ହିନ୍ଦୁ ଶାସ୍ତ୍ରରେ ନାରୀଙ୍କୁ ଯେଭଳି ଭାବେ ସମ୍ମାନସୂଚକ, ଗୁରୁତ୍ବପୂର୍ଣ୍ଣ ଏବଂ ଶୀର୍ଷ ସ୍ଥାନ ପ୍ରଦାନ କରାଯାଇଛି ତାହା ଅନ୍ୟ କୌଣସି ଧର୍ମ ଗ୍ରନ୍ଥରେ ଦେଖିବାକୁ ମିଳେ ନାହିଁ। ପ୍ରାଚୀନ ଗ୍ରନ୍ଥ ବେଦରେ ନାରୀର ନମ୍ରତା, ଗୁଣ, ସ୍ବଭାବ, କର୍ତ୍ତବ୍ୟ, ଅଧିକାରୀ, ସାମାଜିକ ଭୂମିକା ଆଦି ସଂପର୍କରେ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଯର୍ଜୁଃ ବେଦରେ ସ୍ତ୍ରୀକୁ ସଂସାରର ଆଧାରଶିଳା ଭାବେ ବର୍ଣ୍ଣନା କରାଯାଇଛି। ପୁରୁଷ ବିନା ସଂସାର ଯଦି ଗତିହୀନ ତେବେ ସ୍ତ୍ରୀ ବିନା ସଂସାର ସ୍ଥିତିହୀନ ବୋଲି କୁହାଯାଇଛି। ନାରୀକୁ ଆଦିଶକ୍ତି ଭାବେ ବର୍ଣ୍ଣନା କରାଯାଇଛି। ଋକବେଦରେ ସେଥିପାଇଁ ନାରୀକୁ ବ୍ରହ୍ମା ଭାବେ ବର୍ଣ୍ଣନା କରାଯାଇଛି। ବ୍ରହ୍ମରୁ ବିଶ୍ବ ସୃଷ୍ଟି ହୋଇଥିବାବେଳେ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ଆପାଲା, ଘୋଷା, ସରସ୍ୱତୀ, ସର୍ପରାଜ୍ଞୀ, ସୂର୍ଯ୍ୟା, ସାବିତ୍ରୀ, ଅଦିତୀ, ଦାକ୍ଷାୟନୀ, ଲୋପାମୁଦ୍ରା, ବିଶ୍ୱବାରା, ଆତ୍ରେୟୀ ପ୍ରମୁଖ ବୈଦିକ ନାରୀ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ। ବିଭିନ୍ନ ଶାସ୍ତ୍ରାର୍ଥରେ ସେମାନେ ଅଂଶଗ୍ରହଣ କରୁଥିଲେ। କେବଳ ଶିକ୍ଷାରେ ନୁହନ୍ତି ଯୁଦ୍ଧ କ୍ଷେତ୍ରରେ ମଧ୍ୟ ନାରୀମାନଙ୍କ ଭୂମିକା ରହୁଥିଲା। ତୈତୟା ଯୁଗରେ ଦେବ ଦାନବ ଯୁଦ୍ଧ ସମୟରେ ଦେବତାଙ୍କ ସହାୟତା ପାଇଁ ମର୍ତ୍ତ୍ୟ ମଣ୍ଡଳରୁ ଯାଇଥିବା ରାଜା ଦଶରଥଙ୍କ ରଥର ସାରଥି ଥିଲେ କୈକେୟୀ। ତାଙ୍କର ବିଚକ୍ଷଣ ରଥ ଚାଳନା ଏବଂ ଯୁଦ୍ଧ କୌଶଳ ଦେଖି ରାଜା ଦଶରଥ ଅଭିଭୂତ ହୋଇ ପଡ଼ିଥିଲେ, ତେଣୁ ତିନୋଟି ବର ମାଗିନେବା ପାଇଁ କୈକେୟୀଙ୍କୁ କହିଥିଲେ। (ଅବଶ୍ୟ ଏହି ବରଦାନ ଦଶରଥଙ୍କ ପାଇଁ ଆତ୍ମଘାତୀ ହୋଇଥିଲା, ମୃତ୍ୟୁ ସମୟରେ ପୁତ୍ରମୁଖ ଦେଖି ପାରି ନଥିଲେ।)
ଯେଉଁ କାର୍ଯ୍ୟ ଦେବଙ୍କ ଦ୍ବାରା ହୋଇପାରି ନାହିଁ ତାହା ଦେବୀଙ୍କ ଦ୍ବାରା ସମ୍ଭବ ହୋଇଛି। ଦୁର୍ଗା ମହିଷାସୁର କୁ ବଧ କରିଥିଲେ। ସ୍ବୟଂ ଭଗବାନ ବିଷ୍ଣୁଙ୍କୁ ତିନି ଥର ସ୍ତ୍ରୀ ରୂପ ନେବାକୁ ପଡ଼ିଥିଲା। ତେବେ ତିନି ଥର ହୋଇଥିଲେ ସୁଦ୍ଧା ବିଷ୍ଣୁଙ୍କ ଏହି ଅବତାର କୁ ମୋହିନୀ ଅବତାର ବୋଲି କୁହାଯାଏ। ସର୍ବପ୍ରଥମେ ସମୁଦ୍ର ମନ୍ଥନ ସମୟରେ ଶ୍ରୀହରୀ ମୋହିନୀ ଅବତାର ନେଇଥିଲେ। ଅମୃତ ପାନକୁ ନେଇ ଦେବ ଦାନବ ମଧ୍ୟରେ ଯୁଦ୍ଧ ପରିସ୍ଥିତି ହୋଇଥିଲା। ଶ୍ରୀହରି ମୋହିନୀ ବେଶ ଧାରଣ କରିବାରୁ ଦାନବମାନେ ମୋହିତ ହୋଇ ତାଙ୍କ ହାତରୁ ଅମୃତ ପିଇବାକୁ ଧାଇଁଲେ। ମୋହିନୀ ଛଳନା କରି ଦେବତାଙ୍କୁ ଅମୃତ ଏବଂ ଦାନବଙ୍କ ମଦିରା ପିଇବାକୁ ଦେଇଥିଲେ। (ଅବଶ୍ୟ ରାହୁ ଦେବତାଙ୍କ ମଧ୍ୟରେ ପଶି ମୋହିନୀଙ୍କ ହାତରୁ ଅମୃତ ପିଇ ଦେଇଥିଲେ। ସେ ଅନ୍ୟ ଏକ ପ୍ରକରଣ)। ସେହିପରି ଦ୍ବିତୀୟ ମୋହିନୀ ଅବତାର ଭଷ୍ମାସୁର ବଧ ସମୟରେ ଦେଖିବାକୁ ମିଳେ। ଶିବଙ୍କ ବରଦାନରେ ବଳିୟାନ ଭଷ୍ମାସୁର ଶିବଙ୍କୁ ଭସ୍ମ କରିବାକୁ ଦୌଡ଼ିଲା। ଶେଷରେ ବିଷ୍ଣୁ ମୋହିନୀ ବେଶ ଧରି ନୃତ୍ୟ କରିଥିଲେ। ତାଙ୍କ ସହ ତାଳ ଦେଇ ନାଚୁଥିବା ଭଷ୍ମାସୁର ନିଜ ମୁଣ୍ଡରେ ହାତ ଦେଇଦେବାରୁ ଭସ୍ମ ହୋଇଗଲା। ଦ୍ବାପର ଯୁଗରେ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣ ତୃତୀୟ ମୋହିନୀ ବେଶ ଧାରଣ କରିଥିଲେ। ପାଣ୍ଡବ-କୌରବ ଯୁଦ୍ଧ ପୂର୍ବରୁ ଅର୍ଜୁନଙ୍କ ବିଜୟ ପାଇଁ ତାଙ୍କ ପୁତ୍ର ଇରାବନ ନିଜର ବଳିଦାନ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏହା ପୂର୍ବରୁ ସେ ବିବାହ କରିବାକୁ ସର୍ତ୍ତ ରଖିଥିଲେ। ତେବେ କୌଣସି କନ୍ୟା ତାଙ୍କୁ ବିବାହ ପାଇଁ ରାଜି ହୋଇ ନଥିଲେ କାରଣ ବିବାହ ପରେ ପରେ ସେ ବିଧବା ଏବଂ ସତୀ ହେବାର ନିଶ୍ଚିତ ଥିଲା। ତେଣୁ ଶେଷରେ ଶ୍ରୀକୃଷ୍ଣ ମୋହିନୀ ବେଶ ଧାରଣ କରି ଇରାବନଙ୍କୁ ବିବାହ କରିବା ସହ ତାଙ୍କର ମୃତ୍ୟୁ ପରେ ରୀତିମତେ ତାଙ୍କୁ ବିଦାୟ ଦେଇଥିଲେ।
0 Comments