୪କେର ସଂସାର
ଚଳିତ ବର୍ଷ ଆରମ୍ଭରୁ ସମସ୍ତ ଇଲେକ୍ଟ୍ରୋନିକ୍ସ ଗ୍ରାହକ ସମାବେଶ (ସିଇଏସ)ରେ ଯେଉଁ ଶବ୍ଦ ପ୍ରତି ବେଶୀ ଗୁରୁତ୍ୱ ଦିଆଯାଇଛି ତାହା ହେଉଛି ସ୍ମାର୍ଟ ଉପକରଣ। ଏହା ବାଦ୍ ୪କେ ହେଉଛି ସର୍ବାଧିକ ବ୍ୟବହୃତ ଶବ୍ଦ। ସାଧାରଣତଃ ଟିଭି କିଣିବା ସମୟରେ ସେଲ୍ସମ୍ୟାନ ୪କେ ପ୍ରତି ଗୁରୁତ୍ୱ ଦେଉଥିବା ଆପଣ ଲକ୍ଷ୍ୟ କରିଥିବେ। ଅନେକ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଇ ନଥାନ୍ତି। ମାତ୍ର ଏହାର ଅର୍ଥ ବୁଝି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟିଭି କିଣିବା ଉଚିତ।
ଟିଭିରେ ସ୍ପଷ୍ଟ ଚିତ୍ର ଦେଖିବା ପାଇଁ ଅଧିକ ରିଜ୍ୟୁଲେସନର ଆବଶ୍ୟକତା ପଡିଥାଏ। ଏଲଇଡି ଟିଭିର ପ୍ରଚଳନ ପରେ ଏହାର ଆବଶ୍ୟକତା ଅଧିକ ଉପଲବ୍ଧ କରାଯାଉଛି। ୪କେ ଅର୍ଥାତ୍ ୪୦୦୦ ରିଜ୍ୟୁଲେସନ। ଏହାକୁ ଅଧିକ ବିସ୍ତାରିତ ଭାବେ ବୁଝିବାକୁ ହେଲେ ୪୦୦୦ ପିକ୍ସେଲ ସାମନ୍ତରିକ ସ୍ପଷ୍ଟତାକୁ ସଂକ୍ଷେପରେ ୪କେ କୁହାଯାଇଥାଏ। ଏହାକୁ ଅଲ୍ଟ୍ରା ଏଚଡି ମଧ୍ୟ କୁହାଯାଏ। ପୂର୍ବରୁ କେବଳ ଏଚଡି (ହାଇ ଡେଫିନେସନ) ଅର୍ଥାତ୍ ଉଚ୍ଚ ରିଜ୍ୟୁଲେସନର ଟିଭି ମିଳୁଥିଲା। ଏହା ୧୯୨୦ଙ୍ଘ୧୦୮୦ ପିକ୍ସେଲ ବିଶିଷ୍ଟ ଅଟେ। ତେବେ ଅଲ୍ଟ୍ରା ଏଚଡି (୩୮୪୦ଙ୍ଘ୨୧୬୦ ପିକ୍ସେଲ) ର ଅଟେ। ତେଣୁ ପ୍ରାୟ ଦୁଇଗୁଣର ସ୍ପଷ୍ଟ ଚିତ୍ର ଆମେ ଟିଭିରେ ଦେଖି ପାରିବା।
ବହୁତ ଜଣ ସଂପ୍ରତି ୪କେ ମାନର ଟିଭି କିଣିବାକୁ ଅଯଥା ଖର୍ଚ୍ଚାନ୍ତ ବୋଲି ଯୁକ୍ତି କରିଥାନ୍ତି। କାରଣ ସେହି ମାନର ଅଧିକାଂଶ ଚଳଚ୍ଚିତ୍ର ଓ ସିରିଏଲ୍ ନିର୍ମାଣ ହେଉନାହିଁ। ତେବେ ମନେ ରଖିବାକୁ ହେବ ଯେ ସମୟ ଖୁବ୍ ଶୀଘ୍ର ବଦଳୁଛି। ସିରିଏଲ୍ଗୁଡିକ ଯଦିଓ ୪କେ ମାନର କ୍ୟାମେରାରେ ଉଠାଯାଉ ନାହିଁ, ହଲିଉଡ୍ର ଅଧିକାଂଶ ଓ ବଲିଉଡର ବହୁ ସିନେମା ୪କେ ମାନର ଅଟେ। ତେଣୁ ଏହି ମାନର ସିନେମାକୁ ଟିଭିରେ ଦେଖିବାବେଳେ ଏହାର ଅସଲ ମଜା ପାଇ ପାରିବେ ନାହିଁ। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବା ଏବଂ ଚ୍ୟାନେଲ୍ଗୁଡିକ ମଧ୍ୟ ଏଚଡି ପରେ ଅଲ୍ଟ୍ରା ଏଚଡି ମାନର ହୋଇଯିବ। ତେଣୁ ଏବେକାର ଆଂଶିକ ଓ ନିକଟ ଭବିଷ୍ୟତର ସଂପୂର୍ଣ୍ଣ ଉପଯୋଗିତା ପାଇଁ ୪କେ ଟିଭିର ଆବଶ୍ୟକତା ରହିଛି। ସୂଚିତ ଯେ, ସୋନି କଂପାନୀ ୨୦୦୪ ମସିହାରୁ ୪କେ ମାନର କ୍ୟାମେରା ଉପଲବ୍ଧ କରାଇଥିବାବେଳେ ୨୦୧୧ ମସିହାରୁ ସିନେମା ନିର୍ମାଣରେ ଏହାର ବ୍ୟବହାର ହୋଇଥିବା କୁହାଯାଉଛି। ୟୁଟ୍ୟୁବ୍ରେ ୨୦୧୦ ମସିହାରୁ ୪କେ ମାନର ଭିଡ଼ିଓ ଉପଲବ୍ଧ ରହିଛି।
ଅଲ୍ଟ୍ରା ଏଚଡି ବ୍ଲୁରେ:
ଘରୋଇ ମନୋରଞ୍ଜନ କ୍ଷେତ୍ରରେ ଅଲ୍ଟ୍ରା ଏଚଡି ବ୍ଲୁ-ରେକୁ ଏକ ବିପ୍ଲବ ବୋଲି କୁହାଯାଉଛି। ବ୍ଲୁ-ରେ ଟେକ୍ନୋଲୋଜି ଏବଂ ବ୍ଲୁ-ରେ ଡିସ୍କ ବାବଦରେ ପ୍ରାୟ ସମସ୍ତେ ଜାଣିଛନ୍ତି। ତେବେ ୪କେ ମାନର ଭିଡ଼ିଓକୁ ଚଳାଇବା ପାଇଁ ଅଲ୍ଟ୍ରା ଏଚଡି ବ୍ଲୁରେ ହେଉଛି ଏକମାତ୍ର ଡିସ୍କ।
ବର୍ତ୍ତମାନ ବଜାରରେ ମିଳୁଥିବା ବ୍ଲୁ-ରେ ଡିସ୍କରେ କେବଳ ଗୋଟିଏ ଆସ୍ତରଣ ବ୍ଲୁ-ରେ ରହିଥାଏ। ଏକକ-ଆସ୍ତରଣ ବିଶିଷ୍ଟ ବ୍ଲୁ-ରେ ୨୫ଜିବି ଡାଟାକୁ ସଂରକ୍ଷିତ କରି ରଖିପାରିବ। କିନ୍ତୁ ଅଲ୍ଟ୍ରା ଏଚଡି ବ୍ଲୁ-ରେ ର ଦୁଇ ଆସ୍ତରଣ ୬୬ଜିବି ପର୍ଯ୍ୟନ୍ତ ଡାଟା ସଂରକ୍ଷିତ କରି ରଖି ପାରିବ। ତେବେ ଡାଟା ସଂରକ୍ଷଣ କ୍ଷମତାଠାରୁ ଏହାର ଗୁଣାତ୍ମକ ଦିଗ ବେଶୀ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଏହା ଏଚଡିଆର(ହାଇ୍ ଡାଇନାମିକ ରେଞ୍ଜ) ମାନର ଚିତ୍ରକୁ ଗ୍ରହଣ କରୁଥିବାରୁ ଚିତ୍ରର ମାନ ବୃଦ୍ଧି ପାଇଥାଏ। ଯେଉଁ ଟିଭି ଏଚଡିଆର ମାନର ଚିତ୍ର ନେଇଥାଏ ତାହାର ମାନ ବେଶୀ ବୋଲି ଗ୍ରହଣ କରାଯାଇଥାଏ।
୪କେ ମାନର ଭିଡ଼ିଓ ଚିତ୍ର ପାଇଁ ବେଶୀ ପରିମାଣର ଡାଟା ବ୍ୟବହାର ହୋଇଥାଏ। ପ୍ରାୟ ଘଣ୍ଟାକର ଭିଡ଼ିଓ ଚିତ୍ର ପାଇଁ ୭ଜିବିର ଡାଟା ବ୍ୟବହାର ହୋଇଥାଏ। ତେଣୁ ଦୁଇଘଣ୍ଟିଆ ସିନେମା ପାଇଁ ପ୍ରାୟ ୧୪ଜିବିର ଆବଶ୍ୟକତା ପଡିବ। ତେଣୁ ଅଲ୍ଟ୍ରା ଏଚଡି ବ୍ଲୁ-ରେ ହିଁ ହେଉଛି ଏକମାତ୍ର ଡିସ୍କ ଯାହାକି ଏହି ମାନର ସିନେମା ଦେଖିବାରେ ସହାୟକ ହେବ।
ସଂପ୍ରତି ବଜାରରେ ଉପଲବ୍ଧ ବ୍ଲୁ-ରେ ସିଡି ପ୍ଲେୟାର ଅଲ୍ଟ୍ରା ବ୍ଲୁ-ରେ ସିଡିକୁ ଚଳାଇବାରେ ସକ୍ଷମ ନୁହେଁ। ତେଣୁ ନୂତନ ଭାବେ ପ୍ରସ୍ତୁତ ଅଲ୍ଟ୍ରା ଏଚଡି ବ୍ଲୁ-ରେ ସିଡି ପ୍ଲେୟାର କିଣିବାକୁ ପଡିବ। ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୪୦୦ ଡଲାର ରହୁଛି।
2 Comments
wonderful article. This type of article are rare in odia language. continue......
ReplyDeletegood one
ReplyDelete