ଏଣିକି ବୟସ ନୁହେଁ ପରଫରମାନ୍ସ ଆଧାରରେ ପଦୋନ୍ନତି ଦିଆଯିବ। ବୟସ କମ୍ ହେଲେ କାମ ଭଲ ଥିଲେ ବୟସ୍କ ବ୍ୟକ୍ତିଠାରୁ ପ୍ରଥମେ ପଦୋନ୍ନତି ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।ସମ୍ବଲପୁର ତହସିଲ ଅଫିସକୁ ଆଜି ଅଚାନକ ପରିଦର୍ଶନରେ ଯାଇ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି କଥା କହିଛନ୍ତି।
ସମୟ ପାଖାପାଖି ୧୨ଟା । ସବୁଦିନ ପରି ସମ୍ବଲପୁର ତହସିଲ ଅଫିସ ଚଳଚଞ୍ଚଳ ଥାଏ । କିଏ କିଛି ବୁଝିବା ପୂର୍ବରୁ କୌଣସି ପୂର୍ବ ସୂଚନା ନଦେଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଗଲେ ମନ୍ତ୍ରୀ ସୁରେଶ ପୂଜାରୀ । ସିଧା ଗଲେ ତହସିଲଦାରଙ୍କ ଚାମ୍ବରକୁ । ହେଲେ ସେଠାରେ ନା ତହସିଲଦାର ଥିଲେ ନା ଚ୍ୟାମ୍ବର ଖୋଲାଥିଲା । ଏତିକିରେ ତହସିଲଦାର ଚାମ୍ବର ଖୋଲିବାକୁ ଅନ୍ୟ କର୍ମଚାରୀଙ୍କୁ କହିବାକୁ ୧୫ ମିନିଟ୍ ଧରି ସେହି ଚ୍ୟାମ୍ବର ଚାବି ଖୋଜା ଚାଲିଲା । ମନ୍ତ୍ରୀ ବି ବାହାରେ ଛିଡା ହୋଇ ରହିଲେ । ଶେଷରେ ଚାବି ମିଳିବା ପରେ ତହସିଲଦାର ଚ୍ୟାମ୍ବରକୁ ପସିଲେ । ହେଲେ ସ୍ଥିତି ଦେଖି ମନ୍ତ୍ରୀ ଆବାକ । ଧୂଳିମଳି ହୋଇ ପଡିଥିବା ଅଫିସ ସତେ ଯେମିତି ଦୀର୍ଘମାସ ହେବ ଖୋଲା ଯାଇନାହିଁ । ଖବର ପାଇଁ ମନ୍ତ୍ରୀ ପହଞ୍ଚିବାର ୨୦ ମିନିଟ ପରେ ତହସିଲଦାର ପହଞ୍ଚି ମନ୍ତ୍ରୀଙ୍କ ଆଗରେ ହାଜର ହୋଇ ଛିଡା ହେଲେ । ସେ ଭିତରେ ତହସିଲଦାରଙ୍କ ବିରୁଦ୍ଧରେ ଗୁଡାଏ ଅଭିଯୋଗ ମନ୍ତ୍ରୀ ସାଧାରଣ ଲୋକଙ୍କ ଠାରୁ ଶୁଣି ସାରିଥିଲେ । ସେଠାରେ ଥିବା ସାଧାରଣ ଲୋକଙ୍କ ଅଭିଯୋଗ ପତ୍ର ଦେଖି ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଏହାର ଜବାବ ମାଗିବା ସହ ଗୋଟି ଗୋଟି କରି ହିସାବ ନେଇଥିଲେ । ପରେ ସେଠାକୁ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ଉପଜିଲ୍ଲାପାଳ ପହଞ୍ଚିଥିଲେ । ସାଧାରଣ ଲୋକେ ମଧ୍ୟ ତହସିଲଦାର ଠିକ୍ ସେ କାମ କରୁନଥିବା ନେଇ ଅଭିଯୋଗ କରିଥିଲେ । ଫଳରେ ଆଗକୁ ଏସବୁ ବରଦାସ୍ତ କରାଯିବନି ବୋଲି ମନ୍ତ୍ରୀ କହିବା ସହ ଘରଡିହ ପାଇଁ ପଟ୍ଟା ସର୍ଭେ, ମ୍ୟୁଟେସନ କାମ, ସାର୍ଟିଫାଏଡ କପି, ଜାତିଗତ ପ୍ରମାଣ ପତ୍ରରେ କାହିଁକି ହେଳା ହେଉଛି ବୋଲି ପଚାରିଥିଲେ ମନ୍ତ୍ରୀ ।
କେବଳ ତହସିଲଦାରଙ୍କୁ ତାଗିଦ କଲେ ନାହିଁ, ଆଗକୁ ଠିକ୍ ସମୟରେ ଅଫିସ ନଆସିଲେ ସିଧା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଲେ । ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଲା କାହାକୁ ଛଡାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ରାଜସ୍ବ ବିଭାଗର ପରିଚାଳନାରେ କର୍ଣ୍ଣାଟକ ରାଜ୍ୟ ଆଗରେ ଥିବାବେଳେ ସେଠାକୁ ରାଜସ୍ବ ବିଭାଗର ଟିମ୍ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି । କର୍ଣ୍ଣାଟକ ଢାଞ୍ଚାରେ କିଛି କାମ ମଧ୍ୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ତହସିଲରେ ବାୟୋମେଟ୍ରିକ ଲଗାଯିବା ନେଇ ଜିଲ୍ଲାପାଳଙ୍କୁ କହିଥିଲେ ।
0 Comments