେ ଠାରୁ, ଗାର ଏବଂ ଯନ୍ତ୍ର ମାଧ୍ୟମ ରେ ପତିତ ଜନ ମାନଙ୍କୁ ଈଶ୍ବର ପ୍ରାପ୍ତି ର ମାର୍ଗ ପ୍ରଦର୍ଶନ କରାଇଛନ୍ତି । ଭବିଷ୍ୟତ ଗଣନା କରିବାରେ ସିଦ୍ଧହସ୍ତ ଥିଲେ। ଅନେକ ଅଲୌକିକ ଚମତ୍କାର କରି ଶିଶୁ ଅନନ୍ତ ଦାସ ନିଜର ଭଗବତ୍ ସତ୍ତା ପ୍ରତିପାଦିତ କରିଛନ୍ତି । ଲୋକକଥା ରୁ ଜଣାଯାଏ ଯେ ଥରେ ସେ ତ୍ରିବେଣୀ ଆଶ୍ରମରେ ଥିବାବେଳେ ଜଣେ ପୀର ଖାଁ ନାମକ ଜନୈକ ଯବନ ର ଛେଳି ଜଣେ ସାହୁକାର ବିଲ ରେ ପଶି ମୁଗ ଫସଲ ନଷ୍ଟ କରିଦେଇଛି ବୋଲି, ସାହୁକାର ଜଣକ ପୀର ଖାଁ ନାମରେ ତତ୍କାଳୀନ ନିମାପଡା ରାଜାଙ୍କୁ ଫେରାଦ ହୋଇଥିଲେ। ପୀର ଖାଁ ବନ୍ଧା ପଡିଲେ। ମକଦ୍ଦମା ଚାଲିଥିଲା ବେଳେ ପୀର ଖାଁ ଉକ୍ତ ଛେଳି ଟି ତାଙ୍କର ନୁହେଁ ବୋଲି ଯେତେ କହିଲେ ମଧ୍ୟ ରାଜା ବିଶ୍ୱାସ କଲେ ନାହିଁ । ଓଲଟି ତୋ’ର ସାକ୍ଷୀ କିଏ, ତା’କୁ ଏଠିକି ଆଣ ବୋଲି କହିଲେ। ସାହୁକାରଙ୍କର ବିଲ ଟି ଶିଶୁ ଅନନ୍ତ ଙ୍କର ଆଶ୍ରମ ପାଖରେ ହୋଇଥିବା ହେତୁ ସେ ହୁଏତ ସାକ୍ଷୀ ଦେଇ ପାରନ୍ତି ବୋଲି ମନେକରି ପୀର ଖାଁ ଶିଶୁ ଅନନ୍ତ ଦାସ ଙ୍କର ଶରଣ ପଶିଲେ । ଦୟାକରି ତା’ ପାଇଁ ରାଜାଙ୍କ ପାଖରେ ସାକ୍ଷୀ ହେବାକୁ ପ୍ରାର୍ଥନା କଲେ। ସେତେବେଳେ ଶିଶୁ ଅନନ୍ତ ଗୋଟିଏ ଭଙ୍ଗା ମାଟିକାନ୍ଥ ଉପରେ ବସିଥିଲେ। ଧ୍ୟାନସ୍ଥ ହୋଇ ସେ ସେହି ଭଙ୍ଗାକାନ୍ଥ ଉପରେ ବସି ଉଡିଗଲେ ସୁଦୂର ନିମାପଡା ।ରାଜାଙ୍କ ଦରବାରରେ ହାଜର ହୋଇ ପୀର ଖାଁ ସପକ୍ଷରେ ସାକ୍ଷୀ ଦେଲେ। ପୀର ଖାଁ ମୁକ୍ତି ପାଇଲେ। ଶିଶୁ ଅନନ୍ତ ଙ୍କ ଠାରେ ସେ ଚିରକୃତଜ୍ଞ ହୋଇ ସେଠାରୁ ଫେରିବା ପରେ ତାଙ୍କୁ ବନମାଳୀ ପୁର ପାଖରେ ଗୋଟିଏ ପାଟଣା ଦାନ କରିଦେଇଥିଲେ । ସେଇ ପାଟଣା ଟି ଆଜି ମଧ୍ୟ ସେଠାରେ ରହିଛି “ପୀର ଖାଁ ପାଟଣା “ ନାମରେ। ଏହିପରି ଜଣେ ଧର୍ମ ପ୍ରଚାରକ ସହିତ ଜଣେ ସମାଜ ସଂସ୍କାରକ ମଧ୍ୟ ଥିଲେ ଶିଶୁ ଅନନ୍ତ ଦାସ ।
ଶାରଳା ମଣ୍ଡଳ ରେ ନିତ୍ୟରାସ କରୁଥିବା ଶିଶୁ ଅନନ୍ତ ଙ୍କର ଶିଷ୍ୟ ସଂଖ୍ୟା ତ ଅନେକ ମାତ୍ର ତାଙ୍କର ପ୍ରିୟ ଶିଷ୍ୟ ଥିଲେ ବାରଙ୍ଗ ଯିଏ ନିଜର ସାଧନା ଓ ସିଦ୍ଧି ବଳରେ ” ସିଦ୍ଧ ବାରଙ୍ଗ “ ନାମରେ ପରିଚିତ ହୋଇଛନ୍ତି ।ତାଙ୍କର ଆଶ୍ରମ ଅଳକା ନଦୀତଟ ପୁନଙ୍ଗ ରେ ଏବେ ମଧ୍ୟ ରହିଛି। ଶିଶୁ ଅନନ୍ତ ଙ୍କର ରଚିତ ଅନେକ ପୋଥି ସେଠାରେ ସାଇତା ହୋଇ ରହିଛି। କୁଜଙ୍ଗ ର ପାଟଳୀପଙ୍କରେ ମଧ୍ୟ ଅନନ୍ତ କୁଦ ନାମରେ ଶିଶୁ ଅନନ୍ତ ଙ୍କର ଏକ ଗାଦି ରହିଛି। ହଂସ ନାମରେ ଆଉ ଜଣେ ପ୍ରିୟ ଶିଷ୍ୟ ଥିଲେ ତାଙ୍କର ।
ସନ୍ଥ ଶିଶୁଅନନ୍ତଙ୍କର ଅନେକ ଗୁଡିଏ ଆଶ୍ରମ ଓଡିଶା ରେ ରହିଥିଲେ ମଧ୍ୟ ତାଙ୍କର ଶେଷ ଜୀବନ କଟିଥିଲା ଅବିଭକ୍ତ କଟକ ଜିଲ୍ଲାର ତାଙ୍କ ଆଶ୍ରମ “ ବାଲିପାଟଣା” ଠାରେ। ଏହି ସ୍ଥାନରେ ସେ ସାଧନାରେ ହୋଇ ବ୍ରହ୍ମଲୀନ ହୋଇଥିଲେ। କୁହାଯାଏ ନିଜସ୍ୱ ସମସ୍ତ ଐଶ୍ୱରୀୟ ଶକ୍ତି କୁ ସେ ଭୂଗୋଳ କରାଇଛନ୍ତି ସେଠାରେ। ଆଜି ମଧ୍ୟ ତାଙ୍କର ସମାଧି ପୀଠ ଟି ସାତ ଟି ସର୍ପାକୃତି ପାହାଡା ଗଛ ମଧ୍ୟଭାଗରେ ଅନନ୍ତମୂର୍ତ୍ତି ସହିତ ରହିଛି ଏବଂ ପୂଜା ପାଉଛି ଅଟନ୍ତି ନାମରେ। ଆଜି ମଧ୍ୟ ଲୋକମାନେ ବିଶ୍ବାସ କରନ୍ତି ଯେ ଏହି ସମାଧିପୀଠ ଦର୍ଶନ କରି ସେହି ସ୍ଥାନରେ ବାଲିରୁ ମୁଠାଏ ଆଣି ଦେହରେ ବୋଳି ଦେଲେ ଅସାଧ୍ୟ ରୋଗ ଭଲହୁଏ, ସେଇ ବାଲିରୁ ମୁଠାଏ ସଂଗ୍ରହ କରି ଘରେ ଆଣି ରଖିଲେ ଘରେ ରୋଗବ୍ୟାଧି ପ୍ରବେଶ କରେନାହିଁ , ପରିବାରରେ ସୁଖଶାନ୍ତି ବିରାଜମାନ କରେ । ତାଙ୍କରି ଚରିତ ମହାମନ୍ତ୍ର ....
“ହରେ କଳଙ୍କି, ହରେ କଳଙ୍କି, ହରେ କଳଙ୍କି,ହରେ ହରେ
ହରେ ଅନନ୍ତ, ହରେ ଅନନ୍ତ, ହରେ ଅନନ୍ତ, ହରେ ହରେ”।
ଏହି ମନ୍ତ୍ର କୁ ଶୁଦ୍ଧ ଚିତ୍ତ ରେ ତ୍ରିକୁଟ ରେ ଧ୍ୟାନ ରଖି ଗାୟନ କଲେ ସକଳ ପାପ ରୁ ମୋକ୍ଷ ମିଳେ ।।
ଜୟ ଶିଶୁ ଅନନ୍ତ, ଜୟ ପଞ୍ଚସଖା, ଜୟ ଜଗନ୍ନାଥ ।।
*==========================*
0 Comments