Ticker

4/recent/ticker-posts

ଭୁବନେଶ୍ୱର କୁ ଲାଗି ହେବ ନୂଆ ସହର। BDA ଆଙ୍କିଛି ନକ୍ସା

ଭୁବନେଶ୍ୱରକୁ ଲାଗି ଆଉ ଏକ ନୂଆ ସହର ନିର୍ମାଣ ହେବ । ଉପକଣ୍ଠକୁ ଲାଗି ଗଢ଼ି ଉଠିବ ନ୍ୟୁ ସିଟି ବା ହାଇଟେକ୍ ସିଟି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏନେଇ ନକ୍ସା ଅଙ୍କା ଯାଇଛି । ଖାଲି ସେତିକି ନୁହେଁ, ଏହି ନୂଆ ସହରର ପାଚେରି କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଉପକଣ୍ଠକୁ ଲାଗି ୩ ରାଜସ୍ୱ ଗ୍ରାମକୁ ଏହି ନ୍ୟୁ ସିଟିକୁ ଗିଳି ଦେବ ।

ଏନେଇ ମଳିପଡା, ଦାସପୁର ଓ ଗୋଠପାଟଣାରେ ପ୍ରାୟ ୮୨୧.୯୬୧ ଏକର ଜମି ଚିହ୍ନଟ କରାଯାଇଛି । ଏହି ଜମିରୁ ମଳିପଡ଼ାରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍ଏଚ୍ବି) ୨୮.୫୦୦ ଏକର ଜାଗା ରହିଛି । ସେହିପରି ଗୋଠପାଟଣାରେ ୧୯୪ ଏକର ଜଙ୍ଗଲ ଜମି, ଇଡ୍କୋର ୭୯ ଏକର, ସାଧାରଣ ପ୍ରଶାସନର ୭୯ ଏକର ଏବଂ ଘରୋଇ ଜମି ୧୯ ଏକର ରହିଛି । ସେହିପରି ଦାସପୁରରେ ମୋଟ ୨୧୫ ଏକର ଜମି ରହିଛି । ସେଥିମଧ୍ୟରେ ୧୦୩.୧୦୫ଏକର ଗୋଚର ଜମି, ୨୯.୫୧୦ ଜଙ୍ଗଲ ଜମି ଏବଂ ୫ ଏକର ଘରୋଇ ଜମି ରହିଛି । ଏହି ନୂଆ ସହରରେ ପ୍ରାୟ ୨୦ ହଜାର ଘର ନିର୍ମାଣ ହେବ । ପ୍ରାୟ ୧.୫ ଲକ୍ଷରୁ ଅଧିକ ଲୋକେ ଏହି ନୂଆ ସହରରେ ବାସ କରିବାକୁ ଯୋଜନା ହୋଇଛି।
ବିଡିଏ ପକ୍ଷରୁ ୪୦ ପ୍ରତିଶତ ସବୁଜ ବଳୟ ପାଇଁ ଖୋଲା ରହିବ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହସ୍ପିଟାଲ, ସଫ୍ଟୱେର ପାର୍କ ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଫଳରେ ନିଯୁକ୍ତି ବଢ଼ିବ । ଖୁବ୍ଶୀଘ୍ର ଏନେଇ ଜମି ଅଧିଗ୍ରହଣ କରାଯିବ । ତା ପୂର୍ବରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ୍ ୭.୫ କିମି ପାଚେରୀ ନିର୍ମାଣ ହେବ । ସେଥିମଧ୍ୟରୁ ପ୍ରାୟ ୧.୬ କିମି ପାଚେରୀ ନିର୍ମାଣ କାର୍ଯ୍ୟ କରିଛି ବିଡିଏ । ନ୍ୟୁ ସିଟି ପାଇଁ ଚିହ୍ନଟ ହୋଇଥିବା ଜମିରେ ପ୍ରାୟ ୩୦ଟି ଇନ୍ଦିରା ଆବାସ ଘର ରହିଛି । ଏହିସବୁ ହିତାଧିକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଯୋଜନା ହୋଇଛି । ହେଲେ ଏହା ଭିତରେ ଥିବା ପ୍ରାୟ ୪୦ ଡୁପ୍ଲେକ୍ସକୁ ସ୍ଥାନାନ୍ତରଣ କରାଯିବନି । ଘରୋଇ ଜମି ଅଧିଗ୍ରହଣ କରାଯିବ । ଗାଁ ଲୋକଙ୍କୁ ଅନ୍ୟତ୍ର ଜାଗା ଦେବାକୁ ଯୋଜନା କରାଯାଉଥିବା ନେଇ ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି । 

ସେହିପରି ଇଡ୍କୋ, ସାଧାରଣ ପ୍ରଶାସନ, ଓଏସ୍ଏଚ୍ପିରୁ ମଧ୍ୟ ଜାଗା କିଣା ହେବାକୁ ଯୋଜନା ରହିଛି । ସହର ନକ୍କା ପ୍ରସ୍ତୁତ କରାଯାଉଛି । ଏଥିରେ ବଡ ବଡ ବିଲ୍ଡିଂ ନିର୍ମାଣ କରିବାକୁ ଯୋଜନା ହୋଇଛି । ମାର୍କେଟ କମ୍ପେ୍ଲକ୍ସ, ଖେଳ ପଡିଆ, ସ୍କୁଲ, କଲ୍ୟାଣ ମଣ୍ଡପ ରହିବ । ଏହାର ଡିଜାଇନ୍ ଖୁବ୍ଶୀଘ୍ର ପ୍ରସ୍ତୁତ କରିବାକୁ ବିଡିଏ ଯୋଜନା କରୁଛି । ଏହି ସହର ଭୁବନେଶ୍ୱର ସହିତ ଯୋଡ଼ିହେବ । ଚନ୍ଦକା ସଂରକ୍ଷିତ ଜଙ୍ଗଲ ଭିତରୁ ଜାଗା ନେବାକୁ ନେଇ କେଁ ପଶିଛି । ଜଙ୍ଗଲ ଜମିକୁ ନେଇ ନୂଆ ସହର ନିର୍ମାଣକୁ ବିରୋଧ କରିବାକୁ ପରିବେଶପ୍ରେମୀ ସଜବାଜ ହେଲେଣି । ପ୍ରାକୃତିକ ସବୁଜିମାକୁ ମାରି ସହର ନିର୍ମାଣ ନ କରିବାକୁ ପରାମର୍ଶ ଦେଇଛନ୍ତି । ବିଡିଏ ଉପାଧ୍ୟକ୍ଷ ଏନ୍.ଥିରୁମାଲା ନାୟକ କହିଛନ୍ତି ଯେ ବର୍ତ୍ତମାନ ଏହି ନୂଆ ସହର ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବ । ଆମେ କେବଳ ପାଚେରି ବୁଲାଇଛୁ । ଏହାର ବିସ୍ତୃତ ଯୋଜନା ପାଇଁ ଆହୁରି ସମୟ ଲାଗିବ ।

Post a Comment

0 Comments