Ticker

4/recent/ticker-posts

ବାବୁରାଜ୍ ରୁ ମୁକ୍ତ ନୁହେଁ ମୋଦୀ ସରକାର 🤔🤔

By Deben Patel
ଜୟଶଙ୍କର, ବୈଷ୍ଣବ, ପୁରୀ, ପ୍ରମୋଦ ମିଶ୍ରଙ୍କ ପରେ ଏବେ ଶକ୍ତିକାନ୍ତ
ଏକଦା ବିଜେଡି ଶାସନାଧୀନ ଓଡ଼ିଶା ସରକାରରେ ବାବୁରାଜ୍ କୁ ଭାରି ସମାଲୋଚନା କରାଯାଉଥିଲା। ବିରୋଧୀ ଏହାକୁ ପ୍ରସଙ୍ଗ କରୁଥିଲେ। ଏହାକୁ ବିଭିନ୍ନ ମଞ୍ଚ‌ରେ ବିରୋଧ କରୁଥିଲେ। ବଡ଼ କଥା ହେଲା ଏହି ବିରୋଧରେ ଏବେକାର ଶାସକ ଦଳ ବିଜେପି ପ୍ରମୁଖ ଭୂମିକା ନେଉଥିଲା। ୨୪ ବର୍ଷର ବିଜେଡି ସରକାରର ପ୍ରଥମ ପର୍ଯ୍ୟାୟରେ ପ୍ୟାରୀମୋହନ ମହାପାତ୍ର ଏବଂ ପରବର୍ତ୍ତୀ ସମୟରେ ପାଣ୍ଡିଆନ ରାଜକୁ ପ୍ରବଳ ବିରୋଧ କରାଯାଉଥିଲା। ଏପରିକି ପାଣ୍ଡିଆନଙ୍କ କାର୍ଯ୍ୟକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ି ଦିଆଗଲା (ଓଡ଼ିଶାରେ ବିଜେପି ସରକାର ଗଠନର ପ୍ରମୁଖ ପ୍ରସଙ୍ଗ)। କିନ୍ତୁ ଜାଣିଥାନ୍ତୁ ବିଜେପିର ମୋଦୀ ସରକାର ମଧ୍ୟ କେବେ ମଧ୍ୟ ବାବୁରାଜ ବ୍ୟବସ୍ଥାର ବାହାରେ ନ ଥିଲା। ପ୍ରଶାସକଙ୍କୁ ଭରସା କରିବା ସରକାରୀ ବ୍ୟବସ୍ଥାରେ ଆଦୌ ନୂଆ କଥା ନୁହେଁ। ଗତ ତିନୋଟି ପାଳିରେ ସରକାର ଭାବେ କେନ୍ଦ୍ର ପରିଚାଳନା କରୁଥିବା ମୋଦୀ ସରକାର ଆରମ୍ଭରୁ ବ୍ୟୁରୋକ୍ରାଟଙ୍କ ଉପରେ ନିର୍ଭର କରି ଚଳିଆସିଛି।
ଶନିବାର ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଛି। ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଅଧିକାରୀ ଦାସଙ୍କ କାର୍ଯ୍ୟକାଳ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବ। ଗୁଜୁରାଟ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ର ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ଏପରି ପରିସ୍ଥିତିରେ ଶ୍ରୀ ଦାସଙ୍କୁ ତାଙ୍କ ସହିତ ଏହି ଦାୟିତ୍ୱ ଦିଆଯାଇଛି। ଏସ ଜୟଶଙ୍କର, ହରଦୀପ ପୁରୀ, ଅଶ୍ୱିନୀ ବୈଷ୍ଣବଙ୍କଠାରୁ ଶକ୍ତିକାନ୍ତ ଦାସଙ୍କ ପର୍ଯ୍ୟନ୍ତ ଏହି ପୂର୍ବତନ ବ୍ୟୁରୋକ୍ରାଟମାନେ ମୋଦି ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।
ମୋଦୀଙ୍କ ରାଜନୈତିକ କାର୍ଯ୍ୟଶୈଳୀ ଏବଂ ପ୍ରଶାସନିକ ରଣନୀତିକୁ ଧ୍ୟାନ ଦେଲେ ଏକ ସ୍ବତନ୍ତ୍ର ଧାରା ପରିଲକ୍ଷିତ ହୋଇଛି। ତାହା ହେଲା ପୂର୍ବତନ ବ୍ୟୁରୋକ୍ରାଟ (ଆଇଏଏସ, ଆଇଏଫଏସ, ଆଇଆରଏସ, ଆଇପିଏସ)ଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଏବଂ ନିର୍ଭରଶୀଳତା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଭଳି ପୂର୍ବତନ ‘ବାବୁ’ମାନେ ମୋଦି ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ କରୁଛନ୍ତି। ଅବଶ୍ୟ ଶକ୍ତି କେନ୍ଦ୍ରରେ ଓଡ଼ିଆଙ୍କ ଭଲ ପ୍ରଭାବ କୁହାଯିବ। ପୂର୍ବରୁ ଗୁଜୁରାଟ କ୍ୟାଡ଼ର ତଥା ସମ୍ବଲପୁର ନିବାସୀ ପି. କେ ମିଶ୍ରଙ୍କ ପରେ ଆଉ ଜଣେ ଓଡ଼ିଆ ପ୍ରମୁଖ ସଚିବ ପଦକୁ ଆସିଛନ୍ତି। ସେହିପରି ଅଶ୍ଵିନୀ ବୈଷ୍ଣବ ଯଦିଓ ଓଡ଼ିଆ ନୁହନ୍ତି ତେବେ ଓଡ଼ିଶା ରାଜ୍ୟସଭା କୋଟାରୁ ଯାଇ କେନ୍ଦ୍ରରେ ମୋଦୀ ସରକାରର ମନ୍ତ୍ରୀ ହୋଇଛନ୍ତି। ଓଡ଼ିଶାରେ କାର୍ଯ୍ୟ କରିବା ଅବସରରେ ବୈଷ୍ଣବଙ୍କ ଓଡ଼ିଶା ପ୍ରତି ପ୍ରବଳ ଦୁର୍ବଳତା ରହି ଆସିଛି।
ଏବେ ଜାଣିବା କାହିଁକି ସରକାରୀ ଦଳ ଏହି ପ୍ରଶାସନିକ ଅଧିକାରୀଙ୍କ ଉପରେ ନିର୍ଭର କରନ୍ତି। ପ୍ରଥମ କଥା ହେଲା ବ୍ୟୁରୋକ୍ରାଟଙ୍କ ପ୍ରଶାସନିକ ଦକ୍ଷତା ଏବଂ ଅଭିଜ୍ଞତା। ଆଇଏଏସ, ଆଇଏଫଏସ, ଆଇଆରଏସ, ଆଇପିଏସ ଅଧିକାରୀମାନେ ସେମାନଙ୍କର ସେବା ସମୟରେ ପ୍ରଶାସନିକ କାର୍ଯ୍ୟ, ନୀତିର କାର୍ଯ୍ୟାନ୍ୱୟନ ଏବଂ ସରକାର ମଧ୍ୟରେ ନିଷ୍ପତ୍ତି ନେବା ବିଷୟରେ ଗଭୀର ବୁଝାମଣା ରଖନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀ ଏପରି ଯେ ସେ ନୀତିଗୁଡ଼ିକର ଶୀଘ୍ର ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ପ୍ରାଥମିକତା ଦିଅନ୍ତି। ଏପରି ପରିସ୍ଥିତିରେ ଯେତେବେଳେ ଜଣେ ପୂର୍ବତନ ବ୍ୟୁରୋକ୍ରାଟ ସରକାରରେ ମନ୍ତ୍ରୀ କିମ୍ବା ଉଚ୍ଚ ପଦବୀ ପାଆନ୍ତି ପ୍ରଶାସନିକ ଜଟିଳତାକୁ ବୁଝିବା ପାଇଁ ତାଙ୍କୁ ଅଧିକ ସମୟ ଲାଗେ ନାହିଁ। ସେହିପରି ବ୍ୟୁରୋକ୍ରାଟମାନଙ୍କ ପାଖରେ ବିଭିନ୍ନ ମନ୍ତ୍ରଣାଳୟରେ କାମ କରିବାର ବର୍ଷ ବର୍ଷର ଅଭିଜ୍ଞତା ଅଛି। ତେଣୁ ସେମାନେ ଅଧିକ ବ୍ୟବସ୍ଥିତ ଏବଂ ବ୍ୟାବହାରିକ ଆଭିମୁଖ୍ୟ ଗ୍ରହଣ କରନ୍ତି। ଡିଜିଟାଲ ଇଣ୍ଡିଆ ହେଉ କି ଆଧାର କି ୟୁପିଆଇ ଭଳି ଯୋଜନା ହେଉ ଏହି ଟେକ୍ନୋକ୍ରାଟ ଏବଂ ପୂର୍ବତନ ବ୍ୟୁରୋକ୍ରାଟମାନେ ସେଗୁଡ଼ିକୁ ଭଲ ଭାବରେ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି।
ଏହା ସହ ମୋଦୀ  ସରକାରଙ୍କ ଧ୍ୟାନ ଦ୍ରୁତ ନିଷ୍ପତ୍ତି ଗ୍ରହଣ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଥିବା ବେଳେ ପ୍ରଶାସକମାନେ ଏହାକୁ ସଫଳତାର ସହିତ ତୁଲାଇଥାନ୍ତି। ସେହିଭଳି ବ୍ୟୁରୋକ୍ରାଟଙ୍କ କ୍ଷେତ୍ରରେ ଦେଖାଯାଇଛି ଯେ ସେମାନେ ଅଧିକ ଟେକ୍ନୋକ୍ରାଟିକ୍ ଉପାୟରେ ନିଷ୍ପତ୍ତି ନିଅନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀ ସରକାରଙ୍କ ଅବସରପ୍ରାପ୍ତ ପ୍ରଶାସକଙ୍କୁ ନିଯୁକ୍ତି ରଣନୀତି ବହୁ ପରିମାଣରେ ସଫଳ ହୋଇଛି। ବୈଦେଶିକ ନୀତି, ଆର୍ଥିକ ନୀତି, ପ୍ରତିରକ୍ଷା ଚୁକ୍ତି, ଭିତ୍ତିଭୂମି ବିକାଶ ଆଦି ପ୍ରତ୍ୟେକ କ୍ଷେତ୍ରରେ ଏହି ପୂର୍ବତନ ବ୍ୟୁରୋକ୍ରାଟଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ହୋଇଛି। ଅର୍ଥ ମନ୍ତ୍ରଣାଳୟରେ ମୁଖ୍ୟ ସଚିବ ଥିବା ଶକ୍ତିକାନ୍ତ ଦାସଙ୍କୁ ପୂର୍ବରୁ ଆରବିଆଇ ଗଭର୍ଣ୍ଣର କରାଯାଇଥିଲା। ସରକାରଙ୍କ ଆର୍ଥିକ ନୀତିଗୁଡ଼ିକୁ ସଠିକ ଉପାୟରେ କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ବିମୁଦ୍ରାକରଣ ଏବଂ ଜିଏସଟି ଭଳି ନିଷ୍ପତ୍ତି ସମୟରେ ସେ ନିଜକୁ ପ୍ରମାଣିତ କରି ପାରିଛନ୍ତି।
ଏସ୍. ଜୟଶଙ୍କରଙ୍କ ବାବଦରେ ଯଦି ଆଲୋଚନା କରିବା ତେବେ ବୈଦେଶିକ ସେବା (ଆଇଏଫଏସ)ରେ ସେ ଜଣେ ବରିଷ୍ଠ ଅଧିକାରୀ ରହିଆସିଛନ୍ତି ଏବଂ ଭାରତର କୂଟନୀତି ଉପରେ ତାଙ୍କର ଗଭୀର ଧାରଣା ଅଛି। ବୈଦେଶିକ ନୀତି ଦୃଷ୍ଟିରୁ ଜୟଶଙ୍କର ମୋଦି ସରକାରଙ୍କ ‘ଆକ୍ରମଣାତ୍ମକ’ ଏବଂ ‘ଜାତୀୟତାବାଦୀ’ ମନୋଭାବକୁ ଆଗକୁ ନେଇଥିଲେ। ହରଦୀପ ସିଂହ ପୁରୀଙ୍କ ନାମ ମଧ୍ୟ ଏହି ତାଲିକାରେ ଆସେ। ୧୯୭୪ ବ୍ୟାଚର ଭାରତୀୟ ବୈଦେଶିକ ସେବା ଅଧିକାରୀ ପୁରୀ ୨୦୦୯ ରୁ ୨୦୧୩ ପର୍ଯ୍ୟନ୍ତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ। ପୁରୀ ଜାନୁଆରୀ ୨୦୧୪ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ନଭେମ୍ବର ୨୦୨୦ରେ ଉତ୍ତରପ୍ରଦେଶରୁ ରାଜ୍ୟସଭାରେ ସାଂସଦ ହୋଇଥିଲେ। ୨୦୧୯ରେ ତାଙ୍କୁ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ବ୍ୟତୀତ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) କରାଯାଇଥିଲା। ମୋଦୀ ସରକାର ୩.୦ରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇ ଆସୁଛନ୍ତି। ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଏବଂ ଆଇଟି ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯିବା ପରେ ସେ ‘ବନ୍ଦେ ଭାରତ’ ଭଳି ପ୍ରକଳ୍ପକୁ ଆଗକୁ ବଢାଇବା ସହ ଡିଜିଟାଲ ଇଣ୍ଡିଆ ଅଧୀନରେ ପ୍ରମୁଖ ନୀତିଗତ ପଦକ୍ଷେପ ମଧ୍ୟ ନେଇଥିଲେ। 
ଚାଣକ୍ୟ ନୀତି କହେ ମୂର୍ଖ ମିତ୍ରଠାରୁ ପଣ୍ଡିତ ଶତ୍ରୁ ଭଲ। ତେଣୁ ମୋଦୀଙ୍କ ନୀତି କୌଣସି ମତେ ଭୁଲ ବୋଲି କୁହାଯାଇପାରିବ ନାହିଁ। ତେବେ ଓଡ଼ିଶାରେ ବିଜେଡିର ବାବୁରାଜ କଥା କହି ବିଜେପି ଦଳ ଓଡ଼ିଆଙ୍କୁ ଯେଭଳି ଭକୁଆ ବନାଇଲା ତାହା ପ୍ରଶଂସାଯୋଗ୍ୟ।
ରହୁଛି। ନମସ୍କାର 🙏

Post a Comment

0 Comments