Ticker

4/recent/ticker-posts

ସାବରମତି କେ ସନ୍ଥ ତୁନେ କରଦିଆ କମାଲ ....

ନୂଆ ସିନେମା 'ଦି ସାବରମତୀ ଏକ୍ସପ୍ରେସ ' ଉପରେ ଏକ ତୀକ୍ଷ୍ଣ ସମୀକ୍ଷା

ଏ ହେଉଛି ଗାନ୍ଧୀଙ୍କ ଦେଶ। ଗାନ୍ଧୀଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାତଃ ସ୍ମରଣୀୟ। ବହୁ ସଂଗ୍ରାମୀଙ୍କ ବଳିଦାନ ପରେ ଦେଶ ସ୍ବାଧୀନ ହୋଇଛି। ଆମେ ନିଜର ଅଧିକାର ସାବ୍ୟସ୍ତ କରିବାର ଅଧିକାର ପାଇଛେ। ଆମେ ଗଣତାନ୍ତ୍ରିକ, ସାର୍ବଭୌମ୍ୟ ରାଷ୍ଟ୍ର ହେବାର ଗୌରବ ଲାଭ କରିଛେ। ତେବେ ଯେଉଁ ଉଦ୍ଦେଶ୍ୟ ‌ନେଇ ‌ଦେଶ ସ୍ବାଧୀନତାରେ ଲକ୍ଷ ଲକ୍ଷ ସଂଗ୍ରାମୀ ଯୋଗ ଦେଇଥିଲେ ତାହା କ’ଣ ସତରେ ପୂରଣ ହୋଇ ପାରିଛି। 
ନଭେମ୍ବର ୧୫ ତାରିଖରେ ରିଲିଜ ହୋଇଛି ହିନ୍ଦି ସିନେମା ‘ଦି ସାବରମତୀ ରିପୋର୍ଟ’। ଷ୍ଟାରକାଷ୍ଟ ଯଦିଓ ସେତେ ଜବରଦସ୍ତ ନୁହେଁ ତେବେ ଚିର ପରିଚିତ ଚେହେରା। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ‘‌‌‌େ‌ଟ୍ବଲଭଥ ଫେଲ’ ସିନେମା ଫେମ ବିକ୍ରାନ୍ତ ମୈସୀ, ଦକ୍ଷିଣ ସିନେମାରେ ସକ୍ରିୟ ଅଭିନେତ୍ରୀ ରାଶି ଖାନ୍ନା ଏବଂ ରିଦ୍ଧି ଡେଗ୍ରା। ଧୀରଜ ଶରଣଙ୍କ ନିର୍ଦେଶିତ ଏହି ସିନେମାର ନିର୍ମାତା ହେଉଛନ୍ତି ଏକତା କପୁର। ୨୭ ଫେବୃଆରୀ ୨୦୦୨ ମସିହାରେ ଗୁଜରାଟର ଗୋଧରା ଷ୍ଟେସନରେ ଟ୍ରେନ ପୋଡି ଘଟଣା ଉପରେ ଏହି ସିନେମା ଆଧାରିତ। ଗୋଧରା ଟ୍ରେନ ପୋଡି ଘଟଣା ଭାରତୀୟ ଇତିହାସର ଏକ କଳଙ୍କିତ ଅଧ୍ୟାୟ। ଏହି ଘଟଣାର ପରବର୍ତ୍ତୀ ସମୟରେ ହୋଇଥିବା ଦଙ୍ଗା ମଧ୍ୟ କମ୍‌ ପୀଡାଦାୟକ ନୁହେଁ। ତେବେ ସିନେମାରେ ଗୋଧରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସର ଏସ୬ ଏବଂ ଏସ୭ ବଗିରେ ଥିବା ୫୯ ଲୋକଙ୍କୁ ଜୀବନ୍ତ ଦଗ୍ଧର କାହାଣୀକୁ ନେଇ ସିନେମାଟି ଗତିଶୀଳ। ସିନେମାରେ ଏଭଳି କିଛି ନାହିଁ, ଯାହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମର ପ୍ରକାଶ ପାଇନାହିଁ। ତେବେ ଏଭଳି ଏକ ସିନେମା ଦୀର୍ଘ ବର୍ଷ ପରେ ତିଆରି କରିବାର କାହିଁକି ଆବଶ୍ୟକତା ପଡିଲା ସେ ନେଇ ମନରେ ସ୍ବତଃ ପ୍ରଶ୍ନ ଉଠେ ଏବଂ ଏହା ଦର୍ଶକଙ୍କୁ ନିହାତି ଭାବେ ସିନେମା ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ। ବିକ୍ରାନ୍ତ ମୈସୀଙ୍କ ମଧ୍ୟ ଦମଦାର ଅଭିନୟ ଦେଖିବାକୁ ମିଳେ। 
ସିନେମାର କାହାଣୀ କିଛି ଏ ପ୍ରକାର...। ଘଟଣାକ୍ରମରେ ଏକ ବଡ଼ ନ୍ୟୁଜ ଚ୍ୟାନେଲର ଲୋକପ୍ରିୟ ନ୍ୟୁଜ ଆଙ୍କର ମୋନିକା ରାଜ ପୁରୋହିତ (ରିଦ୍ଧି ଡୋଗ୍ରା) ଏବଂ ହିନ୍ଦି ଚ୍ୟାନେଲ ପାଇଁ ସାମ୍ବାଦିକତା କରୁଥିବା ସାମ୍ବାଦିକ ସମର କୁମାର (ବିକ୍ରାନ୍ତ ମୈସୀ) ମିଶି ଗୋଧରା ଘଟଣା ଉପରେ ନ୍ୟୁଜ କରିବା ପାଇଁ ଗୁଜୁରାଟ ଗୋଧାରା ରେ ପହଞ୍ଚନ୍ତି। ସେଠାରେ ମୋନିକା ଏହାକୁ ଏକ ରେଳ ଦୁର୍ଘଟଣା ଭାବେ ଦର୍ଶାଇଥିବାବେଳେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ନେଇ କିଛି ତଥ୍ୟ ସମରକୁ ମିଳିଯାଏ। ସମର ଏହାକୁ ଅନ୍ୟ ଏକ ଟେପ୍‌ରେ ରେକର୍ଡିଂ କରି ଆଣେ। ତେବେ ନ୍ୟୁଜରେ ମୋନିକା ଯାହା ରିପୋର୍ଟିଂ କରିଥାଏ ସେ ସଂପର୍କରେ ପ୍ରସାରଣ ହୁଏ। ପରବର୍ତ୍ତୀ ସମୟରେ ସମର ତା ଦ୍ବାର ଉତ୍ତୋଳିିତ ଭିଡ଼ିଓର ଫୁଟେଜ ମାଗିବାକୁ ଯିବାରୁ ତା ଉପରେ ଚୋରିର ଆରୋପ ଲଗାଯାଇ ତାକୁ ଘଉଡାଇ ଦିଆଯାଏ। ଚାକିରି ହରାଇବା ପରେ ସମର ନିଜକୁ ମଦ ଭିତରେ ବୁଡାଇ ରଖେ। ତେବେ ସମୟ ବଦଳେ। ଘଟଣାର ୫ ବର୍ଷ ପରେ ନାନାବତୀ କମିଶନ ରିପୋର୍ଟ ଆସିବା ପରେ ମୋନିକା ଦୁର୍ନୀତି ଖୋଲିଯିବା ଭୟରେ ଜଣେ ନୂଆ ରିପୋର୍ଟର ଅମୃତା (ରାଶି ଖାନ୍ନା) କୁ ଗୋଧରା ପଠାଏ। ଯାହା ଦ୍ବାରା ସେ ପୁଣି ନୂଆ କାହାଣୀ ଗଢ଼ି ପାରିବ ବୋଲି ଆଶା କରେ। ତେବେ ଅମୃତା ହାତର ସମରର ପୁରୁଣା ଭିଡ଼ିଓ ଆସିଯାଏ। ଏହାସହ ସମରକୁ ଖୋଜିବା ସହ ଅମୃତା ଏହି ଘଟଣାର ପ୍ରକୃତ ସତ୍ୟକୁ ଖୋଜିବାକୁ ବାହାରେ। ତେବେ ସମର ଏବଂ ଅମୃତା କ’ଣ ସତ୍ୟ ଜାଣିପାରନ୍ତି? ମଦ ନିଶାରେ ବୁଡ଼ି ରହୁଥିବା ସମର କ’ଣ ଅମୃତାକୁ ସହଯୋଗ କରେ? ଏ ସବୁ ପ୍ରଶ୍ନର ଉତ୍ତର ସିନେମା ଦେଖିବା ପରେ ଜାଣି ପାରିବେ। ସିନେମାର ତ୍ରୁଟି କହିଲେ ସିନେମାରେ ସମର କୁ ସାମ୍ବାଦିକ କୁହାଯାଉଥିବାବେଳେ ଭିଡିଓ ଅନୁସାରେ ସେ ଏକ ପ୍ରଫେସନାଲ ଭିଡିଓ କ୍ୟାମେରା ଚଳାଉଥାନ୍ତି। ୨୦୦୨ ମସିହା ବେଳକୁ ସାମ୍ବାଦିକ ଏବଂ କ୍ୟାମେରା ମେନ୍ ଅଲଗା ପୋଷ୍ଟ ଥିଲା। କାରଣ ପ୍ରଫେସନାଲ କ୍ୟାମେରା ଚଳାଇବା ଏବେର ମୋବାଇଲ ରେ ଭିଡିଓ ଉତ୍ତୋଳନ ପରି ସହଜ ନୁହେଁ। ତେଣୁ ସମର ଚରିତ୍ର ଚିତ୍ରଣ ଠିକ୍ ଭାବେ କରାଯାଇ ନାହିଁ କିମ୍ବା ସାମ୍ବାଦିକତା ବାବଦରେ ନିର୍ଦ୍ଦେଶକଙ୍କୁ ଠିକ୍ ରେ ଜଣ ନାହିଁ। ଏକତା କପୂର ଙ୍କ ସିରିଏଲରେ ଅଭିନୟ କରୁଥିବା ବ୍ୟକ୍ତି ହଠାତ୍ ନିର୍ଦ୍ଦେଶକ ହେଲେ ଏଭଳି ସ୍ଥିତି ଉପୁଜେ। ଦ୍ବିତୀୟତଃ ସିନେମାଟି ଗୋଧରା ଘଟଣା ଉପରେ ପର୍ଯ୍ୟବେସିତ ହୋଇ ଥିଲେ ସୁଦ୍ଧା ଅଧିକାଂଶ ସମୟ ସାମ୍ବାଦିକତା ର ନୀତି ଆଦର୍ଶ ବାବଦରେ ଆଲୋଚନା ହୋଇଛି। ତିନି ମୁଖ୍ୟ ଚରିତ୍ରକୁ ଛାଡ଼ିଦେଲେ ଅନ୍ୟ ଚରିତ୍ର କୁ ଠିକ୍ ଭାବେ ଚିତ୍ରଣ କରାଯାଇ ନାହିଁ। କାଶ୍ମୀର ଫାଇଲ, କେରଲା ଷ୍ଟୋରି ପରି କାହାଣୀକୁ ବହୁ ବିଳମ୍ବରେ ପରଦାକୁ ଅଣାଯାଇଛି ମାତ୍ର କାହାଣୀ, ସ୍କ୍ରିନ ପ୍ଲେ, ଭିଡିଓଗ୍ରାଫି ରେ ସେତେଟା ପରିଶ୍ରମ କରାଯାଇ ନାହିଁ। ଅନ୍ୟଥା ସିନେମା ଅନେକ ଦୃଷ୍ଟିରୁ ଦେଖିବା ଯୋଗ୍ୟ। ଦଙ୍ଗା ମଧ୍ୟରେ ହଜି ଯାଇଥିବା ସତ୍ୟକୁ ପରଦାରେ ଦେଖାଇବା ସାହସର କଥା। ଦଙ୍ଗା ପ୍ରସଙ୍ଗ ଭିତରେ ମୂଳ ପ୍ରସଙ୍ଗକୁ ଅନେକ ଭୁଲି ଯାଉଥିଲେ। ଯେଉଁ ୫୯ ନିର୍ଦୋଶ ପ୍ରାଣ ହାରିଲେ ତାଙ୍କ ପାଇଁ ସଭିଏଁ ନିରବ ଥିଲେ। ସିନେମାର ବରଂ ହେଉ କିନ୍ତୁ ତାଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି।
ତେବେ ମନେ ପକାଇ ଦେଉଛୁ ୨୦୦୨ ଗୋଧରାଥରେ ସାବରମତୀ ଏକ୍ସପ୍ରେସ ଅଗ୍ନିକାଣ୍ଡରେ ୫୯ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ‌ପୀଡିତଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ତୀର୍ଥଯାତ୍ରୀ ଥିଲେ ଯେଉଁମାନେ କି ଅଯୋଧ୍ୟାର ଏକ ସମାରୋହରେ ଯୋଗ‌ ଦେଇ ଘରକୁ ଫେରୁଥିଲେ। ସଂଖ୍ୟାଲଘୁ ସଂପ୍ରଦାୟର ଏକ ଭିଡ଼ ଏହି କରସେବକମାନଙ୍କୁ ନିର୍ମମ ଭାବେ ଜୀବନ୍ତ ଜଳାଇ ଦେଇଥିଲା। ଆରମ୍ଭରୁ ଏହି ଘଟଣା ଏକ ଦୁର୍ଘଟଣା ତଥା ହଠାତ୍‌ ଘଟିଥିବା ଏକ ଘଟଣା ବୋଲି ମନେ କରାଯାଉଥିବାବେଳେ ଏହା ଏକ ସୁଚିନ୍ତିତ ହତ୍ୟା ଷଡଯନ୍ତ୍ର ବୋଲି ସ୍ପଷ୍ଟ ହୋଇଛି। 
ଘଟଣାର ମୂଳ କେଉଁଠି? ଦୁଇ ସଂପ୍ରଦାୟ ମଧ୍ୟରେ ରହିଥିବା ଅବିଶ୍ବାସ। କିଛି ଲୋକ ନିରନ୍ତର ଏହାର ଲାଭ ଉଠାଇ ଚାଲିଛନ୍ତି। ମରୁଛନ୍ତି କେଉଁମାନେ? ଯେଉଁମାନେ ନିରୀହ। ବହୁ ଲୋକଙ୍କ ଘଟଣା ସହ ଆଦୌ ସଂପର୍କ ହିଁ ନଥାଏ। ସାବରମତୀର ସନ୍ଥ ମହାତ୍ମା ଗାନ୍ଧୀଙ୍କ ଦୃଢ଼ୋକ୍ତି 'ଏଦେଶର ବିଭାଜନ ମୋ ଶବ ଉପରେ ହେବ'ର କୌଣସି ମୂଲ୍ୟ ରହିଲା ନାହିଁ । ବରଂ ବିଭାଜନରେ ଗାନ୍ଧୀ ଜଣେ ମୁଖ୍ୟ ଚରିତ୍ର ହୋଇଗଲେ। ମୋତିଲାଲ ଙ୍କ ପ୍ରତି ଆନୁଗତ୍ୟ, ଜବାହର ଙ୍କ ପ୍ରତି ମୋହ ଯୋଗୁଁ ଜିନ୍ନା ଙ୍କୁ ବିରୋଧ କରି ପାକିସ୍ତାନ ଗଠନ କରିଦେଲେ। ମୂଳ ଭୂଖଣ୍ଡରୁ ମୁସଲିମ ସଂପ୍ରଦାୟଙ୍କୁ ନେଇ ଏକ ନୂତନ ଦେଶ ପାକିସ୍ତାନର ଜନ୍ମ ହେଲା। ଯଦି ସାବରମତୀ ସନ୍ଥଙ୍କ କଥାର ମୂଲ୍ୟ ରହିଲା ନାହିଁ ତେବେ ଧର୍ମ ଭିତ୍ତିରେ ଏହି ବିଭାଜନ ହୋଇଯିବାର ଥିଲା। ତେବେ ଆଜି ମୂଳ ଭାରତ ଭୂଖଣ୍ଡରେ ଅନ୍ତତଃ ଧର୍ମକୁ ନେଇ କୌଣସି ଦ୍ବନ୍ଦ୍ବ ରହନ୍ତା ନାହିଁ କି ଗୋଧରାଠାରେ ସାବରମତୀ ଏକ୍ସପ୍ରେସରେ ୫୯ ଲୋକଙ୍କୁ ଜୀବନ୍ତ ଜାଳି ଦିଆଯିବା ପରି ଦୃଶ୍ୟତ ଦେଖିବାକୁ ମିଳନ୍ତା ନାହିଁ। ପ୍ରକୃତରେ ସାବରମତୀ ସନ୍ଥ ତମେ କମାଲ କରିଗଲ, ଭାରତବାସୀଙ୍କୁ ଜୀବନସାରା ଅଡ଼ୁଆ ସୂତା ଦେଇଗଲ।
ସିନେମା ଦି ସାବରମତୀ ରିପୋର୍ଟ ଦେଖିବା ପରେ ଏତିକି ଭାବନା ନିହାତି ଭାବେ ଜଣେ ଭାରତୀୟ ହୃଦୟରେ ଆସିବ। 

Post a Comment

0 Comments