Ticker

4/recent/ticker-posts

ମହାଭାରତ ପଢ଼ିବା କାହିଁକି?

ମହାଭାରତ ବାବଦରେ ଯେଉଁମାନେ ପଢ଼ିଛନ୍ତି ସେମାନେ ନିହାତି ଭାବେ ଜାଣିଛନ୍ତି ଯେ, ଭଗବାନ ଗଣେଶ ମହର୍ଷି ବେଦବ୍ୟାସଙ୍କଠାରୁ ଶୁଣି ଶୁଣି ହିନ୍ଦୁ ଧର୍ମର ଏହି ମହାନ ଗ୍ରନ୍ଥକୁ ଲେଖିଛନ୍ତି। ତେବେ ଜାଣି ରଖିଥାନ୍ତୁ ମହର୍ଷି ବେଦବ୍ୟାସ କୌଣସି ବ୍ୟକ୍ତିଙ୍କ ନାମ ନୁହେଁ ବରଂ ଏହା ଏକ ଉପାଧି। ବେଦଙ୍କୁ ଜାଣିଥିବା ତଥା ଏହାର ବିଭାଗୀକରଣ କରୁଥିବା ବ୍ୟକ୍ତିଙ୍କୁ ହିଁ ବେଦବ୍ୟାସ କୁହାଯାଇଥାଏ। ଯେଉଁ ସନ୍ଥ ବା ବେଦବ୍ୟାସ ମହାଭାରତ ଗ୍ରନ୍ଥକୁ ରଚନା କରିଥିଲେ ସେ ହେଉଛନ୍ତି କୃଷ୍ଣ ‌ଦ୍ବୈପାୟନ ଏବଂ ସେ ହେଉଛନ୍ତି ୨୮ତମ ବେଦବ୍ୟାସ। କଳି ଯୁଗ ପୂର୍ବରୁ ପ୍ରତ୍ୟେକ ଦ୍ବାପର ଯୁଗରେ ବେଦର ବିଭାଗ ପ୍ରସ୍ତୁତ କରାଯାଇଥାଏ ଏବଂ ଯିଏ ଏହି କାର୍ଯ କରନ୍ତି ତାଙ୍କୁ ବେଦବ୍ୟାସ କୁହାଯାଏ। ପ୍ରଥମ ଦ୍ବାପର ଯୁଗରେ ସ୍ବୟଂ ବ୍ରହ୍ମା ବେଦବ୍ୟାସ ହୋଇଥିଲେ। ଏହା ପରେ ପରେ ଦ୍ବିତୀୟରେ ପ୍ରଜାପତି, ତୃତୀୟ‌େ‌ର ଶୁକ୍ରାଚାର୍ଯ୍ୟ, ଚତୁର୍ଥରେ ବୃହସ୍ପତି ଏହିପରି ଭାବେ ସୂର୍ଯ୍ୟ, ଯମ, ଧନଞ୍ଜୟ ପ୍ରମୁଖ ବିଭିନ୍ନ ସମୟରେ ବେଦବ୍ୟାସ ହୋଇଥିଲେ। ଏହି କ୍ରମରେ କୃଷ୍ଣ ‌ଦ୍ବୈପାୟନଙ୍କ ସ୍ଥାନ ୨୮ତମ ରହିଛି। ତେଣୁ ବିଶ୍ବାସ କରାଯାଏ ଯେ ଏହା ପୂର୍ବରୁ ୨୭ଥର ବେଦ ବିସ୍ତାର ତଥା ବିଭାଗୀକରଣ ହୋଇ ସାରିିଥିଲା।
 ମହର୍ଷି ପରାଶର ଏବଂ ସତ୍ୟବତୀ (ପରବର୍ତ୍ତୀ ସମୟରେ ହସ୍ତିନାପୁରର ରାଜା ଶାନ୍ତନୁଙ୍କ ଦ୍ବିତୀୟ ପତ୍ନୀ ହୋଇଥିଲେ) ଙ୍କ ପୁତ୍ର ହେଉଛନ୍ତି ମହର୍ଷି ବେଦବ୍ୟାସ । ତାଙ୍କ ଦେହର ରଙ୍ଗ କୃଷ୍ଣକାୟ ହୋଇଥିବା ଏବଂ ସେ ଏକ ଦ୍ବୀପରେ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କର ନାମ କୃଷ୍ଣ ଦ୍ବୈପାୟନ ହୋଇଛି। ପରବର୍ତ୍ତୀ ସମୟରେ କଠୋର ସାଧନା ତଥା ବେଦର ଗଭୀର ଅଧ୍ୟୟନ ସହ କୃଷ୍ଣ ଦ୍ବୈପାୟନ ବେଦବ୍ୟାସ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ। ମହାଭାରତ ଗ୍ରନ୍ଥକୁ କେବଳ ସେ ରଚନା କରିନାହାନ୍ତି ବରଂ ଏହି ଏହି ସବୁ ଘଟଣାର ସେ ହେଉଛନ୍ତି ସାକ୍ଷୀ। ଜାଣି ରଖିଥାନ୍ତୁ ସେ ହେଉଛନ୍ତି ଧୃତ୍ରରାଷ୍ଟ୍ର, ପାଣ୍ଡୁ ଏବଂ ବିଦୁରଙ୍କ ବାପା(ଏମାନଙ୍କ ଜନ୍ମବୃତ୍ତାନ୍ତ ଅନ୍ୟ ଏକ କାହାଣୀ)। ଗଙ୍ଗା ପୁତ୍ର ଭୀଷ୍ମ, ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ହେଉଛନ୍ତି ତାଙ୍କର ଭାଇ। ନିଜ ଆଶ୍ରମରେ ରହି ସେ ସଦାସର୍ବଦା ହସ୍ତିନାପୁରର ଖବର ନେଉଥିଲେ ଏବଂ ସମୟ ଅନୁସାରେ ଆବଶ୍ୟକ ପରାମର୍ଶ ଦେଉଥିଲେ। ମାତା ସତ୍ୟବତୀ ବହୁ ସମୟରେ ହସ୍ତିନାପୁରର ସମସ୍ୟା ନେଇ ତାଙ୍କ ଆଶ୍ରମକୁ ଆସୁଥିଲେ। କୃଷ୍ଣ ଦ୍ବୈପାୟନ ଜାଣିଥିଲେ ଯେ କଳି ଯୁଗରେ ଧର୍ମ ହ୍ରାସ ପାଇବ। ଧର୍ମର ଦୁର୍ବଳତା ହେତୁ ମଣିଷ ନାସ୍ତିକ, କର୍ତ୍ତବ୍ୟହୀନ ଏବଂ ସ୍ୱଳ୍ପ ଜୀବନଯାପନ କରିବ। ଏକ ବିରାଟ ବେଦ ଉପରେ ଏକ ବିସ୍ତୃତ ଅଧ୍ୟୟନ ସେମାନଙ୍କ କ୍ଷମତା ବାହାରେ ରହିବ | ସେଥିପାଇଁ କୃଷ୍ଣ ଦ୍ବୈପାୟନ ବେଦକୁ ଚାରି ଭାଗରେ ବିଭକ୍ତ କଲେ ଯାହା ଦ୍ୱାରା କମ୍ ବୁଦ୍ଧି ଏବଂ ସ୍ମୃତି ଶକ୍ତି କମ୍ ଥିବା ଲୋକମାନେ ମଧ୍ୟ ବେଦ ଅଧ୍ୟୟନ କରିପାରିବେ। କୃଷ୍ଣ ଦ୍ବୈପାୟନ ସେମାନଙ୍କୁ ନାମ ଦେଲେ ରୁକ୍, ସାମ, ଯଜୁ ଏବଂ ଅଥର୍ବ ବେଦ | ବେଦ ବିଭାଜନ କରିଥିବା ହେତୁ କୃଷ୍ଣ ଦ୍ବୈପାୟନ ବେଦବ୍ୟାସ ନାମରେ ପ୍ରସିଦ୍ଧ ହେଲେ। ତେବେ ବେଦରେ ଥିବା ଜ୍ଞାନ ଅତ୍ୟଧିକ ଗୁଢ଼ ଏବଂ ଶୁଷ୍କ ହୋଇଥିବାରୁ ପୁରାଣକୁ ସେ ପଞ୍ଚମ ବେଦ ଆକାରରେ ରଚନା କରିଥିଲେ, ଯେଉଁଥିରେ ବେଦ ବିଷୟରେ ଜ୍ଞାନ କୌତୁହଳପୂର୍ଣ୍ଣ କାହାଣୀ ଆକାରରେ କୁହାଯାଇଥିଲା | ଏହି ପରିପ୍ରେକ୍ଷୀରେ ସେ ହସ୍ତିନାପୁର କାହାଣୀକୁ ନେଇ ମହାଭାରତ ରଚନା କରିଥିଲେ। ମହାଭାରତରେ ପାଣ୍ଡବ ଏବଂ କୌରବଙ୍କ ଯୁଦ୍ଧ କାହାଣୀ ଦର୍ଶାଇବା ମୁଖ୍ୟ ଲକ୍ଷ୍ୟ ନୁହେଁ ବରଂ ଜୀବନର ବିଭିନ୍ନ ଦିଗ ଭଲ ମନ୍ଦ, ଆଶା ନିରାଶା, ସତ୍ୟ ମିଥ୍ୟା, ହିଂସା ଅହିଂସାକୁ ଅତ୍ୟନ୍ତ ଚତୁରତାର ସହିତ ବିଭିନ୍ନ ଚରିତ୍ର ମାଧ୍ୟମରେ ବର୍ଣ୍ଣନା କରାଯାଇଛି। ସ୍ଵୟଂ କୃଷ୍ଣ ଦ୍ବୈପାୟନ ବେଦବ୍ୟାସଙ୍କ କହିବା କଥା ହେଲା ' ଏମିତି କିଛି ନାହିଁ ଯାହା ମହାଭାରତରେ ନାହିଁ ଏବଂ ଯାହା ମହାଭାରତରେ ନାହିଁ ତାହା ଜଗତରେ ନାହିଁ। '
ତେଣୁ ମହାଭାରତର ଗଭୀର ଅଧ୍ୟୟନ କରନ୍ତୁ। ଜୀବନକୁ ଭଲରେ ବୁଝନ୍ତୁ। ଗୀତା ଯାହାକୁ ଜ୍ଞାନର ଭଣ୍ଡାର କୁହାଯାଏ ତାହା ମହାଭାରତର ଏକ ଅଂଶ ମାତ୍ର।

Post a Comment

0 Comments